ଅଭିନେତ୍ରୀ ହୋଇନଥିଲେ, ‘ଗୃହିଣୀ’ ହୋଇଥାନ୍ତି – ସୋନାଲି

ମାୟାନଗରୀରେ ସଫଳତା ଯେତିକି ଦୂର, ସଂଘର୍ଷ ମଧ୍ୟ ସେତିକି କଷ୍ଟସାଧ୍ୟ। ନିତି ଏଠାକୁ ଲୋକେ ଧାଇଁ ଆସନ୍ତି ସଫଳତା ହାସଲ ଲକ୍ଷ୍ୟରେ। କେହି କେହି ସଫଳତାର ମଜା ନିଅନ୍ତି, ତ ଅନ୍ୟ କେହି ଲୁଚି ଯାଆନ୍ତି ଆଢୁଆଳରେ। ନନ୍ଦିତା ଦାସ, ସୋନା ମହାପାତ୍ର, ଋତୁରାଜ ମହାନ୍ତି ମୟାନଗରୀରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବେଳେ ଏବେ ବି କିଛି ଓଡିଆ କଳାକାର ସଂଘର୍ଷ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡିଆ ଝିଅ ସୋନାଲି। ସିଧାସଳଖ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ତାଙ୍କ ଚେହେରା ସେତାଟା ପରିଚିତ ନୁହେଁ, ତଥାପି ‘କ୍ରାଇମ ପେଟ୍ରୋଲ’ ଭଳି କେତେ ଗୁଡିଏ ଲୋକପ୍ରିୟ ଧାରାବାହିକ, ବିଜ୍ଞାପନ ଏବଂ ଅନେକ ଆର୍ଟ ଫିଲ୍ମରେ ନିଆରା ଅଭିନୟ କରି ନିଜର ସ୍ବତନ୍ତ୍ର ସ୍ଥାନ ସଂରକ୍ଷିତ କରିଛନ୍ତି। କେବଳ ସେତିକି ନୁହେଁ, ସେ ହଲିଉଡ ଜଗତରେ ମଧ୍ୟ କାମ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି କାରଣ ପାଇଁ ସେହି ଫିଲ୍ମଟି ରିଲିଜ୍ ହୋଇ ପାରିନି। ଏହା ସହ ନିକଟରେ ତାଙ୍କ ଅଭିନୀତ ନୀଳ ମାଧବ ପଣ୍ଡାଙ୍କ ଫିଲ୍ମ ‘କାଲିର ଅତୀତ’ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ତେବେ ତାଙ୍କ ସଂଘର୍ଷମୟ ଜୀବନକୁ ନେଇ ଆମେ ତାଙ୍କ ସହ ବାର୍ତ୍ତାଳପ କରିଥିଲୁ। ସୋନାଲି ଯଦି ଅଭିନେତ୍ରୀ ହୋଇ ନଥାନ୍ତେ, ତେବେ କ’ଣ ହୋଇଥାନ୍ତେ? ଏହି ପ୍ରଶ୍ନର ଉତ୍ତରରେ ଅତି ମଜାଳିଆ ଢଙ୍ଗରେ କୁହନ୍ତି ସେ ‘ଗୃହିଣୀ’ ହୋଇଥାନ୍ତେ।

ପ୍ରଶ୍ନ : ପ୍ରଥମ ସୁଯୋଗ କିପରି ମିଳିଥିଲା ଏବଂ ଏହାର ଅନୁଭୂତି କିଭଳି ଥିଲା ?
ଉତ୍ତର : ମୁମ୍ବାଇ ଆସିଲା ପରେ ପ୍ରଥମେ କିଛି ଛୋଟ ଛୋଟ ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ‘କ୍ରାଇମ ପେଟ୍ରୋଲ’ ଭଳି ଲୋକପ୍ରିୟ ଧାରାବାହିକରେ ଛୋଟ ଚରିତ୍ରରେ ଅଭିନୟ କଲି। ଅଭିନୟ ଦକ୍ଷତା ନଥିବାରୁ ମୋତେ ମଞ୍ଚ ଅଭିନୟ ପାଇଁ ପରାମର୍ଶ ଦିଆଗଲା ଏବଂ ସୁଯୋଗ ମଧ୍ୟ ମିଳିଲା। ଅନୁଭୂତି ଭଲ ଥିଲା କିନ୍ତୁ ଓଡିଆ ଛଡା ଅନ୍ୟ କୌଣସି ଭାଷାରେ ପରଙ୍ଗମ ନ ଥିବାରୁ ପ୍ରଥମେ ଅଳ୍ପ ବହୁତେ ଅସୁବିଧାର ସମ୍ମୁଖୀନ ହୋଇଥିଲି। କିନ୍ତୁ ଖୁବ୍ କମ୍‌ ସମୟ ମଧ୍ୟରେ ମୁଁ ହିନ୍ଦି ଏବଂ ଉର୍ଦ୍ଧ୍‌ବୁ କହିବା, ଲେଖିବା ଓ ପଢିବା ଶିଖିଯାଇଥିଲି।

ପ୍ରଶ୍ନ : ପ୍ରଥମେ କ୍ୟାରିୟର କେଉଁଠି ଆରମ୍ଭ କରିଥିଲେ । ବଲିଉଡ୍, ଓଲିଉଡ୍ ନା ହଲିଉଡ୍..?
ଉତ୍ତର : ପ୍ରଥମେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲି। ପରେ ହଲିଉଡରେ କାମ କରିବା ପାଇଁ ଛୋଟ ସୁଯୋଗ ପାଇଥିଲି। ‘କାଲିର ଅତୀତ’ ବ୍ୟତୀତ ଓଲିଉଡ୍‌ର ଏକ ୱେବ୍ ସିରିଜିରେ କାମ କରି ସାରିଛି। ଏଥିସହ ଅନ୍ୟ ଏକ ୱେବ୍ ସିରିଜି ରିଲିଜ୍ ପାଇଁ ମଧ୍ୟ ପ୍ରସ୍ତୁତ ଚାଲିଛି। ତା’ ସହ ଅନେକ ଗୁଡିଏ ଅଫର ମଧ୍ୟ ହାତରେ ରହିଛି।

ପ୍ରଶ୍ନ : ଅଭିନୟ ପାଇଁ କୌଣସି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରିଥିଲେ କି ?
ଉତ୍ତର : ଅନେକ ଗୁଡିଏ ୱାର୍କ ସପ୍‌ରେ ଯୋଗ ଦେଇଥିଲେ। ସେଠାରେ ଅଭିନୟ ବାବଦରେ କିଛି ଶିକ୍ଷା ଲାଭ କରିଥିଲେ। ଏହା ସହ ପ୍ରତି ଅଡିସନରେ ଅଂଶ ଗ୍ରହଣ କରିବା ପୂର୍ବରୁ ମୁଁ ନିଜକୁ ଭଲ ଭାବରେ ପ୍ରସ୍ତୁତ କରେ।

ପ୍ରଶ୍ନ : ତୁମ ହିସାବରେ ତୁମ ଅଭିନୀତ ଶ୍ରେଷ୍ଠ ଚରିତ୍ର ବା ଆର୍ଟ କ’ଣ ?
ଉତ୍ତର : ବିହାରରେ ସ୍ଥାନୀୟ ମୂଷଳଧର ଭାଷାରେ ଅଭିନୀତ ‘ନର୍ଭକ୍ଷି’ ଫିଲ୍ମ। ଏହା ଏକ ଦଳିତ ଓ ମାନସିକଦୁର୍ବଳ ମହିଳା ଚରିତ୍ର । ଏହା ମୋ ପାଇଁ କଷ୍ଟକର ଏବଂ ନିଆରା ଅନୂଭୁତି ଥିଲା।

ପ୍ରଶ୍ନ : ଭିଡ ଭିତରେ ହଜିଯିବାର ଭୟ ରହିଛି କି ?
ଉତ୍ତର : ନା । ସେ ଡର ନାହିଁ। ଏମିତି ଡର ଥିଲେ ମୁଁ ଇଣ୍ଡଷ୍ଟ୍ରିକୁ ଆସିନଥାନ୍ତି। ପ୍ରଥମରେ ମୋ ପାଇଁ କଷ୍ଟସାଧ୍ୟ ଥିଲା। ପରିବାର ଲୋକ ମଧ୍ୟ ମୋ ପାଇଁ ଚିନ୍ତିତ ଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସବୁ ଠିକ୍ ହୋଇଥିଲା। ଅସମ୍ଭବକୁ ମୁଁ ସମ୍ଭବ କରି ଦେଖାଇଥିଲି। କିନ୍ତୁ କୋଭିଡ୍ ଲକ୍‌ଡାଉନ୍‌ ପାଇଁ ସବୁ ବନ୍ଦ ହୋଇ ଯାଇଥିଲା। ଏବେ ତ ପୁଣି ସବୁ ଖୋଲିଲାଣି ଏବଂ ସୁଟିଂ ମଧ୍ୟ ଆରମ୍ଭ ହେଲାଣି।

ପ୍ରଶ୍ନ : ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣର ଅଭିଯୋଗ ଆସେ। ସୋନାଲି ଶିକାର ହୋଇଛନ୍ତି କି ?
ଉତ୍ତର : ହଁ । ମୋ ପାଖକୁ ଏମିତି ଅନେକ ଫୋନ୍‌ କଲ୍‌ ଆସିଛି। କିନ୍ତୁ ମୁଁ ସେ ବିଶେଷ ଧ୍ୟାନ ଦେଇ ନାହିଁ। ଯେଉଁଠି ଦକ୍ଷତାର ଅଭାବ ଥାଏ, ସେଠାରେ ଏଭଳି କିଛି ଘଟଣା ଘଟେ। ଦକ୍ଷତା ଓ ଆତ୍ମବିଶ୍ବାସ ଥିଲେ ଏଭଳି ପରିସ୍ଥିତିରେ ସାମ୍ନା କରିବାକୁ ପଡିବ ନାହିଁ। ଠିକ୍ ଲୋକ ଏବଂ ଠିକ୍‌ ସଂସ୍ଥା ନିକଟରେ ପହଞ୍ଚିଲେ ଏଭଳି ସ୍ଥିତି ସାମ୍ନା କରିବାର ସମ୍ଭାବନା ଖୁବ୍ କମ୍‌ ଥାଏ।