ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହକାରୀ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ଶନିବାର ଦିନ ଦିଲ୍ଲୀ ପୁଲିସ ଗିରଫ କରିଛି। ବିଭବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ପଛ ଫାଟକ ପଟ ଦେଇ ବାହାରକୁ ନିଅାଯାଇଛି। ମାଲିୱାଲଙ୍କ ଅଭିଯୋଗ ପରେ ଦିଲ୍ଲୀ ପୁଲିସ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମାମଲା ରୁଜୁର ୨ ଦିନ ମଧ୍ୟରେ ପୁଲିସ୍ ବିଭବଙ୍କୁ ଗିରଫ କରିଛି। ତାଙ୍କ ଅଭିଯୋଗରେ ମାଲିୱାଲ କହିଛନ୍ତି ଯେ ସେ କେଜ୍ରିୱଲ୍ଙ୍କ ବାସଭବନକୁ ଗଲା ବେଳେ ବିଭବ କୁମାର ତାଙ୍କ ପେଟ ଓ ଛାତିକୁ ୭-୮ଟି ଗୋଇଠା ମାରିଛନ୍ତି।
ସ୍ବାତୀଙ୍କ କହିବା କଥା ହେଲା ସେ ବିଭବଙ୍କୁ ତାଙ୍କର ପିରିୟଡ (ମାସିକଧର୍ମ) ଚାଲିଛି ବୋଲି କହିବା ପରେ ବି ବିଭବ ମାରିବା ବନ୍ଦ କରିନଥିଲେ। ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ମାଲିୱାଲଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ନେଇ ସିନ୍-ରିକ୍ରିଏଟ୍ କରିଥିଲା। ସେଠାରେ ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ରାଙ୍କ ବୟାନ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ସଫେଇ ଦେଇ ବିଭବ କହିଛନ୍ତି ଯେ ତାଙ୍କ ଉପରେ “ଅଯଥା ଚାପ” ଚାପ ପକାଇବାକୁ ଚେଷ୍ଟା କରାଯାଇଛି। ସେ ଦାବି କରିଛନ୍ତି ଯେ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ମେ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ “ବଳପୂର୍ବକ” ପ୍ରବେଶ କରିବା ସମୟରେ ଏପରି ଘଟିଥିଲା।
ଶୁକ୍ରବାର ଦିନ ଦାଖଲ ହୋଇଥିବା ଅଭିଯୋଗରେ ବିଭବ କୁମାର ଅଭିଯୋଗ କରିଛନ୍ତି ଯେ ମାଲିୱାଲ “ବଳପୂର୍ବକ ତଥା ଆଇନ ଉଲଂଘନ କରି” କେଜ୍ରିୱାଲଙ୍କ ବାସଭବନରେ ଅନଧିକୃତ ପ୍ରବେଶ କରିବା ସହ ସେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି କହିଥିଲେ। ଜଣେ ସାଂସଦକୁ ଅଟକାଇବାକୁ ତୁମର ସାହସ କିପରି ହେଲା ବୋଲି ସେ ମୋତେ ପ୍ରଶ୍ନ କରି ଉତ୍ୟକ୍ତ ହୋଇ ଉଠିଥିଲେ ବୋଲି ବିଭବ କହିଛନ୍ତି।