ଇଟାଲୀ ରାସ୍ତାରେ ସବୁଠାରୁ ନିଆରା ଓ ଅଜବ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରାୟ ୫୦ରୁ ଅଧିକ ଏୟାର ହଷ୍ଟେସ୍ ରାସ୍ତାରେ ଠିଆ ହୋଇ ନିଜର ପୋଷାକ ଖୋଲିଥିଲେ। କେବଳ ସେତିକି ନୁହେଁ “ଆମେ ଆଲିଟାଲିଆ” ବୋଲି ଚିତ୍କାର କରିଥିଲେ। ଏହା ଦେଖି ସେଠାରେ ବୁଲୁଥିବା ଲୋକମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। କେହି କିଛି ବୁଝିପାରିଲେନି ଏୟାର ହଷ୍ଟେସ୍ଙ୍କ ଏହି ଅଜବ କାର୍ଯ୍ୟକଳାପ ବିଷୟରେ। କିନ୍ତୁ ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ଚାକିରି ହଟାଇବା ଏବଂ ବେତନ ହ୍ରାସକୁ ବିରୋଧ କରି ଏୟାର ହଷ୍ଟେସ୍ମାନେ ଏଭଳି ଅଜବ ଧରଣର ବିରୋଧ ପ୍ରଦର୍ଶନ କରୁଥିଲେ।
କୁହାଯାଉଛି ଯେ, ଆଲିଟାଲିଆ ଏୟାରଲାଇନ୍ସ କୁ ଆଇଟିଆ ଏୟାରୱେଜ୍ କିଣି ନେଇଛି। ଯେଉଁଥିପାଇଁ କମ୍ପାନୀ ଅନେକ କର୍ମଚାରୀଙ୍କୁ ବରଖାସ୍ତ କରିଛି। ପ୍ରାୟ ୧୦ ହଜାର ୫୦୦ କର୍ମଚାରୀ ଆଲିଟାଲିଆ ଏୟାରଲାଇନ୍ସରେ କାମ କରୁଥିଲେ, କିନ୍ତୁ ବର୍ତ୍ତମାନ କେବଳ ୨ ହଜାର ୬୦୦ କର୍ମଚାରୀ ଚାକିରିରେ ରହିଛନ୍ତି, ବାକି କର୍ମଚାରୀମାନେ ଜୀବିକାହୀନ ହୋଇଯାଇଛନ୍ତି।
ଏଥି ସହିତ କିଛି କର୍ମଚାରୀ ବେତନ ହ୍ରାସ ସହିତ ପଦୋନ୍ନତି ମଧ୍ୟ ହରାଇଛନ୍ତି। ସେମାନେ କେଉଁଠାରେ ଏବଂ କେବେ କାମ କରିବେ ସେମାନଙ୍କୁ କୁହାଯାଇ ନାହିଁ। କର୍ମଚାରୀମାନେ କହିଛନ୍ତି ଯେ କେବଳ ସେମାନଙ୍କ ଦରମା କଟାଯାଇ ନଥିବା ବେଳେ କମ୍ପାନୀ ସେମାନଙ୍କ ପ୍ରତି ଅତ୍ୟନ୍ତ ଦୁର୍ବଳ ମନୋଭାବ ପୋଷଣ କରୁଛି। ଏହାର ପ୍ରତିବାଦରେ ବିମାନ କର୍ମଚାରୀମାନେ ଏଭଳି ବିରୋଧ ପ୍ରଦର୍ଶନ କରୁଛନ୍ତି।