ଗ୍ରୀନ ମଟର ଚୋପା ଅଦରକାରୀ ନୁହେଁ, ଫାଇଦା ଜାଣିଲେ ଆଉ ଫିଙ୍ଗିବେନି….

ପରିବା ଏବଂ ଫଳ ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ଏଥିରେ ରହିଥିବା ନାନାଦି ପ୍ରକାର ଭିଟାମିନ୍ ଏବଂ କ୍ୟାଲସିୟମ ଆମ ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ। ଡାକ୍ତର ମାନେ ବି ପ୍ରତ୍ୟେହ ଫଳ ଏବଂ ଭରପୁର ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାଆନ୍ତି।

କିନ୍ତୁ ଆମେ ପ୍ରତ୍ୟେକ ପନିପରିବା ବା ଫଳକୁ ଖାଇବା ସମୟରେ ତା ଦେହରୁ ବାହାରୁଥିବା ଚୋପାକୁ ଫୋପାଡି ଦେଇଥାଉ। କିନ୍ତୁ ଏଭଳି କିଛି ଫଳ ରହିଛି ଯାହାର ଚୋପା ପୋଷକ ତତ୍ତ୍ବରେ ପରିପୁଣ ହେବା ସହ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଶୀତଦିନେ ବଜାରରେ ଗ୍ରୀନ୍ ମଟର ସୁବିଧାରେ ଉପଲବ୍ଧ ହୋଇଥାଏ।

ମଟର ଚୋପାର ବ୍ୟବହାର 

ମଟରକୁ ଆମେ ମଟର ସୁପ, ପନିର ମଟର ତରକାରୀ, ଉପମା ପରି କେତେ ବ୍ୟଞ୍ଜନରେ ବ୍ୟବହାର କରିଥାଉ। ସାଧାରଣତଃ ମଟରକୁ ବ୍ୟବହାର କରି ଆମେ ସେଥିରୁ ବାହାରୁ ଥିବା ଚୋପାକୁ ଫୋପାଡି ଦେଇଥାଉ। କେତେ ଲୋକ ମଟରରୁ ବାହାରୁଥିବା ଚୋପାକୁ ଗାଇଗୋରୁଙ୍କୁ ଖାଇବାକୁ ଦେବାରେ ବ୍ୟବହାର କରିଥାଆନ୍ତି। ଆୟୁର୍ବେଦ ଏବଂ ବୈଜ୍ଞାନିକ ଗବେଷଣା ଅନୁସାରେ ମଟର ଦାନା ପରି ଏହାର ଚୋପା ଶରୀର ପାଇଁ ବରଦାନ ଅଟେ। ତେବେ ଆସନ୍ତୁ ଏହାର ଫାଇଦା ସଂପର୍କରେ ଅଧିକ ଆଲୋଚନା କରିବା।

ମଟର ଚୋପାରେ କେଉଁ କେଉଁ ଉପାଦାନ ରହିଥାଏ ?

ମଟର ଚୋପାରେ କପର, ଭିଟାମିନ ସି, କ୍ୟାଲସିୟମ, ଫାଇବର ଭରପୁର ମାତ୍ରାରେ ରହିଥାଏ। ଏଥିରେ ଥିବା ପୋଟାସିୟମ ଶରୀରରେ ଥିବା ତରଳ ପଦାର୍ଥର ସନ୍ତୁଳନକୁ ବଜାଇ ରଖିବା ସହ ହୃଦୟକୁ ଭଲଭାବରେ କାମ କରିବାରେ ସାହାର୍ଯ୍ୟ କରିଥାଏ।

ମଟର ଚୋପାରେ ରହିଥାଏ ଭିଟାମିନ

ଭିଟାମିନ୍ ସି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ଭିଟାମିନ୍ କେ ସ୍ୱାଭାବିକ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ଏବଂ ହାଡ଼କୁ ମଜବୁତ କରିଥାଏ।

ଆଖି ପାଇଁ ଲାଭଦାୟକ

ମଟର ଚୋପାରେ କ୍ୟାରୋଟିନଏଡ୍ ନାମକ ପ୍ରାକୃତିକ ରାସାୟନିକ ପଦାର୍ଥ ରହିଥାଏ। ଯାହା ଆଖି ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଆଖି କୋଷ କାର୍ଯ୍ୟକୁ ବଜାୟ ରଖିବା ସହିତ ଆଲୋକ କ୍ଷତିରୁ ଆଖିକୁ ସୁରକ୍ଷା ଦେଇଥାଏ।

ପେଟ ପାଇଁ ଲାଭଦାୟକ

ମଟରର ଚୋପାରେ ଭରପୁର ମାତ୍ରାରେ ଫାଇବର ରହିଥାଏ। ଯାହା ଆମ ଶରୀରର ପେଟ ସମସ୍ୟରେ ସୁଧାର ପରିଲକ୍ଷିତ କରିଥାଏ। ମଟର ଚୋପାର ସେବନ ଫଳରେ ଶରୀରରେ ଉପନ୍ନ କୋଷ୍ଠକାଠିନ୍ୟ, ଗ୍ୟାସ ପରି ଜଟିଳ ସମସ୍ୟାରୁ ଏହା ଆରାମ ଦେଇଥାଏ। ଏହା ଶରୀରରେ ପାଚନ କ୍ରିୟାକୁ ସରଳ କରିଥାଏ।

ଓଜନ କମାଏ

ଏହି ମଟର ଚୋପାକୁ ଡାଏଟ କରୁଥିବା ଲୋକମାନେ ଚଟଣି କରି ଖାଇପାରିବେ। ମଟରର ଚୋପାରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ଯେଉଁମାନେ ଡାଏଟ କରୁଛନ୍ତି ସେମାନେ ମଟରର ଚୋପାକୁ ପ୍ରତିଦିନ ଖାଇବା ଫଳରେ ମୋଟା ହୋଇନଥାଆନ୍ତି।

ମଟରର ଚୋପାକୁ ବ୍ୟବହାର କରିବେ କିପରି?

ମଟରର ଚୋପାକୁ ପରିଷ୍କାର ଭାବରେ ଧୋଇ କାଟି ଏଥିରେ ଆଳୁ ମିଶାଇ ଭଜା ପ୍ରସ୍ତୁତ କରିପାରିବେ। ସେହିପରି ଏହି ଚୋପାରୁ ଆପଣ ସ୍ବାଦିଷ୍ଟ ଚଟଣି ତିଆରି କରିପାରିବେ। ମଟରର ଚୋପାରେ କଞ୍ଚାଲଙ୍କା, ଧନିଆଗୁଣ୍ଡ, ଲେମ୍ବୁ, ରସୁଣ, ଚାଟ ମସଲାକୁ ବ୍ୟବହାର କରି ଚଟଣି ପ୍ରସ୍ତୁତ କରିପାରିବେ। ଏହି ଚଟଣୀକୁ ଆପଣ ରୁଟି, ପରଟା, ଭାତ ସହ ବିଭିନ୍ନ ସ୍ନାକ୍ସ ଖାଦ୍ୟ ସହ ଖାଇପାରିବେ ।