ବେଟି ବିଜ୍ନେସ୍ ୱାଲି… ଆଗରୁ ଆପଣ ନିଶ୍ଚୟ ଶୁଣିଥିବେ। ଆଣ୍ଡ ଟିଭିର ଲୋକପ୍ରିୟ ଧାରାବାହିକ ଥିଲା ‘ବେଟି ବିଜ୍ନେସ୍ ୱାଲି’। ସେଥିରେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଆଜି ଆମେ ଆଲୋଚନା କରୁଛେ ବେଟି ଚାଏ ୱାଲି ବିଷୟରେ..
ପୂର୍ବରୁ ଝିଅମାନଙ୍କର କର୍ମ କ୍ଷେତ୍ର ସୀମିତ ପରିସୀମା ମଧ୍ୟରେ ଆବଦ୍ଧ ଥିଲା। ଉଚ୍ଚଶିକ୍ଷିତା ମାନେ ଡାକ୍ତର, ଇଞ୍ଜିନିୟର, ନର୍ସ, ଶକ୍ଷୟିତ୍ରୀ ବା ବେସରକାରୀ କ୍ଷେତ୍ରରେ ଏକ ସୁରକ୍ଷିତ ଚାକିରିଟିଏ କରିବାକୁ ପସନ୍ଦ କରୁଥିଲେ। ଯଦି ବ୍ୟବସାୟ କ୍ଷେତ୍ର ବିଷୟରେ ଆଲୋଚନା କରିବା ତେବେ ଧନୀ ଶ୍ରେଣୀର ଝିଅମାନେ ନିଜ ପିତାମାତାଙ୍କ ବଡ ବଡ କମ୍ପାନୀ ଚଳାଉଥିଲେ ଏବଂ ମଧ୍ୟମିତ ବା ଗରିବ ଶ୍ରେଣୀର ଝିଆମାନେ ପୋଷାକ ବା ପୋଷାକ ସିଲାଇ ଦୋକାନ ନହେଲେ କସମେଟିକ୍ ଦୋକାନ ଟିଏ କରି ବସୁଥିଲେ।
କିନ୍ତୁ ଏବେ ସେହି ଧାରା ବଦଳିଛି। ଝିଅମାନେ ଦୋକାନର ଚାରିକାନ୍ଥ ମଧ୍ୟରେ ନିଜକୁ ଆବଦ୍ଧ କରି ରଖିନାହାନ୍ତି। ବରଂ ମୁକ୍ତ ଆକାଶରେ ଉଡିବା ସହ ଖୋଲା ଆକାଶ ତଳେ ବ୍ୟବସାୟ କରିବା ଆରମ୍ଭ କଲେଣି। ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ରାସ୍ତା ଉପରେ ଟି ଷ୍ଟଲ ବା ଚା‘ ଦୋକାନ କରି ବ୍ୟବସାୟ ଆରମ୍ଭ କରୁଛନ୍ତି। ଚାକିରି ବେତନ ଠାରୁ ଢେର ଗୁଣା ଅଧିକ ରୋଜଗାର ମଧ୍ୟ କରୁଛନ୍ତି।
ଗ୍ରାଜୁୟଟ୍ ଚାୟୱାଲି
ପାଟନା ମହିଳା ମହାବିଦ୍ୟାଳୟ ନିକଟରେ ଚା’ ଷ୍ଟଲ ପକାଇଥିବା ୨୪ ବର୍ଷୀୟ ପ୍ରିୟଙ୍କା ଗୁପ୍ତା। ସେ ଜଣେ ସାଧାରଣ ଚା ବିକ୍ରେତା ନୁହଁନ୍ତି, ବାରାଣାସୀର ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠରୁ ଅର୍ଥନୀତିରେ ସ୍ନାତକ ହାସଲ କରିଛନ୍ତି। ଗତ ୨ ବର୍ଷ ଧରି ବ୍ୟାଙ୍କ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା କ୍ରମାଗତ ଦେଉଛନ୍ତି। କିନ୍ତୁ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ, ତେଣୁ ସେ ଘରକୁ ଫେରିବା ପରିବର୍ତ୍ତେ ପାଟନାରେ ଏକ ଚା ଷ୍ଟଲ କରି ରୋଜଗାର କରିବାକୁ ଯୋଜନା କରିଥିଲେ।
ପ୍ରଥମେ ବିଭିନ୍ନ ଦୋକାନ ବୁଲି ସର୍ଭେ କରିଥିଲେ। ପରେ ଏକ ଚା’ ଷ୍ଟଲ ଦେଇଥିଲେ। ବିଭିନ୍ନ ପ୍ରକାରର ଚା’ ଯେମିତି ମସଲା ଚା’, ପାନ୍ ଚା’, ଚକୋଲେଟ୍ ଚା’ ଆଦି ଉପଲବ୍ଧ ଥିଲା। ଗୋଟିଏ ଚା’ କପ୍ ର ଦାମ୍ ଥିଲା ୧୫ରୁ ୨୦ ଟଙ୍କା। ଦିନକୁ ତାଙ୍କର ୨ ଶହରୁ ୪ ଶହ କପ୍ ବିକ୍ରି ହେଉଥିଲା। ସେହି ହିସାବର ମାସକୁ ତାଙ୍କର ଏକ ଲକ୍ଷ ରୁ ଦୁଇ ଲକ୍ଷ ମଧ୍ୟରେ ରୋଜଗାର ହେଉଥିଲା। ପ୍ରବଳ ଭିଡ ଯୋଗଁ ସ୍ଥାନୀୟ ପ୍ରଶାସନ ଦ୍ବାରା କିଛି ଦିନ ପାଇଁ ଚା’ ଷ୍ଟଲ ବନ୍ଦ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ନୂଆ ସ୍ଥାନରେ ଏବଂ ନୂଆ ରୂପରେ ପୁଣି ଆରମ୍ଭ କରିଥିଲେ।
‘ଚାୟ ଚସ୍କା ବିଦ ବନ ମସ୍କା’
ଗ୍ରାଜୁୟଟ୍ ଚାୟ ୱାଲି ଦୋକାନରୁ ଅନୁପ୍ରାଣିତ ହୋଇ ୟୁପି ବରେଲିର ମହାବିସ୍ ନାମକ ଜଣେ ମୁସଲିମ୍ ବାଳିକା ଚା’ ଦୋକାନ ଖୋଲିଥିଲେ। ପ୍ରଥମେ ପରିବାର ଲୋକ ଏବଂ ସମ୍ପକୀୟ ତାଙ୍କୁ ଥଟ୍ଟା କରିଥିଲେ। ‘ଚାୟ ଚସ୍କା ବିଦ ବନ ମସ୍କା’ ନାମକ ଏକ ଚା’ ଦୋକାନ ଏସଏସପି କାର୍ଯ୍ୟାଳୟ ନିକଟରେ ଖୋଲିଥିଲେ। ଏହି ଦୋକାନ ବର୍ତ୍ତମାନ ସାରା ସହରରେ ପ୍ରସିଦ୍ଧ ହୋଇଛି। ସହରର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏଠାକୁ ଚା ପିଇବାକୁ ଆସୁଛନ୍ତି। ବିଶେଷ କଥା ହେଉଛି ଏହି ଛୋଟ ଚା’ ଦୋକାନରେ ଅଧା ଡଜନରୁ ଅଧିକ ସ୍ୱାଦରେ ଚା ଉପଲବ୍ଧ।
ଏମ୍ଏ ଚାୟୱାଲି
