ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରଚାରର ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ପ୍ରଚାର ସମୟରେ କେଜ୍ରିୱାଲ୍ ଦେଇଥିବା ବୟାନକୁ ଉଠାଇ ଇଡି କହିଛି ଯେ ତାଙ୍କ ମନ୍ତବ୍ୟ ସିଷ୍ଟମ ମୁହଁରେ ଚାପୁଡ଼ା ମାରିଛି। ତେବେ ସୁପ୍ରିମକୋର୍ଟ ଏ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି।
ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଯଦି ଇଣ୍ଡିଆ ବ୍ଲକ୍ କ୍ଷମତାକୁ ଆସିବ ତେବେ ସେ ଜୁନ୍ ୫ ତାରିଖରେ ତିହାର ଜେଲରୁ ଫେରିବେ ବୋଲି କେଜ୍ରିୱାଲଙ୍କ ମନ୍ତବ୍ୟକୁ ନେଇ ଇଡି ଆପତ୍ତି କରିଛି। ଦିଲ୍ଲୀର ମଦ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ସପ୍ତାହରେ ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ମୁତାବକ କେଜ୍ରିୱାଲ୍ଙ୍କୁ ଜୁନ୍ ୨ ତାରିଖରେ ଅଦାଲତରେ ଆତ୍ମସମର୍ପଣ କରିବାକୁ ପଡ଼ିବ।