ରଜସ୍ବଳା : ଘୃଣ୍ୟ ନା ପୂଜ୍ୟ !

ରଜସ୍ବଳା ନାରୀ । ଠାକୁର ଘରକୁ ମନା, ରୋଷଶାଳକୁ ମନା। ମୁଣ୍ଡିଆ ମାରିବା ମନା, ପୁରୁଷକୁ ଛୁଇଁବା ମନା। ଅପବିତ୍ର ଓ ଅଛୁଆଁ । ବର୍ତ୍ତମାନର ଜ୍ଞାନକୌଶଳ ଯୁଗରେ ଏସବୁ ବାରଣ ସମାଜରୁ ଲିଭିନି। ଯଦିଓ ସହରାଞ୍ଚଳରେ ଏସବୁକୁ ଅଣଦେଖା କରାଯାଉଛି, କିନ୍ତୁ ଗ୍ରାମାଞ୍ଚଳରେ କଡାକଡି ଥିବା ଦେଖାଯାଏ। ଏପରିକି କେତେକ ସ୍ଥାନରେ ରଜସ୍ବଳା ନାରୀକୁ ସ୍ବାମୀ ସହ ଗୋଟିଏ ଶେଯରେ ଶୋଇବାକୁ ଦିଆଯାଏନାହିଁ। ଅଲଗା ଶେଯ ବା ଅଲଗା ଘରେ ଶୋଇବାକୁ କୁହାଯାଏ।

କେତେବେଳେ ଏହାକୁ ଘୃଣ୍ୟ ନଜରରେ ଦେଖା ଯାଏ ତ, ଅନ୍ୟ କେତେବେଳେ ଏହାକୁ ପର୍ବ ଭାବରେ ପାଳନ କରାଯାଏ। କେତେକ ସ୍ଥାନରେ ଉତ୍ସବର ରୂପ ମଧ୍ୟ ଦିଆଯାଏ। ତେବେ ଏଭଳି ପରିସ୍ଥିତିରେ ମନରେ ପ୍ରଶ୍ନ ଆସେ ଯେ ଏପରି କାହିଁକି?

ଆସାମର ରାଜଧାନୀ ଡିସପୁର ନିକଟ ଗୁଆହାଟିଠାରୁ ୮ କିଲୋମିଟର ଦୂରରେ କାମାକ୍ଷ୍ୟା ମନ୍ଦିର। ନିଳାଚାଳ ପର୍ବତରେ ଏହି ମନ୍ଦିର ଅବସ୍ଥିତ। ଏହା ଏକ ଶକ୍ତି ପୀଠ। ଦେବୀ ସତୀଙ୍କର ମହାମୁଦ୍ରା (ୟୋନି-କୁଣ୍ଡ) ଏଠାରେ ରହିଛି। ତନ୍ତ୍ରମନ୍ତ୍ର ଏବଂ ସାଧାନର କେନ୍ଦ୍ରସ୍ଥଳ ବିଶ୍ବାସ କରାଯାଏ।

