ସେଦିନ ମୋର ସାଙ୍ଗର ଘରେ ଭୀଷଣ ପାଟିତୁଣ୍ଡ, ୱାଟସ୍ଆପ୍ ଗ୍ରୁପ୍ରେ ମେସେଜ୍ ଦେଲା ଝିଅର ପ୍ରଥମ ମାସିକ ଋତୁସ୍ରାବ ବିଷୟରେ, ଆମେ ତାକୁ କହିଲୁ ହଉ ତା’ହେଲେ ଠିକ୍ ଅଛି, ତାକୁ ଟିକେ ପାଖରେ ବସେଇକି ଗେହ୍ଲାକରି ସବୁ ଜିନିଷ ଭଲ କରି ବୁଝେଇକି କହିଦେ । କିନ୍ତୁ ସେପଟୁ ମୋର ସାଙ୍ଗ ମେସେଜ୍ର ଉତ୍ତର ଦେଲା ଯେ କେମିତି ତାକୁ ବୁଝେଇବି, ଘରେ ଶାଶୁ ଜିଦି ଧରି ବସିଛନ୍ତି, ଯେମିତି ପୂର୍ବରୁ ପ୍ରଥମ ମାସିକ ଋତୁସ୍ରାବର ପ୍ରଥା ରହିଛି ସେହିଭଳି ହେବ । କୁନ୍ମୁନ୍କୁ ସାତ ଦିନ ପାଇଁ ଗୋଟିଏ ଅଲଗା ଘରେ ରଖିବାକୁ କହୁଛନ୍ତି । ସେଇକଥାକୁ ନେଇ ଶାଶୁ ବୋହୁଙ୍କର ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଗଲାଣି । ଯାହାର ମଝିରେ ବିଚରା କୁନ୍ମୁନ୍ ଆଉ କୁନ୍ମୁନ୍ର ପାପା ବଳି ପଡ଼ିଯାଇଛନ୍ତି । କିନ୍ତୁ ମୋର ସାଙ୍ଗର ଗୋଟିଏ ଜିଦ୍ ନାଁ ଯାହା ମୁଁ ଭୋଗିଥିଲି ସେଇଟା ମୋର ଝିଅକୁ କେବେ ବି କରେଇ ଦେବିନାହିଁ ।
ସତରେ ଶୁଣିକରି ଭାରି ବ୍ୟସ୍ତ ଲାଗିଲା । ୧୧ ବର୍ଷ ବୟସରେ କୁନ୍ମୁନ୍ କ’ଣ ଜାଣିବ ଏ କୁ-ପ୍ରଥା ବିଷୟରେ । ଯାହାକି କେବେଠାରୁ ଆମ ସମାଜରେ ଚାଲିଆସିଛି । ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି ସତ, କିନ୍ତୁ କୋଉଠି ନା କୋଉଠି ଏଇ ପରିସ୍ଥିତିକୁ ଆମେ ଅତି ଭୟଙ୍କର ଭାବରେ ସାମ୍ନା କରୁଛେ । ମନେମନେ ଭାବିଲି ଆଗେ ୧୩ କି ୧୪ ବର୍ଷ ବୟସରେ ଝିଅମାନଙ୍କର ପ୍ରଥମ ଋତୁସ୍ରାବ ଆରମ୍ଭ ହେଉଥିଲା, କିନ୍ତୁ ଏବେ ତ ଜୀବନ ଶୈଳୀରେ ପରିବର୍ତ୍ତନ ଓ ରାସାୟନିକ ମିଶ୍ରିତ ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ବହୁତ ଶୀଘ୍ର ଛୋଟ ଛୋଟ ଝିଅମାନଙ୍କଠାରେ ପ୍ରଥମ ଋତୁସ୍ରାବ ଦେଖାଦେଉଛି, ତା’ସାଙ୍ଗରେ ମଧ୍ୟ ୪୦ ବର୍ଷ ବୟସରେ ମଧ୍ୟ ଋତୁସ୍ରାବ ବନ୍ଦ ହେବାର ସମସ୍ତ ଲକ୍ଷଣ ପ୍ରକାଶ ପାଉଛି ।

