ଛିନ୍ନ ଦେହରେ ଦିବ୍ୟ ଭଗବାନ

ବିବର୍ତ୍ତନ ବାଦ ତତ୍ତ୍ଵ ଅନୁଯାୟୀ ମନୁଷ୍ୟ ସର୍ବଶ୍ରେଷ୍ଠ ଓ ସର୍ବଶେଷ ଜୀବ ବୋଲି ସମସ୍ତେ ସ୍ଵୀକାର କରିସାରିଥିବା ବେଳେ ଅତିମାନସ୍ ଯୋଗର ପ୍ରବର୍ତ୍ତକ ଋଷି ଶ୍ରୀ ଅରବିନ୍ଦ ଙ୍କ ଘୋଷଣା “ମନୁଷ୍ୟ ଏକ ମଧ୍ୟବର୍ତ୍ତୀ କାଳୀନ ଜୀବ” ପୃଥିବୀର ସମସ୍ତ ବୈଜ୍ଞାନିକ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କ ମଧ୍ୟରେ ହଇଚଇ ସୃଷ୍ଟି କଲା।ପୃଥିବୀର କୋଣ ଅନୁକୋଣ ରୁ ଅସଂଖ୍ୟ ପ୍ରଶ୍ନ ମାନ ଆସିବାକୁ ଲାଗିଲା।ତାଙ୍କ ମତ ଅନୁଯାୟୀ _ମାନବ ଠାରୁ ଆଉ ଏକ ଉର୍ଦ୍ଧ ଜାତି ଅଛି ଯାହାକୁ ସେ ଅତିମାନବ ନାମ ଦେଇଛନ୍ତି।ପଶୁ ଠାରୁ ମନୁଷ୍ୟ ର ପାର୍ଥକ୍ୟ ଯେପରି ମାନବ ଠାରୁ ଅତିମାନବ ର ପାର୍ଥକ୍ୟ ଠିକ୍ ସେହିପରି।ସେଥିଲାଗି ମନୁଷ୍ୟ ସର୍ବଶେଷ ଜୀବ କଦାପି ହୋଇନପାରେ।୧୯୨୬ ନଭେମ୍ବର ୨୪ ସିଦ୍ଧି ଦିବସରେ ଶ୍ରୀକୃଷ୍ଣଙ୍କ ଚେତନା ଲାଭ କରିବା ପରେ ଶ୍ରୀ ଅରବିନ୍ଦ ତାଙ୍କ ଶରୀର ତ୍ୟାଗ କରିବା ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷ ଏକାନ୍ତରେ ସାଧନା କରିବାର ଫଳ ସ୍ବରୂପ ରାଶି ରାଶି ପୁସ୍ତକରେ ଅତିମାନସ୍ ତତ୍ତ୍ଵ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।ତାଙ୍କର synthesis of yoga,life Divine,letters of yoga,On Education,Isa Upanishad,Human cycle ଓ ମହାକାବ୍ୟ ସାବିତ୍ରୀ ଭଳି ଅମୂଲ୍ୟ ଗ୍ରନ୍ଥ ପାଠ କରି ଆଜି ପୃଥିବୀ ର କୋଣ ଅନୁକୋଣ ର ଚିନ୍ତାଶୀଳ ବ୍ୟକ୍ତି ଆଚମ୍ବିତ।ତାଙ୍କ ଯୋଗ ର ମୂଳ ତତ୍ତ୍ଵ ହେଉଛି ଚେତନାର ରୂପାନ୍ତର।ସାମ୍ପ୍ରତିକ ସମାଜରେ ଯେତେ ଯାହା ସମସ୍ୟା ଦେଖାଯାଉଛି ଓ ତାର ସମାଧାନ ର ବିଫଳ ପ୍ରଚେଷ୍ଟା ର ଅନ୍ତ କେବଳ ଚେତନା ର ରୂପାନ୍ତର ରେ ନିହିତ।

ତେବେ ଏହି ଅତିମାନସ ଯୋଗର ତିନୋଟି ପାବଛ ହେଲା ଅଭିପ୍ସା,ପ୍ରତ୍ୟାଖାନ ଓ ସମର୍ପଣ।ନିଜକୁ ଅତିକ୍ରମ କରିବା ଲାଗି ଅଭୀପ୍ସା,ମନ,ପ୍ରାଣ , ଶରୀରର ଖରାପ ଗତିବୃତି ର ପ୍ୟତ୍ୟାଖାନ ଓ ନିଜକୁ ଭଗବତୀ ଶକ୍ତିଙ୍କ ପାଖରେ ସମର୍ପଣ ଦ୍ଵାରା ଚେତନାର ରୂପାନ୍ତର ସମ୍ଭବ।ଚେତନା ର ରୂପାନ୍ତର ବା ପ୍ରକୃତିର ପରିବର୍ତ୍ତନ ଯଦିଓ ଖୁବ୍ କଷ୍ଟସାଧ୍ୟ ତଥାପି ଅତିମାନବ୍ ର ଆବିର୍ଭାବ ନିୟତି ନିର୍ଦ୍ଦିଷ୍ଟ ହେଇଛି ବୋଲି ଶ୍ରୀ ଅରବିନ୍ଦ ସ୍ପଷ୍ଟ କରିଛନ୍ତି। ଅତି ମାନସ ଶକ୍ତି ନିଜ ଶରୀର ମଧ୍ୟରେ ଅବତରଣ କରିଥିଲେ ମଧ୍ୟ,ବର୍ତ୍ତମାନ ପୃଥିବୀ ଚେତନା ପ୍ରସ୍ତୁତ ହୋଇନଥିବାରୁ,୫ ଡିସେମ୍ବର ୧୯୫୦ ରେ ଶ୍ରୀ ଅରବିନ୍ଦ ଶରୀର ତ୍ୟାଗ କରି ସୁକ୍ଷ୍ମରେ ରହି ରୂପାନ୍ତର କାର୍ଯ୍ୟ କରୁଛନ୍ତି। ମନ୍ କି ବାତ୍ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ଅରବିନ୍ଦ ଙ୍କ ଦୃଷ୍ଟି,ଶିକ୍ଷା ଓ ସ୍ୱଦେଶୀ ପ୍ରୀତିକୁ ଅନୁସରଣ କରିବା ପାଇଁ ଯୁବବର୍ଗ ଙ୍କୁ ଆହ୍ବାନ କରୁଛନ୍ତି।ତାଙ୍କ ଶିକ୍ଷା ବ୍ୟବସ୍ଥା କୁ ଦେଶ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଭାବେ ଗ୍ରହଣ କରିଛି।ଆଜି ୫ ଡିସେମ୍ବର ଶ୍ରୀ ଅରବିନ୍ଦ ଙ୍କ ମହାପ୍ରୟାଣ ଦିବସରେ ଆସନ୍ତୁ ସମସ୍ତେ ତାଙ୍କ ଆଦର୍ଶକୁ ଜୀବନରେ ପାଳନ କରି ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବା।