ସିଙ୍ଗଲ ପ୍ୟାରେଣ୍ଟସ୍ ବା ଏକାକୀ ଅଭିଭାବକ ହେବା ଆଜିକାଲି ଅତି ସାଧାରଣ ହୋଇଗଲାଣି। ବହୁତ ସିଙ୍ଗଲ ପ୍ୟାରେଣ୍ଟସ୍ ନିଜ ସାମର୍ଥ ଅନୁଯାୟୀ ପିଲାମାନଙ୍କୁ ମଣିଷ କରୁଛନ୍ତି। ତେବେ ସିଙ୍ଗଲ ପ୍ୟାରେଣ୍ଟ କାହାକୁ କୁହନ୍ତି?
ଯେଉଁମାନଙ୍କର ଛାଡପତ୍ର ହୋଇଥିବ ନହେଲେ ଯେଉଁମାନେ ଲିଭ୍ ଇନ୍ ରହି ଶିଶୁ ଜନ୍ମ ଦେଇଥିବେ ସେମାନେ ସିଙ୍ଗଲ ପ୍ୟାରେଣ୍ଟ ହୋଇଥାନ୍ତି। କିମ୍ବା ଅନେକ କ୍ଷେତ୍ରରେ ଏମିତି ମଧ୍ୟ ଦେଖିବାକୁ ମିଳେ ଯେଉଁମାନେ ବିବାହ କରନ୍ତି ନାହିଁ ଏବଂ ଅବିବାହିତ ଅବସ୍ଥାରେ ପୌଷ୍ୟ ସନ୍ତାନ ଗ୍ରହଣ କରନ୍ତି। ଯେମିତି କି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ଶେନ୍। ସେ ମଧ୍ୟ ଜଣେ ସିଙ୍ଗଲ ପ୍ୟାରେଣ୍ଟ। ସେ ଦୁଇଟି କନ୍ୟାରତ୍ନଙ୍କୁ ପୌଷ୍ୟ ଭାବରେ ଗ୍ରହଣ କରିଛନ୍ତି।
ତେବେ ପରିସ୍ଥିତି ଯାହା ବି ହେଉ ନା କାହିଁକି, ସିଙ୍ଗଲ ପ୍ୟାରେଣ୍ଟିଂ ବଡ କଥା ନୁହେଁ। ବଡ କଥା ହେଉଛି ଜଣେ ସିଙ୍ଗଲ ପ୍ୟାରେଣ୍ଟ ଶିଶୁଟିକୁ ଉତ୍ତମ ମଣିଷ ଭାବରେ ଗଢି ତୋଳି ସମାଜରେ ଠିଆ କରାଇବା। ଏହା ନିଶ୍ଚିତ ଭାବରେ କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ। ସତର୍କ ରହିଲେ ଏବଂ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେଲେ ନିଶ୍ଚିତ ଭାବରେ ଜଣେ ସଙ୍ଗଲ ପ୍ୟାରେଣ୍ଟ ସଫଳ ହୋଇପାରିବେ।
ପିଲାମାନଙ୍କ ସହିତ ପାରିବାରିକ ସମୟ ବିତାନ୍ତୁ
ପିତାମାତାଙ୍କ ଛାଡପତ୍ର ପରେ ପିଲାମାନେ ଜୀବନକୁ ଭଲ ଭାବରେ ବଞ୍ଚିବା ପାଇଁ ଅନ୍ୟର ସାହାଯ୍ୟ ଖୋଜନ୍ତି। ପିତା ବା ମାତା ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଠାରୁ ଅଲଗା ହେବା ପରେ ସେମାନେ ଏକଲାପଣ ଅନୁଭବ କରନ୍ତି। ତେଣୁ ପ୍ରାୟତଃ ସେମାନେ ପାଖରେ ନଥିବା ଲୋକଟିକୁ ଝୁରି ହୁଅନ୍ତି। ତେଣୁ ଏଭଳି ପରିସ୍ଥିତିରେ ପିଲାଟିର ମନର ଶାନ୍ତ କରିବା ପାଇଁ ପାରିବାରିକ ସମୟ ବିତାନ୍ତୁ। ଅର୍ଥାତ୍ ସିଙ୍ଗଲ ପ୍ୟାରେଣ୍ଟ ନିଜ ପରିବାର ଯେମିତି ନିଜ ବାପା, ମା, ଭାଇ, ଭଉଣୀ ଏବଂ ପରିବାରର ଅନ୍ୟାନ୍ୟ ଲୋକଙ୍କ ସହ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ସାକ୍ଷାତ୍ କରାନ୍ତୁ। ପରିବାରରେ ଥିବା ଅନ୍ୟ ପିଲାମାନଙ୍କ ସହ ସେମାନଙ୍କୁ ମିଶାନ୍ତୁ। ଖେଳିବାକୁ ଛାଡନ୍ତୁ। ଏହା ଦ୍ବାରା ଧୀରେ ଧୀରେ ସେସମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବ। ଏସବୁ ପରେ ମଧ୍ୟ ସବୁଠାରୁ ବଡ କଥା ହେଉଛି, ଆପଣ ନିଜେ ମଧ୍ୟ ସମୟ ବାହାର କରି ପିଲାଟି ସହ ଅନେକ ସମୟରେ ବାର୍ତ୍ତାଳପ କରନ୍ତୁ। ସେମାନଙ୍କୁ ଅନୁଭବ କରାନ୍ତୁ ଯେ, ସର୍ବଦା ଆପଣ ସେମାନଙ୍କ ସହିତ ରହିଛନ୍ତି।
ସକରାତ୍ମକ ରୁହନ୍ତୁ
ଏହା ଅତ୍ୟନ୍ତ ଜରୁରୀ ଯେ ସବୁବେଳେ ନିଜ ଜୀବନରେ ସକରାତ୍ମକ ରୁହନ୍ତୁ। ସିଙ୍ଗଲ ପ୍ୟାରେଣ୍ଟଙ୍କୁ ଉଭୟ ପିତା ଓ ମାତାର ସମସ୍ତ ଦାୟିତ୍ୱ ନେବାକୁ ପଡିଥାଏ । ତେଣୁ ବେଳେବେଳେ ନକରାତ୍ମକ ଚିନ୍ତା ମନକୁ ଆସେ। ଏହାକୁ ଦୂରେଇ ରଖନ୍ତୁ। ଏହାର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିପାରେ।
ଭଲ ଆଚରଣ ପାଇଁ ପୁରସ୍କାର
ନିୟମ ଏବଂ ସୀମାର ଏକ ସେଟ୍ ପ୍ରସ୍ତୁତ କରିବା ସହ ପିଲାମାନେ ତୁମ ଠାରୁ କ’ଣ ଆଶା ରଖିବେ ତାହା ସେମାନଙ୍କୁ ଜାଣିବାକୁ ଦିଅନ୍ତୁ। ସେମାନେ କ’ଣ କରିବା ଉଚିତ୍ ଏବଂ କ’ଣ ନ କରିବା ଉଚିତ୍ ତାହା ମଧ୍ୟ ସେମାନୁ ଜଣାଇବାକୁ ପଡିବ। ଭଲ କାମ କରିବା ପରେ ସେମାନଙ୍କୁ ପୁରସ୍କାର ଦେବାକୁ ଭୁଲନ୍ତୁ ନାହିଁ। ସେମାନଙ୍କୁ ଭଲ ଲାଗିବା ଭଳି ପୁରସ୍କାର ଦିଅନ୍ତୁ ଏବଂ ଅନୁଶାସନକୁ ଅନୁସରଣ କରିବା ଶିଖାନ୍ତୁ ।
ନିଜ ପାଇଁ ଏକ ସପୋର୍ଟ ସିଷ୍ଟମ ବନାନ୍ତୁ
ସିଙ୍ଗଲ ପ୍ୟାରେଣ୍ଟିଂରେ ସବୁ କାର୍ଯ୍ୟ ଜଣଙ୍କୁ କରିବାକୁ ପଡୁଥିବାରୁ ବେଳେବେଳେ ଏକାକୀ ଅନୁଭବ କରିପାରନ୍ତି। ତେଣୁ ନିଜ ପାଇଁ ସପୋର୍ଟ ସିଷ୍ଟମ ତିଆରି କରନ୍ତୁ। ଯାହା ଦ୍ବାରା ଚାପରୁ ନିଜକୁ ମଧ୍ୟ ରିଲାକ୍ସ କରିପାରିବେ।
କ୍ରୋଧ ଉପରେ ନିୟନ୍ତ୍ରଣ
ସମସ୍ତ ଦାୟିତ୍ବ ଏକାକୀ ପରିଚାଳନା କରିବା ସମୟରେ ବେଳେବେଳେ କ୍ରୋଧ ଆସେ କିମ୍ବା ବିରକ୍ତିଭାବ ମଧ୍ୟ ପ୍ରକାଶ ପାଏ। କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। କାରଣ କ୍ରୋଧ ସବୁ କିଛି ନଷ୍ଟ କରିପାରେ।
ଅନ୍ୟମାନଙ୍କ କ୍ରୋଧ କିମ୍ବା ଆପଣଙ୍କ କାମର କ୍ରୋଧକୁ ପିଲାମାନଙ୍କ ଉପରେ ବାହାର କରନ୍ତୁ ନାହିଁ। ସେମାନଙ୍କୁ ଗାଳି ଦେବା ଏବଂ ମାରିବା ପରିବର୍ତ୍ତେ ଶାନ୍ତ ଭାବରେ ସେମାନଙ୍କ ସହ କଥା ହୁଅନ୍ତୁ।