ଭାରତରେ ରକ୍ଷା ବନ୍ଧନ ଭାଇ-ଭଉଣୀ ସ୍ନେହର ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ଦିନ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷା ବାନ୍ଧନ୍ତି ଏବଂ ଭାଇମାନେ ସେମାନଙ୍କୁ ସାରାଜୀବନ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି। ରକ୍ଷାବନ୍ଧନ ଏହି ପବିତ୍ର ପର୍ବ କେବେ ଆରମ୍ଭ ହେଲା ତାହାର ପ୍ରକୃତ ତାରିଖ ବିଷୟରେ କୌଣସି ସୂଚନା ନାହିଁ। କିନ୍ତୁ ଏହାକୁ ନେଇ ଅନେକ ଐତିହାସିକ ଓ ପୌରାଣିକ କାହାଣୀ ବର୍ଣ୍ଣିତ ରହିଛି।
ଇତିହାସରେ ମଧ୍ୟ ରକ୍ଷାବନ୍ଧନ ଭଳି ପବିତ୍ର ପର୍ବକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଛି। ବିଶ୍ବ ବିଜୟୀ ସମ୍ରାଟ ଆଲେକଜାଣ୍ଡାର ଯେତେବେଳେ ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଲେ, ସେତେବେଳେ ତାଙ୍କୁ ରାଜା ପୁରୁଙ୍କ ସାମ୍ନା କରିବାକୁ ପଡିଥିଲା। ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ। ରାକ୍ଷୀର ସମ୍ମାନ କରିବାକୁ ଯାଇ ସେ ଆଲେକଜାଣ୍ଡାରଙ୍କୁ ଛାଡି ଦେଇଥିଲେ।

ଅନ୍ୟ ଘଟଣାଟି ଚିତୋରର ବିଧବା ରାଣୀ କର୍ଣ୍ଣବତୀ ଓ ସମ୍ରାଟ ହୁମାୟୁନଙ୍କ ସହ ଜଡିତ। ୧୫୩୪ ମାର୍ଚ୍ଚରେ ଗୁଜରାଟର ଶାସକ ବାହାଦୂର ଶାହା ଜାଫର ଚିତୋରର ଉପରେ ଆକ୍ରମଣ କରିଥିଲେ। ସ୍ୱାମୀଙ୍କୁ ହରାଇବା ପରେ ଯେତେବେଳେ ଅନୁଭବ କଲେ ଯେ, ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେବେଳେ ସେ ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠାଇ ତାଙ୍କ ସାହାଯ୍ୟ ଭିକ୍ଷା କରିଥିଲେ। ହୁମାୟୁନ ମଧ୍ୟ ଏହାକୁ ସ୍ବୀକାର କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇ ଦେଇଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା। ରାଣୀ କର୍ଣ୍ଣବତୀ ଜୋହର ବା ଆତ୍ମାହୁତି ଦେଇସାରିଥିଲେ। ରାକ୍ଷୀର କର୍ତ୍ତବ୍ୟ ପାଳନ କରିବା ପାଇଁ ହୁମାୟୁନ ବାହାଦୂର ଶାହା ଜାଫରଙ୍କୁ ଯୁଦ୍ଧରେ ପରାସ୍ତ କରି ଚିତୋର ଶାସନର ଭାର ରାଣୀ କର୍ଣ୍ଣବତୀଙ୍କ ପୁତ୍ର ବିକ୍ରମାଦିତ୍ୟଙ୍କୁ ଦେଇଥିଲେ।

ଆଧୁନିକ ଇତିହାସରେ ମଧ୍ୟ ଏହାର ଏକ ଉଦାହରଣ ରହିଛି। ବଙ୍ଗ ବିଭାଜନ ସମୟରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର ହିନ୍ଦୁ ଏବଂ ମୁସଲମାନମାନଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ, ସେତେବେଳେ ପରସ୍ପରର ହାତରେ ରକ୍ଷା ସୂତା ବାନ୍ଧିବାକୁ ଉଭୟ ସମ୍ପ୍ରଦାୟକୁ ଅନୁରୋଧ କରିଥିଲେ।

ପୌରାଣିକ ବିଷୟବସ୍ତୁ ଅନୁଯାୟୀ, ଅସୁରା ରାଜା ବାଳି ନିଜର ବଳ ଓ ପରାକ୍ରମ ବଳରେ ତିନି ଲୋକ ଉପରେ ରାଜୁତି କରୁଥିଲେ। ରାଜା ବାଳିର ଆଧିପତ୍ୟ ବିସ୍ତାର ଦେଖି ଇନ୍ଦ୍ର ଦେବତା ସାହାଯ୍ୟ ପାଇଁ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ। ବାଳିଙ୍କୁ ପରାସ୍ତ କରିବା ପାଇଁ ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ୩ ପାଦ ଭୂମି ମାଗିଥିଲେ। ପ୍ରଥମ ପାଦରେ ଧରିତ୍ରୀ ଓ ଦ୍ବିତୀୟ ପାଦରେ ଆକାଶ ନେବା ପରେ ତୃତୀୟ ପାଦ ପାଇଁ ଅନ୍ୟ କିଛି ସ୍ଥାନ ନଥିଲା ତେଣୁ ବାଳି ନିଜ ମଥା ଦେଖାଇଥିଲେ।

ରାଜା ବାଳିର ଭକ୍ତିଭାବରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ବର ମାଗିବା ପାଇଁ କହିଥିଲେ। ନିଜ ସହ ଭଗବାନ ବିଷ୍ଣୁଙ୍କୁ ପାତାଳରେ ରହିବା ପାଇଁ ରାଜା ବାଳି ବର ମାଗି ନେଇଥିଲେ। ଏଥିରେ ମାତା ଲକ୍ଷ୍ମୀ ବିଚଳିତ ହୋଇ ଭଗବାନ ବିଷ୍ଣୁଙ୍କୁ ପୁଣି ବୈକୁଣ୍ଠପୁର ଫେରାଇ ଆଣିବା ପାଇଁ ନାରଦଙ୍କ ପରାମର୍ଶରେ ଛଦ୍ମବେଶ ଧରି ବାଳି ରାଜଙ୍କ ନିକଟରେ ପହଞ୍ଚିଥିଲେ। ବାଳି ରାଜାଙ୍କୁ ରାକ୍ଷୀ ବାନ୍ଧି ନିଜ ରୂପରେ ମାତା ଲକ୍ଷ୍ମୀ ପ୍ରକଟ ହେଲେ ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠପୁରା ଫେରାଇ ଆଣିବାକୁ ନିବେଦନ କରିଥିଲେ। ବାଳି ରାଜା ଭଉଣୀ ଲକ୍ଷ୍ମୀଙ୍କ ଇଚ୍ଛା ପୂରଣ କରିଥିଲେ। ସେହି ଦିନ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ହୋଇଥିବାରୁ ଏହାକୁ ରାକ୍ଷୀ ପୂର୍ଣ୍ଣମୀ ଭାବରେ ମାନ୍ୟତା ଦିଆଗଲା।

ଏକଦା ଦେବତା ଏବଂ ଦାନବଙ୍କ ମଧ୍ୟରେ ୧୨ ବର୍ଷ ଧରି ଯୁଦ୍ଧ ହୋଇଥିଲା, କିନ୍ତୁ ଦେବତାମାନେ ବିଜୟୀ ହୋଇନଥିଲେ। ପରାଜୟର ଭୟରେ ଦୁଃଖିତ ହୋଇ ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କ ନିକଟକୁ ଯାଇଥିଲେ। ଯୁଦ୍ଧ ବନ୍ଦ କରିବା ପାଇଁ ଗୁରୁ ବୃହସ୍ପତି କହିଥିଲେ। ତାଙ୍କ କଥା ଶୁଣି ଇନ୍ଦ୍ରଙ୍କ ପତ୍ନୀ ମହାରାଣୀ ଶାଚି କହିଥିଲେ ଯେ, ଆସନ୍ତାକାଲି ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମା, ମୁଁ ପ୍ରତିରକ୍ଷା ସୂତ୍ର ପ୍ରସ୍ତୁତ କରିବି। ଯାହାର ପ୍ରଭାବରେ ଦାନବମାନଙ୍କୁ ପରାସ୍ତ କରିହେବ। ପୂର୍ଣ୍ଣିମା ଦିନ ବ୍ରତ ରଖି ଇନ୍ଦ୍ରାଣୀ ରକ୍ଷା ସୂତ୍ର ପ୍ରସ୍ତୁତ କଲେ ଏବଂ ବ୍ରାହ୍ମଣରେ ମନ୍ତ୍ର ସହ ଇନ୍ଦ୍ରଙ୍କ ହାତରେ ବନ୍ଧଗଲା। ପରେ ସେହି ରକ୍ଷା ସୂତ୍ର ପ୍ରଭାବରେ ଦାନବମାନଙ୍କ ଉପରେ ଦେବତାମାନେ ବିଜୟ ଲାଭ କଲେ।

ସେହିପରି ଅନ୍ୟ ଏକ ପୌରାଣିକ କାହାଣୀ ମହାଭାରତ ସହିତ ଜଡିତ। ଶିଶୁପାଳ ବଦ୍ଧ କରି ଫେରିବା ସମୟରେ ସୁଦର୍ଶନ ଚକ୍ର ଆଘାତରେ ଭଗବାନ କୃଷ୍ଣଙ୍କ ଅଙ୍ଗୁଳି କଟି ଯାଇ ରକ୍ତ ବାହାରିଥିଲା। ଏହି ସମୟରେ ଦ୍ରୌପଦୀ ନିଜ ପିନ୍ଧାବସ୍ତ୍ରର ପଣତକୁ ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧିଥିଲେ। ସେତେବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ଏହି କପଡାର ପ୍ରତିଟି ସୂତାର ଋଣ ପରିଶୋଧ କରିବେ। ପ୍ରତିଶ୍ରୁତି ପୂରଣ ପୂର୍ବକ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ଶ୍ରୀକୃଷ୍ଣ ତାଙ୍କ ଉପରେ ବସ୍ତ୍ର ବର୍ଷା କରିଥିଲେ। ଯେଉଁ ଦିନ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ଅଙ୍ଗୁଳିରେ କପଡା ବାନ୍ଧିଥିଲେ ସେହିଦିନ ମଧ୍ୟ ଶ୍ରାବଣ ପୂର୍ଣ୍ଣମୀ ତିଥୀ ଥିଲା। କୁହାଯାଏ ଯେ, ସେବେଠାରୁ ଏହି ଦିନ ରକ୍ଷାବନ୍ଧନ ଭାବେ ପାଳନ କରାଯାଉଛି।