ନାରୀ କଣ ନାରୀର ପ୍ରଥମ ଶତ୍ରୁ?

ସତସଙ୍ଗ ଚାଲିଥିଲା ।ବୋହୂଟିଏ ଘରର ଜବତୀୟ କାମ ଦାମ ସାରି ଶାଶୁ ନଣନ୍ଦଙ୍କ ସହ ସତସଙ୍ଘରେ ବସିବାକୁ ଯାଇଥିଲା । ଅବଶ୍ୟ ଶାଶୁ ନଣନ୍ଦଙ୍କ ସଙ୍ଗେ ଯିବାଟା କିଛି ଖୁସିର କଥା ନୁହେଁ।ମାତ୍ର ଘରେ ରହିଲେ ସେ ଦୁହେଁ ଫେରିଵା  ପରେ ଅଧିକ କିଛି, ଯେମିତିକି ଗୋଟେ ମେଣ୍ଢାର ପାଞ୍ଚଟା ଗୋଡ ହୋଇ ଯାଆନ୍ତାକି ସେମିତି ପର ଝିଅ ଠାରୁ  କେବଳ କାମ ତ ଆଶା  କରିବେନି ତାସାଙ୍ଗକୁ ଯେଚ୍ଛା ତା କହି ତାର, ତା ବାପା ଭାଇ  ସପ୍ତ ପୁରୁଷ ବି ଉଝୁଲାଇବେ ।ତାଠୁ ବରଂ ତାଙ୍କ ସହ ଚାଲିଗଲେ, ଏକାଠି ଫେରିଲେ ଆଉ କେହି ଭାବିବେନି ସେମାନେ ଗଲା ପରେ ସେ ଆରାମରେ ଶୋଇପଡ଼ିଥିଲା, କି ବୋପା ଘର ସଙ୍ଗେ କଥା ହୋଇ ରୋଷେଇ କଥା ପାଶୋରି ଯାଇଥିଲା । ଏ ଶୋଧା ଗାଳି, ଖୁଣ୍ଟୁକୁଣି କଥା ଭିନ୍ନ ଅନ୍ୟ କିଛି ଭଲକଥା ତ ସତସଙ୍ଗରେ ତା କାନରେ ବାଜିବ! ଘର ଭିତରେ ସେଇ କେତେ ଜଣଙ୍କୁ ଦେଖି ଦେଖି ସେ ଦୁନିଆର ଅନ୍ୟ ସବୁ ଲୋକଙ୍କ ମୁହଁ ଭୁଲି ଗଲାଣି, ବାହାରେ ଅନ୍ୟ  କିଛି  ଲୋକଙ୍କୁ  ସେ ଦେଖିତ ପାରିବ! ତାର ଆଉ ଚାରା ଵା କଣ!
ହଠାତ ଗୁରୁ କହିଲେ କିଏ ସବୁ ସ୍ୱର୍ଗକୁ ଯିବାକୁ ଚାହୁଁଛ ହାତ ଟେକ ।ଅନ୍ୟ ସମସ୍ତ ଭକ୍ତଙ୍କ ସହ ବୋହୂଟି ମଧ୍ୟ ହାତ ଟେକିଦେଲା । ଆରେ ସ୍ୱର୍ଗକୁ ଯିବାର ଲାଳସା କାହାର ଵା ରହିବନି! ସ୍ୱର୍ଗ ଯାତ୍ରା ର ଭିଡ଼ ବିଷୟରେ ଆକଳନ କରି ଗୁରୁଙ୍କ ମୁହଁରେ ସ୍ମିତ ହାସ୍ୟ ଖେଳିଗଲା । ହଠାତ କେବଳ ବୋହୁଟି ହିଁ ହାତ ତଳକୁ ପକାଇ ଦେଲା ।ଗୁରୁ ଜାଣିବାର ଜିଜ୍ଞାସା କରନ୍ତେ, ସେ ତାଙ୍କ ପ୍ରେରିତ ଶିଷ୍ୟା ଙ୍କ କାନରେ ଗୋପନରେ କହିଲା, ” ମୋ ଶାଶୁ, ନଣନ୍ଦ ଯଦି ଏଠି ମୋ ସହ ନରହିବେ ତେବେ ମୋର ଏଇଠି ହିଁ ସ୍ୱର୍ଗ ।ଆଉ ସ୍ୱର୍ଗ କୁ ଯିବା କଣ ଦରକାର!” ଗୁରୁ ରହସ୍ୟ ବୁଝିଗଲେ ।


ସତରେ ତେବେ କଣ ନାରୀ ନାରୀର ଶତ୍ରୁ! ବାହାହୋଇ ଆସିଥିବା ବୋହୁ ପର ଝିଅ ହୋଇପାରେ ହେଲେ ସେ  ଯଦି ଶାସନ କରୁଥିବା ଶାଶୁ ନୁହେଁ ମା’ ର ସ୍ନେହ ପାଆନ୍ତା, ଦୋଷ ଦେଖୁଥିବା ନଣନ୍ଦ ନୁହେଁ ଭଉଣୀ ର ମର୍ଯ୍ୟାଦା ପାଇ ଖୁସି ହୁଅନ୍ତା  ତେବେ ଆଜି ଘରେ ଘରେ ଏତେ ଅଶାନ୍ତି ଅସୁବିଧା ହେଉ ନଥାନ୍ତା କି ଲୋକେ ଶାନ୍ତି ରେ ରହିଵା ପରିବର୍ତ୍ତେ ପୋଲିସ, ଥାନା, କୋଟ କଚେରୀ ଦୁଆରେ ଚକର କଟନ୍ତେ ନାହିଁ ।ବୋଧେ ଗୋଟେ ନାରୀ ର ସାମାନ୍ୟ ତମ ଭୁଲ ଅନ୍ୟ ନାରୀ କ୍ଷମା କରି ପାରେନି କି ତାର ସବୁ ଭୁଲ ଠିକ କରି ତାକୁ ଶାଣିତ କରେ ମୁଁ ବୁଝି ପାରେନି! ଭାବେ ବୋଧେ ଶାଶୁ ମା’ ମାନେ ସେମିତି ତାଙ୍କ ଶାଶୁଙ୍କ ଠାରୁ ଗଞ୍ଜଣା ପାଇଥାନ୍ତି ତେଣୁ ତାକୁ ବୋହୁ ଉପରେ ପ୍ରୟୋଗ କରି କସରତ କରନ୍ତି  । ଯଦିବା ପାଇ ଆହତ କେବେ ହୋଇଥିଲେ ତେବେ ନିଜେ ପରମ୍ପରା ଟିକେ ବଦଳାଇଲେ ହୁଅନ୍ତାନି! ଅନ୍ତତଃ ବୋହୁ ଓ ବୋହୁର ବୋହୁ ତ ଏ ଅତ୍ୟାଚାରରୁ ରକ୍ଷା ପାଇଯାଆନ୍ତା । ବହୁ କ୍ଷେତ୍ରରେ ଶାଶୁ ନରମା ପଡିଲେ ବୋହୁ ମଧ୍ୟ ତାଙ୍କ ରଙ୍ଗ ଦେଖାଇବା ଛାଡୁ ନାହାଁନ୍ତି ।ସେ ଯାହା ହେଉ ନାରୀ ଟିଏ ନାରୀ ଦ୍ୱାରା ଦଳିତ ହେବା ସାର!


ଘର କଥା ଛାଡ଼ ଯଦି ଅଫିସରେ ତୁମ ବସ ମହିଳା ଜଣେ ହେଲେ ତେବେ କଥା ସରିଲା ।ଜିରାରୁ ଶିରା କାଢିଲା ପରି କାମ ଆଦାୟ ସାଙ୍ଗକୁ ଟିକେ ଟିକେ କଥାରେ ସମସ୍ତଙ୍କ ଆଗରେ ଗାଳି ଦେବାକୁ ଭୁଲିବେନି ।କଣ ରହସ୍ୟ ତେବେ! ଆଉଜଣେ ସ୍ତ୍ରୀ ଉପରକୁ ନଉଠୁ, ଏଇଆ ତ ‘  ।ଯଦି ପୁରୁଷ ମ୍ୟାନେଜର ହେଲେ ତୁମ ସିଟ ଆରେନଜମେଣ୍ଟ ତାଙ୍କ ସାମ୍ନାରେ କରି, “ଚକୋଲେଟ ଲେଡି… “ଇତ୍ୟାଦି ଇତ୍ୟାଦି ଚାଟ କରିବେ । ନା ଉତ୍ତର ଦେଇ ହେବ ନା ମୁହଁ ବୁଲାଇ ହେବ ।ଶେଷରେ ସିଷ୍ଟମ ଲକ କରି ବାଥ ରୁମ ଯାଇ ଲମ୍ବା ସମୟ ରୁହ! ମୋର ଏ ଅନୁଭୂତି ଖୁବ ଅଛି ତେଣୁ ଏ ପୀଡା ର ଯାତନା ମୁଁ ଜାଣେ! ସେପଟେ ପୁରୁଷ ପ୍ରାଧାନ୍ୟ ସମାଜ କହି ଆମେ ନିଷ୍ପେସିତ ହୋଇ ତଳେ ପଡିଗଲୁ, ପଡ଼ିଗଲୁ କହି ଚିତ୍କାର କରୁଛେ ଏପଟେ ନିଜେ ହିଁ ନିଜର ଗୋଡ଼ ଟାଣୁଛେ ।  ମହିଳା ମାନଙ୍କୁ ଘରୋଇ ହିଂସା, କି କର୍ମ କ୍ଷେତ୍ରରେ ମାନସିକ ଯାତନାର ପ୍ରତିରୋଧ ପାଇଁ ୩୧ଜାନୁଆରୀ  ୧୯୯୨ ମସିହାରେ ମହିଳା କମିଶନ (Commission for Women)
ପ୍ରତିଷ୍ଠା ହୋଇଥିଲା ଯାହା  ଭାରତୀୟ ସମ୍ବିଧାନ ର ୧୯୯0 ରେ ଜାତୀୟ ମହିଳା କମିଶନ ଆକ୍ଟ ୨ (National Commission for Women Act.[2])ରେ ବର୍ଣିତ ଅଛି । 

କୁହାଯାଏ ଜଣେ ପୁରୁଷର ସଫଳତା ପଛରେ ଜଣେ ନାରୀର ହାତ ଥାଏ, ହେଲେ ଜଣେ ନାରୀର ସଫଳତା ପଛରେ ସେ ନିଜେ ହିଁ ଥାଏ ।ଚାଲନ୍ତୁ ମିଳିମିଶି ଜଣେ ଜଣଙ୍କୁ ହାତ ବଢ଼ାଇ ଉପରକୁ ଉଠାଇବା ।ନିଜର ଟେକ ନିଜେ ରଖିବା।

ଅନସୂୟା ପଣ୍ଡା,କାର୍ଡଗୁଡ଼ି, ବାଙ୍ଗାଲୋର ।