ନାରୀର ଅନ୍ତର୍ନିହିତ ଶକ୍ତି

     ନାରୀ ସବୁବେଳେ ପୂଜନୀୟା l ପୁରୁଣା ଯୁଗରେ ବି ନାରୀ କୁ ବହୁତ ଉଚ୍ଚ ମର୍ଯ୍ୟାଦା ଦିଆଯାଇଥିଲା l ବିବାହ, ବ୍ରତ, ପୂଜା, ଯଜ୍ଞାଦି ରେ ସ୍ୱାମୀ ସହିତ ସ୍ତ୍ରୀ ନ ରହିଲେ, ସେ ପୂଜା ପରିପୂର୍ଣ୍ଣ ହଉ ନ ଥିଲା l ଯଦିଓ ଗୃହ ଭିତର କାର୍ଯ୍ୟ ସମ୍ପାଦନରେ ତାର ଅଧିକ ଭୂମିକା ରହୁଥିଲା, କିନ୍ତୁ ପୁରୁଷ ଠାରୁ କମ କି ହେୟ ବୋଲି ଗଣନାରେ ସେ ଯାଉ ନ ଥିଲା l ଧୀରେଧୀରେ ଯୁଗ ବଦଳିବା ସହିତ ନାରୀ ପୁରୁଷ ଭଳି ସବୁ କାର୍ଯ୍ୟ କରିବାକୁ ଆଗଭର ହେଲା l ପୁରୁଷ ସହିତ କାନ୍ଧରେ କାନ୍ଧ ମିଳେଇ ତାକୁ ସାହାଯ୍ୟ କରିବାକୁ ଚାହିଁଲା, ହେଲେ କେତେଜଣ ହୀନ ମାନସିକତାଧାରୀଙ୍କ ଆଖିରେ ଏସବୁ ଗଲାନି  l ଜୋର କରି ଲାଗିପଡ଼ିଲେ ସେମାନେ ନାରୀକୁ ଅପମାନିତ, ଲାଂଛିତ କରିବାକୁ l ନିଜ କ୍ଷଣିକ ରାଗ, ମିଛ ସ୍ୱାଭିମାନ, ଆତ୍ମବଡ଼ିମା କୁ ବଜାୟ ରଖିବା ପାଇଁ ନାନା ହୀନକାମ କରିବାକୁ ସୁଦ୍ଧା ତାଙ୍କର ଲେଶମାତ୍ରା ଦ୍ଵିଧା ନ ଥିଲା l ସେଇ ସବୁ ଗୋଷ୍ଠୀର ଲୋକଙ୍କ ଦାଉରୁ ଆତ୍ମୀୟ ସ୍ଵଜନ ମାନେ ତାଙ୍କୁ ବଞ୍ଚେଇବା କୁ ଚାହିଁ ମଧ୍ୟ ବିଫଳ ହେଲେ ; ତାହାରି ପରିଣାମ ସ୍ୱରୂପ ଲୋକେ ପୁଅ ଙ୍କୁ ଲୋଡିଲେ ଝିଅଙ୍କ ଅପେକ୍ଷା l କାହିଁକି ଝିଅ ଟିକୁ ଜନ୍ମ ଦେବେ, ଜନ୍ମ ରୁ ମୃତ୍ୟୁ ଯାଏ ତାର ମାନ, ସମ୍ମାନ, ସୁରକ୍ଷା ସବୁକୁ ଜଗିବେ, ସବୁବେଳେ ଗୋଟିଏ ଡର, କେହି ଝିଅ କୁ ଖରାପ ବ୍ୟବହାର ଦେଖେଇବନି ତ? କିଏ ତା ସହିତ କିଛି ଭୂଲ କରିଦେବନି ତ?
ତଥାପି ନାରୀ ନିଜେ ସଶକ୍ତ ହେବାକୁ ଚେଷ୍ଟା କଲା, ନିଜକୁ ପ୍ରସ୍ତୁତ କଲା ସବୁ ପରିସ୍ଥିତିରେ ମୁକାବିଲା କରିବା ପାଇଁ, ବିଭିନ୍ନ କ୍ଷେତ୍ରରେ  ନିଜ ଦକ୍ଷତା ଦେଖେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଲା l ଧୀରେଧୀରେ ମାତାପିତା ଟିକେ ଆଶ୍ୱସ୍ତ ହେଲେ, ଖୁସି ବି ହେଲେ ଯେ ନା ଆମ ଝିଅ ବି ପୁଅଠାରୁ କୌଣସି ଗୁଣରେ  କମ ନୁହେଁ l ନାରୀ ତ ସହଜେ ଲତା କିମ୍ବା ନଦୀଟିଏ ପରୀ, ଖୁବ ସହଜରେ ଏବଂ ଶୀଘ୍ର ମାଡିଯାଏ ଆଗକୁ ଆଗକୁ l
       ଭଗବାନ ସୃଷ୍ଟିରେ ଭିନ୍ନ ଭିନ୍ନ ଲୋକଙ୍କର ପୃଥକ ପୃଥକ କର୍ମ ସମ୍ପାଦନ ନିମିତ୍ତ ଶକ୍ତି ପ୍ରଦାନ କରିଥାନ୍ତି l ସେହି ଦୃଷ୍ଟିରୁ ପିଲାଙ୍କୁ ଜନ୍ମଦେଇ ସେମାନଙ୍କର ଲାଳନ ପାଳନ କରିବା ସହିତ ଅନ୍ୟ ମାନଙ୍କପ୍ରତି ଅନୁକମ୍ପା ପ୍ରଦର୍ଶନ କରି ପରିବାର ଏବଂ ସମାଜରେ ମାଧୁର୍ଯ୍ୟର ଭାବ ସୃଷ୍ଟି କରିବା ନିମିତ୍ତ ଭଗବାନ ନାରୀମାନଙ୍କୁ ସାତୋଟି ବିଶେଷ ଗୁଣ ଯଥା :- କୀର୍ତ୍ତି, ଶ୍ରୀ, ବାକ, ସ୍ମୃତି, ମେଧା, ଧୃତି ଏବଂ କ୍ଷମା ଆଦି ସହିତ ଜନ୍ମ ଦେଇଛନ୍ତି l
       କୀର୍ତ୍ତି  ରୂପରେ ନାରୀମାନଙ୍କଠାରେ ପ୍ରକାଶିତ ହୋଇ ନାରୀଙ୍କ ପବିତ୍ରତା, ନିଷ୍କଳଙ୍କ ଚରିତ୍ର ଏବଂ ସଦାଚାରଣ ଭାବକୁ ନେଇ ସେ ସୁଖ୍ୟାତି ପାଏ l
       ନାରୀ ଟିଏ ହିଁ ପରିବାର ତଥା ଘରର ‘ଶ୍ରୀ’ ଅର୍ଥାତ ସୁନ୍ଦରତାକୁ ବଜାୟ ରଖିଥାଏ l
      ମିଷ୍ଟଭାଷି ଏବଂ ବାକ ସଂଯମତା ଆଦି ଭଗବତ ପ୍ରଦତ୍ତ ଗୁଣ ଦ୍ଵାରା ନାରୀ ସଭିଙ୍କୁ ଆପଣାର କରିଥାଏ l
      ପରିବାରର ସମସ୍ତ କାମ ଠିକ ସମୟରେ କରି ଆନନ୍ଦମୟ ଏବଂ ଶାନ୍ତିର ବାତାବରଣ ସୃଷ୍ଟିରେ ସହାୟକ ହୁଏ ତାର ପ୍ରଖର ସ୍ମୃତି l
      ମେଧା, ନାରୀର ଧୀଶକ୍ତି ବା ଧାରଣ କରିବାର ଶକ୍ତି l ଏହା ଯୋଗୁଁ ନାରୀମାନେ ସବୁ ସହଜରେ ଏବଂ ଜୀବନର ଶେଷଯାଏ ମନେ ରଖନ୍ତି l ଫଳରେ ସବୁକାମକୁ ଶୀଘ୍ର ବୁଝିବା ଏବଂ ବିରକ୍ତି ପ୍ରକାଶ ନ କରି ସବୁ କାମ କରିଯିବା ନାରୀ ପାଖେ ସହଜସାଧ୍ୟ ହୋଇଥାଏ l
    ଧୃତି କିମ୍ବା ଧୈର୍ଯ୍ୟ ହେଉଛି ନାରୀର ସବୁଠାରୁ ବଳିଷ୍ଠ ଗୁଣ l ଯେଉଁ ନାରୀର ଏ ଶକ୍ତି କୁ ଯେତେ ଆୟତ୍ତ କରିଛି ସେ ତା ଜୀବନରେ ସେତେ ସଫଳ ହୋଇପାରିଛି l
    ଶେଷରେ ଦଣ୍ଡ ଦେବାର ଶକ୍ତି ଥିଲେ ମଧ୍ୟ ଅପରାଧକୁ ଭୁଲି, ଦୟା ଓ କ୍ଷମା ଦେବା ହେଉଛି ନାରୀର ମହାନତା l
      ପୃଥିବୀ ପରି କ୍ଷମାଶୀଳା, ସମୁଦ୍ର ପରି ଗମ୍ଭୀର, ଗଙ୍ଗା ପରି ପବିତ୍ର ନାରୀ ଆବଶ୍ୟକତା ପଡ଼ିଲେ ଦୁଷ୍ଟଙ୍କ ପାଇଁ ଅଗ୍ନିଶମ ପ୍ରଜ୍ଜ୍ଵଳିତ ହେବାର ଶକ୍ତି ବି ରଖେ l ଏତେସବୁ ଗୁଣର ଅଧିକାରିଣୀ ନାରୀ, ନିଜକୁ ଅବଳା, ଦୁର୍ବଳା ନ ମଣି ନିଜ ଭିତରେ ଥିବା ଶକ୍ତିଗୁଡିକୁ ଚିହ୍ନି ତାର ସଦୁପଯୋଗ କରୁ l ପରିବାର ତଥା ସମାଜରେ ଶାନ୍ତି ଏବଂ ପ୍ରଗତିର ବାହକ ନାରୀ, ସଶକ୍ତ ହେଉ, ନିଜକୁ ସମ୍ମାନ ଦେଉ ; ହେଲେ ଯାଇ ଦେଶର ଉନ୍ନତିରେ ନିର୍ଣ୍ଣାୟକ ସାଜିପାରିବ l
ଶ୍ରୁତକୀର୍ତ୍ତି ତ୍ରିପାଠୀ