୨୦୧୪ ପର ଠାରୁ ଚା’ ସମ୍ମାନ ଦୃଷ୍ଟିରୁ ଦେଖାଗଲା। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ନିଜ ପିଲା ବେଳେ ବାପାଙ୍କ ଚା’ ଦୋକାନ ସମ୍ଭାଳୁଥିଲେ। ଏହା ପରେ ‘ଏମ୍ବିଏ ଚା’ ୱାଲା’ ମଧ୍ୟ ବଜାରରେ ବିଶେଷ ସୁନାମ ଅର୍ଜନ କରିସାରିଥିଲା। କିନ୍ତୁ ଆମେ ଦେଶରେ ଏମିତି ଜଣେ ଯୁବତୀ ଅଛନ୍ତି ୧୨ ପୂର୍ବରୁ ଚା’ ଦୋକାନ ଚଳାଇ ଆସୁଛନ୍ତି। ଉତ୍ତରାଖଣ୍ଡ ଶ୍ରୀନଗର ବାସିନ୍ଦା ଅଞ୍ଜନା ରାୱତ, ବର୍ଷ ୩୧ । ଶିକ୍ଷାଗତ ଯୋଗ୍ୟତା ଏମ୍ଏ ପାସ୍।
ବାପା କର୍କଟ ରୋଗରେ ଆକ୍ରାନ୍ତ ହେଲା ପରେ ୨୦୧୦ ମସିହାରେ ବାପାଙ୍କ ଚା’ ଦୋକାନକୁ ଚଳାଉଛନ୍ତି। ସେହି ରୋଜଗାରରେ ନିଜ ପାଠପଢା ଖର୍ଚ୍ଚ ବହନ କରିବା ସହ ଭଉଣୀ ବିବାହ, ଘର ଲୋନ୍ ଏଭଳି ଅନ୍ୟାନ୍ୟ ଖର୍ଚ୍ଚ କରୁଛନ୍ତି। ମାତ୍ର ୧୭ ବର୍ଷ ବୟସରୁ ସେ ସେହି ଦୋକାନରେ ବସିବା ଆରମ୍ଭ କଲିଛନ୍ତି। ସମୟ ଅଭାବରୁ ସେ ସେହି ଦୋକନରେ ଅଧ୍ୟୟନ କରନ୍ତି। ଆଜି ବି ସେହି ଦୋକାନ ସେଭଳି ଅବସ୍ଥାରେ ରହିଛି।
ଟି-ଭର୍ସ
ବିଭିନ୍ନ ଷ୍ଟଲ ବା ଦୋକାନରେ ଆପଣ ବହୁତ ଥର ଚା ପିଇଥିବେ ନିଶ୍ଚୟ। କିନ୍ତୁ ଚା’ ପିଇବା ପରେ ଗ୍ଲାସ ବା କପ୍ କୁ କ’ଣ କରନ୍ତି? ଉତ୍ତର ଆସିବ – ଜରି, କାଗଜ ଓ ମାଟି ଗ୍ଲାସ୍ ହେଲେ ଫିଙ୍ଗି ଦେଉଥିବେ, ଯଦି ଚିନାମାଟି କପ୍ , ଷ୍ଟିଲ ବା କାଚ ଗ୍ଲାସ ହୁଏ ତାହେଲେ ଦୋକାନବାଲାକୁ ଫେରାଇ ଦେଉଥିବେ। କିନ୍ତୁ ଗୋରଖପୁରରେ ଏମିତି ଚା’ ଷ୍ଟଲ୍ ରହିଛି ଯେଉଁଠାରେ ଚା’ ପିଇବା ସଙ୍ଗେସଙ୍ଗେ ଗ୍ଲାସ୍ କୁ ମଧ୍ୟ ଖାଇପାରିବେ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ।
ଏହି ଷ୍ଟଲର ନାମ ହେଉଛି ‘ଟି-ଭର୍ସ’ । ଯାହାକୁ ହିନ୍ଦୀରେ ‘ଚାଇ କି କବିତା’ ବା ଓଡିଆରେ ଚା’ ର କବିତା ବୋଲି କୁହାଯାଏ । ଏହି ଷ୍ଟଲ ନିର୍ମାତା ହେଉଛନ୍ତି ଉଚ୍ଚଶିକ୍ଷିତ ପରିବାରର ଅବନୀ ତ୍ରିପାଠୀ । ଗୋରଖପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ଷ୍ଟଲ୍ ଟି ସ୍ଥାପନ କରିଛନ୍ତି, ଯାହା ଖୁବ୍ କମ୍ ଖର୍ଚ୍ଚରେ ହୋଇଛି।