ପୌରାଣିକ ତଥ୍ୟ ଅନୁଯାୟୀ, ଦେବୀ ସତୀ ପିତାଙ୍କ ଦ୍ୱାରା ଅପମାନିତ ହୋଇ ଯଜ୍ଞକୁଣ୍ଡ ନିଆଁକୁ ଡେଇଁ ଆତ୍ମସମର୍ପଣ କରିଥିଲେ। ଏହି କାରଣରୁ କ୍ରୋଧିତ ମହାଦେବ ଦେବୀଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ କାନ୍ଧରେ ଧରି ତାଣ୍ଡବ କରିଥିଲେ। କ୍ରୋଧିତ ମହାଦେଙ୍କୁ ଶାନ୍ତ କରିବା ପାଇଁ ପ୍ରଭୁ ବିଷ୍ଣୁ ସୁଦର୍ଶନ ଚକ୍ର ପଠାଇଥିଲେ। ସେଥିରେ ସତୀଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯେଉଁ ଯେଉଁ ସ୍ଥାନରେ ପଡିଥିଲା ତାହା ପରବର୍ତ୍ତୀ ସମୟରେ ଶକ୍ତି ପୀଠରେ ପରିଣତ ହେଲା। ନିଳାଚାଳ ପର୍ବତରେ ସତୀଙ୍କ ଯୋନୀ ଏବଂ ଗର୍ଭ ପଡ଼ିଥିଲା। ୧୦୮ ଶକ୍ତିପୀଠ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ଏହି ମନ୍ଦିର।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା.. ବର୍ଷରେ ଥରେ ଏଠାରେ ଏକ ପର୍ବ ପାଳନ କରାଯାଏ। ଯାହା ଆମ୍ବୁବାଚି ପର୍ବ ନାମରେ ପ୍ରସିଦ୍ଧ। ଏହି ପର୍ବ ହେଉଛି ମା’ ଭଗବତୀଙ୍କ ଋତୁସ୍ରାବ ପର୍ବ। ପୌରାରିକ କଥା ଅନୁଯାୟୀ, ସତ୍ୟଯୁଗରେ ଏହି ପର୍ବ ୧୬ ବର୍ଷରେ ଥରେ, ଦ୍ୱାଦଶ ଯୁଗରେ  ୧୨ ବର୍ଷରେ ଥରେ, ତ୍ରେତେୟା ଏହା ୭ ବର୍ଷରେ ଥରେ ଏବଂ କଳିଯୁଗରେ ପ୍ରତିବର୍ଷ ଅଷାଢ ମାସ ବା ଜୁନ୍ ମାସରେ ଏହି ପର୍ବ ପଡେ ବା ମା’ ଭଗବତୀ ରଜସ୍ବଳା ହୁଅନ୍ତି। ମା’ଙ୍କ ଯୋନୀରୁ ରକ୍ତ ନିର୍ଗତ ହୁଏ । ଏହି ପର୍ବ ପାଳନର ପ୍ରଥମ ତିନି ଦିନ ମା’ଙ୍କ ଦର୍ଶନ ବନ୍ଦ ରୁହେ। ଏହି ପର୍ବ ସମୟରେ ବ୍ରହ୍ମପୁତ୍ର ନଦୀ ଲାଲ ହୋଇଯାଏ। ମା’ଙ୍କ ଯୋନୀର ନିର୍ଗତ ରକ୍ତ ଏହି ନଦୀରେ ପ୍ରବାହିତ ହୁଏ ବୋଲି ବିଶ୍ବାସ କରାଯାଏ। ଚତୁର୍ଥ ଦିନ ଶ୍ରଦ୍ଧାଳୁଙ୍କ ଦର୍ଶନାର୍ଥେ ବଡ ଧୁମ୍‌ଧାମରେ ମା’ଙ୍କ ଦ୍ବାରା ଖୋଲାଯାଏ। ଶ୍ରଦ୍ଧାଳଙ୍କୁ ପ୍ରସାଦ ରୂପେ ମା’ଙ୍କ ରକ୍ତସ୍ରାବ ସମୟର ରକ୍ତ ଦିଆଯାଏ। ଏହି ପର୍ବ ସମୟରେ ମା’ ଙ୍କ ରକ୍ତ ଜୁଡୁବୁଡୁ ବସ୍ତ୍ର ନେବା ପାଇଁ ଭକ୍ତଙ୍କ ଲମ୍ବା ଭିଡ ଦେଖିବାକୁ ମିଳେ। ଏହି ପର୍ବ ପରେ ପୁରୋହିତମାନେ ସେହି ବସ୍ତ୍ରଗୁଡିକୁ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରନ୍ତି। ତନ୍ତ୍ରମନ୍ତ୍ରରେ ସିଦ୍ଧ ହାସଲ କରିବାକୁ ଦୂରଦୂରାନ୍ତରୁ ଅନେକ ସାଧକ ଏଠାକୁ ଆସନ୍ତି। ଜୁନ୍  ୨୨, ୨୩, ୨୪ରେ ଏହି ପର୍ବ ପାଳନ କରାଯାଏ ବୋଲି ସୂଚନା ରହିଛି।

ଠିକ୍ ସେହିପରି ଓଡିଶାର ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ ରଜ ଏହି ବିଷୟବସ୍ତୁ ଉପରେ ଆଧାରିତ। ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ। ପ୍ରତିମାସରେ ନାରୀ ଯେପରି ରଜବତୀ ବା ରଜସ୍ବଳା ହୋଇଥାଏ, ଠିକ୍ ସେମିତି ବର୍ଷାର ଆଗମନରେ ମାତା ବସୁମତୀ ରଜସ୍ବଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମିଦାହ ବା ଭୂମି ଦହନ। ଏହି ତିନିଦିନିଆ ପର୍ବରେ ମାଟି ମା’କୁ ଆଘାତ ହେଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ।

ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ଋତୁଚକ୍ରର ଶେଷ ଦିନରେ ଯେଭଳି ନାରୀ ହଳଦୀ ପାଣିରେ ସ୍ନାହ କରି ମନ୍ଦିର, ଠାକୁର ଘର ଓ ରୋଷଶାଳକୁ ପ୍ରବେଶ କରେ ଠିକ୍ ସେହିପରି ଚତୁର୍ଥ ତଥା ଅନ୍ତିମ ଦିନରେ ହଳଦୀ ପାଣିରେ ବସୁମତୀ ସ୍ନାନ କରାଯାଇ କୃଷି କାର୍ଯ୍ୟ ଆରମ୍ଭ ହୁଏ।

ପୌରାଣିକ ବିଷୟବସ୍ତୁ ଏବଂ ପାରମ୍ପାରିକ ପର୍ବକୁ ଦୃଷ୍ଟିରେ ରଖିଲେ ଜଣାପଡୁଛି ଯେ, ରଜସ୍ବଳା ନାରୀ ଅପବିତ୍ର ନୁହେଁ। ସେ ପବିତ୍ର ଏବଂ ନୂଆ ସମ୍ଭାବନାର ଆଶା।

ଉପସ୍ଥାପିକା – ବୈଜୟନ୍ତି ନାୟକ