ସ୍ତନ କର୍କଟ ଚିକିତ୍ସାରେ ନୂତନ ସମ୍ଭାବନା ‘ବିଛା’

ସ୍ତନ କର୍କଟରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରତିବର୍ଷ ପ୍ରାୟ ୨୫% ମହିଳାଙ୍କର ମୃତ୍ୟୁ ହୋଇଥାଏ। ସ୍ତନକର୍କଟର ଚିକିତ୍ସା ପାଇଁ ଔଷଧ, କେମୋଥେରାପି, ରାଡିଏସନ୍‌ ଥେରାପି ଏବଂ ଅସ୍ତ୍ରୋପଚାର ପଦ୍ଧତି ଗ୍ରହଣ କରାଯିବା ସାଧାରଣ କଥା। ହେଲେ ଏବେ ଏହି ଚିକିତ୍ସା ପଦ୍ଧତିରେ ବିଛାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ।

ବ୍ରାଜିଲ, ୟୁନିଭର୍ସିଟି ଅଫ୍‌ ସାଓ ପାଉଲୋର ବୈଜ୍ଞାନିକମାନେ ଆମାଜନର ଏକ ଦୁର୍ଲଭ ବିଛା ପ୍ରୋଥେସ୍‌ ଆମାଜୋନିକସ୍‌ ବିଛା ବିଷରୁ ସ୍ବତନ୍ତ୍ର ଅଣୁର ସନ୍ଧାନ କରିଛନ୍ତି। ଏହି ଅଣୁର ନାଁ ରହିଛି BamazScplp1। କର୍କଟ କୋଷକୁ ନଷ୍ଟ କରିବାରେ ବେଶ୍‌ ପ୍ରଭାବୀ । ଏହି ଅଣୁ କର୍କଟ କୋଷ ଉପରେ ପ୍ରଭାବ ପକାଉଥିବାବେଳେ ଶରୀରର ସାଧାରଣ କୋଷ ଉପରେ କିଛି ପ୍ରଭାବ ପକାଇବନି। ସ୍ତନ କର୍କଟରେ ଦିଆଯାଉଥିବା କେମୋଥେରାପି ଔଷଧ ପାକ୍ଲିଟ୍ୟାକ୍ସେଲ ଯେପରି କର୍କଟ କୋଷକୁ ନଷ୍ଟ କରିଥାଏ, ବିଛା ବିଷର ଅଣୁ ମଧ୍ୟ ସ୍ତନକର୍କଟ କୋଷକୁ ନଷ୍ଟ କରିବାକୁ ପ୍ରଭାବୀ ବୋଲି ବୈଜ୍ଞାନିକ ପ୍ରାରମ୍ଭିକ ପରୀକ୍ଷଣରୁ ଜାଣିଥିଲେ।

BamazScplp1ଶରୀରରେ ଥିବା ଏଞ୍ଜାଇମ୍‌ ଗ୍ରୁପ୍‌ ସିରିନ୍‌ ପ୍ରୋଟେସେସ ସହିତ ସମ୍ବନ୍ଧିତ। ଏହା କର୍କଟ କୋଷଗୁଡିକର ଜୀବନଚକ୍ରକୁ ମଧ୍ୟ ବ୍ୟାହତ କରେ। ଏହି ପ୍ରୋଜେକ୍ଟର ଗବେଷକ ତଥା ପ୍ରଫେସର ଏଲିଏନ୍‌ ଅରନ୍ତେସଙ୍କ କହିବାନୁସଯାୟୀ ପିସିଆ ପାଷ୍ଟୋରିସ୍‌ ନାମକ ଇଷ୍ଟ ପ୍ରୟୋଗ କରିଥିଲୁ। ଏହି କୌଶଳକୁ ଉପଯୋଗ କରି କୌଣସି ପ୍ରାଣୀଙ୍କୁ କ୍ଷତି ନ ପହଞ୍ଚାଇ ବହୁ ପରିମାଣର ଅଣୁ ଉତ୍ପାଦନ କରାଯାଇପାରିବ। ଏପର୍ଯ୍ୟନ୍ତ BamazScplp1 ଉପରେ କେବଳ ପ୍ରାରମ୍ଭିକ ପରୀକ୍ଷା କରାଯାଇଥିଲେ ହେଁ, ଏହାର ପ୍ରଭାବକୁ ଦେଖି ବୈଜ୍ଞାନିକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି। ଆଗାମୀ ପରୀକ୍ଷଣରେ ଯଦି ଏହା ନିରାପଦ ପ୍ରମାଣିତ ହୁଏ, ତେବେ ସ୍ତନ କର୍କଟ ଚିକିତ୍ସା କ୍ଷେତ୍ରରେ ଏହା ନୂତନ ଦିଗ୍‌ଦର୍ଶନ ଦେବ।