ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ଏବଂ ପ୍ରେମର ପର୍ବ ବୋଲି ବିବେଚନା କରାଯାଏ। ଚଳିତବର୍ଷ ରକ୍ଷା ବନ୍ଧନ ୨୨ ଅଗଷ୍ଟ ରବିବାର ଲକ୍ଡାଉନ୍ ଏବଂ କରୋନା ମହାମାରୀ ମଧ୍ୟରେ ପାଳନ କରାଯିବ। ଭାରତର ପ୍ରମୁଖ ପର୍ବ ମଧ୍ୟରେ ରକ୍ଷା ବନ୍ଧନ ପ୍ରସିଦ୍ଧ। ଦେଶର ପ୍ରତ୍ୟେକ ଅଞ୍ଚଳରେ ଏହି ପର୍ବ ପାଳନ କରାଯାଏ କିନ୍ତୁ ଏହାକୁ ପାଳନ କରିବାର ପଦ୍ଧତି ଏବଂ ନାମ ଭିନ୍ନ ରହିଛି।
ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେବେ ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବ ଭିନ୍ନ ଭିନ୍ନ ରୀତିରେ ପାଳିତ ହେଇଆସୁଛି। ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମାକୁ ନାରିକେଳ ବା ନଡ଼ିଆ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି, ବିଶେଷ ଭାବରେ ସମସ୍ତ ମତ୍ସ୍ୟଜୀବୀମାନଙ୍କ ପାଇଁ ଏହି ପର୍ବର ଅନେକ ମହତ୍ତ୍ୱ ରହିଥାଏ। ଏହି ଦିନ ସମୂଦ୍ର ଦେବତା ବରୁଣ ଏବଂ ପ୍ରଭୁ ଇନ୍ଦ୍ରଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରି ମାଛ ଧରିବା କାର୍ଯ୍ୟ ଆରମ୍ଭ କରିବାର ପରମ୍ପରା ରହିଛି। ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା। ଭଲ ଫସଲ ଉତ୍ପାଦ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଏ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ।
ସେହିପରି ଓଡିଶାରେ ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ବନ୍ଧନ ନାମରେ ଜଣାଯାଏ। ଭଗବାନ କୃଷ୍ଣଙ୍କ ବଡ଼ ଭାଇ ପ୍ରଭୁ ବଳରାମ ଏହି ଦିନ ଧରାପୃଷ୍ଠାରେ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ବା ବଳଭଦ୍ରଙ୍କ ଜନ୍ମ ତିଥିଭାବେ ପାଳନ କରାଯାଏ। ତେଣୁ ଏହି ଦିନ ବଡଦେଉଳରେ ପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କ ନିକଟରେ ରାକ୍ଷୀ ବନ୍ଧନର ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୁଏ। ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋ-ମାତାଙ୍କୁ ପୂଜା କରାଯାଏ। ସକାଳୁ ଗୋ-ମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଏହା ସହ ଘରେ ଘରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ। ଭଉଣୀମାନେ ନିଜର ସୁରକ୍ଷା ପ୍ରତିଶ୍ରୁତି ପାଇଁ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଏହି ଦିନ ବ୍ରାହ୍ମଣମାନେ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି।
ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ୟ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ। ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳାଯାଏ।