ଥାଙ୍କ ୟୁ ଡ଼କ୍ଟର ❤❤❤

ଈଶ୍ୱରଙ୍କ କୃପାରୁ ମାଆ ଶିଶୁଟିଏ କୁ ଜନ୍ମ ଦିଏ ।ପରବର୍ତ୍ତୀ ସମୟରେ ମଣିଷର ସ୍ୱାସ୍ଥ୍ୟ ରେ କିଛି ଅସୁବିଧା ହେଲେ, ଯାହାକୁ ପ୍ରଥମେ ଖୋଜା ପଡ଼େ ସେ ହେଉଛନ୍ତି ଚିକିତ୍ସକ ବା ଡାକ୍ତରମାନେ ।ନିଜର ବିଦ୍ୟା ଏବଂ ଜ୍ଞାନ ଦ୍ୱାରା ମଣିଷ ଦେହର ରୋଗକୁ ସଠିକ୍ ରୂପେ ଚିହ୍ନି ଉପଯୁକ୍ତ ଚିକିତ୍ସା ଦ୍ୱାରା ତାକୁ ସୁସ୍ଥ କରିବାର ଗୁରୁଦାୟିତ୍ୱ ଜଣେ ଡାକ୍ତର ବହନ କରନ୍ତି ।ସତ କହିବାକୁ ଗଲେ ମଣିଷ କୁ ବାରମ୍ବାର ଜୀବନଦାନ ଦେଇ ମର୍ତ୍ତ୍ୟରେ ଈଶ୍ବର ଙ୍କ କାମ କରନ୍ତି । ସେଥିପାଇଁ ଡାକ୍ତର ମାନଙ୍କୁ ” ଦ୍ଵିତୀୟ ଈଶ୍ୱର ” ବୋଲି ସମ୍ମାନରେ କୁହାଯାଏ । ଯୁଗର ପରିବର୍ତ୍ତନ ସହିତ ଜଟିଳ ରୁ ଜଟିଳତର ରୋଗ, ବ୍ୟାଧି ଉପରେ ଗବେଷଣା କରି ଧୈର୍ଯ୍ୟର ସହିତ ରୋଗକୁ ପ୍ରତିହତ କରିବାର କ୍ଷମତା କେବଳ ଡାକ୍ତର ମାନଙ୍କ ଦ୍ୱାରା ହିଁ ସମ୍ଭବପର ହୋଇଛି। ଏବେ କରୋନା ମାହାମାରୀ ରେ ଡାକ୍ତର ମାନଙ୍କ ଭୂମିକା ; ତାଙ୍କର ନିଃସ୍ୱାର୍ଥପର କର୍ମତତ୍ପରତା ସମଗ୍ର ବିଶ୍ୱବାସୀ ଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ନୂଆ ଆଶା ଜାଗ୍ରତ କରିଛି । ସମ୍ମୁଖ ଯୋଦ୍ଧା ରୂପେ ତାଙ୍କ ସମ୍ମାନ ଏବଂ ଯଶ ଏବେ ବିଶ୍ୱବିଦିତ ।

କଥାରେ ଅଛି, ‘ Medicines cure diseases, but only doctors can cure patients. “

ଜଣେ ଡାକ୍ତର ଙ୍କ ସ୍ମିତହସ ଭରା କଥା, ରୋଗୀ ସହିତ ବନ୍ଧୁତ୍ୱପୂର୍ଣ ବ୍ୟବହାର ଏବଂ ଶୀଘ୍ର ସୁସ୍ଥ ହେବାର ଆଶ୍ୱାସନା ରୋଗୀକୁ ବିନା ଔଷଧରେ ଅଧାରୁ ଅଧିକ ସୁସ୍ଥ କରିଦିଏ । ଡାକ୍ତର ଙ୍କ ଆଶ୍ୱାସନାରେ ରୋଗୀ, ନିଜେ ଠିକ ହେବାର ଆଭାସ ପାଇଥାଏ ; ଯାହା ତା ମନରେ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଓ ବିଶ୍ୱାସ ଜନ୍ମାଇଥାଏ । ଏଭଳି ରୋଗୀ ସୁସ୍ଥ ହେବାର ସମ୍ଭାବନା ବହୁତ ବେଶୀ ।

ଜୁଲାଇ ୧ କୁ ଭାରତରେ ‘ ଜାତୀୟ ଡାକ୍ତର ଦିବସ ‘ ରୂପେ ପାଳନ କରଯାଏ । ପଶ୍ଚିମବଙ୍ଗରେ ଦୀର୍ଘ ୧୪ ବର୍ଷକାଳ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟରତ ଡାକ୍ତର ବିଧାନ ଚନ୍ଦ୍ର ବୋଷଙ୍କ ଉଭୟ ଜନ୍ମଦିନ ଏବଂ ଶ୍ରାଦ୍ଧ ବାର୍ଷିକୀ ଅନୁଯାୟୀ ଏହି ଦିନକୁ ‘ଡାକ୍ତର ଦିବସ ‘ ରୂପେ ପାଳନ କରାଯାଉଛି ।ସେ ଜଣେ ଶିକ୍ଷାବିତ୍, ଲୋକହିତକାରୀ ସମାଜସେବୀ ଭାବରେ ଭାରତରତ୍ନ ପୁରସ୍କାର ଦ୍ୱାରା ସମ୍ମାନିତ ମଧ୍ୟ ହୋଇଥିଲେ ।

କରୋନାର ଦ୍ଵିତୀୟ ଲହରରେ ଭାରତରେ ୭୯୮ ଜଣ ଡାକ୍ତର ପ୍ରାଣ ହରେଇ ସାରିଛନ୍ତି । ତଥାପି ଡାକ୍ତରମାନେ ଭୟଭୀତ ହୋଇନାହାନ୍ତି । ଏବେ ମଧ୍ୟ ସେମାନେ ସମାନ ଆଗ୍ରହ ଓ ସମର୍ପଣ ମନୋଭାବ ନେଇ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି । ବର୍ତ୍ତମାନ ପରିସ୍ଥିତି ରେ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ ହେଉଛି, ମାନବ ଜୀବନ ରକ୍ଷା କରିବା ଏବଂ ଏହାପାଇଁ ଡାକ୍ତରମାନେ ସର୍ବଦା ତତ୍ପର ।

ଗତବର୍ଷ ମାର୍ଚ୍ଚରୁ ଆମ ଡାକ୍ତରମାନେ ନିରନ୍ତର ଅକ୍ଲାନ୍ତ ପରିଶ୍ରମ କରି କରୋନା ମହାମାରୀ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଆପ୍ରାଣ ଚେଷ୍ଟାରତ । ନିଜେ ନ ଖାଇ, ନ ପିଇ ଏପରିକି ନିଜ ପରିବାର ଏବଂ ଆତ୍ମୀୟଙ୍କ ଠାରୁ ମାସ ମାସ ଦୂରରେ ରହି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।ସମଗ୍ର ମାନବ ଜାତି ଗୃହବନ୍ଦୀ ହୋଇ ନିଜକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଥିବାବେଳେ, ଡାକ୍ତରମାନେ ଡାକ୍ତରଖାନା ରେ ରୋଗୀଙ୍କ ଗହଣରେ ରହି ରାତି ଦିନ ସେମାନଙ୍କ ସୁରକ୍ଷା ଓ ସୁସ୍ଥତା ପାଇଁ ଜୀବନର ବାଜି ଲଗେଇ ଦେଉଛନ୍ତି । ରାଷ୍ଟ୍ରର ସୁରକ୍ଷା ଏବଂ ନିର୍ମାଣ ନିମନ୍ତେ ଡାକ୍ତର ମାନଙ୍କ ଯୋଗଦାନ ପାଇଁ ସମଗ୍ର ଦେଶବାସୀ ତାଙ୍କ ପାଖରେ କୃତଜ୍ଞ । ଆଜି ସେହି ଦୟାଵାନ, ମାନବ ସେବାରେ ବ୍ରତୀ ଡାକ୍ତର ମାନଙ୍କୁ ଧନ୍ୟବାଦ ଦେବାର ଦିନ, ବିଶ୍ୱବାସୀ ଙ୍କ ତରଫରୁ ସବୁ ଡାକ୍ତର ମାନଙ୍କୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ମୋ :- 6370516478