ଗୁପଚୁପ୍ କାହାକୁ ବା ପସନ୍ଦ ନୁହେଁ। ଗୁପ୍ଚୁପ୍ ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଆସେ। ଟିକେ ଖଟା, ଖଟା ମିଠା, ଟିକେ ଲୁଣି ଓ ଟିକେ ଲୁଣି..। ରାସ୍ତାଘାଟରେ ଯେଉଁଠି ଦେଖିଲେ ସେଠି ଗୁପଚୁପ୍ ଷ୍ଟଲ ପଡିଥାଏ। ଲୋକମାନେ ମଧ୍ୟ ପ୍ରବଳ ଭିଡ ଜମାନ୍ତି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ନାଁରେ ଗୁପଚୁପ୍ କୁ ଜାଣନ୍ତି ଲୋକ । କେଉଁଠି ପାନିପୁରୀ ତ ଅନ୍ୟ କେଉଁଠି ଗୋଲଗପ୍ପା, ପୁଚ୍କା ଏବଂ ଗୁପଚୁପ୍ ନାଁରେ ପ୍ରସିଦ୍ଧ। ଓଡିଶାରେ ଏହାକୁ ଗୁପଚୁପ୍ ନାଁରେ ଜାଣନ୍ତି। ଏହାକୁ ନେଇ ଓଡିଆ ଲୋକପ୍ରିୟ ଗୀତ ମଧ୍ୟ ରହିଛି। ତେବେ ଗୁଗୁଲ ଆଜି ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍ ପାନି ପୁରୀ ବା ଗୁପଚୁପ୍କୁ ଏକ ଡୁଡଲ୍ କରିଛି।
ତେବେ ଗୁପଚୁପ୍କୁ ନେଇ ଏକ ପୌରଣିକ ତଥ୍ୟ ମଧ୍ୟ ରହିଛି। ମହାଭାରତରେ ମଧ୍ୟ ଗୁପଚୁପ୍କୁ ନେଇ ଏକ ଅଧ୍ୟାୟ ରହିଛି। କିମ୍ବଦନ୍ତୀ ଅନୁଯାୟୀ ଗୁପଚୁପ୍ ର ପ୍ରଥମ ଆର୍ବିଭାବ ଦ୍ରୌପଦୀ କରିଥିଲେ।
ବିଶ୍ୱାସ ଅନୁଯାୟୀ, ଦ୍ୱାପର ଯୁଗରେ ଦ୍ରୌପଦୀ ଯେତେବେଳେ ବିବାହ କରି ପ୍ରଥମ ଥର ତାଙ୍କ ଶାଶୁ ଘରକୁ ଆସିଥିଲେ, ପାଣ୍ଡବଙ୍କ ମାତା କୁନ୍ତୀ ତାଙ୍କର ପରୀକ୍ଷା ନେବାକୁ ଚାହିଁଥିଲେ। କାରଣ ସେହି ସମୟରେ ପାଣ୍ଡବମାନେ ନିଜ ମା ଙ୍କ ସହିତ ଜଙ୍ଗଲରେ ରହୁଥିଲେ।
ସେତେବେଳେ କୁନ୍ତୀ ଦ୍ରୌପଦୀଙ୍କୁ କିଛି ମଇଦା, ଅଟା ଏବଂ କିଛି ପନିପରିବା ଦେଇ ତାଙ୍କୁ କହିଥିଲେ, ଏମିତି କିଛି ଖାଦ୍ୟ ପ୍ରସ୍ତୁତ କର ଯାହା ସମସ୍ତଙ୍କ ପେଟ ପୂରିବା ସହ ମନ ମଧ୍ୟ ମୋହିବ । ଶାଶୁଙ୍କୁ ଖୁସୀ କରିବାକୁ ଯାଇ ଦ୍ରୌପଦୀ ନିଜ ବୁଦ୍ଧ ବଳରେ ଖୁବ୍ ଶୀଘ୍ର ଗୁପ୍ଚୁପ୍ ପ୍ରସ୍ତୁତ କରିଥିଲେ ଏବଂ ସେମାନଙ୍କୁ ଖାଇବାକୁ ଦେଇଥିଲେ। ଯାହାକୁ ଖାଇ ପାଣ୍ଡବମାନେ ଏବଂ ଦ୍ରୌପଦ୍ରୀ ଅତ୍ୟନ୍ତ ଖୁସୀ ହୋଇଥିଲେ।
କୁହାଯାଏ ଯେ ଏହିପରି ଭାବରେ ଦ୍ରୌପଦୀ ବିଶ୍ୱରେ ପ୍ରଥମ ଥର ପାଇଁ ଗୁପଚୁପ୍ ତିଆରି କରିଥିଲେ। ପରବର୍ତ୍ତୀ ଦିନରେ, ଗୋଲଗାପ୍ପା ର ଆକୃତି, ପ୍ରକାର, ଉପାଦାନରେ ଅନେକ ପରିବର୍ତ୍ତନ ଆସିଥିଲା।
ଦେଶର ବିଭିନ୍ନ ସ୍ଥାନରେ ଗୋଲଗାପ୍ପା ଭିନ୍ନ ଭିନ୍ନ ରୂପ ପରଷାଯାଏ। ଏହାର ଉପାଦାନ , ପରଷିବା ଶୈଳୀ ଏବଂ ପାଣି ଭିନ୍ନ ଭିନ୍ନ ଥାଏ । ଆଧୁନିକ ଯୁଗରେ କେତେକ ସ୍ଥାନରେ ଏହାକୁ ଚିକେନ୍, ଆଇସି-କ୍ରିମ୍ , ମଦ ଏବଂ ସ୍କ୍ରଚ୍ ଦେଇ ପରିବେଷଣ କରାଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଖଟା ପାଣିର ସ୍ୱାଦ ଅନ୍ୟ କୌଣସିଥିରେ ନାହିଁ ।