ଝିଅଙ୍କ ବିବାହ ବୟସ ସୀମା ୧୮ରୁ ୨୧ ବଢିଛି। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଯଦିଓ ସ୍ବାଗତଯୋଗ୍ୟ, ତଥାପି ଏହାକୁ ନେଇ ବିବାଦ ଉଠିଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କେନ୍ଦ୍ର ସରକାର ଏବଂ ସାଂସଦ ତଥା ଶିକ୍ଷା, ମହିଳା, ଶିଶୁ, କ୍ରୀଡ଼ା ଓ ଯୁବସେବା ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅନୁଭବ ମହାନ୍ତିଙ୍କୁ ଏସମ୍ପର୍କରେ ଚିଠି ଲେଖିଥିଲେ। ତାଙ୍କର ଦାବି ହେଲା, ଏହା ଦ୍ବାରା ବାଲ୍ୟ ବିବାହ ବନ୍ଦ ହେବ ନାହିଁ ବରଂ ଆଇନ, ପରମ୍ପରା ଏବଂ ଚଳଣି ଅଯଥା ଚାପଗ୍ରସ୍ତ ହେବ। ଏହାଦ୍ଵାରା ଆଇନଗତ ଦ୍ବନ୍ଦ୍ବ ମଧ୍ୟ ସୃଷ୍ଟି ହେବ। ତେଣୁ ଝିଅମାନଙ୍କ ବିବାହ ବୟସକୁ ୧୮ରୁ ୨୧ କରିବା ପରିବର୍ତ୍ତେ ପୁଅମାନଙ୍କ ବୟସ ସୀମାକୁ କମ୍ କରାଯାଉ। ଅତୀତରେ ଏହି ଆଇନର ସଂଶୋଧନ ଉପରେ ଅନେକ ବିତର୍କ ଏବଂ ବିଚାର ବିମର୍ଶ ହୋଇଛି। ତେବେ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଆମ ସହ ଅଛନ୍ତି … ମହିଳା ଓ ଶିଶୁଙ୍କ ଅଧିକାର ଉପରେ କାମ କରୁଥିବା ଜଣାଶୁଣା ସ୍ତମ୍ଭକାର ଓ ଲେଖିକା ପ୍ରିତି ଧଳ…
୧. ମ୍ୟାଡାମ୍ ଝିଅଙ୍କ ବିବାହ ବୟସ ସୀମା ୧୮ରୁ ୨୧ ବଢିଛି, ତେବେ ଏହା ଦ୍ବାରା ବାଲ୍ୟ ବିବାହ ବଢିବ ନା କମିବ ? କାରଣ ପୂର୍ବରୁ ଯେଉଁମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରୁନଥିଲେ, ସେମାନେ କ’ଣ ୨୧ ବର୍ଷ ବୟସ ଯାଏଁ ଅପେକ୍ଷା କରିବେ ?
ଉତ୍ତର : ଶୁଣନ୍ତୁ, ମୁଁ ପ୍ରଥମରୁ ହିଁ କହି ରଖିବାକୁ ଚାହୁଁଛି ଯେ, ଯଦି ଆମେ ଦେଖିବା ଆଇନ ଅନୁଯାୟୀ ବିବାହ ବୟସ ୧୮ ଥିଲେ ବି ଏହା ପୂର୍ବରୁ ଝିଅମାନଙ୍କ ବିବାହ ହୋଇଥିବା ବହୁତ ଉଦାହରଣ ଆମକୁ ମିଳିଛି। ଏତେ ବର୍ଷର ଆଇନ କିନ୍ତୁ ତା’ର ପ୍ରଚାର ପ୍ରସାର କେଉଁଠି ନା କେଉଁଠି କମ ହେବା ଫଳରେ ଏବଂ ବାଲ୍ୟ ବିବାହ ରୋକିବା ଦିଗରେ ସଚେତନତାର ଅଭାବରେ ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ତେଣୁ ଆମେ ଏଥିପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ଯଥେଷ୍ଟ ପ୍ରଚାର ପ୍ରସାର ହେଲେ ୨୧କୁ ବିବାହ ବୟସ ବୃଦ୍ଧି କରାଯାଇଥିବା ଆଇନର ନିଶ୍ଚୟ ସୁଫଳ ମିଳିବ।
୨. ଯଦି ୧୮ ବର୍ଷ ପୂର୍ବରୁ ବିବାହ ଉପରେ ରୋକ ଲଗାଯାଇପାରୁନାହିଁ, ତେବେ ୨୧ ବର୍ଷ ପୂର୍ବରୁ ବିବାହ ଉପରେ କିପରି ରୋକ ଲଗିବ ?
