ଆମ ଦେଶରେ ଶାସ୍ତ୍ର , ପୁରାଣ, ଐତିହ୍ୟ ଏବଂ ପରମ୍ପରାରେ ମାନବ ଅଧିକାର ର ଶାଶ୍ୱତ ଧାରଣା ରହିଛି । ଭଗବାନଙ୍କ ସୃଷ୍ଟିରେ ସମସ୍ତ ମଣିଷ ସମାନ, ତେଣୁ ସଭିଙ୍କର ଅଧିକାର ମଧ୍ୟ ସମାନ ହେବା ଉଚିତ । ନିଜ ପରର ଭାବନା ନ ରଖି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଆମ ଭାରତର ଦର୍ଶନ ।
ଜାତୀୟ ଆନ୍ଦୋଳନ ଆରମ୍ଭରୁ ମାନବ / ନାଗରିକ ଅଧିକାର ହାସଲ ଆମ ଦେଶର ଏକ ଲକ୍ଷ୍ୟ ରହିଥିଲା ।ସ୍ୱାଧୀନତା ପରେ ସମ୍ବିଧାନରେ ମଧ୍ଯ ମୌଳିକ ଅଧିକାରର ବ୍ୟବସ୍ଥା ସହିତ ନିଜର ବଞ୍ଚିବା ଅଧିକାର କୁ ସମ୍ମାନ ଦିଆଯାଇଛି । ଏହାର ପ୍ରମୁଖ ସହାୟକ ସାଜିଛନ୍ତି ଦେଶର ବିଚାର ବିଭାଗ, ଗଣମାଧ୍ୟମ ଏବଂ କେତେକ ସ୍ବେଚ୍ଛାସେବୀ ସଂସ୍ଥା । ମାତ୍ର ଏ ସମସ୍ତ ଆଇନଗତ ବ୍ୟବସ୍ଥା ଓ ସ୍ୱାଧୀନ ବିଚାର ବିଭାଗ ଥିବା ସତ୍ତ୍ୱେ ଅନେକ ସମୟରେ ମାନବ ଅଧିକାର ଉଲ୍ଲଙ୍ଘନ ହେଉଛି ବୋଲି ଅଭିଯୋଗ ହୋଇଆସୁଛି । ଦେଶର ନିରାପତ୍ତା ବାହିନୀ ଦ୍ୱାରା ଅତ୍ୟଧିକ ବଳ ପ୍ରୟୋଗ, ପୋଲିସର ନକଲି ଏନକାଉଣ୍ଟର ଓ ହାଜତରେ ମୃତ୍ୟୁ ଏହାର ଗୋଟିଏ ଗୋଟିଏ ଉଦାହରଣ । ବେଳେବେଳେ କିଛି ମାନବ ଅଧିକାର ସୁରକ୍ଷା ସଂସ୍ଥା, ପୋଲିସ, ସୈନ୍ୟ ବାହିନୀ ଓ ଜେଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ମାନବ ଅଧିକାର କୁ କ୍ଷତି ପହଞ୍ଚେଇବା କଥା ଅଭିଯୋଗ କରିଆସିଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ନ ହେଲେ ମଧ୍ୟ କେତେକାଂଶରେ ସତ । ମାମଲା ଅନୁସନ୍ଧାନ ସମୟରେ ପୋଲିସ ର ଦୋଷୀ ଉପରେ ” ଥାର୍ଡ଼ ଡିଗ୍ରୀ ” ପ୍ରୟୋଗ କୁ ବେଆଇନ କୁହାଗଲେ ମଧ୍ୟ ପୋଲିସ ଏଭଳି କରିବାରୁ କେବେ ବିରତ ହୋଇନାହିଁ ।

ଏହିସବୁ ଆଲୋଚନା ଓ ସମାଲୋଚନା ଦ୍ଵାରା ଚାପଗ୍ରସ୍ତ ହୋଇ ଆମ କେନ୍ଦ୍ର ସରକାର ୧୯୯୩ ମସିହାରେ ” Protection of Human Rights Commission Act ” ତିଆରି କଲେ ।ଏହା ଅନ୍ତର୍ଗତ ପ୍ରତି ରାଜ୍ୟରେ ମାନବ ଅଧିକାର କମିଶନ ପ୍ରତିଷ୍ଠା କରାଯାଇଛି ।ଏମାନେ ନାଗରିକ ମାନଙ୍କ ଅଧିକାର ରକ୍ଷା ଦିଗରେ କାର୍ଯ୍ୟରତ, ତଥାପି ଏମାନେ ଆହୁରି ସକ୍ରିୟ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି ।
ମାନବ ଅଧିକାର ମୂଳ ଲକ୍ଷ୍ୟ ହେଉଛି ଦେଶର ନାଗରିକ ମାନଙ୍କୁ ଅର୍ଥନୈତିକ, ସାଂସ୍କୃତିକ ଓ ସାମାଜିକ ଅଧିକାର ରେ ସବଳ କରେଇବା । ଅର୍ଥାତ କାର୍ଯ୍ୟକ୍ଷମ ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ କର୍ମସଂସ୍ଥାନ ଯୋଗେଇଦେବା, ସୁସ୍ଥ ରହିବା ପାଇଁ ଚିକିତ୍ସା ବ୍ୟବସ୍ଥା, ରହିବା ପାଇଁ ବାସଗୃହ ତଥା ଶୃଙ୍ଖଳିତ ହେବା ପାଇଁ ଶିକ୍ଷାର ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ । ଦୁଃଖର ବିଷୟ ଏସବୁ ଦିଗରେ ଭାରତ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ଉନ୍ନତି କରିପାରିନାହିଁ ।
ଆମ ଦେଶର ଦରିଦ୍ର ବର୍ଗଙ୍କ ପାଇଁ ମାନବ ଅଧିକାର ଠାରୁ ଆର୍ଥିକ ଏବଂ ସାମାଜିକ ସମସ୍ୟା ବେଶୀ ଗୁରୁତ୍ୱପୂର୍ଣ । ଏସବୁ ସମସ୍ୟା ଭିତରେ ଘେରି ରହି ସେମାନେ ‘ଢୋକେ ପିଇ, ଦଣ୍ଡେ ଜିଇ ‘ ନୀତିରେ ବଞ୍ଚି ଚାଲିଛନ୍ତି । ଆଉ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ପାଇଁ ଏମାନଙ୍କ ପାଖରେ ମାନସିକତା ବା ଇଚ୍ଛା ଆସିବ କୁଆଡୁ ? ଜୀବନ ପାଇଁ ସଂଘର୍ଷରତ ଏହି ଗୋଷ୍ଠୀଙ୍କର ପ୍ରାଥମିକ ଆବଶ୍ୟକତା ପୂରଣ ହୋଇପାରିଲେ ହିଁ ଏମାନେ ନିଜ ଅଧିକାର ପ୍ରତି ସଜାଗ ହେବେ । ତେଣୁ ଏହି ସମସ୍ୟାକୁ ଆଗ ଦୂର କରିବା ସରକାରଙ୍କ ଲକ୍ଷ୍ୟ ହେଉ l ଦେଶର ସାମୂହିକ ଅର୍ଥନୈତିକ ପ୍ରଗତି ଓ ମାନବ ଚେତନାରେ ପରିବର୍ତ୍ତନ ଏବଂ ବିକାଶ ହିଁ ଏହି ସମସ୍ୟାର ଏକମାତ୍ର ସମାଧାନ ର ସୂତ୍ର । ପ୍ରତ୍ୟେକ ବ୍ୟକ୍ତି ନିଜ ଅଧିକାର ପ୍ରତି ସଚେତନ ହେଲେ ହିଁ ଏହି ଅଧିକାର କୁ ସାବ୍ୟସ୍ତ କରିପାରିବ ।

ଫୋନ – ୬୩୭୦୫୧୬୪୭୮
ବିବେକାନନ୍ଦ ମାର୍ଗ – ୨