ଆମେ ଯେତେ ଆଧୁନିକ ହେଉ ନା କାହିଁକି, ଆଜି ବି ପୁଅ ଜନ୍ମ ହେଲେ ଝିଅ ଅପେକ୍ଷା ଅଧିକ ଖୁସୀ ବ୍ୟକ୍ତ କରୁ। ଯେତେବେଳେ ଜଣେ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦିଏ, ସେତେବେଳେ କୁହାଯାଏ ଯେ ସେ ଭାଗ୍ୟବାନ..। କିନ୍ତୁ ଅନେକ ଲୋକ ଆଗାମୀ ସମୟ ବିଷୟରେ ଚିନ୍ତା କରନ୍ତି ନାହିଁ। ଆମେ ଭୁଲିଯାଉଛୁ ଯେ ଆଜି ଶହ ଶହ ବାପା-ମା ପୁଅମାନଙ୍କ ଦ୍ବାରା ନିର୍ଯାତିତ ହୋଇ ରାସ୍ତା କଡରେ ବସିଛନ୍ତି।
ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଦେଖିବାକୁ ମିଳେ। ଯେଉଁଥିରେ ପରିତ୍ୟକ୍ତା ବାପା-ମାମାନେ ସେମାନଙ୍କର ଯନ୍ତ୍ରଣା ବୟାନ କରୁଥିବେ। ଅନେକ ଥର ଆମେ ଲୋକଙ୍କ ପାଟିରୁ ଶୁଣିଛୁ ଯେ ବୋହୂ ଆସିବା ପରେ ପୁଅ ବଦଳିଗଲା ଏବଂ ସେମାନଙ୍କୁ ଘରୁ ବାହାର କରି ଦେଲା କିମ୍ବା ସେମାନଙ୍କୁ ଏକୁଟିଆ ଛାଡି ଘର ଛାଡି ଚାଲିଗଲା। ଏଥିପାଇଁ ଲୋକେ କେବଳ ବୋହୂକୁ ହିଁ ଦାୟୀ କରନ୍ତି। ଆମର ପ୍ରଶ୍ନ ହେଉଛି ଏସବୁ ପାଇଁ କ’ଣ ସତରେ କେବଳ ବୋହୂ ହିଁ ଦାୟୀ। ପୁଅର କିଛି ଦୋଷ ନାହିଁ..?
ମା’ ଟିଏ ପୁଅଟି ଜନ୍ମ ଦେବା ପାଇଁ କେତେ ଓସା ବ୍ରତ ରଖେ। ଜନ୍ମ ପର ଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ କଷ୍ଟ ସହିଥାଏ। ଝିଅ ଠାରୁ ଅଧିକ ଗେହ୍ଲା କରେ ଏବଂ ଅଧିକ ଯତ୍ନ ମଧ୍ୟ ନିଏ। ସେଥିପାଇଁ ତ ପ୍ରାୟ ପ୍ରତ୍ୟେକଟି ଝିଅ ମନେ ମନେ ତା’ ଭାଇ କୁ ଇର୍ଷା କରେ। ବୋଉ ଅଧିକ ତା’ ପୁଅକୁ ଭଲ ପାଉଛି। ତେବେ ଏତେ ଦିନର ସମ୍ପର୍କ ବୋହୂ ଆସିଲା ପରେ ବଦଳିଯାଏ ..କିପରି ?
ପୁଅଟି ଯେତିକି ତା‘ ମାଆକୁ ଜାଣିଥାଏ, ସେତିକି ବୋହୂ ଜାଣିନଥାଏ। ବୋହୂର ଗୋଟିଏ ପଦ ନାଁ ରେ ପୁଅ ବଦଳିଯାଏ। ନିଜ ମା-ବାପାଙ୍କୁ ପଚାରେ ନାହିଁ। ଏହା କିପରି ସମ୍ଭବ..? ବିବାହ କରି ପର ଘରକୁ ଆସିଲା ପରେ ମଧ୍ୟ ଝିଅଟି ନିଜ ମା-ବାପାଙ୍କୁ ଭୁଲେନି। ଶାଶୁଘର ଲୋକ ଯେତେ ଚାପ ପକାଇଲେ ମଧ୍ୟ ସେ ନିଜ ବାପା-ମାଙ୍କୁ ଛାଡିପାରେନି। ପ୍ରତ୍ୟେକ ସୁବିଧା ଅସୁବିଧାରେ ନିଜ ବାପା-ମାଙ୍କ ପାଖରେ ଛିଡା ହେବାକୁ ଚେଷ୍ଟା କରେ। ହେଲେ ସ୍ତ୍ରୀର ପଦିଟିଏ କଥାରେ ପୁଅ କିଭଳି ବାପା-ମାଙ୍କୁ ଛାଡିଦିଏ ? ଏହି ପ୍ରଶ୍ନ ନିଶ୍ଚିତ ଭାବେ ଜନମାନସକୁ ଆନ୍ଦୋଳିତ କରିବ। ଆମର ଉଦ୍ଦେଶ୍ୟ ପୁଅମାନଙ୍କୁ ଦୋଷ ଦେବା ନୁହେଁ, ବରଂ ଏତିକି ଜଣାଇବା ଯେ ସନ୍ତାନ ମୋହରେ ଅନ୍ଧ ହେବା ଉଚିତ୍ ନୁହେଁ।
କୁହାଯାଏ , ପିଲାମାନେ ଯେତେ ଖରାପ ହେଲେ ମଧ୍ୟ ବାପା-ମା ସେମାନଙ୍କ ପାଇଁ ଅମଙ୍ଗଳ ଚିନ୍ତା କରନ୍ତି ନାହିଁ। ତେଣୁ ଏପରି ପରିସ୍ଥିତିରେ ଆମର ପରାମର୍ଶ ହେଉଛି ଯଦି ଆପଣ ନିଜ ପୁଅକୁ ଖରାପ ବୋଲି କହିପାରୁନାହିଁନ୍ତି, ତେବେ ଅନ୍ୟ ଘରୁ ଆସିଥିବା ଝଜିଅକୁ ଖରାପ ବୋଲି କୁହନ୍ତୁ ନାହିଁ। କାରଣ ବାପା-ମାଙ୍କ ପ୍ରତି ଦାୟିତ୍ୱ କେବଳ ବୋହୂର ନୁହେଁ, ପୁଅର ମଧ୍ୟ। ଠିକ୍ ସେହିଭଳି ଯଦି ଆମେ ବିଚାର କରିବା ବିବାହ ପରେ ଝିଅଟିର ବାପା-ମା ମଧ୍ୟ ଥାଆନ୍ତି। ସେମାନଙ୍କ ଦାୟିତ୍ବ ଜ୍ବାଇଁ ଉପରେ ନ୍ୟସ୍ତ ନଥାଏ। କିଛି ଜ୍ବାଇଁ ସ୍ବଇଚ୍ଛାରେ ଏହି ଦାୟିତ୍ବ ନିଅନ୍ତି, କିନ୍ତୁ ଏଥିପାଇଁ ସମାଜର କୌଣସି ନିଘା ନଥାଏ ବରଂ ଏହାକୁ ଖରାପ ନଜରରେ ଦେଖାଯାଏ। ବେଳେବେଳେ ମନରେ ପ୍ରଶ୍ନ ଆସେ ପର ଝିଅ ବା ବୋହୂ ଉପରେ ସବୁ ଦାୟିତ୍ବ ଏବଂ ସବୁ ଭୁଲ ମଧ୍ୟ ତା’ ମୁଣ୍ଡରେ କିନ୍ତୁ ପୁଅମାନଙ୍କ ପାଇଁ କିଛି ଦାୟିତ୍ବ ନାହିଁ। ନୂଆ ସମ୍ପର୍କର ଦାୟିତ୍ବ ବୋଝରେ ସେମାନେ ବର୍ଷ ବର୍ଷର ପୁରୁଣା ସମ୍ପର୍କ ଭୁଲି ଯାଆନ୍ତି , ଏଥିପାଇଁ ମଧ୍ୟ ଦାୟୀ ବୋହୂ…?
ଯେତେବେଳେ ଝିଅଟିଏ ଶାଶୁଘର ଏବଂ ବାପାଘର ଉଭୟକୁ ସଠିକ୍ ଭାବରେ ପରିଚାଳନା କରିପାରେ, ତେବେ ପୁଅ କାହିଁକି ଏପରି କରିପାରିବ ନାହିଁ? ତେବେ ଏଠାରେ ପୁଅମାନଙ୍କୁ ଆମର ପ୍ରଶ୍ନ ହେଉଛି ଯେ ଯେତେବେଳେ ସେମାନେ ପିଲାଦିନରେ ଭାଇଭଉଣୀଙ୍କ ସହ ଝଗଡା କରୁଥିଲେ, ସେତେବେଳେ କ’ଣ ତାଙ୍କ ବାପା-ମା ସେମାନଙ୍କୁ ଘରୁ ବାହାର କରି ଦେଇଥିଲେ ? ସବୁ ପରେ ମଧ୍ୟ ପୁଅର ଭୁଲକୁ ଗ୍ରହଣ କରି ଘରେ ଆଶ୍ରୟ ଦେଇଥିଲେ। ଯେଉଁ ଘରକୁ ଆଜି ନିଜର ବୋଲି କହି ପୁଅ ସେମାନଙ୍କୁ ଘରୁ ତଡି ଦେଉଛି ବା ଘରୁ ବାହାରି ଯିବା ପାଇଁ ବାଧ୍ୟ କରୁଛି। ପରୁଷପ୍ରାଧାନ୍ୟ ସମାଜ ପାଇଁ ଏତିକି ଗୁହାରି ଅନ୍ତତଃପକ୍ଷେ ଯେଉଁ ମାତୃ ଗର୍ଭରୁ ତୁମେ ଜନ୍ମ ହୋଇଛ ସେହି ମାଆଙ୍କୁ ସମ୍ମାନ ଦିଅ।