ଛୋଟ ପିଲା ହୁଅନ୍ତୁ ବା ବଡ ପିଲା ପ୍ରାୟ ସମସ୍ତଙ୍କ ପାଟି ଭିତରେ ଅର୍ଥାତ୍ ଓଠର ଭିତର ପାର୍ଶ୍ବ ଚର୍ମରେ ଫୋଟକା ହୋଇଥାଏ। ବାରମ୍ବାର ଏହା ଜିଭ ସଂସ୍ପର୍ଶରେ ଆସେ। ଏହି କାରଣରୁ ସଠିକ୍ ଭାବରେ ଖାଇବା ପିଇବାରେ ଅସୁବିଧା ହୁଏ। ଯଦିଓ ଏହି ସମସ୍ୟା ସେତେଟା ଗମ୍ଭୀର ନୁହେଁ ଏବଂ କିଛି ଦିନ ମଧ୍ୟରେ ଆପେ ଭଲ ହୋଇଯାଏ, ତଥାପି ପାଟି ଫୋଟକା ନିଜକୁ ଭଲ ଲାଗେ ନାହିଁ। ମନକୁ ଆସେ ଏଭଳି ହେବାର କାରଣ କ’ଣ ?
ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟରେ ଆଇରନ୍, ଭିଟାମିନ୍-ବି ୧୨, ଫୋଲିକ୍ ଏସିଡ୍ ର ଅଭାବରେ ପାଟି ଫୋଟକା ସମସ୍ୟା ଦେଖାଦିଏ। ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ବା ଔେଷଧ ଦୋକାନରୁ ମଲମ ଆଣି ବ୍ୟବହାର କରି ଏହାକୁ ଭଲ କରି ପାରିବେ କିନ୍ତୁ ଆଜି ଆମେ ଜାଣିବା ଏହାର ଘରୋଇ ଉପଚାର କ’ଣ? ଏବଂ କେଉଁ କାରଣରୁ ଏହି ସମସ୍ୟା ଦେଖାଦେଇଥାଏ।
ଫୋଟକା ହେବାର କାରଣ
– ହର୍ପିସ୍ ସିମ୍ପାଲେକ୍ସ ଭାଇରସ୍ ବା ଭୂତାଣୁ ଦ୍ବାରା ଶିଶୁମାନଙ୍କ ପାଟିରେ ଫୋଟକା ହୋଇଥାଏ। ଏହା ବ୍ୟତୀତ ଯଦି ଖାଇବା ସମୟରେ ଶିଶୁର ଜିଭ କିମ୍ବା ଚର୍ମରେ କୌଣସି ପ୍ରକାରର ଆଘାତ ଲାଗେ, ତେବେ ଏହା ଧୀରେ ଧୀରେ ଫୁଲିକି ଫୋଟକା ହୋଇଯାଏ। ଏହା ବ୍ୟତୀତ ଭିଟାମିନ୍-ବି ୧୨ ର ଅଭାବ ହେତୁ ପାଟିରେ ଫୋଟକା ଦେଖାଯିବା ଆରମ୍ଭ ହୁଏ।
– ଶୀଘ୍ର ଶୀଘ୍ର ଦାନ୍ତ ଘଷିବା ବେଳେ ଯଦି ଆଘାତ ଲାଗେ ତାହେଲେ ମଧ୍ୟ ପାଟିରେ ଫୋଟକା ହେବା ସମ୍ଭାବନା ଥାଏ।
– ଯଦି କୌଣସି ବ୍ୟକ୍ତିର ପାଟିରେ ଫୋଟକା ଥାଏ ଏବଂ ସେ ପିଲାକୁ ଚୁମ୍ବନ ଦିଅନ୍ତି, ତେବେ ପିଲାଟିର ପାଟିରେ ଫୋଟକା ହେବାର ସମ୍ଭାବନା ଥାଏ।
– ଶରୀରରେ ଜଳ ଅଭାବ ହେତୁ ଫୋଟକା ମଧ୍ୟ ହୋଇପାରେ।
କିପରି କରିବେ ଚିକିତ୍ସା
-ବାସ୍ତବରେ ଫୋଟକା ଟି ଆପେ ଭଲ ହୋଇଯାଏ। କିନ୍ତୁ ଯଦି ବହୁତ ଅସୁବିଧା ହୁଏ, ତେବେ ଡାକ୍ତର ପରାମର୍ଶ ନେବା ଉଚିତ୍।
-ଯଦି ପିଲାଟି ବହୁତ ଛୋଟ ନୁହେଁ, ତେବେ ଆପଣ ଫୋଟକା ଉପରେ ବରଫ ଲଗାଇ ପାରିବେ।
-ପିଲାକୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।
-ପିଲାକୁ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟ ଦିଅନ୍ତୁ ନାହିଁ।
-ଫୋଲିକ୍ ଏସିଡ୍, ଭିଟାମିନ୍-ବି ଏବଂ ଆଇରନ୍ ଯୁକ୍ତ ଖାଦ୍ୟ ଦିଅନ୍ତୁ।
-ଫୋଟକା ଉପରେ ମହୁ ମଧ୍ୟ ଲଗାଇ ପାରିବେ। ଏହା ସଂକ୍ରମଣକୁ ଦୂର କରିବାରେ ସାହାଯ୍ୟ କରେ।
-ଯଦି ଶିଶୁଟି ୬ ମାସରୁ ଅଧିକ, ତେବେ ସେଥିରେ ନଡିଆ ତେଲ ଲଗାଇ ପାରିବେ।
-ଦହି ମଧ୍ୟ ଦେଇପାରିବେ। ଏଥିରେ ଥିବା ଲାକ୍ଟିକ୍ ଏସିଡ୍ ଫୋଟକା ଏବଂ ଭୂତାଣୁ ଦୂର କରିବାରେ ସାହାଯ୍ୟ କରିଥାଏ।
-ଯଦି ନିୟମିତ ଫୋଟକା ହେଉଛି ତେବେ ତାହାକୁ ଦୂର କରିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ। ଏହା ବ୍ୟତୀତ ଖାଦ୍ୟ ତାଲିକା ମଧ୍ୟ ପରିବର୍ତ୍ତନ କରାନ୍ତୁ।