ମହାଭାରତ ଯୁଦ୍ଧ ଏକ ପୌରାଣିକ କଥା ବସ୍ତୁ ନୁହେଁ। ଏହା ଏକ ଜୀବନ ଦର୍ଶନ। ପ୍ରକୃତ ମହାଭାରତ ଯୁଦ୍ଧ ଆମେ ଜାଣିଛେ ଯେ ପାଣ୍ଡବ ପାଞ୍ଚ ଭାଇ ଓ କୌରବ ଶହେ ଭାଇଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ। ଏ ଯୁଦ୍ଧ ର ଅର୍ଥ କଣ?
ମହାଭାରତ ଯୁଦ୍ଧ ପରେ ସଂଜୟ ଯୁଦ୍ଧ କ୍ଷେତ୍ରକୁ ପରିଦର୍ଶନ କରିବାକୁ ଯାଇ ଥିଲେ। ତାଙ୍କ ମନରେ ସନ୍ଦେହ ଆସିଲା ଯେ ସତରେ କ’ଣ ଏହି ସ୍ଥାନରେ ଏତେ ବଡ ଯୁଦ୍ଧ ହୋଇଥିଲା? ଏତେ ବଡ଼ବଡ଼ ଯୋଦ୍ଧା ଏ ଯୁଦ୍ଧରେ ନିହତ ହୋଇଥିଲେ? ହଠାତ କାହାର ଡାକରେ ସେ ପଛକୁ ବୁଲି ପଡିଲେ। ଦେଖିଲେ ଜଣେ ସାଧୁ ଦଣ୍ଡାୟମାନ ହୋଇ ତାଙ୍କରି ଉଦ୍ଦେଶ୍ୟରେ କହୁଛନ୍ତି, ସଂଜୟ ଏହା ସତ୍ୟ। ଯୁଦ୍ଧ ହୋଇଥିଲା ଏବଂ ଲକ୍ଷ ଲକ୍ଷ ଲୋକ ପ୍ରାଣପାତ କରିଥିଲେ। ଏ ଯୁଦ୍ଧ କେବଳ କୁରୁକ୍ଷେତ୍ରରେ ହୋଇନଥିଲା। ଏ ଯୁଦ୍ଧ ଏବେ ମଧ୍ୟ ଚାଲିଛି। ସଂଜୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମହାଭାରତ ଯୁଦ୍ଧ ଏବେ ବି ଚାଲିଛି? କେଉଁଠି? ସାଧୁ ଗମ୍ଭୀର ହୋଇ କହିଲେ, ତୁମ ଶରୀର ହିଁ କୁରୁକ୍ଷେତ୍ର। ଏଠାରେ ଅନବରତ ମହାଭାରତ ଯୁଦ୍ଧ ଚାଲିଛି। କହୁଛି ଶୁଣ…
ପାଣ୍ଡବ ପାଞ୍ଚ ଭାଇ। ଏହି ପାଞ୍ଚ ଜଣ ତୁମର ପଞ୍ଚେନ୍ଦ୍ରୀୟ। ଆଉ ସଂସାର ହିଁ କୌରବ। ଯେଉଁମାନେ ଏହି ପାଞ୍ଚ ଭାଇଙ୍କୁ ସର୍ବଦା ଆକ୍ରମଣ କରନ୍ତି। ଆମର ପ୍ରଧାନ କାର୍ଯ୍ୟ ଏମାନଙ୍କୁ ରକ୍ଷା କରିବା ଅର୍ଥାତ୍ ଆମର ପଞ୍ଚେନ୍ଦ୍ରୀୟକୁ ସୁରକ୍ଷା ଦେବା। ତେବେ ଏହାକୁ ରକ୍ଷା କରିବ କିଏ ? ସଂଜୟ କହିଲେ ସ୍ଵୟଂ ଭଗବାନ। ସାଧୁ ହସିହସି କହିଲେ ଏହି ଭଗବାନ ହେଉଛନ୍ତି ତୁମର ବିବେକ।
ସଂଜୟ ପୁଣି ପ୍ରଶ୍ନ କଲେ, ଏତେ ଜ୍ଞାନୀ ହୋଇ ମଧ୍ୟ ପିତା ମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ କାହିଁକି କୌରବଙ୍କ ପକ୍ଷରେ ରହିଲେ ? ସାଧୁ ଜଣକ କହିଲେ ଏମାନେ କିଏ? ଏମାନେ ହେଲେ ଭ୍ରମ ବା ମାୟା। ଦ୍ରୋଣାଚାର୍ଯ୍ୟ ହେଲେ ଅସୁରକ୍ଷିତ ଭବିଷ୍ୟତ। ମୋଟା ମୋଟି କହିବାକୁ ଗଲେ ଏମାନେ ହେଉଛନ୍ତି କାମନା। ଭୀଷ୍ମ ସର୍ବଦା ହସ୍ତିନାପୁରକୁ ସୁରକ୍ଷା ଦେବେ ବୋଲି ତାଙ୍କ ମନରେ ଯେଉଁ ଅଂହ ଥିଲା, ଅର୍ଜୁନ ଦ୍ଵାରା ଧରାଶାୟୀ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ଅଂହ ବା ଭ୍ରମକୁ ଜାବୁଡି ଧରିଥିଲେ। ଆଉ ଦ୍ରୋଣାଚାର୍ଯ୍ୟ ନିଜର ଭବିଷ୍ୟତକୁ ସୁରକ୍ଷା କରିବା ପାଇଁ ତାଙ୍କ ମନରେ ପ୍ରବଳ କାମନା ଥିଲା। ସଂଜୟ ପୁଣି ପଚାରିଲେ ଏମାନେ ବୟୋଜ୍ୟେଷ୍ଠ ଏମାନଙ୍କ କଥା ତ କୌରବ ମାନେ ପାଳିଥାଆନ୍ତେ ? ସାଧୁ ପୁଣି ହସି ଦେଲେ।
ସମୟ ଗତିଶୀଳ। ଯେତେ ଯେତେ ତୁମ ବୟସ ବଢୁ ଥିବ, ତୁମର ସ୍ଵଭାବ ବଡମାନଙ୍କ ପ୍ରତି ସେତେ ବଦଳି ଯିବ। ତୁମେ ଶିଶୁ ଥିବା ସମୟରେ ବଡମାନଙ୍କ କଥା ଠିକ୍ ଲାଗୁଥିବ। ତୁମର ବୟସ ବୃଦ୍ଧି ସହ ତୁମେ ବଡ଼ ମାନଙ୍କ ପାଖରେ ତ୍ରୁଟି ଖୋଜିବାକୁ ଆରମ୍ଭ କରିବ। ତୁମେ ସେମାନଙ୍କ କଥା ଶୁଣିବ କି ନାହିଁ ତାହା ତୁମ ଉପରେ ନିର୍ଭର କରେ। ଏହି ଘଡିସନ୍ଧି ମୁହୂର୍ତ୍ତରେ କେବଳ ଭଗବାନଙ୍କ ବାଣୀ ବା ଗୀତା ଉପଦେଶ ହେଉଛି ମୁଖ୍ୟ। ଯାହାକି ତୁମର ବିବେକ।
ସଂଜୟ ପୁଣି ପଚାରିଲେ, କର୍ଣ୍ଣ ତ ପାଣ୍ଡବ ମଧ୍ୟ ରୁ ଜଣେ, ସେ କାହିଁକି କୌରବଙ୍କ ପକ୍ଷ ନେଲେ। ସାଧୁ ମୁଣ୍ଡ ହଲାଇ କହିଲେ ହଁ କର୍ଣ୍ଣ ମଧ୍ୟ ପାଣ୍ଡବଙ୍କ ଭାଇ, ହେଲେ ସେ ଆଉ କେହି ନୁହେଁ ସେ ଆମର ବାସନା। ବାସନା କର୍ଣ୍ଣ ଭଳି ପଶ୍ଚାତାପ କରେ। କାହିଁକି ସେ କୌରବ ଙ୍କ ସପକ୍ଷରେ ଗଲା? ବାସନା ପଶ୍ଚାତାପ କରି ମଧ୍ୟ ସେ ନିଜର କାର୍ଯ୍ୟ ଶୈଳୀ ଯୁକ୍ତି ଯୁକ୍ତ ବୋଲି ପ୍ରମାଣ କରି ପର ମୁହୂର୍ତ୍ତରେ ପୁନରାୟ ସେହି କାର୍ଯ୍ୟର ପୁନରାବୃତ୍ତି କରେ।
ମଣିଷ ସାରା ଜୀବନ ନିଜର ବିଷୟ ସମ୍ପତ୍ତି, ପଦମର୍ଯଦା କୁ ନେଇ ନିଜକୁ ବଡ ଭାବେ। ତା ମନର ଏହି ଅହଂକାର ଏକ ଭ୍ରମ। ଯାହା ତାକୁ ଜାବୁଡ଼ି ଧରେ ଠିକ ଭୀଷ୍ମଙ୍କ ପରି। ତେଣୁ ଏହି ମହାଭାରତ ଯୁଦ୍ଧ ସନ୍ଦେଶ ଦିଏ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରନି ଆମେ ଆମର ଅଂହ ଦ୍ଵାରା କିଛି ବି ହାସଲ କରି ପାରିବା ନାହିଁ। ଆମେ ଅର୍ଜୁନ ପରି ପରମାତ୍ମା ବା ଆପର ବିବେକ ର ଶରଣାପନ୍ନ ହେବା। ଯିଏକି ଆମର ଏହି ଜୀବନ ଯୁଦ୍ଧ ରେ ଆମକୁ ବିଜୟ ପ୍ରାପ୍ତ କରାଇବ।
ଲେ-ସୁଚିତ୍ରା ମିଶ୍ର।