ଖ୍ରୀଷ୍ଟମାସ ୨୦୨୨ : ଏଭଳି ଦେଶ, ଯେଉଁଠି ପାଳନ ହୁଏନି ଖ୍ରୀଷ୍ଟମାସ ଦିବସ

ଆସନ୍ତାକାଲି ଡିସେମ୍ବର ୨୫ ବା ଖ୍ରୀଷ୍ଟମାସ ଦିବସ। ଏହା ସମଗ୍ର ବିଶ୍ୱର ସବୁଠାରୁ ବଡ ପର୍ବ। ଦୁନିଆର ଅନେକ ଦେଶରେ ଏହାର ପ୍ରସ୍ତୁତି ମାସ ମାସ ପୂର୍ବରୁ ଆରମ୍ଭ ହୋଇସାରିଛି। ପ୍ରତ୍ୟେକ ଦେଶ ନିଜର ପରମ୍ପରା ଏବଂ ପ୍ରଥା ଅନୁଯାୟୀ ଏହି ପର୍ବର ପାଳନ କରିଥାଏ। ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅତି ଉତ୍ସାହିତ ଭାବରେ ଏହି ପର୍ବରେ ସାମିଲ ହୁଅନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି କିଛି ଦେଶ ରହିଛି, ଯେଉଁଠାରେ ଖ୍ରୀଷ୍ଟମାସ ଦିବସ ପାଳନ କରାଯାଏ ନାହିଁ। ଆସନ୍ତୁ ଏହି ଦେଶଗୁଡ଼ିକ ବିଷୟରେ ଜାଣିବା….

ଆଫଗାନିସ୍ତାନ

ଆଫଗାନିସ୍ତାନ ହେଉଛି ଏକ ମୁସଲମାନ ଦେଶ। ବର୍ଷ ବର୍ଷ ଧରି ଖ୍ରୀଷ୍ଟମାସ ଦିବସ ପାଳନ କରାଯାଏ ନାହିଁ। ଏଠାରେ ଖ୍ରୀଷ୍ଟିଆନ ଏବଂ ମୁସଲମାନ ଧର୍ମର ଲୋକଙ୍କ ମଧ୍ୟରେ ପ୍ରାୟତଃ ତିକ୍ତତା ରହିଥାଏ। ଧାର୍ମିକ ଭାବନା ହେତୁ ଖ୍ରୀଷ୍ଟମାସ ଦିବସ ଏଠାରେ ପାଳନ କରାଯାଏ ନାହିଁ। କିନ୍ତୁ ଯଦି କେହି ଏହାକୁ ପାଳନ କରିବାକୁ ଚାହେଁ, ତେବେ ତାହା ଅତ୍ୟନ୍ତ ବିପଦଜନକ ହୋଇଥାଏ।

ଭୂଟାନ

ଭାରତର ପଡୋଶୀ ଦେଶ ଭୂଟାନରେ ମଧ୍ୟ ଖ୍ରୀଷ୍ଟମାସ ଦିବସକୁ ପ୍ରାଥମିକତା ଦିଆଯାଏନାହିଁ। ଏଠାରେ ଅଧିକାଂଶ ଲୋକ ବୌଦ୍ଧ ଧର୍ମରେ ବିଶ୍ବାସ କରୁଥିବାବେଳେ ଏଠାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍। ଏମିତିକି ଖ୍ରୀଷ୍ଟମାସ ଦିବସ ଭୂଟାନ କ୍ୟାଲେଣ୍ଡରରେ ନାହିଁ।

ସୋମାଲିଆ

କୁହାଯାଏ​‌, ୨୦୧୫ରେ ସୋମାଲିଆରେ ଧାର୍ମିକ ଆଇନ ଲାଗୁ ହେବା ପରେ ଏଠାରେ ଖ୍ରୀଷ୍ଟମାସ ପାଳନ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି।

ଚୀନ୍

ଚୀନ୍‌ ରେ ଖ୍ରୀଷ୍ଟମାସ ହେଉଛି କାର୍ଯ୍ୟ ଦିବସ। ସମସ୍ତ ବିଦ୍ୟାଳୟ, କାର୍ଯ୍ୟାଳୟ, ଦୋକାନ ଏହି ଦିନ ଖୋଲା ରହିଥାଏ। ଧାର୍ମିକ ଦୃଷ୍ଟି କୋଣରୁ ଚୀନରେ କୌଣସି ଗୋଟିଏ ଦିନ ଛୁଟି ନାହିଁ । ଏଠାରେ ସୂଚନାଯୋାଗ୍ୟ ଯେ, ଚୀନବାସୀ କୌଣସି ଧର୍ମରେ ବିଶ୍ୱାସ ରଖନ୍ତି ନାହିଁ। ତେଣୁ ଏଠାରେ ଖ୍ରୀଷ୍ଟମାସ ପାଳନ କରିବା ସମ୍ପୂର୍ଣ୍ଣ ନିଷେଧ।

ଉଜ୍‌ବେକିସ୍ତାନ

ଦେଶରେ ପ୍ରାୟ ୧୦ ପ୍ରତିଶତ ଖ୍ରୀଷ୍ଟିଆନ ରହିଥିଲେ ମଧ୍ୟ ଏଠାରେ ଖ୍ରୀଷ୍ଟମାସ ଦିବସ ପାଳନ କରାଯାଏନାହିଁ। କିନ୍ତୁ ସେଠାରେ ନୂତନ ବର୍ଷ ଉତ୍ସବକୁ ଖ୍ରୀଷ୍ଟମାସ ପର୍ବ ଭଳି ପାଳନ କରାଯାଏ। ଖ୍ରୀଷ୍ଟମାସ ଭଳି ବୃକ୍ଷ ଏବଂ ଉପହାର ଦିଆଯାଏ।

ପାକିସ୍ତାନ

ପାକିସ୍ତାନ ଏକ ମୁସଲମାନ ଦେଶ। ଏଠାରେ ବହୁତ କମ୍ ଖ୍ରୀଷ୍ଟିଆନ ରହିଛନ୍ତି। ଆଜି ନୁହେଁ ଅନେକ ବର୍ଷ ଧରି ଏହି ଦେଶରେ ଖ୍ରୀଷ୍ଟମାସ ଦିବସ ପାଳନ କରାଯାଉନାହିଁ ।