ମହିଳା ଓ ଘରୋଇ ହିଂସା – ନିର୍ଯାତନାକୁ ‘ନା’

ବିବାହ ପରେ ମହିଳାମାନେ ଘରୋଇ ହିଂସାର ଶିକାର ହୁଅନ୍ତି ବୋଲି ଅଭିଯୋଗ ହୁଏ। ଏହାର ଅର୍ଥ ନୁହେଁ ଯେ, ବିବାହ ପୂର୍ବରୁ ଘରୋଇ ହିଂସାର ସମ୍ନା କରନ୍ତି ନାହିଁ। କିନ୍ତୁ ଅଧିକାଂଶ ଅଭିଯୋଗ ବିବାହ ପରେ ଆସେ। ସବୁ ଘରୋଇ ହିଂସା ଯେ କେବଳ ଶାରୀରିକ ନିର୍ଯାତନା, ତାହା ନୁହେଁ। ମାନସିକ, ଅର୍ଥନୈତିକ ଏବଂ ଯୌନ ନିର୍ଯାତନା ମଧ୍ୟ ଘରୋଇ ହିଂସା ଅନ୍ତର୍ଭୁକ୍ତ। କେତେକ କ୍ଷେତ୍ରରେ ନିର୍ଯାତନା ମାନସିକ ସ୍ତରରେ ସୀମିତ ରହିଯାଏ। କେହି କେହି ଏହାକୁ ବିରୋଧ କରନ୍ତି, ଅନ୍ୟ କେହି ଏହିକୁ ମୁଣ୍ଡପାତି ସହିଯାଆନ୍ତି। ଏହାର କାରଣ ବିରୋଧ କରିବାର ଅକ୍ଷମତା ଯୋଗୁଁ ହେଉ ଅବା ଲୋକଲଜ୍ଜା ଭୟ ହୋଇପାରେ। ଯଦି ସର୍ଭେ କରାଯାଏ, ବୋଧ ହୁଏ ୮୦ ପ୍ରତିଶତ ମହିଳାମାନେ ଘରୋଇ ହିଂସା ଅର୍ଥାତ୍ ମାନସିକ ନିର୍ଯାତନାର ଶିକାର ଥିବା ଜଣାପଡିବ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, କାହିଁକି ଜଣେ ମହିଳା ଘରୋଇ ହିଂସାର ଶିକାର ହୁଏ। ଏଥିରୁ ବର୍ତ୍ତିବା ପାଇଁ କ’ଣ ରହିଛି ଆମର ନ୍ୟାୟିକ ବ୍ୟବସ୍ଥା। ଏନେଇ ଆମେ ଆଲୋଚନା କରିବା ଆଇଏସଡି ର ନିର୍ଦେ୍ଦଶିକା ଶୁଭଶ୍ରୀ ଦାସଙ୍କ ସହ…

୧. ବିବାହ ପରେ ବା ପୂର୍ବରୁ ଯଦି ଜଣେ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ତେବେ ସର୍ବପ୍ରଥମେ ସେ କ’ଣ କରବା ଉଚିତ୍ ?

ଉତ୍ତର : ସର୍ବପ୍ରଥମେ ନିର୍ଯାତନାକୁ ‘ନା’ କହିବା ଉଚିତ୍। ଯେତେ ସହିବେ ନିର୍ଯାତନା ବୃଦ୍ଧି ପାଇବ। ଘରେ ଚୁପ୍ ନ ରହି ବାହାରକୁ ଆସନ୍ତୁ, ମୁହଁ ଖୋଲନ୍ତୁ। ନିଜ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ। ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଗୁଡିଏ ବ୍ୟବସ୍ଥା ରହିଛି। ସରକାରଙ୍କ ମହିଳା ଥାନା, ମହିଳା କମିଶନର, ପୁଲିସ ବିଭାଗ ସହ ମାଧ୍ୟମ ସଂସ୍ଥା, ସକ୍ଷୀ ସେଣ୍ଟର ଆଦି ସ୍ଥାନକୁ ସାହାଯ୍ୟ ପାଇଁ ଯାଇପାରିବେ। ପ୍ରତି ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସୁରକ୍ଷା ଅଧିକାରୀଙ୍କ ନିକଟକୁ ଯାଇ ସହଯୋଗ ନେଇ ପାରିବେ। ସେଠାରେ ଡିଆଇଆର ଅର୍ଥାତ୍ ନିଜର ଅସୁବିଧା ସମ୍ପର୍କରେ ଲିଖିତ ଆକାରରେ ଅଭିଯୋଗ ପତ୍ର ଦାଖଲ କରି ନିଜର ସୁରକ୍ଷା ପାଇଁ ଆବେଦନ କରିପାରିବେ।

୨. ଯଦି ସମ୍ପତ୍ତିକୁ ନେଇ ମହିଳାମାନେ ଘରୋଇ ହିଂସାରେ ଶିକାର ହୁଅନ୍ତି ତେବେ କ’ଣ କରିବେ? ସମ୍ପତ୍ତିକୁ ନେଇ ମହିଳାମାନଙ୍କ ଅଧିକାର କ’ଣ ରହିଛି?

