ମଣିଷ ନିଜ ଜୀବନର କୌଣସି ଲକ୍ଷ୍ୟ ସାଧନ କରିବା ପାଇଁ କେବଳ ଚେଷ୍ଟା କଲେ ହୋଇଯାଏନି । ଏଥିପାଇଁ ଦୃଢପ୍ରତିବଦ୍ଧତା ଆବଶ୍ୟକ । ସେହିପରି ସମାଜ । ବ୍ୟକ୍ତି ସମୂହରେ ସମାଜ ଗଢା । କୌଣସି ସମାଜର ଉନ୍ନତି ପାଇଁ ବ୍ୟକ୍ତି ପ୍ରତିବଦ୍ଧ ହେବା ଆବଶ୍ୟକ ।
ଇସ୍ରାଏଲ ଏକ ଛୋଟିଆ ଦେଶ, ଯାହାର ଜନସଂଖ୍ୟା ଓଡିଶାଠାରୁ ବି କମ୍ । କିନ୍ତୁ ଏବେ ଏହା ଭାରତ, ଚୀନ ଓ ଜାପାନକୁ ତାହାର ପ୍ରତିବଦ୍ଧତା ବଳରେ ପଛରେ ପକାଇ ଦେଇଛି । ଇସ୍ରାଏଲ ସୈନ୍ୟବାହିନୀରେ ଦୁଇପ୍ରକାର ସୈନ୍ୟ ଦେଖାଯାଆନ୍ତି । ଯଥା “ରସଗାଡୋଲ” ଓ “ରସକାଣ୍ଟ” । ପ୍ରଥମ ପ୍ରକାର ସୈନିକ ନିଜର ବୁଦ୍ଧି ଖଟାଇ ଆଦେଶ ମାନନ୍ତି । ସମୟ ପଡିଲେ ଏପରିକି ସେନାମୁଖ୍ୟଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଦିଅନ୍ତି । ଏମାନଙ୍କର ଦାୟୀତ୍ୱବୋଧ ଅଧିକ । ଦ୍ୱିତୀୟ ପ୍ରକାର ସୈନ୍ୟ କେବଳ ଆଦେଶ ମାନନ୍ତି । ଦାୟୀତ୍ୱ ଓ ଅଧିକ କାର୍ଯ୍ୟଭାରକୁ ଏଡାଇ ଯିବା ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ । ଅଳ୍ପକେ କହିଲେ କାମଚୋର ବା ଠେଲଗୋପାଲ ।
ଆଜିର ମୁଖ୍ୟ ଆଲୋଚନାର ବିଷୟ ହେଉଛି କିପରି ଓ କାହିଁକି ଇସ୍ରାଇଲିମାନେ ଏହି ରସଗୋଡଲ ମାନସିକତାକୁ ଆପଣେଇ ନେଇଛନ୍ତି । ଏହି ମାନସିକତାକୁ ଉପଯୋଗ କରି କେବଳ ସୈନ୍ୟବାହିନୀ ନୁହେଁ ଦେଶର ସବୁକ୍ଷେତ୍ରରେ ଏହି ଧରାରେ ନିଜକୁ ଗୌରବର ସହ ସର୍ବୋଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରିପାରିଛି ।
୧୯୭୩ ମସିହାରେ ଯେତେବେଳେ ଇସ୍ରାଏଲ ୟୁମକିପୁର ଯୁଦ୍ଧରେ ବାରମ୍ୱାର ହାରିଗଲା, ସେତେବେଳେ ହେବ୍ରୁ ବିଶ୍ୱବିଦ୍ୟାଳୟରୁ ଦୁଇଜଣ ବୈଜ୍ଞାନିକ ଫେକ୍ସି ଡୋଥାନ ଓ ସାଓଲ ୟାଟିଜ୍ ଏକ ନୂତନ ପୋଗ୍ରାମ “ଟାଲପିଓଟ୍” ନେଇ ଦେବଦୂତ ପରି ଉଭାହେଲେ । “ଟାଲପିଓଟ୍” ବହୁତ ସହଜ ଉପାୟ ।
କେତେକ ମୁଷ୍ଟିମେୟ ଶକ୍ତିସମ୍ପନ୍ନ ଇସ୍ରାଇଲିଙ୍କୁ ବାଛି ଏହି କଷ୍ଟସାଧ୍ୟ ପ୍ରଯୁକ୍ତି ପ୍ରୋଗ୍ରାମରେ ସାମିଲ କରାଗଲା । ଯାହାର ସମସ୍ତ ଖର୍ଚ୍ଚ ଇସ୍ରାଏଲ ସରକାର ଓ ସୈନ୍ୟବାହିନୀ ବହନ କଲେ । ଏହି ପୋଗ୍ରାମ ଗତ ତିରିଶ ବର୍ଷରେ ଜମା ୬୫୦ ଜଣଙ୍କୁ ସ୍ନାତକ ଉପାଧି ପ୍ରଦାନ କରିଛି । ସୁନା ଯେତେ ପୋଡିବ ସେତିକି ତାର ଉଜ୍ଜଳତା ଝଲକିଲା ପରି ଏହି ତାଲିମ ଅତ୍ୟନ୍ତ କଷ୍ଟସାଧ୍ୟ । ତେଣୁ ଏହି କେନ୍ଦ୍ରରୁ ଯେ ବାହାରେ ସେ ଏକ ଉଜ୍ଜଳ ତାରକା ।
ଏହି ତାଲିମ କିପରି ପରିଚାଳିତ ହୁଏ ତାହାର ଛୋଟ ଉଦାହରଣ ଏଠାରେ ଉଲ୍ଲେଖ କରୁଛି । ସେମାନଙ୍କୁ ଚପର ହେଲିକେପ୍ଟରରେ କମ୍ପନଦ୍ୱାରା ପାଇଲଟର ମେରୁଦଣ୍ଡରେ ଯେଉଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରେ ତାହାର ନିରାକରଣ କରିବାକୁ କୁହାଗଲା । ସେହି ଛାତ୍ରମାନଙ୍କର ଇଂଜିନିୟରିଂ ଓ ମେଡିକଲା ସମ୍ୱନ୍ଧୀୟ ଧାରଣା ମଧ୍ୟ ଶିକ୍ଷା ଦିଆଯାଇଥାଏ । ଛାତ୍ରମାନେ ନିଜ ପ୍ରଚେଷ୍ଟା ଆରମ୍ଭ କଲେ ।
ଏହି ଛାତ୍ରମାନେ ଚପର କମ୍ପନ ମନୁଷ୍ୟ ମେରୁଦଣ୍ଡ ଉପରେ କି ପ୍ରକାର ପ୍ରଭାବ ପକାଏ, ତାହାର ଏକ ଜଟିଳ ପରୀକ୍ଷା ଆରମ୍ଭ କରିଦେଲେ । ସେମାନେ ପାଇଲଟ ପାଇଁ ବିକଳ୍ପ ସିଟ ତିଆରି କରି ତାହାର ବ୍ୟାକ୍ରେଷ୍ଟରେ ଗୋଟିଏ କଣା କରିଦେଲେ । ସେହି କଣାରେ ଗୋଟିଏ କଲମ ରଖିଦେଲେ ଏବଂ ଗୋଟିଏ ଶକ୍ତିଶାଳୀ କ୍ୟାମେରା ଖଞ୍ଜିଦେଲେ । ଯଦ୍ୱାରା କମ୍ପନ ଦ୍ୱାରା ପେନ ଯେଉଁ ସବୁ ଚିହ୍ନ ସୃଷ୍ଟି କରିବ ତାର ଫଟୋ କ୍ୟାମେରା ଉଠାଇପାରିବ । ଶେଷରେ ସେମାନେ କମ୍ପ୍ୟୁଟର ସାହାଯ୍ୟରେ ଏହି ସମସ୍ୟାର ସମାଧାନ କରି ଏକ ନୂତନ ପ୍ରକାର ପାଇଲଟ୍ ସିଟ୍ ଉଭ୍ଭାବନ କଲେ ।
ଆଶ୍ଚର୍ଯ୍ୟର କଥା ଏହି ଟାଲପିଅନ ପ୍ରତିଯୋଗିତା ଅତ୍ୟନ୍ତ କଷ୍ଟସାଧ୍ୟ । ତେଣୁ ଏଠାରୁ କୃତିଛାତ୍ରମାନଙ୍କୁ ଦେଶର ସବୁ ବିଭାଗ ନେବା ପାଇଁ ପ୍ରତିଯୋଗୀତା ଆରମ୍ଭ କରିଦିଅନ୍ତି । ଶେଷକୁ ପ୍ରଧାନମନ୍ତ୍ରୀଙ୍କୁ ହସ୍ତକ୍ଷେପ
କରିବାକୁ ପଡେ ।
ଟାଇପିଅନ ବାବଦରେ ଆଉ ଏକ ମଜାଦାର କଥା । ଏହି ଅନୁଷ୍ଠାନର ଅନେକ ଛାତ୍ର ଇସ୍ରାଏଲର ସର୍ବୋଚ୍ଚ ଶିକ୍ଷାବିତ, ଉଦ୍ୟୋଗୀ ହୋଇପାରିଛନ୍ତି । ବୋଧହୁଏ ଏହି ମାନ୍ୟତା କେବଳ ତାଙ୍କର ଅତ୍ୟନ୍ତ କଠୋର ଶୃଙ୍ଖଳା, ନୈତିକତା ପାଇଁ ସମ୍ଭବ ହୋଇପାରିଛି । ଯେଉଁଥିପାଇଁ ଇସ୍ରାଏଲ ଆମେରିକା ପଛକୁ ନିଜର ଷ୍ଟାର୍ଟଅପ ରଖିପାରିଛି । ଇସ୍ରାଏଲର ଅନେକ କମ୍ପାନୀ ଯାହାକି ଗଆଜଉଆଚ ତାଲିକାଭୁକ୍ତ । ଆମେରିକା ୨.୫ ଗୁଣ , ଇଉରୋପର ୩୦ ଗୁଣ, ଚୀନର ୮୦ ଗୁଣ ଓ ଭାରତର ୩୫୦ ଗୁଣରୁ ଅଧିକ ପୁଞିନିବେଶ କେବଳ ଇସ୍ରାଏଲରେ ହୋଇଛି ।
ଓଡିଶା ଏପରି ସମୟରେ ଆବଶ୍ୟକ କରୁଛି କଠୋର ସୁଶୃଙ୍ଖଳିତ, ନୈତିକବୋଧଥିବା ଯୁବଗୋଷ୍ଠୀ । ଯେଉଁମାନେ ସମସ୍ୟା ସମାଧାନ କରି ସର୍ବୋତ୍ତମ କାର୍ଯ୍ୟ କରିପାରିବେ । ସେମାନଙ୍କୁ ତ୍ୱରାନ୍ୱିତ କାର୍ଯ୍ୟକ୍ରମରେ ସାମିଲ କରି ଚିରାଚରିତ ଅନୁସନ୍ଧାନ ଓ ପ୍ରଯୁକ୍ତି ବିପକ୍ଷରେ ଠିଆକରିବାକୁ ହେବ । ସରକାର ଟାଇପିଅନ ପୋଗ୍ରାମ ପରି କିଛି ପୋଗ୍ରାମ ହାତକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଇସ୍ରାଏଲର ‘ରସଗୋଡାର’ ମାନସିକତାକୁ ପ୍ରାଧାନ୍ୟତା ଦେବାକୁ ପଡିବ ।
ଶେଷରେ ତୁମେ ସେମାନଙ୍କୁ ବିଦ୍ରୋହୀ କିମ୍ୱା ଉଦ୍ଦ୍ୟୋଗୀ ଯାହା ବି କହିପାର । କିନ୍ତୁ ସେମାନେ ଦାୟୀତ୍ୱବାନ, ନିର୍ଭିକ, କର୍ମଠ, ଶୃଙ୍ଖଳିତ ହେବା ସହ ନୈତିକ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ବ୍ୟକ୍ତିଗତ ଉନ୍ନତି ସହ ଓଡିଶାର ଉନ୍ନତି କରିପାରିବେ ।
ଏହି ଲେଖା ମାଧ୍ୟମରେ ପ୍ରତ୍ୟେକ ଯୁବଗୋଷ୍ଠୀଙ୍କୁ ଆହ୍ୱାନ କରୁଛି । ଏହି କାର୍ଯ୍ୟ କରିବା ପାଇଁ କଣ ସବୁ କରାଯାଇପାରିବ ପାଠକମାନେ ମତ ରଖିବେ ।
-ଅର୍ପିତା ନନ୍ଦ