ଜାତୀୟ ବାଳିକା ଦିବସ କାହିଁକି??

କେବେ ଝିଅ, କେବେ ସ୍ତ୍ରୀ,  କେବେ ମା ରୂପ ରେ  ଏ  ସୃଷ୍ଟିର ଅବସ୍ଥିତି କୁ ଅକ୍ଷୁର୍ଣ୍ଣ ରଖିଥିବା  ନାରୀ ଫୁଲ ପରି କୋମଳ ହେଲେବି ଧରଣୀ ପରି ଅସୀମ ଧୈର୍ଯ୍ୟଵାନ,  ଆକାଶ ପରି ବିଶାଳ ତାର ହୃଦୟ, ସାଗର ପରି ଗଭୀର ତାର ମନ, ପର୍ବତ ପରି ଉଚ୍ଚ, ସ୍ଥିର ସ୍ତିବିର ତାର ସାହସ ଓ ମନୋବଳ।

ଭାରତବର୍ଷର  ପବିତ୍ର ଇତିହାସ, ପୋଥି, ପୁରାଣ, ଧର୍ମ ଗ୍ରନ୍ଥର ପ୍ରତିଟି  ଅନୁଛେଦ, ଅନେକ  ପର୍ବ ପର୍ବାଣୀର ମୂଳାଧାର ରେ ନାରୀ କୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆ ଯାଇଛି ।ସ୍ତ୍ରୀ ପୂଜା ର ଗାଥା ସର୍ବଦା ଆମ ମହାନ ସଂସ୍କୃତି  ବହନ କରିଛି ।
ଆମ ସମାଜ, ଆମ ପରମ୍ପରା, ଆମ ଐତିହ କେତେବେଳେ ଜଗତ ଜନନୀ ମା ଦୁର୍ଗା ରୂପରେ ତ କେବେ ମା କାଳୀ, ମହାଲକ୍ଷ୍ମୀ, ମା ସରସ୍ବତୀ, ସୀତା, ରାଧା, ତ କେବେ ସ୍ୱୟଂ ଭାରତମାତା ର ଚରଣ ବନ୍ଦନା କରିଛି । ପ୍ରାଚୀନ କାଳରେ ବ୍ରହ୍ମବାଦିନୀ ଲୋପାମୁଦ୍ରା, ଘୋଷା, ମୈତ୍ରେୟୀ ଙ୍କ ଠାରୁ ଆରମ୍ଭ କରି ମୀରା, ସରୋଜିନୀ ନାଇଡ଼ୁ, ରମାଦେବୀ, କୁନ୍ତଳାକୁମାରୀ ସାବତ, ରାଣୀ ଲକ୍ଷ୍ମୀ ବାଇ, କଳ୍ପନା ଚାୱଲା ଙ୍କ ଜ୍ଞାନ, ବୀରତ୍ୱ ପାଇଁ ଏବେବି ଏ ଜାତି, ମାଟି ସେମାନଙ୍କୁ ନମନ କରେ ।


ସମାଜରେ ଅବହେଳିତ, ନିଷ୍ପେସିତ ଅବସ୍ଥା ରେ କାଳାତିପାତ କରୁଥିବା କନ୍ୟା ସନ୍ତାନ ମାନଙ୍କ ସମୃଦ୍ଧି ପାଇଁ  ପ୍ରତି ବର୍ଷ ଜାନୁଆରୀ ଚବିଶ ତାରିଖ କୁ ଜାତୀୟ ବାଳିକା ଦିବସ ରୂପେ ପାଳନ କରାଯାଏ । ଏକବିଂଶ ଶତାବ୍ଦୀରେ, ଅତ୍ୟାଧୁନିକତାର ଚରମ ସୋପାନରେ ପାଦ ଦେଇ ବି ଜନ ସମାଜରେ ଏବଂ ଲୋକମାନଙ୍କ ମନରେ କନ୍ୟା ସନ୍ତାନ ପ୍ରତି ହେଉଥିବା ଅନ୍ୟାୟ, ଅବହେଳା ଓ ଅସମାନତା ଭାବ ବିରୁଦ୍ଧରେ ସ୍ୱର ଉତ୍ତଳୋନ କରିଵା ଏ କାର୍ଯ୍ୟକ୍ରମ ର ମୂଳମନ୍ତ୍ର  । ବିଶେଷ କରି କନ୍ୟା ଭୃଣ ହତ୍ୟା ରୁ ନିବୃତ ରହିବାକୁ ପ୍ରବର୍ତ୍ତାଇଵା,ଝିଅ ମାନଙ୍କୁ ସୁରକ୍ଷା ପ୍ରଦାନ କରି ସେମାନଙ୍କ  ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଅଧିକାର କ୍ଷତ୍ରରେ ଅଗ୍ରାଧିକାର  ଦେବା, ବାଲ୍ୟ ବିବାହ ର ବିରୋଧ କରିବା, ଘରୋଇ ହିଂସା, ଶାରୀରିକ, ମାନସିକ, ଯୌନ ନିର୍ଯାତନାରୁ ରକ୍ଷାକରି ସେମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବା ଏହାର ପ୍ରଧାନ ଲକ୍ଷ୍ୟ l ଦୁଇ  ହଜାର ଉଣେଇଶି ମସିହାରେ ଏହାର  ମୂଳ ସ୍ଲୋଗାନ ଥିଲା, “ଏକ ଉଜ୍ୱଳ ଭବିଷ୍ୟତ ପାଇଁ କନ୍ୟା ସନ୍ତାନ ମାନଙ୍କ ର ସଶକ୍ତିକରଣ ଆବଶ୍ୟକ ।”
ମହିଳା ଓ ଶିଶୁ ଉର୍ନତି  ମନ୍ତ୍ରଣାଳୟ ପକ୍ଷରୁ ହୁଇହଜାର ଆଠ ମସିହାରୁ ଜାତୀୟ ବାଳିକା ଦିବସ, କନ୍ୟା ସନ୍ତାନ ଙ୍କ ସୁରକ୍ଷାର  ଅନୁଧ୍ୟାନ ପାଇଁ ପାଳନ କରାଯାଉଅଛି । ଏହା ଭିତରେ ବାରବର୍ଷ ବିତିଯାଇ ଥିଲେବି ମହିଳା, କିଶୋରୀ, କନ୍ୟା ସନ୍ତାନ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ର ମାତ୍ରା କିଛି କମିଛି କି? ଯଦି ଏହାର ଉତ୍ତର ହଁ ! ତେବେ ପ୍ରତିଦିନ ସମ୍ବାଦ ପତ୍ର ରେ, ବିଭିନ୍ନ ନିୟୁଜ ଚ୍ୟାନେଲ ରେ ଏକ ଝିଅ, ଏକ ସ୍ତ୍ରୀ ର ନିର୍ଯାତନା, ନିର୍ମମ ହତ୍ୟା ର କାହାଣୀ କାହିଁକି ବାରମ୍ବାର ପ୍ରଦର୍ଶିତ ହେଉଛି? ଏମିତି କି ମା ପେଟରେ ମଧ୍ୟ୍ୟ ଝଅଟିଏ ସୁରକ୍ଷିତ ନୁହେଁ ।
ବେଳେ ବେଳେ ପ୍ରଶ୍ନ ଆସେ କାହିଁକି “ଜାତୀୟ ବାଳିକା ସୁରକ୍ଷା ଦିବସ”, “ପୁତ୍ର ସୁରକ୍ଷା ଦିବସ ” ନୁହେଁ  ! ବୋଧେ କେହି ଝିଅ ମାନଙ୍କୁ ଭଲ ପାଆନ୍ତିନି ସେଥିପାଇଁ କନ୍ୟା ମାନଙ୍କ ପାଇଁ ଗୋଟିଏ ଦିନ ଦୟା ପରବଶ ହୋଇ ଉତ୍ସର୍ଗ   କରିଦିଆଯାଇଛି । ଆଉ ଏତିକି କରିଦେଲେ ସବୁ କର୍ତ୍ତବ୍ୟ ପୂରଣ ହୋଇଯାଉଛି କି? 
ଯଦି ସ୍ତ୍ରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି, ଅଧିକନ୍ତୁ ଏ ସୃଷ୍ଟି ନାରୀ ବିନା ଅଚଳ, ତେବେ କାହିଁକି ଏକ କନ୍ୟା ସନ୍ତାନ, ଏକ ନାରୀ ଏବେବି ଘରେ ଠୁ ବାହାର ଯାଏ ଅବହେଳିତ, ଅପମାନିତ ଏମିତି କି ନିଷ୍ପେସିତ ହୋଇ ମୃତ୍ୟୁ କୁ ଆଦରି ନେଉଛନ୍ତି ।ନାରୀ ଟିଏ  ଅସୀମ ଶକ୍ତି ର ଆଧାର ହେଲେବି ତାକୁ ଜନ୍ମରୁ ପିତା, ଭାଇ, ପରେ ସ୍ୱାମୀ, ପୁତ୍ର ଙ୍କ ଛତ୍ର ଛାୟା ରେ ରହିବାକୁ ପଡେ । ନର ଠାରୁ ନାରୀ ଅଧିକ ଶକ୍ତିଶାଳୀ, ଯିଏ ଘର ବାହାର, ଆକାଶ ଠୁ ଗଭୀର ସାଗର କୁ ଅନାୟାସ ରେ ଜୟ କରିପାରିଛି , ତେବେ କାହିଁକି ତା ପାଇଁ ଏତେ ପ୍ରତିବନ୍ଧକ?  ଏ କଣ ତା ର ସୁରକ୍ଷା ପାଇଁ ନା ତା ପ୍ରତି ଅସୂୟା ହୋଇ ତାକୁ ଉଚ୍ଚାକୁ ଉଡିବା କୁ ନେଦେବା ପାଇଁ ପରୋକ୍ଷ ଯୋଜନା !ଏ ସମାଜ ତାକୁ ଚିରକାଳ ଓଢଣା ତଳେ ହେଖି ଆସିଛି, ଆଜିବି ତାକୁ ନିଜ ଅଧୀନରେ ରଖି ତାକୁ ଦାବି ଦେବାକୁ ଚାହିଁଛି କି ? ନୀଳ ଅମ୍ବର କୁ ଛୁଇଁବାର ଇଛା ର ପକ୍ଷୀ କୁ ତାର କାଟି ତାକୁ ଶାରୀରିକ, ମାନସିକ ଭାବେ ଦୁର୍ବଳ ବୋଲି ପ୍ରମାଣିତ କରିବାକୁ ଚାହୁଁଛି କି  !କାହିଁକି ତେବେ ଏ “ବେଟି ବଚାଓ, ବେଟି ପଢ଼ାଓ ” ଅଭିଯାନ ଯେଉଁଠି ସକାଳେ ଘରୁ ବାହାରି ଥିବା ଝିଅ ଟିଏ, ମହିଳା ଟିଏ ଆର ମୁହୂର୍ତ୍ତ ରେ ବି ସୁରକ୍ଷିତ ନୁହେଁ । ଏମିତି କି ସେ ସନ୍ଧ୍ୟା ରେ ଫେରିବ କି ନାହିଁ ତାହାବି ଏକ ପ୍ରଶ୍ନବାଚୀ । ଯୁଗ ଯେତେ ଆଗାଉଛି, ଶିକ୍ଷା, ଵିଜ୍ଞାନ ଓ ବୈଷୟିକ ଜ୍ଞାନ ଯେତେ ଉର୍ଣ୍ଣତ ହେଉଛି, ନାରୀ ନିର୍ଯାତନା ସେତେ ବଢ଼ିବାରେ ଲାଗିଛି ।ମାତ୍ର ଏଵେ ପ୍ରଶ୍ନ ଆମକୁ କିଏ ସୁରକ୍ଷା ଦେବ ସେ କଥା ନୁହେଁ! ଯେଉଁ ସ୍ତ୍ରୀ ଟି ଅନ୍ୟ ସମସ୍ତ ଙ୍କୁ ସାହାରା ଦେଉଛି ତାକୁ ଵା କଣ ସୁରକ୍ଷା ଦରକାର ! 
ଏକଥା ଧ୍ରୁବ ସତ୍ୟ କେହି କାହାକୁ ଡାକି ହାକି ଅଧିକାରର ଦିଏନି, ସମ୍ମାନ ର ମୁକୁଟ ପିନ୍ଧାଏନି l ପ୍ରଥମେ ଆମେ ନିଜେ ନିଜକୁ ସମ୍ମାନ ଦେବା, ନିଜ ଅଧିକାର ହାସଲ କରିବା,  ଆମେ ନିଜେ ନିଜର ସୁରକ୍ଷା ଓ  ସମ୍ନାନ  ପ୍ରତି ସଚେତନ ରହିବା ତେବେ ଏ ସମାଜ ତାହା ଆପେ ବୁଝିଯିବ।

ଅନସୂୟା ପଣ୍ଡା, କାର୍ଡଗୁଡି, ବାଙ୍ଗାଲୋର ୯୮୪୦୭୦୬୧୪୦