ଉତ୍ତର : ସମ୍ପତ୍ତିରେ ଉଭୟ ପୁଅ-ଝିଅର ସମାନ ଅଧିକାର ରହିଛି। ସେହିପରି ଶାଶୁ ଘରେ ମଧ୍ୟ ସ୍ବାମୀ ସମ୍ପତ୍ତିରେ ସ୍ତ୍ରୀର ମଧ୍ୟ ଅଧିକାର ରହିଛି। ଯେଉଁଠି ଅଧିକାର ସମାନ ମିଳେ ନାହିଁ ସେଠି ଜଣେ ଘରୋଇ ହିଂସାର ଶିକାର ହୁଏ। ଚୁପ୍ ନ ରହି ଏହାର ପ୍ରତିବାଦ କରନ୍ତୁ ଏବଂ ଅଧିକାର ପାଇଁ ଲଢନ୍ତୁ। ଅଧିକାର ମାଗିଲେ ମିଳେନି, ହାସଲ କରିବାକୁ ପଡେ।

୩. ନାରୀ ର ସୁରକ୍ଷିତ ଜୀବନଯାପନ ପାଇଁ କ’ଣ ରହିଛି ନ୍ୟାୟିକ ବ୍ୟବସ୍ଥା ?

ଉତ୍ତର : ଯଦିଓ ଏଥିପାଇଁ ସେଭଳି କିଛି ନ୍ୟାୟିକ ବ୍ୟବସ୍ଥା ନାହିଁ, ତଥାପି ଏକ ସ୍ବାସ୍ଥ୍ୟକର ଓ ସୁରକ୍ଷିତ ଜୀବନଯାପନ ବଞ୍ଚିବାର ଅଧିକାର ସମସ୍ତଙ୍କ ରହିଛି। ତାହା କେତେ ସୁରକ୍ଷିତ ଏହା ପାରିପାର୍ଶ୍ବିକ ପରିବେଶ ଉପରେ ନିର୍ଭର କରେ। ଯେଉଁଠି ଅସୁରକ୍ଷିତ ମନେ ହେଉଛି, ସେଠାରୁ ଦୂରେଇ ରହିବା ବୁଦ୍ଧିମାନର କଥା ହେବ। ଯଦି ନିର୍ଯାତିତ ହେଉଛନ୍ତି ତେବେ ସ୍ବାଧୀନ ନାରୀଟି ଚାହିଁଲେ ଅଲଗା ରହିପାରିବ। ଏଥିପାଇଁ ଛାଡପତ୍ର ଜରୁରୀ ନୁହେଁ।

୪. କୁହାଯାଏ, ନାରୀ ଚାହିଁଲେ ଘର ଉଜାଡିପାରେ ଏବଂ ସେ ଚାହିଁଲେ ଘର ସଜାଡି ପାରେ। ଏହି ଉକ୍ତିଟି କେତେ ଯୁକ୍ତିଯୁକ୍ତ ? କ’ଣ ଏଥିପାଇଁ ନାରୀ ନିର୍ଯାତନା ସହି ଚୁପ ରୁହେ କି ?

ଉତ୍ତର : ହଁ, ଅନେକ ଥର ଏଭଳି ଘଟଣା ଦେଖିବାକୁ ମିଳେ। କିନ୍ତୁ ଏହା ଯୁକ୍ତିଯୁକ୍ତ ନୁହେଁ। ଉଭୟ ନାରୀ ଓ ପୁରୁଷଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଉଭୟ ଚାହିଁଲେ ସଂସାର ଆଗକୁ ବଢି ପାରିବେ ଏବଂ ସଜାଡି ପାରିବେ। ଏକା ନାରୀ ବା ପୁରୁଷ ଚାହିଁଲେ କିଛି ହୋଇପାରିବ ନାହିଁ। ଏଭଳି ମାନସିକତାର ପରିବର୍ତ୍ତନ ଆବଶ୍ୟକ। ଉତ୍ତମ ପାରିବାରିକ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ନେବା ଆବଶ୍ୟକ।

୫. ଯଦି ସ୍ବାମୀ ସ୍ତ୍ରୀ ସପକ୍ଷରେ ନ ଥିବ ବା ତା’ର କୌଣସି ଦାୟିତ୍ବ ନେଉ ନଥିବ, ତେବେ ଏଥିପାଇଁ କ’ଣ ରହିଛି ନ୍ୟାୟିକ ବ୍ୟବସ୍ଥା ?

ଉତ୍ତର : ସ୍ତ୍ରୀର ଦାୟିତ୍ବ ନେବା ସ୍ବାମୀର କର୍ତ୍ତବ୍ୟ। ଯଦି ସ୍ବାମୀ ନ ବୁଝୁଛି ତେବେ ଏହା ମଧ୍ୟ ଘରୋଇ ହିଂସା ଅନ୍ତର୍ଭୁକ୍ତ। ଏହାକୁ ମାନସିକ ଏବଂ ଅର୍ଥନୈତିକ ନିର୍ଯାତନା ଭାବରେ ଗ୍ରହଣ କରାଯାଇପାରିବ। ଘରୋଇ ହିଂସାରୁ ବର୍ତ୍ତିବା ପାଇଁ ମହିଳା ସୁରକ୍ଷା ୨୦୦୫ ଆଇନ ଅନୁସାରେ ଶାରୀରିକ ନିର୍ଯାତନା ପାଇଁ ଯାହା ଦଣ୍ଡ ବିଧାନ ରହିଛି, ଏଥିପାଇଁ ମଧ୍ୟ ସମାନ ଦଣ୍ଡ ବିଧାନ ରହିଛ।

ଯଦି ଆପଣ ଘରୋଇ ହିଂସାର ଶିକାର ହେଉଛନ୍ତି , ତେବେ ସହଯୋଗ ପାଇଁ ନିମ୍ନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିପାରିବେ। ୦୬୭୪-୨୯୫୫୫୩୯ – ମାଧ୍ୟମ , ଭୁବନେଶ୍ବର କାର୍ଯ୍ୟାଳୟ  ଏବଂ ୦୬୭୧-୨୪୧୦୧୪୧ – ସକ୍ଷୀ, କଟକ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ।

ଉପସ୍ଥାପନା – ବୈଜୟନ୍ତୀ ନାୟକ