କିନ୍ତୁ ଏ ତ ସାଧାରଣ ସୁସ୍ଥ ପ୍ରକ୍ରିୟା । ଋତୁସ୍ରାବ ହେଉଛି ନାରୀତ୍ୱର ଗୌରବ । ତଥାପି ଏଥିପାଇଁ ପ୍ରତି ମାସରେ ଝିଅ ଏବଂ ନାରୀମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ । ସତେ କି ଯେମିତି କିଛି ଅପରାଧିକ ଘଟଣା ଘଟିଯାଉଛି ଏବଂ ନାରୀଟିଏ ବାଧ୍ୟ ହେଉଛି ନିଜ ସହିତ ବୁଝାମଣା କରିବା ପାଇଁ । “ଖୁସି” ଯୋଜନା ଓ “ବେଟି ବଚାଓ ବେଟି ପଢାଓ” ଯୋଜନା କରିଥିଲେ ମଧ୍ୟ ଏବେ ବି ପୁରୁଷ କୈନ୍ଦ୍ରିକ ସମାଜରେ ଏହା ମଧ୍ୟ ଆଲୋଚନାରେ ଅଗ୍ରହଣୀୟ କଥା ଭାବରେ ଧରାଯାଉଛି । ସଚେତନତା ହେଉଛି ସତ କିନ୍ତୁ, ନିଜ ଘର ଭିତରେ ଆମେ ଏହି ସାମାଜିକ ବ୍ୟାଧିରୁ ଏଯାଏଁ ମୁକୁଳିପାରୁନାହୁଁ । ଆମ ଦେଶର ପ୍ରାୟ ୩୪ କୋଟି ଝିଅ ଏବଂ ନାରୀମାନଙ୍କର ପ୍ରତି ମାସରେ ୪ ରୁ ୭ ଦିନ ପର୍ଯ୍ୟନ୍ତ ଋତୁସ୍ରାବ ହୋଇଥାଏ । ଏବେ ବି ଋତୁସ୍ରାବୀ ଝିଅ ଓ ନାରୀମାନଙ୍କୁ ଅପବିତ୍ର ବୋଲି ଧରାଯାଏ । ଫଳନ୍ତି ଗଛକୁ ଋତୁସ୍ରାବୀ ମହିଳା ଛୁଇଁଲେ ଗଛ ମରିଯାଏ ବୋଲି ବି ମିଛରେ ପ୍ରଚାର ଓ ପ୍ରସାର କରାଯାଏ । ତଥାପି ସେ ଅନ୍ଧବିଶ୍ୱାସକୁ ମହିଳାମାନେ ମୁଣ୍ଡପାତି ସହିଯାଆନ୍ତି । ପରମ୍ପରା ସବୁବେଳେ ଗତିଶୀଳ ସମାଜର ହିତ ପାଇଁ ତାହାର ପରିବର୍ତ୍ତନ ନିହାତି ଜରୁରୀ । ଆମକୁ ଏହି କଥାଟିକୁ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ । ଆମେ ବି ଯଦି ଟିକେ ଆନ୍ତରିକତା ଦେଖାଇବା ତା’ହେଲେ ଆଉ ଅଧିକ ସହଜ ହେବ ।
ଏହିଭଳି କୁ-ପ୍ରଥାରୁ ମୁକୁଳିବାକୁ ମୋର ସାଙ୍ଗର ଛୋଟିଆ ପ୍ରୟାସ ସଫଳ ହେଲା, ୨ ଦିନ ପର୍ଯ୍ୟନ୍ତ ଶାଶୁଙ୍କ ସାଙ୍ଗରେ ରାଗରେ କଥା ହେଲାନି ଶାଶୁ ବି ରାଗିକରି ମନରେ ଯାହା ଆସିଲା ତାହା କହିଚାଲିଲେ, କିନ୍ତୁ ମୋର ସାଙ୍ଗ ନିର୍ବାକ ଭାବରେ ସବୁ ଶୁଣି ନିଜ ଜିଦିରେ ଅଟଳ ରହିଲା । ଶେଷରେ ଜେଜେ ମା’ଙ୍କର ମନ ତରଳିଗଲା କୁନ୍ମୁନ୍ ପାଇଁ । ତା’ପରେ କୁନ୍ମୁନ୍ ଖୁସିରେ ଘର ଭିତରେ ବୁଲିଲା ଖେଳିଲା ସମସ୍ତଙ୍କ ସାଙ୍ଗରେ । ଋତୁସ୍ରାବକୁ ନେଇ ଯେଉଁ ଭୟ ଦେଖିଥିଲା କୁନ୍ମୁନ୍ର ଆଖିରେ ସେ ଭୟ ଆଉ ତା ମା’କୁ ଜଣାପଡ଼ିଲା ନାହିଁ । ସାମାଜିକ ବ୍ୟାଧି ନୁହେଁ ଋତୁସ୍ରାବ, ଋତୁସ୍ରାବ ହେଉଛି ସୃଷ୍ଟିର ଗୋଟିଏ ପାହାଚ । ସମସ୍ତେ ଟିକେ ସଚେତନ ହେଲେ ଏହି ପ୍ରକାର ଅନ୍ଧବିଶ୍ୱାସକୁ ଆମେ ଶୀଘ୍ର ସମସ୍ତଙ୍କ ମନରୁ ଧୋଇ ଫୋପାଡ଼ି ପାରିବା ।
ପ୍ରୀତିଛନ୍ଦା ଧଳ
ମୋ-୯୯୩୭୭୩୪୪୬୧
