ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା। ଚକ ଓ ପଥ ଦୁହେଁ ଦୁହିଁଙ୍କ ଅପେକ୍ଷାରେ। ରାତିକ ପରେ ଚାଲିବ ଚକ। ହେଲେ ଚକ ଗଡିବା ପୂର୍ବରୁ ରଥ ସମ୍ମୁଖରେ ବିଭିନ୍ନ ପ୍ରକାରର ପାରମ୍ପାରିକ କଳାକୃତି ଯେପରି ଓଡିଶୀ, ଛଉ, ଗୋଟି ପୁଅ ନୃତ୍ୟ ଏବଂ ପଞ୍ଜାବୀ ତରିକାରେ ଚକ୍ର ବୁଲାଇବା ଓ ବିଭିନ୍ନ ଦେବାଦେବୀଙ୍କ ବେଶରେ ନୃତ୍ୟ ପରିବେଷଣ କରାଯାଉଥିବା ଦେଖିବାକୁ ମିଳେ। ତେବେ ଏସବୁରୁ ଜଣାଯାଏ ଯେ, ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ନୃତ୍ୟପ୍ରେମୀ। ଜଗନ୍ନାଥ ସଂସ୍କୃତିରେ ନୃତ୍ୟ ଓ ନର୍ତ୍ତକର ନିଆରା ଛାପ ରହିଛି। ନୃତ୍ୟ ବିଷୟରେ କଥା ହେଲେ ବଡ ଦେଉଳର ଦେବଦାସୀ ପରମ୍ପରା ଆପେଆପେ ମନକୁ ଆସେ। ୩୬ ନିଯୋଗ ସେବା ମଧ୍ୟରୁ ଦେବଦାସୀ ସେବା ଅନ୍ୟତମ। ୩୫ଟି ନିଯୋଗ ସେବା ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏହି ଗୋଟିଏ ମାତ୍ର ସେବା ମହିଳାମାନଙ୍କ ପାଇଁ ଉପଲବ୍ଧ ଥିଲା। ଦେବାଦେବୀଙ୍କ ମନ୍ଦିରରେ ନୃତ୍ୟ ପରିବେଷଣ କରୁଥିବା ନୃତ୍ୟାଙ୍ଗନାମାନଙ୍କୁ ଦେବଦାସୀ ବା ମାହାରୀ ବୋଲି କୁହାଯାଉଥିଲା। ମାହାରୀମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରି ମନ୍ଦିର ଭିତରେ ନୃତ୍ୟ ପ୍ରଦର୍ଶନ କରନ୍ତି। ସେମାନେ ବିବାହ କରନ୍ତି ନାହିଁ। ଜଗନ୍ନାଥଙ୍କୁ ନିଜ ସ୍ବାମୀ ରୂପରେ ଗ୍ରହଣ କରି ମଥାରେ ସନ୍ଦୁର ଓ ହାତରେ ଶଙ୍ଖା ପିନ୍ଧି ସଧବା ନାରୀ ପରି ସଜେଇ ହୋଇଥାନ୍ତି।
କିମ୍ବଂଦନ୍ତ ଅନୁଯାୟୀ, ଦାକ୍ଷିଣାତ୍ୟର ଦେବଶର୍ମା ନାମକ ଜନୈକ ବ୍ରାହ୍ମଣ, ପୁତ୍ର ଲାଭ ପାଇଁ ନିଜର ପ୍ରଥମ କନ୍ୟା ପଦ୍ମାବତୀଙ୍କୁ ଦେବଦାସୀ ରୂପେ ଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । ଓଡ଼ିଶାକୁ ଗଙ୍ଗବଂଶୀୟ ରାଜାମାନେ ଅଧିକାର କଲାବେଳେ ଏକାଦଶ ଶତାବ୍ଦୀରେ ଏହି ଦେବଦାସୀ ପ୍ରଥା ପୁରୀ ମନ୍ଦିରରେ ପ୍ରଚଳିନ କରିଥିଲେ । ସେମାନେ ଦାକ୍ଷିଣାତ୍ୟର ଲୋକ ହୋଇଥିବାରୁ ଏହି ପ୍ରଥା ଦାକ୍ଷିଣାତ୍ୟରୁ ଆସିଥିଲା ବୋଲି ଅନେକ ମତ ଦିଅନ୍ତି। ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ। ମାଦଳା ପାଞ୍ଜିକୁ ଛାଡ଼ିଦେଲେ ଜଗନ୍ନାଥଙ୍କ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳନର ପ୍ରଥମ ଲିଖିତ ପ୍ରମାଣଟି ମିଳେ ଦିଲ୍ଲୀର ସୁଲତାନ ଫିରୋଜ ଶାହ ତୋଗଲକଙ୍କ ୧୩୬୧ ମସିହାରେ ଓଡ଼ିଶା ଆକ୍ରମଣ ବିବରଣୀରୁ । ଜୟଦେବଙ୍କ ଗୀତଗୋବିନ୍ଦ ଦେବଦାସୀମାନଙ୍କ ନୃତ୍ୟ ଓ ଗୀତର ପ୍ରଧାନ ସମ୍ପଦ ଥିଲା । ଏହା ଛଡ଼ା ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ପ୍ରାଚୀନ କବିମାନଙ୍କ ରଚିତ ଚଉପଦୀ, ଚମ୍ପୂ, ଛାନ୍ଦ, ଭଜନ, ଜଣାଣ ଆଦି ଓଡ଼ିଶୀ ସଙ୍ଗୀତ ମଧ୍ୟ ଦେବଦାସୀ ବା ମାହାରୀମାନେ ପରିବେଷଣ କରୁଥିଲେ । ଓଡ଼ିଶୀ ନୃତ୍ୟ ଓ ମାହାରୀ ନୃତ୍ୟ ହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ, ଓଡ଼ିଆ ଜାତିର ଏକ କଳାତ୍ମକ ବୈଶିଷ୍ଟ୍ୟ।
୧୯୨୦ ମସିହାର ଦେବଦାସୀଙ୍କ ଫଟୋଚିତ୍ର
ଖାରବେଳଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରୀ ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଖୋଦିତ ହୋଇଥିବା ଦେଖିବାକୁ ମିଳିଥାଏ । ବାଦ୍ୟଯନ୍ତ୍ର ବାଜଣା ସହ ନାରୀମାନଙ୍କ ଓଡ଼ିଶୀ ନାଚକୁ ଖାରବେଳ ଉପଭୋଗ କରୁଥିଲେ । ପରେ ଏହା ମନ୍ଦିର ଚଳଣିରେ ଯୋଡ଼ା ହେଲା । ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ଶିବ ଓ ବିଷ୍ଣୁ ମନ୍ଦିରମାନଙ୍କରେ ଏହା ପ୍ରଚଳିତ ହେଲା । ଐତିହାସିକ ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଓଡ଼ିଶୀକୁ ସର୍ବପୁରାତନ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦିଆଯାଇଥାଏ।
ଓଡ଼ିଶାର ଅନେକ ପ୍ରାଚୀନ ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ଥିଲା । ଉଭୟ ଶୈବ ଓ ବୈଷ୍ଣବ ଦେଉଳଗୁଡ଼ିକରେ ଦେବଦାସୀ ସେବା ଥିଲା । ବ୍ରହ୍ମେଶ୍ୱର ମନ୍ଦିରର ଶିଳାଲିପିରେ ସେବା ନିମିତ୍ତ ଦେବଦାସୀମାନଙ୍କୁ ଉତ୍ସର୍ଗ କରାଯିବା ବିଷୟ ବର୍ଣ୍ଣିତ ହୋଇଛି । ଏହା ଛଡ଼ା ଭୁବନେଶ୍ୱର ସ୍ଥିତ ମେଘେଶ୍ୱର ଦେଉଳ, ନିଆଳୀର ଶୋଭନେଶ୍ୱର ଦେଉଳ, ଭୁବନେଶ୍ୱରର ଅନନ୍ତ ବାସୁଦେବ ଦେଉଳ ଓ ପୁରୀର ଶ୍ରୀମନ୍ଦିରରେ ମଧ୍ୟ ଦେବଦାସୀ ନୃତ୍ୟ ସେବା ଥିବାର ବଳିଷ୍ଠ ପ୍ରମାଣ ରହିଛି ।
ଶେଷ ଦେବଦାସୀ ଦାୟାଦ ପରଶମଣି
ସାରା ବିଶ୍ୱରେ ଏହି ନୃତ୍ୟ ଆଦୃତ ଲାଭ କରିଥିଲେ ମଧ୍ୟ ସମୟକ୍ରମେ ଦେବଦାସୀ ପ୍ରଥାର ଅବସାନ ଘଟିଲା। ଗତ ବର୍ଷ ଜୁଲାଇରେ ମହାପ୍ରଭୁଙ୍କ ଶେଷ ଦେବଦାସୀ ଦାୟାଦ ପରଶମଣିଙ୍କ ୮୭ ବର୍ଷରେ ବିୟୋଗ ହୋଇଥିଲା । ସେବାଠାରୁ ଏପର୍ଯ୍ୟନ୍ତ କେହି ଏହି ପ୍ରଥାକୁ ଆପଣାଇ ମହାପ୍ରଭୁଙ୍କୁ ସେବା ଅର୍ପଣ କରିଥିବା ସୂଚନାନାହିଁ। ତେବେ ଦେବଦାସୀ ନୃତ୍ୟ ପରମ୍ପରାର ଅବସାନ ଘଟିଛି ସତ, ଏହା ବିଲୁପ୍ତ ହୋଇନାହିଁ । ଏବେ ବି ମହାପ୍ରଭଙ୍କୁ ସେବା ପ୍ରଦାନ ଉଦ୍ଦେଶ୍ୟରେ ରଥ ସାମ୍ନାରେ କୋମଳମତି ବାଳିକା ଠାରୁ ଆରମ୍ଭ କରି ବୟସ୍କ ମହିଳା ଏମିତିକି ପୁରୁଷମାନେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳେ।
ରଥ ସମ୍ମୁଖରେ ନୃତ୍ୟ ପରିବେଷଣ