ହୃଦୟରେ ପ୍ରେମ ଓ ମନରେ ଭକ୍ତି ଥିଲେ ଜାତି, ଧର୍ମ, ସମ୍ପ୍ରଦାୟର ସୀମା ସରହଦ ତୁଛ ଲାଗେ । ଭକ୍ତର ଛଳନାହୀନ ଭଲପାଇବା ଆଗରେ ସ୍ୱୟଂ ଭଗବାନ ବି ନଇଁ ପଡନ୍ତି । ତେବେ ଈଶ୍ୱର ବିଶ୍ୱାସ ଆଗରେ ହାର ମାନିଯାଏ ଧର୍ମର ଯାବତୀୟ କଟକଣା, ଏକଥା ଇତିହାସରେ ଅନେକ ବାର ପ୍ରମାଣିତ । ଧର୍ମ, ସମ୍ପ୍ରଦାୟ, ଜାତି ପ୍ରଥାର କଠୋର ନିତୀ ନିୟମକୁ ଭୁଲ୍ ପ୍ରମାଣିତ କରି ନିଜ ଭକ୍ତିର ପରିଚୟ ଦେଇଛନ୍ତି ଆଉ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭକ୍ତ । ମୁସଲିମ୍ ସମ୍ପ୍ରଦାୟର ହୋଇ ସୁଦ୍ଧା ହିନ୍ଦୁ ଧର୍ମର ପୋଥି, ପୁରାଣ ଓ ବେଦମନ୍ତ୍ରକୁ କଣ୍ଠସ୍ଥ କରି ପାରିଥିବା ଝିଅ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଘାଗରା ଗାଁର ସମଜାନ୍ ଖାତୁନ୍ । ଚଳିତ ବର୍ଷ ସ୍କୁଲ ଶିକ୍ଷା ଶେଷ କରି କଲେଜ୍ ରେ ନାମ ଲେଖାଇଛନ୍ତି ସେ । ଏହି କମ୍ ବୟସରେ ନିଜ ପ୍ରତିଭାର ପରିଚୟ ଦେଇ ସେ ସମଗ୍ର ମାନବ ଜାତି ପାଇଁ ପାଲଟି ଯାଇଛନ୍ତି ଏକ ଉଦାହରଣ ।

ଖୁବ୍ କମ୍ ବୟସରୁ ସମଜାନ୍ ଙ୍କର ବିଭିନ୍ନ ଧର୍ମଗ୍ରନ୍ଥ ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ତାଙ୍କୁ ଉତ୍ସାହିତ କରିଥିଲେ । ଧିରେ ଧିରେ ସେ ନିଜ ଧର୍ମର ବିଭିନ୍ନ ପୁସ୍ତକ ପାଠ କରିବା ପରେ ଅନ୍ୟ ଧର୍ମଗ୍ରନ୍ଥ ପଢିବା ଏବଂ ବୁଝିବା ପାଇଁ ଚେଷ୍ଟା କଲେ । ସ୍କୁଲରେ ପଢିବା ସମୟରେ ସମଜାନ୍ ସତ୍ୟ ସାଇ ସେବା ସଙ୍ଗଠନର “ବାଳ ବିକାଶ” କାର୍ଯ୍ୟକ୍ରମରେ ଯୋଗ ଦେଲେ । ଏଇଠାରେ ହିଁ ତାଙ୍କ ପ୍ରତିଭାରେ ସତେ ଯେମିତି ଡେଣା ଲାଗିଗଲା । ବାଳ ବିକାଶ କେନ୍ଦ୍ରରେ ନିୟମିତ ଯୋଗଦେଇ ହିନ୍ଦୁ ଧର୍ମର ବିଭିନ୍ନ ଗ୍ରନ୍ଥ ପାଠ କରିବା ଆରମ୍ଭ କଲେ ସେ । ପରେ ପରେ ବେଦ ପାଠ ମଧ୍ୟ ଆରମ୍ଭ ହେଲା । ବେଦପାଠ ସହିତ ଗଣପତି ପ୍ରାର୍ଥନା, ସରସ୍ୱତୀ ବନ୍ଦନା, ଶିବ ବନ୍ଦନା, ଦୁର୍ଗା ସ୍ତୃତି, ଗାୟତ୍ରୀ ମନ୍ତ୍ର ପ୍ରଭୃତି ପାଠ କରିବାର ଅଭ୍ୟାସ ଆରମ୍ଭ କଲେ । ସେ ସବୁର ଉଚ୍ଚାରଣ ଏବଂ ଆବୃତି ଶୈଳୀ ପ୍ର୍ରତି ବିଶେଷ ଭାବେ ଯତ୍ନବାନ ହୋଇ ପଡିଲେ ସମଜାନ୍ । କେବଳ ସେତିକି ନୁହେଁ ବେଦ ମନ୍ତ୍ର ପାଠ ପ୍ରତି ତାଙ୍କର ଆଗ୍ରହ ଏବଂ ନିଷ୍ଠା ଦେଖି ବାଳ ବିକାଶ କେନ୍ଦ୍ରର କର୍ତୃପକ୍ଷ ସମଜାନ୍ ଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ । ଧିରେ ଧିରେ ବିଭିନ୍ନ ସଭା ସମିତି, ପୂଜା କାର୍ଯ୍ୟ, ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମଜାନ୍ ବେଦ ପାଠ କରି ସମସ୍ତଙ୍କୁ ଚମକୃତ କରିଦେଲେ । ଜଣେ ମୁସଲିମ୍ ଛାତ୍ରୀ ବେଦପାଠ କରିବା ଖବର ଧିରେ ଧିରେ ପ୍ରଚାରିତ ହୋଇଯିବା ପରେ ଅନ୍ୟ ସଂଗଠନ ଏବଂ ସାଂସ୍କୃତି ଅନୁଷ୍ଠାନ ଗୁଡିକ ମଧ୍ୟ ନିଜ କାର୍ଯ୍ୟକ୍ରମରେ ବେଦମନ୍ତ୍ର ପାଠ ପାଇଁ ସମଜାନ୍ ଙ୍କୁ ଆମନ୍ତ୍ରଣ କରିନେଲେ । ଏବେ ସମଜାନ୍ ବେଦ ମନ୍ତ୍ର ପାଠ କରିବାରେ ବେଶ୍ ଅଭ୍ୟସ୍ତ । ଝିଅର ଏହି ପ୍ରତିଭା ପାଇଁ ସମଜାନ୍ଙ୍କ ବାପା ସେକ୍ କଲ୍ଲିମୁଦ୍ଧିନ୍ ଏବଂ ମା’ ସୁଲତାନା ବିବି ବେଶ ଗର୍ବିତ । ‘ଝିଅର ପ୍ରାର୍ଥନା ଏବଂ ମନ୍ତ୍ର ଆବୃତି ତାଙ୍କୁ ବେଶ ମାନସିକ ଶାନ୍ତି ଦେଉଛି’ ବୋଲି ଉଭୟ ପିତା ମାତା ନିଜ ପ୍ରତିକ୍ରିୟାରେ କହନ୍ତି । ସମଜାନ୍ ଙ୍କର ଅନ୍ୟ ୩ ଭଉଣୀ ଓ ଗୋଟିଏ ଭାଇ ମଧ୍ୟ ଏ ନେଇ ବେଶ ଖୁସି । ତେବେ ଅଧକି ପାଠ ପଢି ଜୀବନରେ ନର୍ସ ବୃତିକୁ ଆପଣେଇ ନେବା ସହିତ ସାରା ଜୀବନ ଅସହାୟ ମଣିଷର ସେବା କରିବା ସମ୍ଜାନ୍ ଙ୍କ ଲକ୍ଷ୍ୟ । ଆଜି ଯେଉଁଠି ଧର୍ମକୁ ନେଇ ନିଇତି ରକ୍ତପାତ ଓ ବିଭାଜନ ଦେଖୁଛି ଏ ସମାଜ, ଯେଉଁଠି ଧର୍ମ ନାମରେ ରାଜନୀତି ଓ କ୍ଷମତାର ଖେଳ ଖେଳୁଛି ମଣିଷ ସେଠି ସମଜାନ୍ ଖାତୁନ୍ ସାରା ବିଶ୍ୱ ପାଇଁ ଏକ ଆଦର୍ଶ ଓ ଉଦାହରଣ କହିଲେ ଭୁଲ ହେବନି ।
ମାତୃଦତ ମହାନ୍ତି