ଜଗତର ଅନ୍ଧକାରକୁ ଦୂର କରି ଖୁସିର ଆଲୋକ ବୁଣୁଥିବା ପର୍ବ ଦୀପାବଳୀ । ଘନ ଅନ୍ଧାର ରାତିରେ ବି ଧରାପୃଷ୍ଠକୁ ଆଲୋକିତ କରୁଥିବା ପର୍ବ ଦୀପାବଳି। କେଉଁଠି ଧନ ଓ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ବିଧି ତ ଆଉ କେଉଁଠି ମା କାଳୀଙ୍କୁ ଉପାସନାର ସମୟ ତ ଆଉ କେଉଁଠି ପିତୃପୁରୁଷଙ୍କୁ ମନେପକାଇ ପୂଜାର୍ଚ୍ଚନା କରିବାର ପର୍ବ ହେଉଛି ଦୀପୀବଳୀ । ଭାରତର ଏକ ପ୍ରମୁଖ ପର୍ବ ଭାବେ ପାଳନ କରାଯାଏ ଦୀପୀବଳୀକୁ । କେବଳ ଯେ ଦୀପ ଜାଳି , ବାଣ ଫୁଟାଇ ଓ ମିଠା ଖାଇ ଏହା ପାଳନ କରାଯାଏନି ବରଂ ଆପଣ ଯଦି ଉତ୍ତର ଭାରତ ପଟେ ଦେଖିବେ ତାହାହେଲେ ସେଠୋରେ ଦୀପୀବଳୀକୁ ତିନିଦିନ ଧରି ଦୀପାବଳୀ ମନାଯାଏ । ବଡ ଦିୱାଲି , ଛୋଟି ଦିୱାଲି, ଧନତେରସ । ଘରକୁ ସଫା ସପତୁରା କରି ରଙ୍ଗୋଲି ପକାଇ ତିନିଦିନ ଧରି ଲୋକମାନେ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତି । ଏହି ସମୟରେ ସୁନା, ରୂପା, କିଣିଲେ ଧନ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ପଶ୍ଚିମବଙ୍ଗ, ଓଡିଶା, ଆସାମ, ତ୍ରିପୁରା, ଆଦି ରାଜ୍ୟରେ ଦୀପାବଳିରେ ମା କାଳୀଙ୍କ ଆରାଧନା କରାଯାଏ । ତେଣୁ ଏସବୁ ସ୍ଥାନରେ ଦୀପାବଳୀ କାଳୀପୂଜା ବା ଶ୍ୟାମାକାଳୀ ପୂଜା ନାଁରେ ପାଳନ କରାଯାଏ । ବିଶେଷକରି ପଶ୍ଚିମବଙ୍ଗରେ କାଳୀ ପୂଜାର ଆୟୋଜନ ବେଶ ଧୁମଧାମରେ ହୁଏ । ଏଠି ଶକ୍ତି ଉପାସନାର ପ୍ରଥା ବେଶ ପୁରୁଣା । ଖାସ କରି ପଶ୍ଚିମବଙ୍ଗର ଗାଁଗୁଡିକରେ ଏହି ସମୟରେ କାଳୀମାଙ୍କ ଆରାଧନା କରାଯାଏ । ନାଲି ମନ୍ଦାର ଫୁଲରେ ମାଙ୍କୁ ସଜାଯାଏ । ଅମାବାସ୍ୟା ରାତିରୁ ଆରମ୍ଭ ହୋଇ ଏଠି ୮ରୁ ୧୦ ଦିନ ବ୍ୟାପି ପୂଜାର ମାହୋଲ ଜମେ । ପୂଜାର ଶେଷ ଦିନ ମାଙ୍କ ବିରାଟ ପଟୁଆରା ଭସାଣୀ ପାଇଁ ଯେବେ ବାହାରେ ହଜାର ହଜାର ଭକ୍ତଙ୍କ ସମାଗମରେ ମାଙ୍କ ଜୟ ଜୟକାର ପଡେ । ସତେ ଯେପରି ଲାଗେ ଅଧର୍ମ ଉପରେ ଧର୍ମର ବିଜୟ କରି ମା ଲେଉଟି ଯାଉଛନ୍ତି ।

ପୌରାଣିକ ମାନ୍ୟତା:
ହିନ୍ଦୁ ଧର୍ମରେ ଏହା ହେଉଛି ଏକ ପବିତ୍ର ପର୍ବ, ଯାହାକି ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। କାରଣ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ ସୀତା ଓ ଭ୍ରାତା ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ତାଙ୍କ ଆଗମନର ପଥକୁ ଆଲୋକିତ କରିବା ପାଇଁ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ପୌରାଣିକ ମତାନୁସାରେ ସେହିଦିନଠାରୁ ଦୀପାବଳି ପାଳନ କରାଯାଉଛି। ଲଙ୍କାର ରାଜା ରାବଣଙ୍କୁ ମାରି ଶ୍ରୀରାମ ଅଯୋଧ୍ୟା ଫେରିଥିବାରୁ ଦୀପାବଳିକୁ ଆସୁରୀକ ଅନ୍ଧକାର ଉପରେ ଦୈବିଶକ୍ତିର ଉଜ୍ଜ୍ବଳ ପରିପ୍ରକାଶର ପ୍ରତୀକ ଭାବେ ମଧ୍ୟ ପାଳନ କରାଯାଉଛି।
