ଶୀତ ଦିନରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ଶରୀର….

ଶୀତ ଦିର ମଜା ଅଲଗା। ଆଉ ଏହି ଶୀତ ଦିନ ଡାକିଆଣେ ନାନା ରୋଗ। ଥଣ୍ଡା, କାଶ, ଜ୍ବର ଭଳି ସମସ୍ୟା ଏକ ସାଧାରଣ କଥା। ତେଣୁ ଶୀତ ଦିନେ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଉଁଭଳି ଖାଦ୍ୟ ଖାଇବା ଦେହ ପାଇଁ ହିତକର…

ମାଟି ତଳେ ଫଳୁଥିବା ପନିପରିବା:

ଶୀତ ଦିନେ ମାଟି ତଳେ ଫଳୁଥିବା ପନିପରିବା ଯଥା ଗାଜର, ବିଟ୍, ମୂଳା, କନ୍ଦମୂଳ ଇତ୍ୟାଦି ଖାଇବା ଦେହ ପାଇଁ ହିତକର। ଏସବୁ ପରିବା ଡାଇଟାରୀ ଫାଇବର, ମିନେରାଲ ଏବଂ ଭିଟାମିନ ଏ, ସି ଭଳି ପୋଷକ ତତ୍ତ୍ବରେ ଭରପୁର ହୋଇଥାଏ। ଏହାଛଡ଼ା ଏଥିରେ ଥିବା ବିଟା କାରୋଟିନ ଆପଣଙ୍କ ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ।

ଫୁଲକୋବି ଓ ବ୍ରୋକଲି:

କ୍ଷୀର, ବିଭିନ୍ନ ସବୁଜ ପନିପରିବା ଓ ଫିଟନେସ୍ ଗତିବିଧି ବ୍ୟତୀତ ଆଉ କିଛି ପରିବା ମଧ୍ୟ ଶୀତ ଜନିତ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଫୁଲକୋବି ଓ ବ୍ରୋକଲି ଭିଟାମିନ-ସି ରେ ଭରପୂର, ଯାହା ପ୍ରତିରକ୍ଷା ପ୍ରଣାଳୀ ଉନ୍ନତ କରେ।

ଉଷୁମ କ୍ଷୀର:

କ୍ଷୀର ଓ ଦହି, ଚିଜ୍ ଭଳି ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ ଶୀତ ଦିନେ ଖାଇବା ଭଲ। କାରଣ ଏଥିରୁ ପ୍ରଚୁର ପରିମାଣରେ ଭିଟାମିନ ବି-୧୨ ଓ ଏ, ପ୍ରୋଟିନ ଓ କ୍ୟାଲସିୟମ ରହିଛି, ଯାହା ଶରୀର ସୁସ୍ଥ ରଖେ। ଅନେକ ଲୋକ ଶୀତ ଦିନେ ବାରମ୍ବାର ଥଣ୍ଡାରେ ପଡ଼ିଥାନ୍ତି। ଏହି ଲୋକମାନେ ପ୍ରତିଦିନ ଉଷୁମ କ୍ଷୀର ପିଇବା ଉଚିତ୍। ଏହା ଥଣ୍ଡା, ଜ୍ବରରୁ ରକ୍ଷା କରିଥାଏ।

ଗୁଡ:

ଗୁଡ଼କୁ ପୋଷକ ତତ୍ତ୍ବର ଭଣ୍ଡାର କୁହାଯାଏ। ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ପୋଟାସିୟମ, ହେଲ୍‌ଦି ଫ୍ୟାଟ୍, ଆଇରନ, ଭିଟାମିନ ବି, କ୍ୟାଲେସିୟମ, କପର ଓ ଜିଙ୍କ୍ ରହିଛି। ଇନ୍ଦୋରର ପୋଷଣ ବିଶେଷଜ୍ଞ ଡଃ ସଙ୍ଗୀତା ମାଲୁ କହିଛନ୍ତି ଯେ, ଗୁଡରେ ପ୍ରାକୃତିକ ସୁଗାର ସହ ଭରପୁର ନ୍ୟୁଟ୍ରିଏନ୍ସ ମିଳେ। ନିୟମିତ ଗୁଡ଼ ଖାଇଲେ ଶରୀରର ମେଟାବୋଲିକ ସ୍ବାସ୍ଥ୍ୟ ବଢ଼େ ଓ ଓଜନ ନିୟନ୍ତ୍ରଣରେ ରହେ। ଶୀତ ଦିନେ ନିୟମିତ ଗୁଡ଼ ଖାଉଥିବା ଲୋକଙ୍କ ଶରୀର ପ୍ରାକୃତିକ ଭାବେ ଗରମ ରହେ।

ଖଟା ଫଳ:

ଲେମ୍ବୁ, କମଳା, କାଗଜି ଆଦି ଖଟା ଜାତୀୟ ଫଳରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥାଏ। ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମ ସୁଦୃଢ କରିବାରେ ସାହାଯ୍ୟ କରେ। ବିଭିନ୍ନ ରୋଗ ସହ ଲଢ଼ିବାରୁ ଶରୀରକୁ ଶକ୍ତି ମିଳେ।

ଘିଅ:

ଶୀତ ଦିନେ ଘିଅ ଖାଇବା ଶରୀର ପାଇଁ ଲାଭଦାୟକ। ଏହା ଆପଣଙ୍କ ଶରୀରକୁ ଉଷୁମ ରଖେ। ଏଥିସହ ହେଲ୍‌ଦି ଫ୍ୟାଟ୍ ଓ ଏନର୍ଜି ଯୋଗାଏ। ଘିଅକୁ ନିଜର ଶୀତଦିନିଆ ଡାଏଟ୍ ଚାଟ୍‌ରେ ସାମିଲ କରିପାରିବେ।

ମାଛ ଓ ଅଣ୍ଡା:

ଶୀତ ଦିନେ ଅଧିକ ମାଛ, ଅଣ୍ଡା ଓ ପନିର ଖାଇପାରିବେ। ଏହି ଖାଦ୍ୟରେ ଭିଟାମିନ ବି୧୨ ଥାଏ ଯାହା ପ୍ରତିରକ୍ଷା ପ୍ରଣାଳୀକୁ ପ୍ରୋତ୍ସାହିତ କରେ। ଏହାକୁ ଖାଇଲେ ଥକ୍କାପଣ ବା ଦୁର୍ବଳତା ଦୂର ହୋଇଥାଏ।