ଅବନୀ କୁହନ୍ତି, ଯେତେବେଳେ ମୁଁ ପ୍ରଥମେ ଦୋକାନ ଖୋଲିଥିଲି, ପ୍ରତିଦିନ ଏଠାରେ ଦୁଇ-ତିନି ବାଲ୍ଟି ଆବର୍ଜନା ବାହାରୁଥିଲା। ଏହାକୁ ଦୃଷ୍ଟିରେ ରଖି ଜରି ଓ କାଗଜ କପ୍ ବା ଗ୍ଲାସ୍ ପରିବର୍ତ୍ତେ ଆଇସକ୍ରିମ୍ ବିସ୍କିଟ୍ ରେ କପ୍ ପ୍ରସ୍ତୁତ କଲି। ଯାହାକୁ ଚା’ ପିଇବା ପରେ ଖିଆପାରିବ। ଯଦି ଗ୍ରାହକ ତାହାକୁ ଫିଙ୍ଗି ଦିଅନ୍ତି ତେବେ ବୁଲା ପଶୁ ଖାଇପାରିବେ। ଏହା ଦ୍ବାରା ପଶୁ ଓ ପରିବେଶ ଉଭୟ ସୁସ୍ଥ ରହିବ।
ତାଙ୍କ ପିତାମାତାଙ୍କର ସରକାରୀ ଚାକିରୀ ଥାଇ ମଧ୍ୟ ସେ ଏହି ବ୍ୟବସାୟକୁ ବାଛିଛନ୍ତି ଏବଂ ପ୍ରତିଦିନ ୨୫୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଏହା ସହିତ ସେ ଆଉ ଦୁଇ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।
ବ୍ରିଟିଶ ଚାକିରି ଛାଡି ଚା ଦୋକାନ
ଚା ’ଦୋକାନ ଖୋଲିଥିବା ଏହି ଝିଅର ନାମ ହେଉଛି ଶର୍ମିଷ୍ଠା ଘୋଷ। ଶର୍ମିଷ୍ଠା ଇଂରାଜୀ ସାହିତ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ସେ ବ୍ରିଟିଶ କାଉନସିଲରେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ ଚାକିରି ଛାଡି ଏକ ଚା ଦୋକାନ ଖୋଲିଥିଲେ। ଶର୍ମିଷା ଚାକିରି ପ୍ରତି ଆଗ୍ରହୀ ନଥିଲେ, ଏହା ପରେ ସେ ଚାକିରି ଛାଡି ନିଜର କାମ ଆରମ୍ଭ କରିଥିଲେ।
ବି.ଟେକ୍ ଚାୟୱାଲି
ବିହାରର ଛାତ୍ରୀ ଭର୍ତ୍ତିକା ସିଂ । ଯିଏ ବି.ଟେକ୍ ଚାୟୱାଲି ନାମରେ ଜଣାଶୁଣା। ସର୍ବଦା ନିଜର ବ୍ୟବସାୟ ଆରମ୍ଭ କରିବାକୁ ସେ ସ୍ୱପ୍ନ ଦେଖୁଥିବା ବି.ଟେକ୍ ଛାତ୍ରୀ ଚାକିରି ପାଇଁ ସେ ୪ ବର୍ଷ ଅପେକ୍ଷା କରିବାକୁ ଚାହୁଁନଥିଲେ। ଛୋଟରୁ ଆରମ୍ଭ କଲେ। ଫରିଦାବାଦରେ ସନ୍ଧ୍ୟା ସାଢେ ୫ଟାରୁ ରାତି ୯ଟା ଯାଏଁ ସେ ଚା’ ଦୋକାନ ଚଳାନ୍ତି।
ପୋଷ୍ଟ ଗ୍ରାଜୁଏଟ୍ ଚାୟ ୱାଲି
