ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ପ୍ରଚାର ବେଳେ ବିରୋଧୀ ବିଜେପିକୁ କରୁଛନ୍ତି ଜୋରଦାର ଆକ୍ରମଣ । ଭୋଟ୍ ପାଇଁ ବିରୋଧୀ ମିଛ କଥା କୁହନ୍ତି, କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାବାସୀଙ୍କ ସହ ରହିଥାନ୍ତି କହି ଭୋଟରଙ୍କୁ ବୁଝାଉଛନ୍ତି । ଦଳୀୟ ପ୍ରୀର୍ଥୀଙ୍କୁ ଜିତାଇ ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଆହ୍ୱାନ ଦେଉଛନ୍ତି ।
ବିଜେଡି ନେତା ଭି.କେ.ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ଆଉ ସବୁ ସ୍ଥାନରେ ସ୍ଥାନୀୟ ପ୍ରସଙ୍ଗ ଉଠାଇବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ପାଣ୍ଡିଆନ କହିଛନ୍ତି, ଅନ୍ୟ ରାଜ୍ୟମାନେ ଟ୍ରାଇବାଲ ବଜେଟ କମାଇଚାଲିଛନ୍ତି । କିନ୍ତୁ ରାଜ୍ୟରେ ଜନଜାତି ଭାଇଭଉଣୀଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଭାରତର ଅନ୍ୟ କୌଣସି ରାଜ୍ୟରେ ଓଏସଡି ନାହିଁ । ଆଦିବାସୀ ଝିଅଙ୍କ ପାଠପଢା ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ପାଣ୍ଡିଆନ ଆହୁରି କହିଥିଲେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ୫୦ ହଜାରରୁ ଅଧିକ ମାମଲା ମୁଖ୍ୟମନ୍ତ୍ରୀ ରଦ୍ଦ କରିଛନ୍ତି । ଏହା କେହି କରିପାରିବେ ନାହିଁ , କେବଳ ନବୀନ ହିଁ କରିପାରିବେ ବୋଲି କହିଛନ୍ତି ପାଣ୍ଡିଆନ ।
ସବୁ ସଭାରେ ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, ନବୀନ ପଟ୍ଟନାୟକ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଉ ୩ଟି ମୁଖ୍ୟ ନିଷ୍ପତିରେ ଦସ୍ତଖତ କରିବେ । ଏଥିମଧ୍ୟରେ ରହିଛି ବିଜୁଳି ବିଲ ଛାଡ, ସମସ୍ତଙ୍କୁ ବିଏସକେୱାଇ କାର୍ଡରେ ସାମିଲ କରିବା ଓ ମିଶନଶକ୍ତି ମହିଳାଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା ।