ଥରେ ଜଣେ ବ୍ୟକ୍ତି ଗୋଟିଏ ଭୋଜନାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଖାଇବା ବରାଦ କଲେ l ବ୍ୟକ୍ତି ଜଣକ ତାଙ୍କର ଆବଶ୍ୟକତା ଅନୁଯାୟୀ ଖାଦ୍ୟଗ୍ରହଣ କଲା ପରେ ବଳକା ଖାଦ୍ୟତକ ଥାଳିରେ ଛାଡ଼ି ଯିବାକୁ ଉଦ୍ୟତ ହେଲେ l ହୋଟେଲ ମାଲିକ ଆସି ତାଙ୍କ ରାସ୍ତା ଅବରୋଧ କରି ତାଙ୍କୁ ଥାଳିର ଖାଦ୍ୟ ଶେଷ କରି ଉଠିବାକୁ ଅନୁରୋଧ କଲେ l ଗ୍ରାହକ ଜଣକ ଖାଇବାର ମୂଲ୍ୟ ସେ ଦେଇସାରିଛନ୍ତି ଏବଂ ତା ପରେ ସେ ଖାଦ୍ୟ ଖାଆନ୍ତୁ କି ଫୋଫଡ଼ନ୍ତୁ ତାହା ତାଙ୍କ ଇଚ୍ଛା ବୋଲି କହିଲେ l ତାଙ୍କ କଥା ଶୁଣି ମାଲିକ କହିଲେ, ‘ ଏ ଖାଦ୍ୟ ପାଇଁ ଦେଇଥିବା ମୂଲ୍ୟ ତୁମର ହୋଇପାରେ , ମାତ୍ର ଏ ଖାଦ୍ୟ ଆମ ଦେଶର ସମ୍ପତ୍ତି l ଏହାର ଉତ୍ପାଦନ ପଛରେ କେତେ ଯେ କୃଷକଙ୍କର କଠିନ ପରିଶ୍ରମ ରହିଛି l ତେଣୁ ଜାତୀୟ ସମ୍ପତ୍ତିକୁ ନଷ୍ଟ କରିବାର ଅଧିକାର ତାଙ୍କର ନାହିଁ l ‘ ବ୍ୟକ୍ତିଜଣକ ହୋଟେଲ ମାଲିକଙ୍କ କଥାର ଗଭୀରତାକୁ ଅନୁଭବ କରି ପୁରା ଥାଳିର ଖାଦ୍ୟତକ ଶେଷ କରି ସେ ସ୍ଥାନରୁ ଉଠିଲେ l
ଉକ୍ତ ଘଟଣାର ଅବତାରଣା ପଛରେ ଲୁଚରହିଛି ଏକ ମହାନ ଶିକ୍ଷା, ଯାହାକୁ ସମସ୍ତେ ଦୃଦୟଙ୍ଗମ କରିବାର ସମୟ ଆସିଯାଇଛି। ଖାଦ୍ୟ ଉତ୍ପାଦନ ମାନବ ସମାଜ ପାଇଁ ଯେତେ ଦରକାରୀ ଖାଦ୍ୟ ଅପଚୟ ରୋକିବା ଏବଂ ଖାଦ୍ୟ କୁ ସଂରକ୍ଷିତ କରି ରଖିବା ମଧ୍ୟ ଦେଶରେ ଖାଦ୍ୟାଭାବ ସମସ୍ୟାର ସମାଧାନ କରିବା ପାଇଁ ସେତେ ଜରୁରୀ l
ମଣିଷର ତିନୋଟି ମୁଖ୍ୟ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଧ୍ୟରୁ ଜୀବନ ଧାରଣ ପାଇଁ ଯାହା ସବୁଠାରୁ ବେଶୀ ଆବଶ୍ୟକ, ତାହା ହେଉଛି ଖାଦ୍ୟ l ଆଉ ଯାହା ଥାଉ କି ନ ଥାଉ ଖାଦ୍ୟର ଅଭାବ ରହିଲେ ମଣିଷ ଏ ସୃଷ୍ଟିରେ ତିଷ୍ଠିବା ମଧ୍ୟ ଅସମ୍ଭବ l ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାନବ ଜୀବନ ଯାତ୍ରାକୁ ଦେଖିଲେ ଜଣାଯାଏ,ଖାଦ୍ୟର ସନ୍ଧାନ ହିଁ ମଣିଷକୁ ଉନ୍ନତ ଏବଂ ସମୃଦ୍ଧ ଜୀବନଶୈଳୀ ବଞ୍ଚିବା ଶିଖେଇଛି l ସେଥିପାଇଁ ଖାଦ୍ୟର ବ୍ୟପାକତା ଏବଂ ସଠିକ ମାତ୍ରା ମଣିଷର ଅଗ୍ରଗତିକୁ ପ୍ରଭାବିତ କରିବାର କ୍ଷମତା ରଖେ l ଅପରପକ୍ଷେ ଖାଦ୍ୟର ଅଭାବ ମଣିଷକୁ ଧ୍ବଂସ ଆଡ଼କୁ ଠେଲିଦେବାର ଆଶଙ୍କା ଅଛି l ତେଣୁ ଖାଦ୍ୟର ଅଭାବ ମାନବଜାତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ l
ଗୋଟିଏ ସୁସ୍ଥ ଏବଂ ନିରୋଗ ଜୀବନ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ନ ମିଳିଲେ ତାକୁ ଖାଦ୍ୟାଭାବ କହିପାରିବା l ଖାଦ୍ୟର ଅଭାବ ବ୍ୟକ୍ତିବିଶେଷ, ସହର, ରାଜ୍ୟ, ଦେଶ ଏବଂ ମହାଦେଶକୁ ପ୍ରଭାବିତ କରିଥାଏ l ଖାଦ୍ୟ ଅଭାବର ସମ୍ଭାବନା ସେତେବେଳେ ହୁଏ, ଯେବେ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଉତ୍ପାଦନ ହୋଇପାରେ ନାହିଁ l ଲୋକସଂଖ୍ୟା ହିସାବରେ ଖାଦ୍ୟ ଉତ୍ପାଦନ ନ ହେବା କିମ୍ବା ଆବଶ୍ୟକ ବିହନ, ଅନୁର୍ବର ଜମି, କୃଷିର ଅଭାବ ଏହା ପାଇଁ ମୁଖ୍ୟତଃ ଦାୟୀ l ଏହା ବ୍ୟତୀତ ଠିକ୍ ସ୍ଥାନରେ ଖାଦ୍ୟର ବଣ୍ଟନ ପ୍ରକ୍ରିୟାରେ ଅସୁବିଧା ଦେଖାଦେଲେ ମଧ୍ୟ ଖାଦ୍ୟ ଅଭାବର ପରିସ୍ଥିତି ସୃଷ୍ଟି ହୁଏ l ବେଳେବେଳେ ଯଥେଷ୍ଟ ପରିମାଣର ଖାଦ୍ୟ ମହଜୁଦ ଥିଲେ ମଧ୍ୟ ଅନାହାରରେ ପୀଡିତ ଗୋଷ୍ଠୀଙ୍କ ପାଖକୁ ଖାଦ୍ୟ ପହଞ୍ଚି ପାରୁନାହିଁ l ଜରୁରୀ ସମୟରେ ଖାଦ୍ୟଦ୍ରବ୍ୟ ଅଟକ ରଖି, ପରେ ