କରୋନା, ମାନସିକ ଚାପ ଓ ମଧୁମେହ

ଭୁବନେଶ୍ବର: ଡାଇବେଟିସ୍ ରୋଗୀଙ୍କ ପାଇଁ କରୋନା କ୍ଷତିକାରକ ହୋଇପାରେ । କାରଣ ଡାଇବେଟିସ୍ ବା ମଧୁମେହ ହେବା ଦ୍ୱାରା ଆମର ରୋଗ ପ୍ରତିଷେଧକ ଶକ୍ତି କମିଥାଏ । ଏହାଭିତରେ ଯଦି ଆପଣ ବାରମ୍ବାର କରୋନା ବିଷୟରେ ଚର୍ଚା ବା ନ୍ୟୁଜ ଦେଖି ଚିନ୍ତା ବାଢାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରେ ବୋଲି କହନ୍ତି ଡାକ୍ତର ବି. ଜଗଦୀଶ।

ଯେହେତୁ ଡାଇବେଟିସ୍ ଏକ ଜୀବନଶୈଳୀ ରୋଗ ତେଣୁ ଏହି କରୋନା ମହାମାରୀ ସମୟ ହେଉଛି ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ୪ ଟି  ସରଳ ଉପାୟରେ କାରୋନାକୁ  ଡାଇବେଟିସ ରୋଗୀ ଦୂରରେ ରଖିପାରିବେ ବୋଲି ଡାକ୍ତର ବି ଜଗଦୀଶ କହିଛନ୍ତି।   ସେଗୁଡିକ ହେଲା ଖାଦ୍ୟପେୟରେ ଯତ୍ନ, ବ୍ୟାୟାମ,  ଔଷଧ ସେବନ ଏବଂ ରକ୍ତଶର୍କରା ପରୀକ୍ଷଣ। ଆମ ମନରେ ଊଠୁଥିବା ସାଧାରଣ ପ୍ରଶ୍ନ  ଗୁଡିକର ଉତ୍ତର ଜାଣିବା ଡାକ୍ତର ବି ଜଗଦୀଶଙ୍କ ଠାରୁ।

ପ୍ରଥମେ ଜାଣିବା ଖାଦ୍ୟପେୟରେ ଯତ୍ନବାନ ହେବା କିପରି ?

ଆମର ଭାରତୀୟ ଖାଦ୍ୟ ଏକ ଉତ୍କୃଷ୍ଠ ଧରଣର ଖାଦ୍ୟ ଅଟେ । କିନ୍ତୁ ବର୍ତ୍ତମାନ ତାହା ଆଧୁନିକ ଶୈଳୀରେ ପରିବର୍ତ୍ତୀତ । ଗୋଟିଏ ଦିନରେ ଆମେ ବିଷେଶ କରି ଦୁଇ ଥର ମୁଖ୍ୟ ଖାଦ୍ୟ ଖାଇଥାଉ । କିନ୍ତୁ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ସେଇ ଖାଦ୍ୟକୁ ଭାଗଭାଗ କରି ୪ ରୁ ୫ ଥର ଖାଇବା ଉଚିତ୍ । କାରଣ ଏହା ଦ୍ୱାରା ଆମର ରକ୍ତସର୍କରା ସନ୍ତୁଳିତ ହୋଇଥାଏ । ତେଲଯୁକ୍ତ ଖାଦ୍ୟ ବା ବାହାରୁ ମିଳୁଥିବା ଚିପ୍ସ୍ କୁରକୁରି ଇତ୍ୟାଦି କମ୍ ଖାଇବା ମଧ୍ୟ ଆବଶ୍ୟକ । ଯଦି ଆମେ ଫଳ ଖାଉଛେ ତେବେ ଗୋଟିଏ ଦିନରେ ଗୋଟିଏ ପ୍ରକାର ଫଳ ଆମେ ଖାଇ ପାରିବା । କିନ୍ତୁ ଯଦି ଜଣେ କିଡନୀ ରୋଗୀ ହୋଇଥାନ୍ତି ତେବେ ଏନେଇ ସେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଦୈନନ୍ଦିନ ହାଇଡ୍ରେସନକୁ ନିଯନ୍ତ୍ରଣ କରିବା ପାଇଁ ଆମେ ୩ ରୁ ୫ ଲିଟର ପାଣି ପିଇବା । ଯଦି ଆମେ ନଖ ଉଷୁମ ପାଣି ପିଇବା ତେବେ ତାହା ଆମ ଶରୀର ପାଇଁ ବେଶ୍ ଅଧିକ ଉପଯୋଗୀ ହୋଇଥାଏ । କିନ୍ତୁ କରୋନା ମହାମାରୀ ସମୟରେ କାଢା ହେଉଛି ଏକ ଉପଯୋଗୀ ପାନୀୟ । ଆମେ ଡାଲଚିନି , ଅଦା , ତୁଳସୀ ଏବଂ ଗୋଲମରିଚ ଆଦିକୁ ନାଲି ଚା କରି ମଧ୍ୟ ପିଇ ପାରିବା । କିନ୍ତୁ ମନେ ରଖିବା ଗୋଟିଏ ଦିନରେ ଏହାକୁ ଆମେ ଦୁଇ କପ ବ୍ୟବହାର କରିପାରିବା । ଅଧିକ ବ୍ୟବହାର କରିବା ଦ୍ୱାରା ଏହା ପତଳା ଝାଡା ବା ପେଟ ଗୋଳମାଳ ପରି ସମସ୍ୟା ମଧ୍ୟ ସୃଷ୍ଠି କରିପାରେ । ତେଣୁ ଧ୍ୟାନ ଦେବେ ।

ଡାକ୍ତର ବି. ଜଗଦୀଶ

ଏହାପରେ ଆମେ ଆସିବା ବ୍ୟାୟାମକୁ 

ପ୍ରତିଦିନ ଆମକୁ ୩୦ ରୁ ୪୦ ମିନିଟ୍ ବ୍ୟାୟାମ କରିବା ନିହାତି ଆବଶ୍ୟକ । ଏହା ଦ୍ୱାରା ଆମର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ । ଯଦି ଆପଣ କମ୍ପ୍ୟୁଟର୍ ବା ଲାପଟପରେ କାମ କରୁଥାନ୍ତି ତେବେ ଷ୍ଟେଚିଙ୍ଗ୍ ଏକ୍ସରସାଇଜ୍ ନିଶ୍ଚିତ କରନ୍ତୁ ।

ଔଷଧ ସେବନ 

ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଔଷଧ ସେବନ କରନ୍ତୁ । ଘରେ ଗଚ୍ଛିତ ଥିବା ମେଡିସିନକୁ ଚେକ୍ କରନ୍ତୁ । ଔଷଧ ଶେଷ ହେବାର ୪ ବା ୫ ଦିନ ପୂର୍ବରୁ ଔଷଧ କଣି ଆଣନ୍ତୁ । ଯଦି ତାହା ବଜାରରେ ଉପଲବ୍ଧ ନାହିଁ ତେବେ ଆପଣଙ୍କ ଡାକ୍ତରଙ୍କ ପରାମର୍ଶକ୍ରମେ ତାହାର ବିକଳ୍ପ ଔଷଧ ବ୍ୟବହାର କରନ୍ତୁ । ମନଇଚ୍ଛା ବା ମେଡିସିନ୍ ଦୋକାନୀଙ୍କ କହିବା ଦ୍ୱାରା କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ । ସୋସିଆଲମିଡିଆରେ ପ୍ରସାରିତ କରୋନା ସଂପର୍କିତ କୌଣସି ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ଖାନ୍ତୁ ନାହିଁ ।

ରକ୍ତଶର୍କରା ପରୀକ୍ଷଣ 

ଡାଇବେଟିସ୍ ରୋଗୀଙ୍କ ପାଇଁ ରକ୍ତଶର୍କରା ପରୀକ୍ଷଣ କରିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । କରୋନା ମହାମାରୀ କାରଣରୁ ଯଦି ଆପଣ ବାହାରକୁ ଯାଇପାରୁ ନାହାନ୍ତି ତେବେ ଗ୍ଲୁକୋମିଟର ସାହାଯ୍ୟରେ ରକ୍ତସର୍କରା ନିଶ୍ଚିତ ପରିକ୍ଷା କରନ୍ତୁ ।

ଶେଷ କଥାଟି ହେଉଛି, କରୋନା ସମ୍ପର୍କିତ ନ୍ୟୁଜ୍ ବାରମ୍ୱାର ଦେଖି ଚିନ୍ତା ବଢାନ୍ତୁ ନାହିଁ  । ଚିନ୍ତା ମୁକ୍ତ ରୁହନ୍ତୁ । ବାହାରକୁ ଗଲେ ମାସ୍କ ଏବଂ ସାନିଟାଇଜର୍ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।