ଆମେ ସାହାରା ଓ ସମର୍ଥନ ଚାହୁଁନାହୁଁ, କେବଳ ନିଜ ଅସ୍ତିତ୍ୱ ଚାହୁଁ। ବିଧବା, ପରିତ୍ୟକ୍ତା(ଡିଭୋସି) ଏବଂ ଅବିବାହିତ ଆମ ପରିଚୟ ନୁହେଁ। ଏଭଳି କିଛି ପଂକ୍ତିକୁ ଭାରତୀୟ ମହିଳାମାନେ ଭଲ ଭାବରେ ବୁଝିବା ସହ ତାହାକୁ ଆପଣାଇ ସାରିଛନ୍ତି। ବର୍ତ୍ତମାନ ସିଙ୍ଗଲ ବା ଏକାକୀ ରହିବାର କ୍ରେଜ କ୍ରମାଗତ ଭାବେ ବୃଦ୍ଧି ପାଉଛି |
Psychologytoday.com ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ବିଶେଷଜ୍ଞ ପ୍ରଫେସର ପଲ୍ ଡୋଲାନ୍ କହିଛନ୍ତି ଯେ ସନ୍ତାନହୀନ ଏବଂ ଅବିବାହିତ ନାରୀମାନେ ସବୁଠାରୁ ବେଶୀ ଖୁସିରେ ରୁହନ୍ତି। ବିବାହିତ ପୁରୁଷମାନେ ଅନେକ ଲାଭରେ ବା ଖୁସିରେ ରହୁଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ଏଭଳି ସମାନ କୁହାଯାଇପାରିବ ନାହିଁ। ଡୋଲାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିବାହିତ ପୁରୁଷମାନେ କମ୍ ଚିନ୍ତା ନିଅନ୍ତି, ଯେଉଁଥିପାଇଁ ସେମାନେ ସ୍ୱାସ୍ଥ୍ୟକର ଥାଆନ୍ତି। ମଧ୍ୟମ ବୟସରେ ବିବାହିତ ମହିଳାମାନେ ଅବିବାହିତ ମହିଳାଙ୍କ ଅପେକ୍ଷା ଉଭୟ ମାନସିକ ଏବଂ ଶାରୀରିକ ଭାବେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏମିତି କୁହାଯାଇପାରିବ ବିବାହିତ ମହିଳାମାନଙ୍କ ଚିନ୍ତା ଅଧିକ ଥାଏ। ଶେଷରେ ଡୋଲାନ୍ ଅନୁସନ୍ଧାନରେ ସିଦ୍ଧାନ୍ତ ନେଇଥିଲେ ଯେ, ସବୁଠାରୁ ସୁସ୍ଥ ଏବଂ ସୁଖୀ ସେହି ମହିଳା ଯେଉଁମାନେ କେବେ ବି ବିବାହ କରିନାହାଁନ୍ତି କିମ୍ବା ସେମାନଙ୍କର ସନ୍ତାନ ନାହିଁ।
ପୁରୁଷଙ୍କ ଅପେକ୍ଷା ଅବିବାହିତ ମହିଳା ଅଧିକ ସନ୍ତୁଷ୍ଟ କି?
ଅନ୍ୟ କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅବିବାହିତ ହୋଇ ଅଧିକ ସନ୍ତୁଷ୍ଟ ଅଛନ୍ତି। କାରଣ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଘର କାମରେ ଅଧିକ ସମୟ ଅତିବାହିତ କରନ୍ତି। ସେମାନେ ଅଧିକ ଭାବପ୍ରବଣ କାର୍ଯ୍ୟ ମଧ୍ୟ କରନ୍ତି। କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଏହା କୁହାଯାଇପାରିବ ନାହିଁ। ଅବିବାହିତ ପୁରୁଷ ସେତେଟା ଖୁସୀ ନଥାନ୍ତି। କାରଣ ଅଧିକାଂଶ ପୁରୁଷମାନେ ପତ୍ନୀଙ୍କ ଉପରେ ଅଧିକ ନିର୍ଭରଶୀଳ ଥାଆନ୍ତି। ଏକ ରିପୋର୍ଟ ଅନୁଯାୟୀ, ୭୫ ପ୍ରତିଶତ ସିଙ୍ଗଲ ମହିଳା ଖୁସୀ ଥିବା ବେଳେ ପୁରୁଷମାନଙ୍କ ସଂଖ୍ୟା ୬୫ ପ୍ରତିଶତ। ସିଙ୍ଗଲ ମହିଳା ସାଙ୍ଗସାଥୀ ମେଳରେ ବା ଖୋଜିବାରେ ସମୟ ଅତିବାହିତ କରୁଥିବା ବେଳେ ପୁରୁଷମାନେ ଜୀବନସାଥୀ ଖୋଜିବାରେ ବ୍ୟସ୍ତ ରୁହନ୍ତି।
ପୁରୁଷଙ୍କ ଅପେକ୍ଷା ମହିଳାମାନେ ସାମାଜିକ ନେଟୱାର୍କରେ ଅଧିକ ଦୃଢ ଥାଏ ବା ସେମାନେ ଅଧିକମାତ୍ରାରେ ଜଡିତ ଥାଆନ୍ତି। ଭାରତରେ ୭.୪ କୋଟି ସିଙ୍ଗଲ ବା ଏକାକି ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରେ ଅବିବାହିତ, ବିଧବା ଏବଂ ଛାଡପତ୍ରଧାରୀ ଅନ୍ତର୍ଭୁକ୍ତ।
ଭାରତର ଗ୍ରାମାଞ୍ଚଳରେ ଏକାକୀ ମହିଳାମାନଙ୍କୁ ପ୍ରାୟତଃ ସେମାନଙ୍କ ପରିବାର ଉପରେ ବୋଝ ଭାବରେ ଦର୍ଶାଯାଏ। ଅବିବାହିତାଙ୍କର କିଛି ଅଧିକାର ନଥାଏ ଏବଂ ବିଧବାମାନଙ୍କୁ କେତେକ ପବିତ୍ର ସ୍ଥାନକୁ ଯିବା ବାରଣ କରାଯାଏ।
ଆରେ, ତାକୁ ଅଧିକ ଶିକ୍ଷା ଦେଇ ଲାଭ କ’ଣ ? ଆସନ୍ତାକାଲି ସେ ବିବାହ କରିବ ଏବଂ ପର ଘରକୁ ଚାଲିଯିବ। ଶିକ୍ଷାଗତ ଯୋଗ୍ୟତା ଅଧିକ ହେଲେ ସେଭଳି ଜ୍ବାଇଁ ଖୋଜିବା ଅସୁବିଧା ହେବ…. ଗାଁ ଗାଉଁଲିରେ ଝିଅ ଏବଂ ମହିଳାଙ୍କ ପାଇଁ ଏପରି କିଛି ବାକ୍ୟ ନିଶ୍ଚିତ ଭାବରେ ଆପଣଙ୍କ କାନକୁ ଆସିଥିବେ।
ପାରମ୍ପାରିକ ଭାବରେ ଭାରତରେ ଝିଅମାନେ ଏପରି ଭାବରେ ପ୍ରତିପୋଷିତ ହୁଅନ୍ତି ଯେ, ସେମାନେ ଭବିଷ୍ୟତରେ ଭଲ ପତ୍ନୀ ଏବଂ ମା ହେବେ। ବିବାହ ହେଉଛି ସେମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ବୋଲି ଶିକ୍ଷା ଦିଆଯାଏ।
କିନ୍ତୁ ସମୟ ବଦଳିଛି । ବର୍ତ୍ତମାନ ବହୁ ସଂଖ୍ୟକ ମହିଳା ନିଜ ସ୍ୱାଧୀନତା ପାଇଁ ଏକାକୀ ଚାଲିବାର ପଥ ଗ୍ରହଣ କରି ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି। ଯଦିଓ ଗ୍ରାମାଞ୍ଚଳରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳୁନାହିଁ କିନ୍ତୁ ସହରାଞ୍ଚଳରେ ଏହାର କମ୍ପନ କିଛି ଅଲଗା ପ୍ରକାରର। ସମାଜିକ ଗଣମାଧ୍ୟରେ ଏହାର ପ୍ରଚାର ପ୍ରସାର ଦେଖିବାକୁ ମିଳୁଛି।
ନଜର ପଡିଥିଲା ‘ଏକାକୀ ମହିଳା ବା ଷ୍ଟାଟସ୍ ସିଙ୍ଗଲ୍’ ନାମରେ ଥିବା ଫେସବୁକ୍ କମ୍ୟୁନିଟ ଉପରେ। ଏଥିରେ ଅନେକ ସହରୀ ମହିଳା ସାମିଲ ଥିଲେ। ଯେଉଁମାନେ ପେସାରେ ଶିକ୍ଷକ, ଡାକ୍ତର, ଆଇନଜୀବୀ, ବୃତ୍ତିଗତ, ବ୍ୟବସାୟୀ ମହିଳା, କାର୍ଯ୍ୟକର୍ତ୍ତା, ଲେଖକ ଏବଂ ସାମ୍ବାଦିକା। କେତେକ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି କିମ୍ବା ଛାଡପତ୍ର କିମ୍ବା ବିଧବା ହୋଇଥିବାବେଳେ ଅନ୍ୟମାନେ ହେଉଛନ୍ତି ମହିଳା ଯେଉଁମାନେ କେବେ ବି ବିବାହ କରିନାହାଁନ୍ତି ।
ଏହି କମ୍ୟୁନିଟର ପ୍ରତିଷ୍ଠାତା ତଥା ଲେଖିକା ଶ୍ରୀମୟୀ ପୀୟୁ କୁଣ୍ଡୁ ଏକ ନିଦ୍ଦିଷ୍ଟ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ” ନିଜକୁ ବିଧବା, ଛାଡପତ୍ରଧାରୀ କିମ୍ବା ଅବିବାହିତ ବୋଲି କହିବା ବନ୍ଦ କରିବା ଉଚିତ୍। ଆମେ ଗର୍ବର ସହିତ ନିଜକୁ ‘ଏକାକୀ ବା ସିଙ୍ଗଲ ମହିଳା’ କହିବା ଆରମ୍ଭ କରିବା ଉଚିତ୍।”
ସିଙ୍ଗିଲ ମହିଳାମାନେ ଅଧିକ ଧନୀ
ନ୍ୟୁୟର୍କ ସିଟି ର ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ଥେରାପି ପରାମର୍ଶଦାତା ମଶେଲୀ ମାରେରୋ ବ୍ୟକ୍ତିଗତ ଭାବେ ସଙ୍ଗିଲ ବା ଏକାକୀ ମହିଳା। ବିବାହିତ ନୁହଁନ୍ତି ଏବଂ ତାଙ୍କର କୌଣସି ସନ୍ତାନ ନାହିଁ । ୪୩ ବର୍ଷିୟ ମାରେରୋ ମେଡିକାଲ୍ ଉପକରଣ କମ୍ପାନୀ ପାଇଁ ମାର୍କେଟିଂରେ କାମ କରନ୍ତି ଏବଂ ତାଙ୍କ ଚାକିରିରେ ସଂପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି।
ମାରେରୋ କୁହନ୍ତି, ମୁଁ ମୋ ଜୀବନକୁ ଭଲ ପାଏ ଏବଂ ନିଜକୁ ପୂର୍ଣ୍ଣ ଅନୁଭବ କରେ। “ମୁଁ ପିଲାମାନଙ୍କୁ ଭଲ ପାଏ କିନ୍ତୁ ମୁଁ ଜାଣେ ନାହିଁ ଯଦି ମୋର ନିଜ ପିଲାମାନେ ଥାଆନ୍ତେ ତେବେ ମୁଁ ମୋ ଜୀବନକୁ ଭଲପାଇ ପାରିଥାନ୍ତି କି ନାହିଁ ?”
ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ଅଫ୍ ସେଣ୍ଟ୍ ଲୁଇସ୍ ର ନୂତନ ଅନୁସନ୍ଧାନ ଅନୁଯାୟୀ, ୨୦୧୯ରେ ଏକାକୀ ପୁରୁଷଙ୍କ ହାରାହାରି ସମ୍ପତ୍ତି ୫୭,୦୦୦ ଡଲାର ତୁଳନାରେ ଅବିବାହିତ ମହିଳାଙ୍କ ହାରାହାରି ସମ୍ପତ୍ତି ୬୫,୦୦୦ ଡଲାର ଥିଲା। ଏକାକୀ ମା’ ମାନଙ୍କ ହାରାହାରି ସମ୍ପତ୍ତି ମାତ୍ର ୭,୦୦୦ ଡଲାର ଥିଲା।
ସିଙ୍ଗିଲ ଓମେନ୍ ବା ଏକାକୀ ମହିଳାମାନଙ୍କୁ ନେଇ ବଲିଉଡରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। କ୍ବିଇନ୍, ପିକୁ, ପଗଲାଟ୍, ମସାନ୍, ଡୋର ଏବଂ ସକୁନ୍ତଳା ଦେବି ଆଦି ସିନେମାରେ ଏକାକୀ ମହିଳାର ସଂର୍ଘଷର କାହାଣୀ ଦେଖିବାକୁ ମିଳେ।
ଉପସ୍ଥାପିକା – ବୈଜୟନ୍ତୀ ନାୟକ