ଉତ୍ତର : ଏଥିପାଇଁ ଆମକୁ ପ୍ରଥମେ ସଚେତନତା ପ୍ରୟାସକୁ ଜୋର ଦେବାକୁ ପଡିବ। ୧୮ ବର୍ଷ ପୂର୍ବରୁ ବିବାହକୁ ରୋକା ଯାଇପାରୁନି, ୨୧ ପୂର୍ବ ବିବାହକୁ କେମିତି ରୋକିବା ଏହାକୁ ଭିତ୍ତି କରି ଚୁପ୍ ରହିବା ନିଶ୍ଚିତ ଭାବେ ଅଧିକ ବାଲ୍ୟ ବିବାହ ବଢିବ, ଏଥିରେ ସନ୍ଦେହ ନାହିଁ। ଏବେ ବି ଭୁବନେଶ୍ବରରେ ଏଭଳି ବସ୍ତି ରହିଛି ଯେଉଁଠି ଲୁଚା ଚୋରାରେ ବାଲ୍ୟ ବିବାହ ଚାଲିଛି । ଏ କରୋନାର ଲକ୍ଡାଉନ୍ ସମୟରେ ଗୋଟିଏ ବସ୍ତିରେ ୨ଟି ବାଲ୍ୟ ବିବାହ ପାଇଁ ପରିବାରରେ ପସ୍ତୁତି ଚାଲିଥିବା ବେଳେ ନାବାଳିକାକୁ ଉଦ୍ଧାର କରାଯାଇଛି। ଆଉ ସେମାନେ ଏବେ ବି ପାଠ ପଢୁଛନ୍ତି ଏବଂ ଦୁଇ ପରିବାରର କାଉନସିଲିଂ ପରେ ସୁଫଳ ମିଳିଛି।
୩. ଏହା ଦ୍ବାରା କିଶୋରୀମାନଙ୍କ ଉପରେ ନିର୍ଯାତନା ବଢିବାର ଆଶଙ୍କା ରହିଛି କି ?
ଉତ୍ତର : ଦେଖନ୍ତୁ ଏହା ଆମର ମାନସିକତା ଉରେ ନିର୍ଭର କରୁଛି। ଝିଅଟି ଯଦି ପଢିବାକୁ ଚାହୁଁଛି ପରିବାର ଏ ଦିଗରେ ସହାୟତା କରିବା ଦରକାର ଏବଂ ସମାଜ ମଧ୍ୟ ସହଯୋଗର ହାତ ବଢାଇବା ଦରକାର। ନିର୍ଯାତନାର ଶିକାର ହୋଇଥିବା ଝିଅମାନଙ୍କ ପଡୋଶୀ ମଧ୍ୟ ସଚେତନ ହେବା ସହ ଅନ୍ୟକୁ କରିବା ଆବଶ୍ୟକ। ଆଇନ ସଚେତନାତର ପ୍ରଚାର ପ୍ରସାର ହେବ, ତାହାଲେ ନିର୍ଯାତନା ନିଶ୍ଚିତ ଭାବେର କମିବ।
୪. ଅବିବାହିତ ମାତୃତ୍ୱ ସଂଖ୍ୟା ଆଉ ଭୃଣ ହତ୍ୟା ବଢିବନି ତ?
ଉତ୍ତର : ଆମେ ସବୁବେଳେ ନକରାତ୍ମକ ଦିଗକୁ ନ ଯାଇ ସକରାତ୍ମକ ଦିଗ ପ୍ରତି ସଚେତନ ହେବା ତାହାଲେ ଏସବୁକୁ ଏଡାଇପାରିବା। ଅବିବାହିତ ମାତୃତ୍ବ ଏବଂ ଭୃଣ ହତ୍ୟା ବିରୋଧରେ ମଧ୍ୟ ସଚେତନତା ଆବଶ୍ୟକ। ଆମ ଝିଅମାନଙ୍କୁ ମଧ୍ୟ କିଛି ମାତ୍ରାରେ ସଚେତନତା ଅବଲମ୍ବନ କରିବାକୁ ପଡିବ। ନିଜର ଦାୟିତ୍ବ ପ୍ରତି ସଜାଗ ରହିଲେ ଏଭଳି ପରିସ୍ଥିତି ଉପୁଜିବ ନାହିଁ। ବିଶେଷ କରି ଅଭିଭାବକ ଏଦିଗ ପ୍ରତି ସଚେତନ ରହିବା ଆବଶ୍ୟକ।
୫. ବଳାତ୍କାର, ଲିଭ୍ ଇନ୍ ରିଲେସନସିପ୍, ବିବାହ ବିଚ୍ଛେଦ , ଏକ୍ସଟ୍ରା ମାରିଟାଲ୍ ମାମଲା ବଢିବାର ଆଶଙ୍କା ରହିଛି କି?
ଉତ୍ତର : ଗୋଟିଏ ଭଲ ପ୍ରଶ୍ନ ପଚାରିଲେ l ଝିଅମାନଙ୍କ ବିବାହ ବୟସ ୧୮ ବର୍ଷ ଥିବା ବେଳେ ମଧ୍ୟ ଏସବୁ ଘଟଣା ସମାଜରେ ଘଟିଛି ଏବଂ ଆମେ ଦେଖିଛେ ମଧ୍ୟ। ଏସବୁ ଭିତରେ ବି ଆମେ ଗତି କରୁଛେ l ତେଣୁ ଏ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ l କିନ୍ତୁ ଆମେ ଟିକେ ସତର୍କ ରହିବା l ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଝିଅମାନେ ଶିକ୍ଷା କ୍ଷେତ୍ରରେ ମଜବୁତ ହେଇପାରିବେ l ଯଦି ଆମେ ଏସବୁ ଘଟଣାକୁ ନଜରରେ ରଖି ବା ଦ୍ୱାହି ଦେଇ ଚିନ୍ତା କରିବା ବା ପଛଘୁଞ୍ଚ ଦେବା ତାହେଲେ ଝିଅଙ୍କ ପ୍ରଗତି ଅସମ୍ଭବ l ଆଉ ଗୋଟିଏ ବଡ଼ କଥା ସମାଜ ର କିଛି ଲୋକଙ୍କ ମାନସିକତା ପରିବର୍ତନ ଅତ୍ୟନ୍ତ ଜରୁରୀ l ଆମ ସମସ୍ତଙ୍କୁ ଏ ଦିଗରେ ଯତ୍ନବାନ ହେବାକୁ ପଡ଼ିବ।
୬. ୧୨ରୁ ୧୪ ବର୍ଷ ବୟସ ମଧ୍ୟରେ ଝିଅଟିର ପରିପକ୍ବତା ଆସିଥାଏ। ଏଭଳି ପରିସ୍ଥିତିରେ କିଶୋରୀଟିଏ ଅନ୍ୟ ପ୍ରତି ଆକୃଷ୍ଟ ହେବା ସ୍ବାଭାବିକ୍ । ପରିପକ୍ବତା ଏବଂ ବିବାହର ବୟସ ସୀମା ମଧ୍ୟରେ ଏତେ ଲମ୍ବା ବ୍ୟବଧାନ ଯୋଗୁଁ ସେମାନେ ନିଜ ଉପରେ କିଭଳି ନିୟନ୍ତ୍ରଣ ରଖିବେ?
ଉତ୍ତର : ଦେଖନ୍ତୁ ଆପଣ ଯାହା ପ୍ରଶ୍ନ ପଚାରିଲେ, ୧୨ରୁ ୧୪ ବର୍ଷରେ ଯେଉଁଟାକୁ କିଶୋର ଅବସ୍ଥା ବୋଲି କୁହାଯାଉଛି, ସେହି ବୟସରେ ପରସ୍ପର ପ୍ରତି ଆକୃଷ୍ଟ ହେବା ସ୍ବଭାବିକ କଥା। କିନ୍ତୁ ଏ ବୟସରେ ଏହି କଥାକୁ ନେଇ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ବତନ୍ତ୍ର ଭାବରେ ଶିକ୍ଷା ଦେବାରେ ବ୍ୟବସ୍ଥା କରାଯାଉ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାପା-ମାମାନେ ଯେତିକି ସମୟ ପିଲାମାନଙ୍କୁ ଦେଉଛନ୍ତି ସେତିକି ସମୟ ମଧ୍ୟରେ ପିଲାଙ୍କ ଭିତରେ ଆତ୍ମବିଶ୍ବାସ ସୃଷ୍ଟି କରାନ୍ତୁ ଏବଂ ଖୋଲାଖୋଲି ଭାବରେ ସବୁ ବିଷୟରେ ଆଲୋଚନା କରନ୍ତୁ । ଛୋଟ ଛୋଟ କଥା ଗୁଡିକ ଯଦି ଆମେ ଧ୍ୟାନ ଦେବା ତାହାଲେ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିବ ।
୭. କ’ଣ ପୁଅ-ଝିଅଙ୍କ ଉଭୟ ବିବାହ ବୟସ ସମାନ ହେବା ଉଚିତ୍ କି?
ଉତ୍ତର : ଏଥିରେ କିଛି ଅସୁବିଧା ନାହିଁ। ପୁଅ- ଝିଅଙ୍କ ବିବାହ ବୟସ ସମାନ ହୋଇପାରିବ। ମୋ ମତରେ ଆଜିକାଲି କୌଣସି ପୁଅ ୨୧ ବର୍ଷରେ ବା ତା’ ପୂର୍ବରୁ ବିବାହ କରୁନାହିଁ। ପ୍ରତିଷ୍ଠିତ ହେବା ପରେ ପୁଅମାନେ ବିବାହ କରୁଛନ୍ତି। ଯାହା ଫଳରେ ଉଭୟଙ୍କ ବୟସରେ ତାରତମ୍ୟ ରହୁଛି।
୮. ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଦ୍ବାରା ଝିଅମାନେ କ’ଣ ଅଧିକ ସୁବିଧା ପାଇବେ ବୋଲି ଆପଣ ଭାବୁଛନ୍ତି?
ଉତ୍ତର : କେବଳ ଝିଅମାନେ ସୁବିଧା ପାଇବେ ତାହା ନୁହେଁ, ସମାଜ ଉପରେ ମଧ୍ୟ ଏହାର ସୁ୍ପ୍ରଭାବ ପଡିବ। ବାଲ୍ୟ ବିବାହର ମୁଖ୍ୟ କାରଣ ଦେଲା ପାରିବାରିକ ଦାରିଦ୍ର୍ୟ ଓ ଅନ୍ଧବିଶ୍ବାସ। କମ୍ ବୟସରେ ବିବାହ ଦ୍ବାରା ଝିଅଟି ଉଚ୍ଛ ଶିକ୍ଷାରୁ ବଞ୍ଚିତ ହେବା ସହ କମ୍ ବୟସରେ ମା’ ହୋଇଥାଏ। ଯାହା ଶିଶୁ ଓ ମା’ ଉଭୟ ପାଇଁ ଖରାପ ହୋଇଥାଏ। ଯାହାର ସିଧା ସଳଖ ପ୍ରଭାବ ସମାଜ ଉପରେ ପଡେ। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଦ୍ବାରା ଝିଅ, ମହିଳା, ଶିଶୁ ଓ ସର୍ବୋପରି ସମାଜ ଉପରେ ସକରାତ୍ମକ ପ୍ରଭାବ ପକାଇବ। ନାରୀ ଶିକ୍ଷିତ ଓ ସ୍ବାବଲମ୍ବୀ ହେଲେ ସମାଜର ପ୍ରଗତି ସମ୍ଭବ। ୨୧କୁ ବୃଦ୍ଧି କରାଯାଗଲା ଯୌତୁକ ଜନିତ ସମସ୍ୟା ଦୂର ହୋଇପାରିବ। ସବୁ ଦିଗକୁ ଏଡାଇ ଦେଲେ ଯଦି ଆମେ ଦେଖିବା ବଡ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶିକ୍ଷା କ୍ଷେତ୍ରରେ ମହିଳାମାନେ ସମ୍ପର୍ଣ୍ଣ ଭାବରେ ସଶକ୍ତ ହୋଇପାରିବେ।
ଉପସ୍ଥାପିକା – ବୈଜୟନ୍ତି ନାୟକ