ଜଣେ କୃଷକର ଝିଅ ପୋଷ୍ଟ ଗ୍ରାଜୁଏଟ୍। ବିହାର ଦେଓଘର କୋଥିଆ ଗାଁର ରାଧା ଯାଦବ। ଚାକିରି ପାଇଲେ ନାହିଁ। ମହିଳା କଲେଜ ସମ୍ମୁଖରେ ଏକ ଚା ଷ୍ଟଲ୍ ଖୋଲିଲେ। ଦେଶୀ ଚା’ ମାଟି କପ୍ ବା ଗ୍ଲାସରେ ପିଇବାକୁ ସ୍ଲୋଗାନ ଦେଇଥିଲେ। ମୁଖ୍ୟତଃ ମହିଳା, ଯୁବତୀ ଓ କଲେଜ ଛାତ୍ରୀଙ୍କ ପାଇଁ ଏହି ଷ୍ଟଲ ଖୋଲିଥିଲେ। କିନ୍ତୁ ପ୍ରଥମେ ପ୍ରଥମେ ସେଠାକୁ କେହି ଛାତ୍ରୀ ଆସିଲେ ନାହିଁ। କିଛି ନାମୀଦାମୀ ବ୍ୟକ୍ତି ସେଠାରେ ଚା’ ପିଇବା ପରେ ଛାତ୍ରୀମାନେ ତାଙ୍କ ଷ୍ଟଲକୁ ଆସିବା ଆରମ୍ଭ କଲେ। ଦିନକୁ ସେ ୨୦୦ କପ୍ ଚା’ ବିକ୍ରି କରନ୍ତି। ୟୁଟ୍ୟୁବ୍ ଦେଖି ସେ ଏହି ଯୋଜନା କରିଥିଲେ।
‘ଭାରତର ଶେଷ ଚା ଦୋକାନ’
ଏବେ କଥା ହେବା ଦେଶର ଶେଷ ଚା’ ଦୋକାନ ବିଷୟରେ…। ତାହା ମଧ୍ୟ ଜଣେ ମହିଳାଙ୍କର …। ଏହି ଦୋକାନର ସବୁଠାରୁ ସ୍ବତନ୍ତ୍ର କଥା ହେଲା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୦,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ ଉତ୍ତରାଖଣ୍ଡର ଏକ ଗାଁରେ ଡିଜିଟାଲ ପେମେଣ୍ଟ ସୁବିଧା ମଧ୍ୟ ଉପଲବ୍ଧ। ଚା’ ପିଇବା ସମୟରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସଙ୍ଗେସଙ୍ଗେ UPI ମାଧ୍ୟମରେ ପେମେଣ୍ଟ କରିପାରିବେ। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଦୋକାନକୁ ଲୋକଲୋଚନକୁ ଆଣିଥିଲେ। ଟ୍ବିଟର୍ ମାଧ୍ୟରେ ସେ ଏହି ଷ୍ଟଲ ପ୍ରଂସଶା କରିବା ସହ ନିଜର ଖୁସି ବ୍ୟକ୍ତ ମଧ୍ୟ କରିଥିଲେ। ଏହି ଦୋକାନଟିର ନାମ ହେଉଛି ‘India’s Last Tea Shop’ ବା ‘ଭାରତର ଶେଷ ଚା ଦୋକାନ’।
As they say, a picture is worth a thousand words. This captures the breathtaking scope and scale of India’s digital payments ecosystem. Jai ho! 👏🏽👏🏽👏🏽 https://t.co/n6hpWIATS0
— anand mahindra (@anandmahindra) November 4, 2022