‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ – କେବଳ ଶିଶୁ ନୁହେଁ, ମା’ ବି ରୁହେ ସୁସ୍ଥ

ମା’ ହେବା ଏକ ସୁନ୍ଦର ଅନୁଭୂତି। ମା’ ହେବା ସଙ୍ଗେସଙ୍ଗେ ଅନେକ ଦାୟିତ୍ବ ମଧ୍ୟ ବଢିଥାଏ। ନବଜାତ ଶିଶୁର ସଠିକ୍ ଲାଳନପାଳନ ଏବଂ ତା’ର ଆବଶ୍ୟକତା ବୁଝିବା ମା’ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନ୍ମର ୬ ମାସ ପର୍ୟ୍ୟନ୍ତ ମା’ କ୍ଷୀର ଶିଶୁର ପ୍ରଥମ ଏବଂ ସମ୍ପୂର୍ଣ୍ଣ ଆହାର ଭାବରେ ବିବେଚନା କରାଯାଏ। ସ୍ତନ୍ୟପାନ କରିଥିବା ଶିଶୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ହୋଇଥାନ୍ତି ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଆପଣ ଜାଣନ୍ତି କି ସ୍ତନ୍ୟପାନ କରାଇବା ମଧ୍ୟ ମହିଳାଙ୍କ ପାଇଁ କରଦାନରୁ କମ୍ ନୁହେଁ । ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଠାରେ ଅନେକ ରୋଗର ସମ୍ଭାବାନା କମ୍ ଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

ଅନ୍ୟପକ୍ଷରେ ମନସ୍ତତ୍ତ୍ବଜ୍ଞ ବିଶ୍ୱାସ କରନ୍ତି ଯେ, ସ୍ତନ୍ୟପାନ କରାଇବା ଦ୍ବାରା ଶିଶୁ ଏବଂ ମା’ ମଧ୍ୟରେ ଭାବପ୍ରବଣତା ଦୃଢ ହୋଇଥାଏ। କିନ୍ତୁ ଆଜିକାଲି ଅନେକ ମା’ ଶିଶୁକୁ ସ୍ତନ୍ୟପାନ ନ କରାଇ ବାହାର ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏପରି ପରିସ୍ଥିତିରେ ମା‘ ମାନଙ୍କୁ ସ୍ତନ୍ୟପାନ ବିଷୟରେ ସଚେତନ କରାଇବା ପାଇଁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ସ୍ତନ୍ୟପାନ କରାଉଥିବା ମହିଳାମାନେ କେଉଁ କେଉଁ ଲାଭ ପାଇଥାନ୍ତି।

ଓଜନ ହ୍ରାସ

ପ୍ରସବ ପରେ ମହିଳାମାନଙ୍କ ଓଜନ ପ୍ରାୟତଃ ବୃଦ୍ଧି ହୋଇଥାଏ। କିନ୍ତୁ ସ୍ତନ୍ୟପାନ କରାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏକ ସମୟରେ ସ୍ତନ୍ୟପାନରେ ୪୫୦ ରୁ ୫୦୦ କ୍ୟାଲୋରୀ ହ୍ରାସ ହୋଇଥାଏ।

କର୍କଟ ରୋଗର ଆଶଙ୍କା କମ୍

ଏକ ଅନୁସନ୍ଧାନ ଅନୁଯାୟୀ, ସ୍ତନ୍ୟପାନ ଦ୍ବାରା ଓଭ୍ୟୁଲେସନ ପ୍ରକ୍ରିୟା ମନ୍ଥର ହୋଇଯାଏ। ଏହା ଦ୍ବାରା ଓଭାରିନ୍ ଏବଂ ସ୍ତନ କର୍କଟ ହେବାର ଆଶଙ୍କା କମ୍‌ଥାଏ।

ହୃଦଘାତର ଆଶଙ୍କା କମ୍

ଅନୁସନ୍ଧାନ ଅନୁଯାୟୀ, ଯେଉଁ ମା’ମାନେ ୬ ମାସରୁ ଅଧିକ ସମୟ ପର୍ୟ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାନ୍ତି ସେମାନଙ୍କଠାରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ।

ପ୍ରସବ ପରବର୍ତ୍ତୀ ଅବସାଦ

ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ପ୍ରସବ ପରବର୍ତ୍ତୀ ଅବସାଦ, ଅନିଦ୍ରା, ଭୋକ ନ ହେବା, ପ୍ରସବ ପରେ ଚିଡଚିଡା ଲାଗିବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ନାହିଁ।

ଋତୁସ୍ରାବ

ପ୍ରସବ ପରେ ପ୍ରାୟ ମାସେ ରୁ ଦେଢ ମାସ ପର୍ୟ୍ୟନ୍ତ ମହିଳାମାନଙ୍କର ଋତୁସ୍ରାବ ହୋଇନଥାଏ। ଏହା ଦ୍ବାରା ସ୍ବାସ୍ଥାବସ୍ଥା ଖରାପ ହେବାର ଆଶଙ୍କା ଥାଏ। କିନ୍ତୁ ଯେଉଁ ମହିଳାମାନେ ସ୍ତନ୍ୟପାନ ଜାରି ରଖନ୍ତି ସେମାନଙ୍କ କ୍ଷେତ୍ରରେ ଏହାର ସମ୍ଭାବନା କମ୍ ଥାଏ।