ପଥ ରହିଅଛି ରଥକୁ ଚାହିଁ,
କେବେ ଆସିବେ ମୋ କଳା ଗୋସେଇଁ।
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ,
ଜନ୍ମବେଦୀ ଯିବ ଜଗା ଗହଳ ଲଗାଇ।
ସଭିଏଁ କୁହନ୍ତି ତୁମକୁ ବିଶ୍ବନିୟନ୍ତା, କିନ୍ତୁ ମୁଁ କୁହେ ତୁମକୁ ସାଧାରଣ ଜନତା। ତୁମର ତ ସବୁ ବଡ଼ ଯେପରିକି ବଡ଼ଦାଣ୍ଡ, ବଡ଼ଦିଅଁ, ବଡ଼ପଣ୍ଡା ଇତ୍ୟାଦି, ମାତ୍ର ହେ ମହାବାହୁ କାହିଁ ଆଜି ପ୍ରତୀୟମାନ ହେଉନାହିଁ ତୁମେ ବଡ଼ ବୋଲି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଲୀଳାମୟ ଆଜି ସତେ ଯେମିତି ଜଣେ ସାଧାରଣ ଜନତା। କିଏ ତାଙ୍କୁ ଟାଣି ନେଉଛି ତ କିଏ ତାଙ୍କୁ ଆଲିଙ୍ଗନ କରି କଚି କଚି ରଥକୁ ଭିଡ଼ି ନେଉଛି, ତଥାପି ସେ ନିର୍ବିକାର। ନା ଅଛି ଅହଙ୍କାର ନା ଅଛି ଅହମିକା। ମନବବାଦର ଧର୍ମ ପାଳନ କରି ପ୍ରଭୁ ମୋର ଆଜି ସଭିଙ୍କ ଗହଣରେ ବିରାଜମାନ। ନା ତୁମର ହାତ ଅଛି ନା ଅଛି ଗୋଡ଼, ତଥାପି ତୁମେ ଚାଲି ଚାଲି ଆସୁଛ, ଭକ୍ତର ଭାବନାରେ ଜଡ଼ିତ ହେଉଛ, ଆଉ ଜଣେ ସାଧାରଣ ଜନତା ପରି ସଭିଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ରଥାରୂଢ଼ ହେଉଛ। କି ମାୟା ଅଛି କେଜାଣି ତୁମର କଳା ରଙ୍ଗରେ ଆକର୍ଷିତ ମାନବ, ଦେବତା, ଯକ୍ଷ, କିନ୍ନର, ଗନ୍ଧର୍ବ ଆଉ ପୁଣି ଏହି ସାରା ସଂସାର। ବର୍ଷକରେ ଥରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାବାହୁ ଭାଇ ଭଉଣୀଙ୍କୁ ସାଥୀରେ ଧରି ରତ୍ନବେଦୀରୁ ଧାଇଁ ଆସନ୍ତି ନିଜର ଜନ୍ମବେଦୀକୁ, କେବଳ ଭକ୍ତଙ୍କୁ ଟିକିଏ ଦେଖିବା ପାଇଁ। କିଏ ଡ଼ାକୁଛି ତୁମକୁ ମଣିମା ତ ଆଉ କିଏ କହେ ପ୍ରଭୁ ଟିକେ ଗୁହାରୀ ଶୁଣିମା। ସେଥିପାଇଁ ତୁମେ ଆଜି ମୋହମାୟାଠାରୁ ଉର୍ଦ୍ଧ୍ୱରେ ରହି ଛାଡ଼ି ଚାଲି ଆସିଛ ନୀଳକନ୍ଦର। ଏପରିକି ଲକ୍ଷ୍ମୀ ସାଆନ୍ତାଣୀଙ୍କ ହାତ ପରଷାକୁ ଏଡ଼ାଇ ଦେଇ ଭକ୍ତର ଛେଚାକଚାରେ ତୁମେ ଆଜି ସମସ୍ତଙ୍କ ସହିତ ଏକାକାର, ସତେ ଯେମିତି ତୁମେ ପଛରେ ଛାଡି ଆସିଛ ଅଭିମାନିନୀଙ୍କ ଅଭିମାନକୁ। କି ଅପୂର୍ବ ସତେ ଏହି ଦୃଶ୍ୟ, ରଥ, ପଥ ଆଉ ଜଗନ୍ନାଥ ଆଜି ସବୁ ଏକାଠି।

ନା କିଏ ତୁମ ଗତିକୁ ରୋକିପାରିଛି ନା କେହି ତାକୁ ରୋକିପାରିବ। ମାତ୍ର, ମହାମାରୀର କଳାବାଦଲ ସତେ ଯେମିତି ଦୀର୍ଘ ଦୁଇ ବର୍ଷ ହେବ ଆପଣଙ୍କୁ ନିଃସଙ୍ଗ କରିଦେଇଥିଲା। ଆପଣ ରଥକୁ ଆସୁଥିଲେ, ମାତ୍ର ପଥ ସତେ ଯେମିତି ପୁରା ଶାନ୍ତ ଆଉ ବିଷର୍ଣ୍ଣ ଥିଲା ଭକ୍ତଙ୍କ ଅବର୍ତ୍ତମାନରେ। ଚକାଆଖି ତ ସବୁ ଦେଖୁଛି। ବୋଧହୁଏ, ଭକ୍ତର ଦୁଃଖକୁ ଆଉ ସହ୍ୟ କରିପାରିଲ ନାହିଁ ତୁମେ ନୀଳକନ୍ଦର ନିବାସୀ ଆହେ ଜଗନ୍ନାଥ। ଚଳିତ ବର୍ଷ ପୁଣି ଗହଳି ଲାଗିଲା ଶ୍ରୀକ୍ଷେତ୍ରରେ କେବଳ ଆପଣଙ୍କର ଟିକିଏ ସାନିଧ୍ୟ ପାଇଁ। ଆଜି ସେହି ଅପୂର୍ବ ଘୋଷଯାତ୍ରା। ସତେ ଯେମିତି ରଥ, ପଥ, ଜନତା ଆଉ ଜଗନ୍ନାଥ ସମସ୍ତେ ଏକାକାର କେବଳ କାଳିଆର ଲୀଳା ସମ୍ବରଣରେ। ଘୋଘୋ ନାଦରେ ପ୍ରକମ୍ପିତ ସମଗ୍ର ବଡ଼ଦାଣ୍ଡ। କିଏ ନିଜକୁ ସମର୍ପି ଦେଉଛି ତ କିଏ ତୁମର ଚକାଆଖିକୁ ଘଡ଼ିଏ ଚାହିଁ ରହିଛି ଚାତକ ପରି। କେଡ଼େ ସୁନ୍ଦର ମନଲୋଭା ସେହି ଚକାଆଖି, ସତେ ଯେମିତି ଆଜି ବ୍ୟାକୁଳତାର ଅନ୍ତ ଘଟିଛି। ପ୍ରକୃତରେ ତୁମେ ହିଁ ନଟିଆ ନାଗର, ହଟିଆ ଠାକୁର। ତୁମେ ହିଁ ସୃଷ୍ଟି, ଆଉ ତୁମେ ହିଁ ବିନାଶ। ଆହା କେଡ଼େ ସୁନ୍ଦର ତୁମର ପରିକଳ୍ପନା। ମାନବୀୟ ଲୀଳାର ଏକମାତ୍ର ମୂର୍ତ୍ତିମନ୍ତ ପ୍ରତୀକ ଜଗତର ନାଥ ତୁମେ ଜଗନ୍ନାଥ। ପ୍ରଭୁଙ୍କ କୃପାରୁ ପ୍ରଶମିତ ହୋଇଛି ପ୍ରାଣଘାତୀ ମହାମାରୀ। ଜୀବନ ପାଇଁ ବ୍ୟାକୁଳ ହେଉଥିବା ତୁମର ଏହି ସୁନ୍ଦର ସୃଷ୍ଟି ଆଜି ଭୟ, ଆଶଙ୍କାରୁ ମୁକ୍ତ ହୋଇ ତୁମ ପାଦ ତଳେ ଦଣ୍ଡବତ କେବଳ ତୁମର ସେହି ଦର୍ଶନ ଟିକିଏ ପାଇଁ। ସତେ ଯେମିତି ତୁମର ଛତ୍ରଛାୟା ତଳେ ଆଜି ନିଜକୁ ସୁରକ୍ଷିତ ମଣୁଛି ତୁମର ଦାୟାଦ।
ମୁଁ ତ ନିମିତ୍ତ ମାତ୍ର। ମୁଁ ଚାଲୁନାହିଁ, ବରଂ ତୁମେ ହିଁ ମୋର ଚାଳକ ଭାବରେ ମୋର ଗତିକୁ ନିୟନ୍ତ୍ରଣ କରିଚାଲିଛ ସଦାସର୍ବଦା। ମୁଁ ତ କେବଳ କଲମର କେଇପଦ ନିର୍ଜୀବ ଧାଡ଼ି, ମାତ୍ର ତୁମେ ହିଁ ମୋର ମାର୍ଗଦର୍ଶକ। ତୁମେ ନିର୍ବିକାର, ତୁମେ ପରଂବ୍ରହ୍ମ, ପୁଣି ତୁମେ ହିଁ ବିଶ୍ବର ପାଳନକର୍ତ୍ତା। ମୁଁ କେବଳ ଏକ ମାଧ୍ୟମ ତୁମରି ଅଲକ୍ଷରେ ତୁମ ଦାୟାଦର ସେବାରେ। ଦୀର୍ଘ ଦୁଇ ବର୍ଷ ପୂର୍ବେ ମହାମାରୀ ଆଚ୍ଛାଦିତ କଳାମେଘର କରାଳ ରୂପ ତଳେ ମୋର ଜନ୍ମ ହୋଇଥିଲା ତିତଲୀ ଭାବରେ ପ୍ରଭୁଙ୍କର ସେହି ଅପୂର୍ବ ଘୋଷଯାତ୍ରାରେ କେବଳ ଟିକିଏ ସେବା ଯୋଗାଇ ଦେବା ପାଇଁ। ଆପଣଙ୍କ ଆଶୀର୍ବାଦରୁ ମୁଁ ଆଗେଇ ଚାଲିଛି ମୋର ଲକ୍ଷ୍ୟ ପଥରେ। ସେବା ହିଁ ମୋର ଧର୍ମ, ଯେପରି ଆପଣ ଭକ୍ତର ଭଗବାନ। ଅନେକ ଘାତ ପ୍ରତିଘାତକୁ ମୁଁ ସାମ୍ନା କରିଛି ଏବଂ ଆହୁରି ଅନେକକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛି। ମାତ୍ର ମୁଁ କେବେବି ଜର୍ଜରିତ ହୋଇନାହିଁ କେବଳ ଆପଣଙ୍କର ଅଭୟ କୃପାରୁ। ମହାବାହୁଙ୍କ ସବୁଠାରୁ ସୁନ୍ଦର ସୃଷ୍ଟି ମହିଳା ଏବଂ ଶିଶୁଙ୍କର ସେବାରେ ମୁଁ ନିତ୍ୟ ସମର୍ପିତ। ମୁଁ ତ ସେବା ପ୍ରଦାନର ଏକ ମାଧ୍ୟମ, କିନ୍ତୁ ଆପଣ ସେହି ମାଧ୍ୟମର ମଧ୍ୟମା। ମୋର ଭଲମନ୍ଦ, ହାନିଲାଭ ସବୁ ଆପଣଙ୍କ ଚରଣାରବିନ୍ଦରେ ସମର୍ପିତ। ତବ କୃପା ବଳେ ତିତଲୀ ପରିବାରର ସୃଷ୍ଟି ଆଉ ପ୍ରଗତି। ତୁ ଯେମିତି ଅନ୍ୟ ଦ୍ୱାରା ରଥରେ ଚଢ଼ୁ, ମୁଁ ସେମିତି ଅନ୍ୟ ଦ୍ୱାରା ପ୍ରକାଶିତ ହୁଏ, ମାତ୍ର ତୋର ମୋର ଭିତରେ ଗୋଟିଏ ସମ୍ବନ୍ଧ ରହିଛି ତାହା ହେଉଛି ତୁମର ଜୀବନ ଜୀବର କଲ୍ୟାଣ ପାଇଁ ଏବଂ ମୋର ଜନ୍ମ ସମାଜର ମଙ୍ଗଳ ପାଇଁ। ଆଶା ତୁମର ଏହି ପବିତ୍ର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଜଗତର ସର୍ବାଙ୍ଗୀନ ବିକାଶ ହେଉ ଆଉ ମୁଁ ସେମିତି ଆପଣଙ୍କ ମାର୍ଗଦର୍ଶନରେ ସମାଜ କଲ୍ୟାଣ ଜାରି ରଖିଥାଏ।
ଜୟ ଜଗନ୍ନାଥ

ଅର୍ପିତା ନନ୍ଦ