ବ୍ରିଟିଶ ସମୟରେ ଦେଶର ପ୍ରଥମ ମହିଳା ମନ୍ତ୍ରୀ, ଜାଣନ୍ତୁ ତାଙ୍କ ସଂଗ୍ରାମର କାହାଣୀ

ବ୍ରିଟିଶ ସମୟରେ ମହିଳାମାନେ ଏତେ ଅଧିକାର ପାଇନଥିଲେ। କିନ୍ତୁ କିଛି ମହିଳା ଥିଲେ ଯେଉଁମାନେ ସମଗ୍ର ଭାରତରେ ମହିଳାମାନଙ୍କ ସ୍ଥିତିକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବିଜୟଲକ୍ଷ୍ମୀ ପଣ୍ଡିତ। ବିଜୟଲକ୍ଷ୍ମୀ ପଣ୍ଡିତ ହେଉଛନ୍ତି ପ୍ରଥମ ମହିଳା ଯିଏକି ଭାରତୀୟ ରାଜନୀତିରେ ପ୍ରଥମ ସ୍ଥାନ ପାଇଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭଉଣୀ ଥିଲେ। ତାଙ୍କର ଅନ୍ୟ ଏକ ପରିଚୟ ହେଉଛି ପରାଧୀନ ଭାରତର କ୍ୟାବିନେଟ୍ ମନ୍ତ୍ରୀ ଥିଲେ।

ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା

ସ୍ୱାଧୀନତା ଆନ୍ଦୋଳନରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୮ ଅଗଷ୍ଟ ୧୯୦୦ରେ ନେହେରୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଘରେ ନିଜର ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ୧୯୨୧ ମସିହାରେ ପ୍ରସିଦ୍ଧ ଓକିଲ ରଣଜିତ ସୀତାରାମ ପଣ୍ଡିତଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ ୧୯୪୪ ମସିହାରେ ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ରାଜନୀତିରେ ସକ୍ରିୟ ଥିଲେ

ବିଜୟ ଲକ୍ଷ୍ମୀ ପଣ୍ଡିତ ପୂର୍ବରୁ ରାଜନୀତିରେ ଆଗ୍ରହ ପ୍ରକାଶ କରିଥିଲେ, ଦେଶର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହେବା ପରେ ସେ ରାଜନୀତିରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବାବେଳେ ସେ ୧୯୩୨-୩୩, ୧୯୪୦ ଏବଂ ୧୯୪୨-୪୩ରେ ଜେଲ ଯାଇଥିଲେ।

୧୯୩୭ରେ ମନ୍ତ୍ରୀ ପଦ

୧୯୩୭ମସିହାରେ ଦେଶ ବ୍ରିଟିଶ ଅଧୀନରେ ଥିବା ବେଳେ ବିଜୟ ଲକ୍ଷ୍ମୀ ପଣ୍ଡିତ ପ୍ରଥମ ଭାରତୀୟ ମହିଳା ଭାବରେ ମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିଲେ। ଐତିହାସିକ ପ୍ରଫେସର ଜେ.ଏନ୍ ପାଲ୍‌ଙ୍କ ବ୍ୟାଖ୍ୟା ଅନୁଯାୟୀ, ବିଜୟ ଲକ୍ଷ୍ମୀ କେବଳ ଜବାହରଲାଲ ନେହେରୁଙ୍କ ଭଉଣୀ ବୋଲି ପରିଚିତ ନଥିଲେ ବ୍ରିଟିଶ ଶାସନରେ ପ୍ରଥମ ମହିଳା  କ୍ୟାବିନେଟ ମନ୍ତ୍ରୀ ଭାବରେ ସୁନାମ ଅର୍ଜନ କରିଥିଲେ । ସେ ୧୯୩୭ମସିହାରେ ଉତ୍ତର ପ୍ରଦେଶର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ କ୍ୟାବିନେଟରେ ସ୍ଥାନ ପାଇଥିଲେ। କ୍ୟାବିନେଟରେ ବିଜୟ ଲକ୍ଷ୍ମୀଙ୍କୁ ସ୍ଥାନୀୟ ସ୍ୱୟଂ ଶାସନ ଏବଂ ଜନସ୍ୱାସ୍ଥ୍ୟ ବିଭାଗରେ ମନ୍ତ୍ରୀ ପଦ ମିଳିଥିଲା। ସେ ୧୯୩୯ ପର୍ଯ୍ୟନ୍ତ ଏବଂ ପୁନର୍ବାର ୧୯୪୬ ରୁ ୧୯୪୭ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।

୧୯୬୨ ରୁ ୧୯୬୪ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ। ଏହା ପରେ ୧୯୬୮ ମସିହାରେ ସେ ଫୁଲପୁରରୁ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତିରେ ସେ ଇନ୍ଦିରା ଗାନ୍ଧୀଙ୍କୁ ସମାଲୋଚନା କରି  ତାଙ୍କୁ ପରାସ୍ତ କରିବାକୁ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ସମର୍ଥନ କରିଥିଲେ। ୧୯୭୭ ମସିହାରେ ସେ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ, କିନ୍ତୁ ସେ ସମୟରେ ସଂଜୀବ ରେଡ୍ଡୀ ସର୍ବସମ୍ମତି କ୍ରମେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।

ମିଳିତ ଜାତିସଂଘରେ ବିଶେଷ ସଫଳତା

ମିଳିତ ଜାତିସଂଘରେ ବିଜୟଲକ୍ଷ୍ମୀ ପଣ୍ଡିତଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା। ୧୯୪୬ ରୁ ୧୯୬୮ ମଧ୍ୟରେ ସେ ପର୍ଯ୍ୟାୟକ୍ରମେ ମିଳିତ ଜାତିସଂଘରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ। ୧୯୫୩ମସିହାରେ ସେ ମିଳିତ ଜାତିସଂଘ ସାଧାରଣ ସଭାର ପ୍ରଥମ ମହିଳା ଅଧ୍ୟକ୍ଷା ହେବାର ସୌଭାଗ୍ୟ ପାଇଥିଲେ। ଏହା ପରେ ୧୯୭୮ରେ ବିଜୟଲକ୍ଷ୍ମୀ ମିଳିତ ଜାତିସଂଘ ମାନବ ଅଧିକାର ଆୟୋଗରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

୧୯୯୦ ଡିସେମ୍ବର ୧ ତାରିଖରେ ବିଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଥିଲା।