ଅଳଙ୍କାରର ପର୍ବ ‘ସୁନାବେଶ’

ଅଳଙ୍କାର ପ୍ରତି କାହାର ବା ଲୋଭ ନଥାଏ। ସେ ପୁଣି ସୁନା ଅଳଙ୍କାର, ନାଁ ଶୁଣିଲା ମାତ୍ରେ ହିଁ ଲୋଭ ସମ୍ଭାଳିବା କଷ୍ଟ ହୋଇଯାଏ। କୁହାଯାଏ ନାରୀମାନେ ହେଉଛନ୍ତି ଅଳଙ୍କାର ପ୍ରେମୀ। ସେମାନେ ଅଳଙ୍କାର ପିନ୍ଧିବାକୁ ଭଲ ପଆନ୍ତି। ଏହା ସତ ମଧ୍ୟ। ନାରୀଟିଏ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧି ସଜେଇ ହେବାକୁ ଖୁବ୍ ପସନ୍ଦ। ଆଉ ଯଦି ଆମେ ସୁନା ଅଳଙ୍କାର ବିଷୟରେ କଥା ହେବା ତେବେ ଦକ୍ଷିଣ ଭାରତୀୟମାନେ ସୁନା ଅଳଙ୍କାରରେ ଆଭୂଷଣ ହେବାକୁ ଖୁବ୍ ଭଲ ପାଆନ୍ତି। ତା’ପରେ ବେଙ୍ଗଲୀ ଏବଂ ଓଡିଆ।
ଓଡିଆଙ୍କ ସଂସ୍କୃତି ପରମ୍ପରା ସହ ସୁନା ଅଳଙ୍କାର ଜଡିତ। କୋଟି କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ମହଣ ମହଣ ସୁନାରେ ସୁସଜ୍ଜିତ ହୁଅନ୍ତି। ଏହି ପର୍ବକୁ ସୁନାବେଶ ବୋଲି କୁହାଯାଏ। ମୁକ୍ତ ଆକାଶ ତଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ମଧ୍ୟରେ ରଥ ଉପରେ ମହାପ୍ରଭୁ ସୁନାବେଶ ଧାରଣ କରନ୍ତି। ଏଠାରେ ଆମେ ଏମିତି କହି ପାରିବା କେବଳ ନାରୀର ନୁହେଁ, ଆମ ମହାପ୍ରଭୁ ମଧ୍ୟ ଅଳଙ୍କାର ପ୍ରେମୀ। ଏହାକୁ ରାଜବେଶ ବା ବଡ଼ତଢାଉ ବେଶ ବୋଲି ମଧ୍ୟ କୁହାଯାଏ।
ରାଜବେଶ କୁହାଯିବାର ଯର୍ଥାତ୍ ହେଉଛି, ରାଜା ମହାରାଜମାନେ ଅନେକ ପ୍ରକାର ସୁନା ଧାରଣ କରୁଥିବାରୁ ଏହାକୁ ରାଜବେଶ କୁହଯାଉଛି। କିନ୍ତୁ ବଡତଢାଉ ବେଶ କାହିଁକି କୁହାଯାଏ ? ଏହାକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ।
କିମ୍ବଦନ୍ତୀ ଅନୁଯାୟୀ, ଉତ୍କଳର ନରପତି ଶ୍ରୀ କପିଳେନ୍ଦ୍ର ଦେବ ଦକ୍ଷିଣାତ୍ୟ ଜୟ କରି ୧୬ଟି ହାତୀ ପିଠିରେ ବୋଝେଇ କରି ଆଣିଥିବା ସୁନାଅଳଙ୍କାର ସବୁକୁ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଥିଲେ। ତାଙ୍କ ଅନୁରୋଧ କ୍ରମେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଥିଲା। ତେବେ ଏହି ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ଠାରୁ ପରାମର୍ଶ ନିଆଯାଇଥିବାରୁ ମହାପ୍ରଭୁଙ୍କ ସୁନାବେଶକୁ ବଡ଼ତଢାଉ ବେଶ ବୋଲି ମଧ୍ୟ ସମ୍ବୋଧନ କରାଯାଉଛି ବୋଲି ଏଥିରୁ ଅନୁମାନ କରାଯାଇପାରେ।

ଅଧିକାଂଶ ଲୋକ ଜାଣିଥାନ୍ତି ଯେ, ସୁନାବେଶ ବର୍ଷକୁ ଥରେ ଅନୁଷ୍ଠିତ ହୁଏ। ପ୍ରକୃତରେ ସେମିତି ନୁହେଁ। ସୁନାବେଶ ବର୍ଷ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ପୌଷ ପୂର୍ଣ୍ଣିମା, ଫାଲଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ଆଷାଢ଼ ଶୁକ୍ଲ, କାର୍ତ୍ତିକ ପୂର୍ଣ୍ଣିମା ଓ ବିଜୟାଦଶମୀରେ ମହାପ୍ରଭୁ ସୁନାରେ ସୁସଜ୍ଜିତ ହୋଇଥାନ୍ତି। ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତଗଣଙ୍କୁ ଦର୍ଶନ ଦେଇଥାନ୍ତି। କିନ୍ତୁ ଚଳିତବର୍ଷ ଦ୍ବାଦଶ ତିଥିରେ ରଥ ଉପରେ ମହାପ୍ରଭୁ ସୁନାବେଶ ଧାରଣ କରିବେ।
ତେବେ ମହାପ୍ରଭୁଙ୍କର ଅନେକ ଅଳଙ୍କାର ରହିଛି। ପ୍ରାୟ ୧୩୮ ପ୍ରକାରର ଅଳଙ୍କାର ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଏ ବୋଲି ସୂଚନା ରହିଛି। ସେମଧ୍ୟରୁ କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଏଭଳି ଅନେକ। ସେହିଭଳି ବଡଠାକୁର ଶ୍ରୀବଳଭଦ୍ରଙ୍କ ଅଳଙ୍କାର ତାଲିକା ବେଶ ଲମ୍ବା। ମହାପ୍ରଭୁଙ୍କ ଅଳଙ୍କାର ସହ ମେଳ ଖାଉଥିବା କିଛି ଅଳଙ୍କାର ମଧ୍ୟ ରହିଛି। ହଳ ଓ ମୂଷଳ, କୁଣ୍ଡଳ, ବାଘନଖ ମାଳି ଆଦ ବଳଭଦ୍ରଙ୍କର ଅନ୍ୟତମ ଅଳଙ୍କାର। ଦେବୀସୁଭଦ୍ରାଙ୍କ ମଧ୍ୟ କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ୟ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି ଏବଂ ତଗଡ଼ି-୨ଟି ଲାଗି କରାଯାଏ।
ସବୁଠୁ ରୋମାଞ୍ଚକର ବିଷୟ ହେଲା, ମହାପ୍ରଭୁଙ୍କ ସଙ୍ଗେସଙ୍ଗେ ଆମ ସେବାୟତମାନେ ମଧ୍ୟ ପୁଳା ପୁଳା ସୁନାରେ ଆଭୂଷିତ ହୋଇଥାନ୍ତି। ଟିଭି ପରଦାରେ ଭକ୍ତଗଣ ମହାପ୍ରଭଙ୍କୁ ସୁନାବେଶରେ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ସେବାୟତମାନଙ୍କର ସୁନାବେଶ ପ୍ରଥମେ ନଜରକୁ ଆସେ। ସେମାନେ ମଧ୍ୟ କିଛି କମ୍ ଅଳଙ୍କାର ପରିଧାନ କରିନଥାନ୍ତି। ସତେ ଯେମିତି ସେମାନେ ମଧ୍ୟ ଅତି ଉତ୍କଣ୍ଠାର ସହ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି। ସେ ଯାହା ବି ହେଉ, ଆଜିର ଏହି ଶୁଭ ଅବସରରେ ତିତିଲ ପରିବାର ପକ୍ଷରୁ ସମସ୍ତ ପାଠକଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।