ସବୁଜ ଓ ଲାଲ ରଙ୍ଗର ବର୍ଡର ସହିତ ଧଳା ରଙ୍ଗର ସାନ୍ତାଳୀ ଶାଢୀ । ପାଦରେ ଚପଲ ଏବଂ ମୁହଁରେ ହସ। ଶପଥ ଗ୍ରହଣ ସମାରୋହରେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏଭଳି ରୂପରେ ଦେଖିବାକୁ ମିଳିଥିଲା। ଏହି ସାନ୍ତାଳୀ ଶାଢୀ ହସ୍ତତନ୍ତ ଦ୍ୱାରା ନିର୍ମିତ। ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସହିତ ମେଳ ଖାଉଛି। ଶପଥ ଗ୍ରହଣ ସମାରୋହ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତିର ପିତା ମହାତ୍ମା ଗାନ୍ଧୀ ସମାଧୀସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ପୂର୍ବାହ୍ଣ ପ୍ରାୟ ୧୦ଟା ୧୪ ମିନିଟ୍ରେ ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ଉତ୍ସବରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣନ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହାପରେ ତାଙ୍କର ପ୍ରଥମ ସମ୍ବୋଧନ ୧୮ ମିନିଟ ଧରି ଚାଲିଥିଲା। ପଶ୍ଚିମଓଡିଶା ଭାଷାରେ ଜୁହାର କହି ନିଜ ଅଭିଭାଷଣ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜକୁ ଶ୍ରୀକ୍ଷେତ୍ର ଓ ଓଡିଶା ମାଟିର ଝିଅ ବୋଲି କହିଥିଲେ।
ଗରୀବମାନେ ମଧ୍ୟ ସ୍ୱପ୍ନ ଦେଖିପାରନ୍ତି ଏବଂ ପୂରଣ କରିପାରନ୍ତି, ବିର୍ସା ମୁଣ୍ଡାଙ୍କ ବଳିଦାନ ଦ୍ୱାରା ଅନୁପ୍ରାଣିତ, ଭାରତର ସଫଳତା, ଜଳ, ଜଙ୍ଗଲ ଏବଂ ଜଳାଶୟକୁ ମୁଁ ଅନୁଭବ କରିଛି, ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ, ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ପୂରଣ କରିବା ଆମ ଦାୟିତ୍ବ , ମହିଳା ଏବଂ ଯୁବକଙ୍କ ସ୍ୱାର୍ଥ ସର୍ବାଧିକ ହେବ , ଯୁବକମାନଙ୍କୁ ମୋର ସମ୍ପୂର୍ଣ୍ଣ ସହଯୋଗ ମିଳିବ ବୋଲି ଏଭଳି ୧୦ ପ୍ରସଙ୍ଗ ଉପରେ ଅଭିଭାଷଣରେ ଆଲୋକପାତ କରିଥିଲେ।
ମହାନ୍ ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ‘‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’’ ସନ୍ଥକବି ଭୀମଭୋଇଙ୍କର ଏହି ପକ୍ତିଂ ଆବୃତ୍ତି କରିଥିବା ଦେଖିବାକୁ ମିଳିଥିଲା। କେବଳ ସେ ନୁହେଁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଏହି ପକ୍ତିଂର ପୁନରାବୃତ୍ତି କରିଥିଲେ।
ଏହି ଅବସରରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କ୍ୟାବିନେଟ ମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।