ଆଖି ଧରିଛି କି ? କେମିତି କରିବେ ଏହାର ପ୍ରତିକାର..

ଆଖି ଧରା ରୋଗ ଏବେ ଦ୍ରୁତ ଗତରେ ବଢିବାରେ ଲାଗିଛି। ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ଏହି ଆଖିଧରା ରୋଗ। ଓଡିଶା ପରେ ଏବେ ପଶ୍ଚିମବଙ୍ଗରେ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହି ଆଖିଧରା ରୋଗ କ’ଣ ଏବଂ କାହିଁକି ବ୍ୟାପୁଛି।

ଆଖିଧରା ରୋଗ କିଛି ବଡ ରୋଗ ନୁହେଁ। ଏହା ଏକ ସମାନ୍ୟ ରୋଗ। ପୂର୍ବରୁ ମଧ୍ୟ ଆଖି ଧରୁଥିଲା ଏବଂ ଲୋକେ ମେଡିସିନ୍ ଷ୍ଟୋରରୁ କିଛି ଟ୍ରପ୍ କିଣି ପକାଉ ଦେଇଥିଲେ, ତାହା ଭଲ ମଧ୍ୟ ହେଉଥିଲା। କିନ୍ତୁ ସମୟ ସାଙ୍ଗରେ ରୋଗ ମଧ୍ୟ ଶକ୍ତିଶାଳୀ ହେଲାଣି। ପୂର୍ବ ପରି ଆଖିଧରା ରୋଗ ଆଉ ସାମାନ୍ୟ ହୋଇନାହିଁ। କରୋନା ଭାଇରସ୍ ଭଳି ଆଖି ଧରା ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଡେଇଁ କାୟା ବିସ୍ତାର କଲାଣି। ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଥମେ ଘର ଲୋକଙ୍କୁ, ପରେ ସାହି ଲୋକଙ୍କୁ, ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଏବଂ ଏହିପରି ଭାବରେ ସାରା ରାଜ୍ୟରେ ବ୍ୟାପିଗଲା। ଏବେ ରାଜ୍ୟ ବାହାରକୁ ମାଡିଲାଣି।

ପ୍ରାୟତଃ ବର୍ଷା ଋତୁରେ ବା ଋତୁ ପରିବର୍ତ୍ତନ ହେଲେ ଆଖିଧରା ରୋଗ ହୁଏ। ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରୁ ହିଁ ଆଖି ଧରା ରୋଗ ଦ୍ରୁତ ଗତିରେ ମାଡିଲାଣି। ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କଲେଣି। ଆଖିଧରା ରୋଗକୁ ପିଙ୍କ୍ ଆଏ ଡିଜିଜ୍ ବୋଲି କୁହାଯାଏ। ଏହି ରୋଗ ହେଲେ ଆଖି ଲାଲ୍ ପଡିବା ସହ କୁଣ୍ଡେଇ ହେବ ଏବଂ ଆଖିରୁ ପାଣି ବାହାରିଥାଏ। ଏହା ସହ ଆଖିରୁ ପୁଳା ପୁଳା ଲେଞ୍ଜରା ମଧ୍ୟ ବାହାରେ। ଏହା ଏକ ଭୂତାଣୁ ଓ ଜୀବାଣୁଜନିତ ସଂକ୍ରମିତ ରୋଗ। ହୋମିଓପାଥି ସାହାଯ୍ୟରେ ଏହି ରୋଗରୁ ଆରୋଗ୍ୟ ମିଳିପାରିବ। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ପରାମର୍ଶ ଜାରି କରାଯାଇଛି, ଆସନ୍ତୁ ନଜର ପକାଇବା…

ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ ଓ ତକିଆ ଆଦି ବ୍ୟବହାର କରନ୍ତୁ ନାହିଁ। ଏମିତିକି ତାଙ୍କ ଆଇ-ଡ୍ରପ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।

ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ଖାଆନ୍ତୁ ନାହିଁ ଏବଂ ଆଇ ଡ୍ରପ୍ ବ୍ୟବହାର କରନ୍ତୁ ନାହିଁ।

ଆଖିଧରା ରୋଗୀ ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ। ସୁଇମିଂ ପୁଲ୍ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ। ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।

ସଚେତନତା ଅଭାବରୁ ଛୋଟ ପିଲା ଓ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେବେ ଆଖି ଧରାକୁ ନେଇ କିଛି ଭୁଲ ଧାରଣା ମଧ୍ୟ ଲୋକଙ୍କ ମନରେ ରହିଛି।

ଚକ୍ଷୁରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପି ନ ଥାଏ। ଏହା କେବଳ ଏକ ଅନ୍ଧବିଶ୍ୱାସ। ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରା ଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ।