ଧୁରନ୍ଧର ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ‘ଧୁରନ୍ଧର: ଦି ରିଭେଞ୍ଜ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଆଗରୁ ବକ୍ସ ଅଫିସରେକର୍ଡ ଭାଙ୍ଗିବାର ଧାରା ଆରମ୍ଭ କରିସାରିଲାଣି। ମୁକ୍ତିଲାଭ କରିବା ପୂର୍ବ ଦିନର ପ୍ରିଭ୍ୟୁ ସୋ’ର ଟିକେଟ୍ ବିକ୍ରିରେ ଏହା ‘ସ୍ତ୍ରୀ ୨’ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଦେଇଛି। ପ୍ରିଭ୍ୟୁ ସୋ’ ଦେଖିବା ପାଇଁ ଭାରତରେ ସାଢ଼େ ତିନି ଲକ୍ଷରୁ ଅଧିକ ଲୋକ ଆଗୁଆ ଟିକେଟ୍ କାଟିସାରିଲେଣି, ଯାହାର ବ୍ୟାବସାୟିକ ମୂଲ୍ୟ ୨୦ କୋଟି ଟଙ୍କା ଟପିଯାଇଛି। ଏହା ୩୫ କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି।
ତେବେ ‘ଧୁରନ୍ଧର ୨’ ଯେଉଁ ରେକର୍ଡ ଭାଙ୍ଗିବା ନେଇ ସବୁଠାରୁ ଅଧିକ ଉତ୍କଣ୍ଠା ଦେଖାଦେଇଛି ତାହା ହେଲା ଶାହରୁଖ ଖାଁଙ୍କ ‘ଯବାନ’ ଚଳଚ୍ଚିତ୍ର ନାମରେ ଥିବା ୧୩୦ କୋଟି ଟଙ୍କାର ପ୍ରଥମ ଦିନର ସର୍ବୋଚ୍ଚ ବ୍ୟବସାୟ ରେକର୍ଡ। ‘ଧୁରନ୍ଧର ୨’କୁ ନେଇ ଲୋକଙ୍କ ଉତ୍ସାହ ଏବଂ ବକ୍ସ ଅଫିସ ବିଶେଷଜ୍ଞଙ୍କ ପୂର୍ବାନୁମାନରୁ ସ୍ପଷ୍ଟ ଜଣାପଡ଼ିଲାଣି ଯେ ଶୁଭମୁକ୍ତି ଦିନ ଏହି ଚଳଚ୍ଚିତ୍ର ବିଶ୍ବବ୍ୟାପୀ ୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିବ। ଏହା ହେଲେ ‘ଧୁରନ୍ଧର ୨’ ହିନ୍ଦୀ ଚଳଚ୍ଚିତ୍ର ଇତିହାସରେ ଏକ ନୂଆ ମାଇଲ୍ଖୁଣ୍ଟ ସ୍ଥାପନ କରିବ।
ଆଦିତ୍ୟ ଧରଙ୍କ ନିର୍ଦେଶିତ ‘ଧୁରନ୍ଧର ୨’ ଆସନ୍ତା ୧୯ ତାରିଖ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଥମ ଦିନରେ ଏହା କେବଳ ଭାରତରେ ଶତାଧିକ କୋଟି ଟଙ୍କାର ବ୍ୟବସାୟ କରିବା ସୁନିଶ୍ଚିତ। ବିଦେଶରେ ମଧ୍ୟ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ସେ ସୂତ୍ରରୁ ଆନୁମାନିକ ୫୦ କୋଟି ଟଙ୍କାର ଆୟ ହେବ। ପ୍ରିଭ୍ୟୁ ସୋ’ର ଆୟ ଯୋଡ଼ିଦେଲେ ଏହା ୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିବାରେ କୌଣସି ସମସ୍ୟା ହେବ ନାହିଁ। ରଣବୀର ସିଂହଙ୍କ ଏହି ସିକ୍ବେଲ୍ ଚଳଚ୍ଚିତ୍ର ପୂର୍ବ ଭାଗର ରୋମାଞ୍ଚ, ଆକ୍ସନ୍ ଓ ନାଟକୀୟତାକୁ ଟପିପାରୁଛି କି ନାହିଁ ତାହା ଉପରେ ଦର୍ଶକଙ୍କ ଦୃଷ୍ଟି ରହିବ।