ମାନସିକ ଚାପ ବଶବର୍ତ୍ତୀ ମହିଳାଙ୍କ ସମସ୍ୟା ଓ ତାର ସମାଧାନ…

ମହାମାରୀ କରୋନା ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି , ହେଲେ ଏହାଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ମହିଳାମାନେ | ଏ ଲକଡାଉନ କେବଳ ଶାରୀରିକ ନୁହେଁ ମାନସିକ ଏବଂ ମନସ୍ତାତ୍ତ୍ୱିକ ରୂପେ ମଧ୍ୟ ମହିଳାମାନଙ୍କ ପାଇଁ ଆଣିଦେଇଛି ଚିନ୍ତା ଓ ବିଷାଦ | କହିବା ବାହୁଲ୍ୟ ଘରେ ବେଶୀ ସମୟ ଆବଦ୍ଧ ହୋଇ ରହିବା ଯୋଗୁଁ କାର୍ଯ୍ୟଭାର ଅପେକ୍ଷାକୃତ ଭାବରେ ବଢିଯାଇଛି | ସେମାନେ ଅଧିକରୁ ଅଧିକ ସମୟ ଘରେ ପିଲା ଏବଂ ଆତ୍ମୀୟ ସ୍ଵଜନଙ୍କ ଯତ୍ନ ନେବାରେ ବ୍ୟସ୍ତ ରହୁଛନ୍ତି | OECD ( Organisation for Economic Cooperation) ତଥ୍ୟ ଅନୁସାରେ ଭାରତୀୟ ମହିଳାମାନେ ଦିନକୁ ପାଖାପାଖି ୬ ଘଣ୍ଟା ଅବୈତନିକ କାମ କରିଥାନ୍ତି | ଯାହା ପୁରୁଷମାନଙ୍କ କ୍ଷେତ୍ରରେ ଦୈନିକ ୧ ଘଣ୍ଟାରୁ ମଧ୍ୟ କମ | ସମ୍ପୂର୍ଣ୍ଣ ବିଶ୍ୱରେ ଦେଖିବାକୁ ଗଲେ ମହିଳାମାନେ ଦିନର ୭୬.୨ {565af5950bfbe33dad4b01703c8df0ef40291bef89414603afa677bda413ab97} ସମୟ ଘର ଏବଂ ପରିବାରଜନଙ୍କ ସେବାରେ ବିତେଇଥାନ୍ତି | ଏବେ ସ୍କୁଲଗୁଡିକ ବନ୍ଦଥିବାରୁ ପିଲାମାନେ ଘରେ ରହୁଛନ୍ତି , ତେଣୁ ଘରପ୍ରତି ସେମାନଙ୍କ ଦାୟିତ୍ୱ ଏବଂ ଆସକ୍ତି ଆହୁରି ବୃଦ୍ଧି ପାଇଛି |

OXFAM ରିପୋର୍ଟ ଅନୁଯାୟୀ ମହିଳା ଏବଂ ଝିଅମାନେ ଦିନକୁ ଯେତେ ଘଣ୍ଟା ନିଜ ପରିବାର ଏବଂ ଘରର ଯତ୍ନ ନେବାରେ ନିୟୋଜିତ କରୁଛନ୍ତି , ସେତିକି ସମୟ କାମ କରିବା ପାଇଁ ବେତନ ପାଇବାର ବ୍ୟବସ୍ଥା ହେଲେ , ତାହା ଆମ ଭାରତୀୟ ଅର୍ଥନୀତି ବ୍ୟବସ୍ଥାକୁ ପ୍ରତିବର୍ଷ ୧୯ ଲକ୍ଷ କୋଟି ଅର୍ଥ ଉପାର୍ଜନ କରେଇବାରେ ସକ୍ଷମ କରିପାରିବ ବୋଲି ସମ୍ଭାବନା ରହିଛି |

ୟା ଅର୍ଥ ଏହା ଜମା ନୁହେଁ ଯେ ,ମହିଳାମାନେ ପରିବାରର ଯତ୍ନ ଏବଂ ଘରର ଯାବତୀୟ କାର୍ଯ୍ୟ କରିବାକୁ ମନା କରିବା ଉଚିତ | କହିବାକୁ ଗଲେ ଅନେକ ମହିଳା ଏହି କାର୍ଯ୍ୟକୁ ସ୍ୱଇଚ୍ଛାରେ ଏବଂ ଖୁସିରେ କରନ୍ତି | କାରଣ ନିଜ ପିଲାମାନଙ୍କ ଏବଂ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ପରିବାରବର୍ଗ ପାଇଁ କରୁଥିବା କାମ ତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ | କିନ୍ତୁ ଏହା ବି ମିଥ୍ୟା ନୁହେଁ ଯେ ଯେବେ ଘରକାମରେ ସାହାଯ୍ୟ କରିବା କିମ୍ବା ବିଶ୍ରାମ ନେବା କଥା ଆସେ ସେତେବେଳେ ଅତି ଭଲରେ ଦେଖାଗଲେ ମନା କରିଦିଆଯାଏ ଏବଂ ଅତି ଖରାପରେ ଦେଖାଗଲେ ସେମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦିଆଯାଏ | ଯଦ୍ୱାରା ସେମାନେ ମାନସିକ ଚାପର ବଶବର୍ତ୍ତୀ ହୋଇ ବିଷାଦଗ୍ରସ୍ତ ହୁଅନ୍ତି | ବିଶେଷକରି ମହିଳାମାନଙ୍କ ଶାରୀରିକ ଅସୁସ୍ଥତା ସମୟରେ ଘର ତଥା ପରିବାରର ଯତ୍ନନେବା ତାଙ୍କ ପକ୍ଷେ କଷ୍ଟକର ହୋଇଥାଏ |

କରୋନା ସମୟରେ ଅନେକ ମହିଳା କାମ ଛାଡିଦେଉଛନ୍ତି କିମ୍ବା ଘରୁ କାମ କରିବାକୁ ବାଧ୍ୟ ହେଉଛନ୍ତି | ପରିଣାମ ସ୍ୱରୂପ ଆର୍ଥିକ ଅନିଶ୍ଚିତତା ମହିଳାମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି | ପୁରୁଷ ମାନଙ୍କ ତୁଳନାରେ ମହିଳାମାନେ ଆର୍ଥିକ ସମସ୍ୟାକୁ ନେଇ ଅଧିକ ବିଷାଦଗ୍ରସ୍ତ ହେବାର ଦେଖାଯାଏ | କାରଣ ସେମାନେ ହିଁ ଘର ଚଳେଇଥାନ୍ତି | ଘରକୁ ପଇସା ଠିକ ସମୟରେ ଆସୁ କି ନ ଆସୁ ଘରଖର୍ଚ୍ଚ ତ’ ତାକୁ ହିଁ ତୁଲେଇବାକୁ ହୁଏ | ପରୀକ୍ଷଣରୁ ଜଣାଯାଇଛି ଯେ କଣ ରୋଜଗାର କରୁଥିବା ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ୨ ଗୁଣ ଅଧିକ ଚିନ୍ତିତ ଏବଂ ୬ ଗୁଣ ଅଧିକ କଷ୍ଟ ପାଆନ୍ତି |

ଏହି ସମସ୍ୟାର ସମାଧାନ ରୂପେ ସ୍ତ୍ରୀଲୋକମାନେ କେବଳ ଏତିକିଇଛା କରନ୍ତି ଯେ ତାଙ୍କ ସ୍ୱାମୀମାନେ ଜଣେ ସାଥିରୂପେ ଘରକାମ କରିବା ସମୟରେ ତାଙ୍କୁ ସାହାଯ୍ୟ କରନ୍ତୁ | ଏହା ଦ୍ୱାରା ସେମାନେ ଉଭୟ ଘର ଓ ବାହାରର କାମକୁ ଠିକରୂପେ ସମ୍ପାଦନ କରିବା ସହିତ ପରସ୍ପର ପାଇଁ ମନରେ ସ୍ନେହ ଓ ସମ୍ମାନ ବୃଦ୍ଧିପାଇବ | ଉଭୟେ ଦାୟିତ୍ୱ ନେଇ ଦୁହେଁ ଦୁହିଁଙ୍କ ସହାୟକ ହେଲେ ମହିଳାଙ୍କ ଶ୍ରମଭାର ଲାଘବ ହେବା ସହିତ ଏକ ସୁଖୀ ଜୀବନ ବଞ୍ଚିପାରିବେ |

ଅପରପକ୍ଷେ କୋଭିଡ -୧୯ ମହିଳାମାନଙ୍କୁ ଏକ ବଡ଼ ଶିକ୍ଷାଦେଇଛି |ସେମାନେ ଘରେ ରହି ଘର କାମ ସହିତ ଖାଲି ସମୟରେ କିଛି ଲାଭଜନକ ବ୍ୟବସାୟ କରି ଉପାର୍ଜନରେ ସକ୍ଷମ ହୋଇପାରିଛନ୍ତି | WHO କହିବା ଅନୁସାରେ ” ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତାଙ୍କର ସାମାଜିକ ଜୀବନ ଉପରେ ନିର୍ଭରଶୀଳ | ” ଯାହାର ସାମାଜିକ ଜୀବନ ଯେତେ ସ୍ୱଚ୍ଛଳ ସେ ସେତେ ସୁସ୍ଥ ଏବଂ ସୁଖୀ | ତେଣୁ ମହିଳାମାନେ ଧୈର୍ଯ୍ୟର ସହିତ ଏ ସମୟକୁ ବିତେଇବାକୁ ଚେଷ୍ଟା କରନ୍ତୁ | ଏତିକି ମନେରଖନ୍ତୁ ଏ ଜଟିଳ ସମୟ ନିଶ୍ଚୟ ଦିନେ କଟିଯିବ | ନିଜକୁ ଅବହେଳା ନ କରି ନିଜର ଯତ୍ନ ନିଅନ୍ତୁ | ଯାହା ସେମାନଙ୍କୁ ଖୁସି ଦଉଛି ସେଭଳି କାମରେ ନିଜକୁ ବ୍ୟସ୍ତ ରଖନ୍ତୁ | ଗୋଟିଏ ରୁଟିନବନ୍ଧା ଜୀବନରୁ ବାହାରି ଏମିତି କିଛି କରନ୍ତୁ , ଯାହା ଦ୍ୱାରା ଜୀବନ ଉତ୍ସହାମୟୀ ଓ ରୁଚିପୂର୍ଣ୍ଣ ହୋଇପାରିବ |

?ଶ୍ରୁତକୀର୍ତ୍ତି ତ୍ରିପାଠୀ ?
ଫୋନ – 6370516478