ଜେଜେମା କାହାଣୀ ଶୁଣିଥିବେ, ଜେଜେମା ନୁକ୍ସା ବା ଘରୋଇ ପଦ୍ଧତି ବିଷୟରେ ଶୁଣିଥିବେ। କିନ୍ତୁ ଜେଜେମାଙ୍କ ବ୍ୟବସାୟ ବିଷୟରେ ଶୁଣିଛନ୍ତି କି ?
ଆଜ୍ଞା ହଁ, ଯେଉଁ ବୟସରେ ମଣିଷ ଅନ୍ୟ ଉପରେ ନିର୍ଭର ହୁଏ, ସେହି ବୟସରେ ଏହି ଜେଜେମା ଜଣଙ୍କ ଷ୍ଟାର୍ଟଅପ୍ ଅନଲାଇନ୍ ବ୍ୟବସାୟ ଚଳାଉଛନ୍ତି। ଆମେ କହୁଛୁ ୯୧ ବର୍ଷିୟ ଲତିକା ଚକ୍ରବର୍ତ୍ତୀଙ୍କ ବିଷୟରେ । ଯିଏ ପ୍ରମାଣ କରିଛନ୍ତି ସାହସ, ନିଷ୍ଠା ଏବଂ ଦୃଢ ଇଚ୍ଛାଶକ୍ତି ବଳରେ କିଛି ବି ହାସଲ କରିହେବ।

ଆସାମର ଧୁବରୀ ନିବାସୀ ଲତିକା ଚକ୍ରବର୍ତ୍ତୀ ୯୧ ବର୍ଷ ବୟସରେ ଅନଲାଇନ୍ ବ୍ୟବସାୟ ସମ୍ଭାଳୁଛନ୍ତି। ସେ ନିଜର ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ପୋଟଳି ବ୍ୟାଗ୍ ତିଆରି କରି ଅନଲାଇନରେ ବିକ୍ରି କରୁଛନ୍ତି। କିଛି ବର୍ଷ ପୂର୍ବେ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କ ହାତ ତିଆରି ବ୍ୟାଗ୍ କେବଳ ଦେଶ ନୁହେଁ ବିଦେଶୀ ଗ୍ରାହକଙ୍କୁ ମଧ୍ୟ ଆକର୍ଷିତ କରିଛି।

ସେ ସବୁବେଳେ ପୁରୁଣା ଜିନିଷକୁ ଡିଜାଇନ୍ କରି ନୂଆ ଲୁକ୍ ଦେବାକୁ ପସନ୍ଦ କରନ୍ତି। ଏହି ପ୍ରତିଭାକୁ ସେ ନିଜ ଭିତରେ ଆଜି ଯାଏଁ ବଞ୍ଚାଇ ରଖିଛନ୍ତି। ଆରମ୍ଭରୁ ସିଲେଇ ଏବଂ ଏମ୍ବ୍ରୋଡୋରୀ ପ୍ରତି ତାଙ୍କର ଆଗ୍ରହ ଥିଲେ। ସେ ନିଜ ପିଲାମାନଙ୍କ ପାଇଁ ହାତରେ ପୋଷାକ ସିଲେଇ କରୁଥିଲେ। ଅନ୍ୟମାନଙ୍କୁ ମଧ୍ୟ ନିଜ ହାତ ତିଆରି ଜିନିଷ ଉପହାର ଦେଉଥିଲେ।

ଏଠାରେ କହି ରଖୁଛୁ ଯେ, ଲତିକାଙ୍କ ସ୍ୱାମୀ ସର୍ଭେ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ଥିଲେ। ସେହି ସମୟରେ ତାଙ୍କୁ ବିଭିନ୍ନ ସହରକୁ ସ୍ଥାନାନ୍ତର କରାଯାଉଥିଲା। ଏପରି ପରିସ୍ଥିତିରେ, ଲତିକା ଯାଇଥିବା ପ୍ରତ୍ୟେକ ସହରର କିଛି ନୂଆ ନୂଆ ଡିଜାଇନ୍ ଶିଖିବାକୁ ଲାଗିଲେ। ପରେ ସେଗୁଡ଼ିକୁ ବ୍ୟବହାର କରି ସେ ନିଜର ନୂଆ ଡିଜାଇନ୍ ତିଆରି କରିବା ଆରମ୍ଭ କଲେ। ସବୁଠୁ ବଡ କଥା ହେଲା, ଅଧିକାଂଶ ଡିଜାଇନ୍ ତିଆରି କରିବା ପାଇଁ ନିଜର ପୁରୁଣା ସୁଟ୍ ଏବଂ ସାଢୀ ବ୍ୟବହାର କରନ୍ତି।

ତାଙ୍କର ଏହି ପ୍ରତିଭା ବିଷୟରେ ଜାଣିବା ପରେ ବ୍ୟାଗ ତିଆରି କରି ବ୍ୟବସାୟ ଆରମ୍ଭ କରିବାକୁ ତାଙ୍କ ବୋହୂ ପରାମର୍ଶ ଦେଇଥିଲେ। ଏଥିରେ ତାଙ୍କ ପୁଅ ମଧ୍ୟ ସହାଯ୍ୟ କରିଥିଲେ। ଏକ ୱେବସାଇଟ୍ ଡିଜାଇନ୍ କରି ମା’ଙ୍କ ହାତ ତିଆରି ବ୍ୟାଗ ବିକ୍ରି ଆରମ୍ଭ କରିଥିଲେ। ଏପରି ଭାବରେ ଆରମ୍ଭ ହୋଇଥିଲା ଜେଜେମାଙ୍କ ଅନ୍ଲାଇନ୍ ବ୍ୟବସାୟ। ଲତିକା ନିଜର ୬୪ ବର୍ଷର ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ପୁରୁଣା ଶାଢୀ ଏବଂ ପୋଷାକରୁ ହ୍ୟାଣ୍ଡବ୍ୟାଗ୍ ତିଆରି କରି ନୂଆ ରୂପରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି।
ଆଜି ବି ଅନେକ ଯୁବକଯୁବତୀ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ସରକାରୀ ବା ବେସରକାରୀ ଚାକିରୀକୁ ଅପେକ୍ଷା କରିବସିଛନ୍ତି। ଅନେକ ବେକାର ହୋଇ ବୁଲୁଛନ୍ତି ବା ଚିନ୍ତାଗ୍ରସ୍ତ ହୋଇ ଜୀବନ ହାରୁଛନ୍ତି। ସେମାନଙ୍କ ପାଇଁ ଜେଜେମାଙ୍କ ଏହି ଷ୍ଟାର୍ଟଅପ୍ ବ୍ୟବସାୟ ପ୍ରେରଣାର ଉତ୍ସ ହେବ ବୋଲି ଆମେ ଆଶା କରୁଛୁ।