“ଛାଡପତ୍ର” ଏହି ଶବ୍ଦଟିକୁ ସମାଜରେ ସହଜରେ ଗ୍ରହଣ କରାଯାଏନାହିଁ। ଏହା ପୁରାପୂରି ଭାବେ ପାରିବାରିକ ବିବାଦ ହୋଇଥିଲେ ମଧ୍ୟ ଏହା ସମାଜରେ ଏକ ଆଲୋଡନ ସୃଷ୍ଟି କରେ। କିନ୍ତୁ ଆଜିର ଶିକ୍ଷିତ ସମାଜରେ ଏହି ଶବ୍ଦଟି ଅତି ସାଧାରଣ ହୋଇଯାଇଛି ବୋଲି କିଛି ଭୁଲ ହେବ ନାହିଁ। ସେଲିବ୍ରେଟିମାନଙ୍କ କ୍ଷେତ୍ରରେ ଏହି ଶବ୍ଦଟି ଅତି ସହଜ। ନିକଟରେ ଅଭିନେତା ଅମୀର ଖାନ୍ ନିଜର ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି। ଏହି ନେଇ ମଧ୍ୟ କିଛି ଦିନ ମିଡିଆ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଲା, କିନ୍ତୁ ପରବର୍ତ୍ତୀ ସମୟରେ ସବୁ ବନ୍ଦ ହୋଇଗଲା। ତେବେ ଏ ତ ଥିଲା ସେଲିବ୍ରେଟିଙ୍କ କଥା, ମାତ୍ର ସାଧାରଣ ଲୋକଙ୍କ ପାଇଁ ଏହା ଏତେଟା ସହଜ ନୁହେଁ।
ଆମ ସମାଜ ପୁରୁଷପ୍ରାଧାନ୍ୟ ହୋଇଥିବାରୁ ଏଠାରେ ପୁରୁଷ ପ୍ରତି କମ୍ ଏବଂ ନାରୀ ପ୍ରତି ଅଧିକ ଅଙ୍ଗୁଳି ଉଠେ। ପ୍ରତି ମୁହୂର୍ତ୍ତରେ ଛାଡପତ୍ର ପାଇଥିବା ବା ନେଇଥିବା ନାରୀଟିକୁ କଠିନ ପରିସ୍ଥିତର ସାମ୍ନା କରିବାକୁ ପଡେ। ତାକୁ ନିନ୍ଦା ଅପବାଦ ମିଳିବା ସହ କିଛି ଲୋକ ଘୃଣା ନଜରରେ ମଧ୍ୟ ଦେଖନ୍ତି। ଯେମିତି ସେ ନାରୀଟିର ଆଉ ବଞ୍ଚିବାର ଅଧିକାରୀ ନାହିଁ। କିନ୍ତୁ ଏମିତି ନୁହେଁ। ଛାଡପତ୍ର ପାଇଲା ପରେ ନାରୀଟି ବଞ୍ଚେ, ସଂଘର୍ଷ କରେ ଏବଂ ଜୀବନରେ ସଫଳତା ମଧ୍ୟ ହାସଲ କରେ। କିନ୍ତୁ ଆଜି ଆମେ କଥା ହେବା ଏକ ସତ କାହାଣୀ ଉପରେ। ଛାଡପତ୍ର ନେବା ପରେ ଏକ ନାରୀର ସଫଳ କାହାଣୀ ବିଷୟରେ…
ସେଦିନ ସାଧନା ଅଫିସରୁ ଫେରିବା ବେଳେ ଦେଖିଲେ ତାଙ୍କ ଘର ସାମ୍ନାରେ କିଛି ପାରିବା ମଣ୍ଡି ଲାଗିଛି। ସେ ପରିବା କିଣିବାକୁ ଗଲେ। ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା କିଛି ସ୍ତ୍ରୀ ଲୋକ ଚିହିଙ୍କି ଉଠିଲେ। ତାଙ୍କୁ ଘୃଣା ନଜରରେ ଦେଖିବା ସହ କଟାକ୍ଷ କରି କହିଲେ। ଏହା ଶୁଣି ସାଧନାଙ୍କୁ ଖରାପ ଲାଗିଲା ଏବଂ ସେ ସେଠାରୁ ଚାଲିଯାଇ ଅନ୍ୟତ୍ର ପରିବା କିଣିଲେ। ସେଠାରେ ମଧ୍ୟ ସମାନ ସ୍ଥିତିର ସାମ୍ନା କରିବାକୁ ପଡିଲା। ହେଲେ ଏଥର ସାଧନା ଚୁପ୍ ନ ରହି ସେମାନଙ୍କ ମୁହଁରେ ଜବାବ୍ ଦେଲେ। କିନ୍ତୁ ସେମାନଙ୍କ ସହ ବେଶୀ ଝଗଡା ନ କରି ନିଜ ଫ୍ଲାଟ୍ କୁ ଚାଲିଗଲେ।
ସାଧନାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଲା। ସେ କ’ଣ ଛାଡପତ୍ର ନେଇ ଭୁଲ୍ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପ୍ରତିଦିନ କଟାକ୍ଷର ସାମ୍ନା କରିବାକୁ ପଡୁଛି। ପୁରୁଷ ବିନା କ’ଣ ନାରୀର କୌଣସି ଅସ୍ତିତ୍ବ ନାହଁ? ଚାରି କାନ୍ଥ ଭିତରେ ଚୁପ୍ଚାପ୍ ଅତ୍ୟାଚାର ସହିବାକୁ କ’ଣ ସାଂସାରିକ କୁହାଯାଏ? ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲିବା ଏବଂ ନିଜ ଅଧିକାର ପାଇଁ ଲଢିବା କ’ଣ ଭୁଲ? ଛାଡପତ୍ର ସାଧନା ପାଇଁ ସତେ ଯେମିତି ଅଭିଶାପ ପାଲଟିଛି।
ଏସବୁ କଥା ଭାବିଭାବି ସାଧନା ନିଜ ଅତୀତକୁ ଚାଲିଯାଇଥିଲା। ସେ ପାଠପଢାରେ ବହୁତ ପାରଙ୍ଗମ ଥିଲେ। ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ପଢି ପାରିନଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ବିବାହ ସାର୍ଥକ ନାମକ ଜଣେ ଯୁବକ ହୋଇଥିଲା। ସାର୍ଥକ ଧନୀ ଘରର ପୁଅ ହୋଇଥିବାରୁ ସେ ଖରାପ ବାଟକୁ ଅପଣାଇ ସାରିଥିଲା। ସାର୍ଥକ ଜୁଆରେ ଅନେକ ଧନ ସମ୍ପତ୍ତି ହରାଇବା କାରଣରୁ ତାଙ୍କ ପିତାଙ୍କ ଆକସ୍ମିକ ମୃତ୍ୟୁ ହେଲା ଏବଂ ପରେ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଲା। ଏଥିପାଇଁ ସାର୍ଥକର ମା’ ସାଧନାକୁ ଦାୟୀ କରନ୍ତି। ଅତ୍ୟାଚାର ସହି ନ ପାରି ଦିନେ ସାଧନା ସେଠାରୁ ଖସି ପଳାଇ ଆସନ୍ତି ଏବଂ ଛାଡପତ୍ର ନେବାକୁ ନିଷ୍ପତ୍ତି ନିଅନ୍ତି। ପରେ ସେ କୋର୍ଟର ଦ୍ବାରସ୍ଥ ହୋଇ ଛାଡପତ୍ର ପାଇଁ ଆବେଦନ କରନ୍ତି। ଏହା ସହ ରୋଜଗାର ପାଇଁ ସିଲାଇ ବୃତ୍ତିକୁ ଆପଣାଇ ନେବା ସହ ନିଜର ପାଠପଢା ଜାରି ରଖନ୍ତି। ସମୟ ଅନୁସାରେ ଛାଡପତ୍ର ହେବା ପରେ ଅଧିକ ପଢିବା ପାଇଁ ସେ ସହରକୁ ଚାଲି ଆସନ୍ତି। ଗ୍ରାଜୁଏସନ୍ ସରିବା ପରେ ଏକ କମ୍ପାନୀରେ ତାଙ୍କର ଚାକିରି ହୋଇଯାଏ ଏବଂ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସେ। କିନ୍ତୁ ତାଙ୍କ ଦୁର୍ଭାଗ୍ୟ ପିଛା ଛାଡେ ନାହିଁ। ଛାଡପତ୍ର କଥା ଜଣାପଡିବା ପରେ ତାଙ୍କ ଆଖପାଖରେ ରହୁଥିବା ଲୋକେ ତାଙ୍କୁ ପ୍ରତିଦିଦ କଟାକ୍ଷ କରନ୍ତି।
ଏମିତି କିଛି ଭାବୁ ଭାବୁ ତାଙ୍କ ନଜର ପଡିଲା କାନ୍ଥରେ ଥିବା ଘଣ୍ଟା ଉପରେ। ସମୟ ସେତେବେଳକୁ ୮ଟା ହୋଇ ସାରିଥିଲା। ସାଧନା ସେଠାରୁ ଉଠିପଡି ନିଜ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କଲେ ଏବଂ ଟେବୁଲ ଉପରେ ଖାଇବାକୁ ବସିପଡିଲେ। ଟେବୁଲ ଉପରେ ପଡିଥିବା ଖବରକାଗଜ ଉପରେ ତାଙ୍କ ଦୃଷ୍ଟି ପଡିଲା, ଯେଉଁଥିରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପରୀକ୍ଷା ଦେବା ପାଇଁ ସାଧନା ନିର୍ଣ୍ଣୟ କଲେ ଏବଂ ପର ଦିନ ପରୀକ୍ଷା ପାଇଁ ଆବେଦନ କଲେ। ୩ ମାସ କଠିନ ପରିଶ୍ରମ ପରେ ସେ ଏହି ପରୀକ୍ଷାରେ କୃତ୍ତକାର୍ୟ୍ୟ ହେଲେ। ପରେ ସେ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଲେ।

ଯେତେବେଳେ ଇଣ୍ଟରଭ୍ୟୁରେ ତାଙ୍କୁ ପଚରାଯାଇଥିଲା ଯେ, ଆଇଏଏସ୍ ହେବାକୁ କାହିଁକି ଚାହୁଁଚ? ସେତେବେଳେ ସାଧନା ଉତ୍ତର ଦେଇଥିଲେ ଯେ, ପୁରୁଷ ବିନା ପରିଚୟ ସୃଷ୍ଟି କରିବାକୁ। ପୁଣି ଇଣ୍ଟରଭ୍ୟୁୟର ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ତୁମେ ଛାଡପତ୍ର ନେଇଛ। ଆମ ସମାଜରେ ଛାଡପତ୍ର ନେଉଥିବା ନାରୀକୁ ଅତି ଘୃଣ୍ୟ ନଜରରେ ଦେଖାଯାଏ। ଏହି ନିଷ୍ପତ୍ତି ଆପଣଙ୍କ ପାଇଁ କେତେ ଜଟିଳ ଥିଲା? ସାଧନା ଉତ୍ତରରେ କହିଥିଲେ, ହଁ ଏହି ନିଷ୍ପତ୍ତି ମୋ ପାଇଁ କାଷ୍ଟସାଧ୍ୟ ଥିଲା। କିନ୍ତୁ ଅତ୍ୟାଚାର ସହିବା ଠାରୁ ଅଧିକ ସହଜ ଥିଲା ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲିବା। ଅତ୍ୟାଚାର ସହିବା ମଧ୍ୟ ଏକ ଅପରାଧ। ଏଥିରେ ଇଣ୍ଟରଭ୍ୟୁୟର ଅଧିକ ମାତ୍ରାରେ ସନ୍ତୁଷ୍ଟ ହୋଇଥିଲେ। କିଛି ଦିନ ପରେ ଫଳ ପ୍ରକାଶ ପାଇବା ପରେ ଜଣାପଡିଥିଲା ଯେ, ସାଧନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ହେବା ପରେ ସାଧନାକୁ କଟାକ୍ଷ କରୁଥିବା ଲୋକେ ତାଙ୍କୁ ସମ୍ମାନ ଦେବା ଆରମ୍ଭ କଲେ। ସାଧନା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ସାରିଥିଲେ। ପରେ ସାର୍ଥକ ମଧ୍ୟ ନିଜ ଭୁଲ ବୁଝିପାରି ସାଧନଙ୍କ ନିକଟକୁ ଆସି କ୍ଷମା ପ୍ରାର୍ଥନା କରିବା ସହ ଉଭୟ ମିଶି ନୂଆ ଜୀବନ ଆରମ୍ଭ କରିବା ପ୍ରସ୍ତାବ ଦେଇଥିଲେ କିନ୍ତୁ ସାଧନା ନିଜ ଜୀବନରେ ଖୁସୀ ଥିଲେ। ସେ ଫେରିଲେ ନାହିଁ।
ସାଧନା ପ୍ରମାଣ କରି ଦେଖାଇଥିଲେ ଯେ, ପୁରୁଷ ନାରୀର ଅସ୍ତିତ୍ବ ନୁହେଁ। ପୁରୁଷ ବିନା ନାରୀ ମଧ୍ୟ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିବ।
ଏ ତ ଥିଲା ସାଧନାଙ୍କ କାହାଣୀ। ଏମିତି ଅନେକ କାହାଣୀ ପ୍ରତିଦିନ ଆମ ସମାଜରେ ଦେଖୁବାକୁ ମିଳିଛି। ନିକଟ ଅତୀତରେ ଏଭଳି ଦୁଇଟି ପ୍ରେରଣାଦାୟକ କାହାଣୀ ନାରୀ ଚେତନାକୁ ସକ୍ରିୟ କରିଛି। ରାଜସ୍ଥାନର ଯୋଧପୁରର ଜଣେ ମହିଳା ଆଶା କାଣ୍ଡାରା ସଫେଇ କର୍ମଚାରୀରୁ ଆରଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡେପୁଟି କଲେକ୍ଟର ହୋଇଛନ୍ତି। ୮ ବର୍ଷ ପୂର୍ବେ ଦୁଇଟି ସନ୍ତାନ ସହ ତାଙ୍କ ସ୍ବାମୀ ତାଙ୍କୁ ଛାଡି ଦେଇଥିଲେ। ଛୁଆଙ୍କ ପେଟକୁ ଦାନା ଯୋଗାଡ କରିବା ପାଇଁ ସେ ରାସ୍ତା ସଫେଇ କାର୍ୟ୍ୟକୁ ଆପଣାଇ ନେଇଥିଲେ ଏବଂ ଏହା ସହ ପାଠପଢା ମଧ୍ୟ ଜାରି ରଖିଥିଲେ। କେବଳ ସେତିକି ନୁହେଁ ସଫେଇ କର୍ମଚାରୀ ପାଇଁ ମଧ୍ୟ ସେ ପରୀକ୍ଷା ଦେଇଥିଲେ ଏବଂ ଆରଏଏସ ପରୀକ୍ଷା ଫଳ ପ୍ରକାଶ ପାଇବାର ମାତ୍ର ୧୨ ଦିନ ପୂର୍ବରୁ ଆଶା ଯୋଧପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଉତ୍ତରରେ ସ୍ଥାୟୀ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। ସଫେଇ କାର୍ୟ୍ୟ କରୁ କରୁ ନିଜ ସଫଳତା ପାଇଁ ମଧ୍ୟ ରାସ୍ତା ସଫା କରିଥିଲେ। ଆରଏଏସ ପରୀକ୍ଷା -୨୦୧୮ ଫଳାଫଳରେ ଆଶା ୭୨୮ ତମ ସ୍ଥାନ ହାସଲ କରି ବର୍ତ୍ତମାନ ପ୍ରଶାସନିକ ଅଧିକାରୀ ପାଇଁ ମନୋନୀତ ହୋଇଛନ୍ତି।
ସେହିପରି ଅନ୍ୟ ଜଣେ ଉଦାହରଣ ସୃଷ୍ଟି କରିଥିବା ମହିଳା ହେଉଛନ୍ତି ୩୧ ବର୍ଷିୟା ଆନି ଶିବ। ଲେମ୍ବୁପାଣି ଏବଂ ଆଇସକ୍ରିମ ବିକ୍ରି କରୁଥିବା ଆନି ସବ୍-ଇନ୍ସପେକ୍ଟର ହୋଇଛନ୍ତି। ତାଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ମଧ୍ୟ ଉପରୋକ୍ତ କାହାଣୀ ସହ ପ୍ରାୟ ସମାନ। ୧୮ ବର୍ଷ ବୟସରେ ସେ ପ୍ରେମ ବିବାହ କରିଥିଲେ। ଏକ ଶିଶୁପୁତ୍ର ଜନ୍ମ ହେବା ପରେ ତାଙ୍କ ସ୍ବାମୀ ତାଙ୍କୁ ଘରୁ ତଡି ଦେଇଥିଲେ। ପରିବାର ଲୋକେ ବିରୁଦ୍ଧରେ ଯାଇ ବିବାହ କରିଥିବାରୁ ତାଙ୍କ ଘରଲୋକ ତାଙ୍କୁ ଆଶ୍ରୟ ଦେଇନଥିଲେ। ସେ ଛୋଟ ପୁଅକୁ ଧରି ତାଙ୍କ ଆଈଙ୍କ ଘରେ ରହି ବିଭିନ୍ନ ସ୍ଥାନରେ ଛୋଟମୋଟ କାମ କରି ପେଟ ପୋଶୁଥିଲେ ଏବଂ ଅଧାରୁ ଛାଡିଥିବା ଗ୍ରାଜୁଏସନ୍ ପାଠପଢା ପୁଣି ଆରମ୍ଭ କରିଥିଲେ। କିନ୍ତୁ ଗ୍ରାଜୁଏସନ୍ ସରିବା ପରେ ତାଙ୍କୁ କୋଉଁ କିଛି ଚାକିରି ମିଳିନଥିଲ।। ତେଣୁ ସେ ବାଧ୍ୟ ହୋଇ କେରଳର ବରକଳାରେ ଲେମ୍ବୁ ପାଣି ଓ ଆଇସ୍କ୍ରିମ୍ ବିକ୍ରି କରୁଥିଲେ। ଜଣେ ବ୍ୟକ୍ତି ତାଙ୍କୁ ପଢ଼ିବାକୁ ଟଙ୍କାପଇସା ସାହାଯ୍ୟ କରିବା ସହ ସବ୍-ଇନ୍ସ୍ପେକ୍ଟର୍ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ। ତାହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା। ଏବେ ସେ ବରକଳା ଥାନାରେ ଜଣେ ପ୍ରୋବେସ୍ନେରି ସବ୍-ଇନ୍ପେକ୍ଟର୍ ଭାବେ ଯୋଗ ଦେଇଛନ୍ତି।
ତେବେ ସମାଜର ସବୁ ମହିଳା ଯେ ପ୍ରଶାସନିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇ ବଡ ବଡ ପଦବୀର ଅଧିକାରୀ ହୋଇପାରିବେ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଏଠାରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହିଳା ଆତ୍ମନିର୍ଭରଶୀଳ ହେବା। ଅନେକ ମହିଳା ନିଜର ବୁଟିକ୍, ବିୟୁଟିପାର୍ଲର, ପ୍ରସାଧନ ସାମଗ୍ରୀ ଦୋକାନ ଆଦିରେ ଭଲ ଦୁଇ ପାଇସ ରୋଜଗାର କରୁଛନ୍ତି। ଏହା ସହ ଅନେକ ଲୋକ ଏବଂ ଛାତ୍ରଛାତ୍ରୀ ଘରଠୁଁ ଦୂରରେ ରହୁଥିବା କାରଣରୁ ସେମାନେ ହୋଟେଲ ବା ରୋସ୍ତୋରାଁ ଉପରେ ନିର୍ଭର କରନ୍ତି। ଏହା ମଧ୍ୟ ମହିଳାଙ୍କ ପାଇଁ ଭଲ ସୁଯୋଗ ହୋଇପାରେ। କ୍ୟାଟରିଂ ବ୍ୟବସ୍ଥା ମାଧ୍ୟମରେ ନିଜ ଆଖପାଖ ଅଞ୍ଚଳରେ ଏଭଳି କିଛି ଲୋକଙ୍କ ନିକଟରେ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇ ବେଶ୍ ଲାଭବାନ ହୋଇ ପାରିବେ। ଏତତ୍ ବ୍ୟତୀତ ଡିଜିଟାଲ ଯୁଗରେ ଅନଲାଇନ୍ ମାଧ୍ୟମରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ବୁଟିକ୍, ବିୟୁଟିପାର୍ଲର ଏବଂ ସୁସ୍ବାଦୁ ଖାଦ୍ୟ ପଦାର୍ଥର ପ୍ରସ୍ତୁତ ପ୍ରଣାଳୀ ରେକଡିଂ କରି ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାର କରି ଲୋକପ୍ରିୟତା ହାସଲ କରିବା ସହ ଲାଭବାନ୍ ମଧ୍ୟ ହୋଇ ପାରିବେ।