ନ୍ୟୁଜ୍ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀକୁ ‌ଅବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ମାମଲାରେ ସୁପ୍ରିମକୋର୍ଟ ବୁଧବାର ନ୍ୟୁଜ୍ କ୍ଲିକ୍ ସମ୍ପାଦକ ପ୍ରବୀର ପୁରକାୟାସ୍ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମ୍ପାଦନକ ଦିଲ୍ଲୀ ପୁଲିସର ଗିରଫକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। କୋର୍ଟ ତାଙ୍କ ମାମଲାର ଶୁଣାଣି କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବି.ଆର ଗାଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ରିମାଣ୍ଡ କପି ପ୍ରଦାନ କରାଯାଇ ନାହିଁ, ଯାହା ଏହି ଗିରଫଦାରୀକୁ ବିକୃତ କରୁଛି। ସେଥିପାଇଁ ଗିରଫଦାଦୀକୁ ‘ଶୂନ୍ୟ (ଭୋଏଡ୍‌)’ ବୋଲି ବିବେଚନା କରାଗଲା।

ଜାମିନ ବଣ୍ଡ ପ୍ରଦାନ ଉପରେ ଟ୍ରାଏଲ କୋର୍ଟର ସନ୍ତୁଷ୍ଟତା ଆଧାରରେ ସମ୍ପାଦକଙ୍କୁ ମୁକ୍ତ କରାଯିବ ବୋଲି କୋର୍ଟ କହିଛନ୍ତି। ଗତ ବର୍ଷ ୟୁଏପିଏ ଅଧୀନରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ପୁରକାୟାସ୍ତାଙ୍କ ଗିରଫଦାରୀ ଓ ରିମାଣ୍ଡକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଛନ୍ତି। ଏହି ମାମଲାରେ ଚାର୍ଜସିଟ ଦାଖଲ ହେବା ପରଠାରୁ ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ବି କହିଛନ୍ତି ଯେ ଜାମିନ ପ୍ରଦାନ ପାଇଁ କ’ଣ ସର୍ତ୍ତ ରହିବ ତାହା ଟ୍ରାଏଲ କୋର୍ଟ ସ୍ଥିର କରିବେ।