ମାତୃ ପିତୃ ଦେବ ଭବ…

ହିନ୍ଦୁ ଧର୍ମର ମହାନ୍ ଶାସ୍ତ୍ର ତୈତରୀୟ ଉପନିଷଦ୍ର ରେ ପିତାମାତାଙ୍କ ମହତ୍ତ୍ୱକୁ ବର୍ଣ୍ଣନା କରିବାକୁ ଯାଇ ଲେଖାଯାଇଛି
ମାତୃ ଦେବ ଭବ
ପିତୃ ଦେବ ଭବ
ଆଚାର୍ଯ୍ୟ ଦେବ ଭବ
ଅତିଥି ଦେବ ଭବ
ମନୁଷ୍ୟ ଜୀବନରେ ମାତା ପିତାଙ୍କ ସ୍ଥାନ ଏତେ ଉଚ୍ଚରେ ଥାଏ ଯେ ସେମାନେ ଭଗବାନ୍ ଙ୍କ ସହ ସମାନ ହେଇଯାଆନ୍ତି।ମଣିଷର ଜୀବନକୁ ଗଢିବାରେ ମାଆ ର ଭୂମିକା କେତେଯେ ଅଧିକ ତାହା ଭାଷାରେ ବର୍ଣ୍ଣନା କରିବା ଖୁବ୍ କଷ୍ଟସାଧ୍ୟ।ମାଆ ଟିଏ ତାର ସନ୍ତାନକୁ ନଅ ମାସ ଦଶ ଦିନ ଗର୍ଭରେ ରଖି ଅସହ୍ୟ ଯନ୍ତ୍ରଣା ସହି ଜନ୍ମ ଦିଏ ଓ ବଡ଼ ହେବା ପର୍ଯ୍ୟନ୍ତ ତା ସ୍ନେହ ର ପଣତ କାନି ତଳେ ଲାଳନପାଳନ କରି ତାର ସମସ୍ତ ଅଳୀ ଅର୍ଦଳିକୁ ସହିଯାଏ।ସନ୍ତାନର ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହି ସେବା କରିବା ତା ପାଇଁ ଏକ ମାମୁଲି କଥା।ସନ୍ତାନର ଦରୋଟି କଥା,ତାକୁ ହାତ ଧରି ଚାଲି ଶିଖାଇବା,ତାର ଶିକ୍ଷା,ଦୀକ୍ଷା ସଂସ୍କାର ସବୁକିଛି ମାଆ ଟିଏ ହିଁ କରିଥାଏ।ତେଣୁ ମାଆ କୁ ପ୍ରଥମ ଗୁରୁ ବୋଲି ମଧ୍ୟ କୁହାଯାଇଥାଏ।

ଏପରିକି ସନ୍ତାନର ଶିକ୍ଷା ମାତୃ ଗର୍ଭରୁ ଆରମ୍ଭ ହୋଇଯାଇଥାଏ ଯାହାର ପ୍ରମାଣ ଆମେ ବୀର ଯୋଦ୍ଧା ଅଭିମନ୍ୟୁ ଓ ଅଷ୍ଟାବକ୍ର ଋଷିଙ୍କ ଜୀବନରେ ଦେଖିବାକୁ ପାଉ।ତେବେ ବର୍ତ୍ତମାନର ଶିଶୁ ଭବିଷ୍ୟତରେ କିପରି ଜଣେ ଭଲ ମଣିଷ ରେ ପରିଣତ ହେବ ତାହା ମୁଖ୍ୟତଃ ତାର ମାଆ ଉପରେ ନିର୍ଭର କରେ।ସମାଜରେ ଯେତେ ଯେତେ ମହାନ୍ ପୁରୁଷ ଜନ୍ମ ନେଇଛନ୍ତି ସେମାନଙ୍କ ମାଆ ମାନେ ନିଶ୍ଚେ ମହାନୀୟା ଓ ବନ୍ଦନୀୟା ହୋଇଛନ୍ତି।ମାଆ ତାର ଶିକ୍ଷା,ଦୀକ୍ଷା ଓ ସଂସ୍କାର ଦେଇ ସନ୍ତାନର ଜୀବନକୁ ରୁଦ୍ଧିମନ୍ତ କରିଥାଏ।ତେଣୁ ମାଆ କୁ ଭଗବାନ ଙ୍କ ସହ ତୁଳନା କରାଯାଇଛି।ସନ୍ତାନଟିଏ ପାଇଁ ମାଆଙ୍କ ପରେ ପରେ ବାପା ମଧ୍ୟ ଭଗବାନ ଙ୍କ ସହ ତୁଳନୀୟ ହୋଇଥାଏ।ମାଆ ପରି ବାପା ଯଦିଓ ସନ୍ତାନକୁ ଲାଳନ ପାଳନ କରିପାରି ନଥନ୍ତିକିନ୍ତୁ ସନ୍ତାନର ସମସ୍ତ ଭରଣ ପୋଷଣ ର ଭାର ନେଇଥାନ୍ତି।ସନ୍ତାନ ପାଇଁ ଉପଯୁକ୍ତ ଖାଦ୍ୟ,ବସ୍ତ୍ର ଓ ଶିକ୍ଷାର ବ୍ୟବସ୍ଥା କରି ସମାଜରେ ଜଣେ ଉତ୍ତମ ମଣିଷ ଭାବେ ଠିଆ କରାଇଥାନ୍ତି।ବାପା ସନ୍ତାନର ମନ ଓ ଆବେଗ ସହ ଜଡ଼ିତ ଥାଆନ୍ତି।ସନ୍ତାନକୁ ଉପଯୁକ୍ତ ଅନୁଶାସନ ରେ ରଖି ତାର ଜୀବନକୁ ଶୃଙ୍ଖଳା ବଦ୍ଧ ଓ ଅର୍ଥ ପୂର୍ଣ୍ଣ କରି ଗଢି ତୋଳନ୍ତି।ବାପାଙ୍କ ହାତର ଦୃଦ୍ଧତାସନ୍ତନକୁ ଦୁନିଆ ଦାଣ୍ଡରେ ମଣିଷ ପରି ମଣିଷ ଟିଏ ହୋଇ ଛିଡ଼ା ହେବାର ସାହାଯ୍ୟ କରିଥାଏ।

ମନୁଷ୍ୟ ଜୀବନରେ ପିତାଙ୍କ ମହତ୍ତ୍ୱକୁ ଦର୍ଶାଇବାକୁ ଯାଇ ପିତା ଆଜ୍ଞା ପାଳନ ପାଇଁ ଚଉଦ ବର୍ଷର ଅରଣ୍ୟ ବାସ କୁ ହସି ହସି ବରଣ କରିନେଇଥିଲେ ଶ୍ରୀ ରାମଚନ୍ଦ୍ର।ଏପରିକି ପିତାମାତାଙ୍କ ପାଇଁ ଜୀବନ ଦେବାକୁ ପଛଘୁଞ୍ଚା ଦେଇ ନଥିଲେ ଶ୍ରବଣ କୁମାର।ଧର୍ମରାଜ ଯୁଧିଷ୍ଟିର ମତୃବଚନ ପାଳନ କରିବାକୁ ଯାଇ ଯା ଜ୍ଞସେନି ଙ୍କୁ ପାଞ୍ଚ ପତି ଗ୍ରହଣ କରିବାକୁ ଆଦେଶ ଦେଇଥିଲେ ।ଏମିତି କେତେ କେତେ ଉଦାହରଣ ଅଛି ଆମ ପୁରାଣ ଶାସ୍ତ୍ର ମାନଙ୍କରେ ଆଦର୍ଶ ପୁତ୍ରଙ୍କୁ ନେଇ।ତେବେ ସାମ୍ପ୍ରତିକ ସମୟରେ ବଢ଼ିବଢ଼ି ଚାଲୁଥିବା ଜରାନିବାସ କୁ ଦେଖିଲେ ପିତାମାତାଙ୍କ ସ୍ଥାନ ଯେ କେଉଁଠି ତାହା ସ୍ପଷ୍ଟ ବୁଝାଯାଏ।ଅବକ୍ଷୟ ମୁଖି ସାମାଜିକ ମୂଲ୍ୟବୋଧର ପରିଣାମ ଆଜିର ସମାଜ ଅଳ୍ପେ ବହୁତ୍ ଅଙ୍ଗେ ନିଭାଉଛି।ତଥାପି ଯଦି ମଣିଷ ସେ ଦିଗରେ ସଚେତନ ନହୁଏ ବା ଜାଣିଶୁଣି ସେଥିରୁ ଦୂରତା ରଖେ ତେବେ ତାର ପରିଣାମ ସେ ଆଗାମୀ କାଲି ଭୋଗିବ।ବର୍ତ୍ତମାନ ସମୟ ଆସିଛି ପୁନଶ୍ଚ ସେହି ବୈଦିକ ସଂସ୍କୃତି କୁ ଜୀବନରେ ପ୍ରୟୋଗ କରି ଆସନ୍ତୁ ମାତା ପିତାଙ୍କୁ ଭଗବାନ୍ ଙ୍କ ମର୍ଯ୍ୟାଦା ଦେବା ଓ କହିବା
ମାତୃ ଦେବ ଭବ।
ପିତୃ ଦେବ ଭବ।