କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ ପୂଜା ପରମ୍ପରା ଏହାର ଦୁଇ ଶତାବ୍ଦୀ ପରେ କଟକରେ ଆରମ୍ଭ କରାଯାଇଥିଲା। ଚୈତନ୍ୟଦେବ ଓଡ଼ିଶାରେ ପାଦ ଦେବା ପରେ କଟକ ସହରରେ ଶାରଦୀୟ ପୂଜାର ଭିତ୍ତି ପଡ଼ିଥିବା ଅନୁମାନ କରାଯାଏ। ୧୫୧୦ରେ ଚୈତନ୍ୟଦେବଙ୍କ ସହ ଓଡ଼ିଆ ଆସିଥିବା ବାନାର୍ଜୀ ପରିବାର ପ୍ରଥମେ ଏଠାରେ ଦୁର୍ଗାଦେବୀଙ୍କ ପୂଜା ଆରମ୍ଭ କରିଥିଲେ। ବିନୋଦବିହାରୀରେ ଆରମ୍ଭ ହୋଇଥିଲା ଦେବୀଙ୍କ ଘଟପୂଜା। ୧୫୧୪ରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ାଯାଇ ଦେବୀ ଉପାସନା କରାଗଲା। ଏହାର ଦୁଇ ଶତାବ୍ଦୀ ପରେ ମାଛୁଆ ବଜାରରେ ଦେବୀଙ୍କ ମୂର୍ତ୍ତି ପୂଜାର ଶୁଭାରମ୍ଭ ହୋଇଥିଲା।

ସେହିପରି କଟକର ଆଉ ଗୋଟିଏ ପ୍ରାଚୀନ ପୂଜା ମଣ୍ଡପ ହେଉଛି ଵକ୍ସି ଵଜାରର ସର୍ପା ଦୁର୍ଗା। ଵଙ୍ଗୀୟ ଜମିଦାର ସ୍ବରୂପ ଚନ୍ଦ୍ର ଦାସ ୧୭୫୨ ମସିହାରେ ଏହି ଠାରେ ମା’ଙ୍କର ଶାରଦୀୟ ପୂଜା ଆରମ୍ଭ କରିଥିଲେ। ଏହି ମଣ୍ଡପରେ ମା’ଙ୍କର ଏଭଳି ପ୍ରତ୍ୟକ୍ଷତା ରହିଛି ଯେ,ପରିଵାରର ଲୋକେ ଓ ସମ୍ପର୍କୀୟ ମାନେ ଦେଶ ବାହାରେ ଥିଲେ ଵି ଶାରଦୀୟ ଦୁର୍ଗା ପୂଜା ବେଳେ କଟକରେ ପହଞ୍ଚିନ୍ତି। ଏପରିକି କୋଲକାତା ଦଶହରାର ଚମକ୍ ଛାଡି ଵଙ୍ଗୀୟ ଶ୍ରଦ୍ଧାଳୁ ମାନେ ଏହି ମଣ୍ଡପରେ ପୂଜା କରିଵା ପାଇଁ ଆସିଥାଆନ୍ତି।ସମ୍ପୂର୍ଣ୍ଣ ଵଙ୍ଗୀୟ ରିତୀନୀତିରେ ଏହି ମଣ୍ଡପରେ ପୂଜା ହେଉଥିବା ବେଳେ, ଏଠିକାର ମୂର୍ତ୍ତିକାର ମାନେ ଦୀର୍ଘ ୨୭୧ଵର୍ଷ ହେବ ଵଂଶାନୁକ୍ରମିକ ଭାବେ ଏହି ମଣ୍ଡପରେ ମୂର୍ତ୍ତି କାମ କରିଆସୁଛନ୍ତି।
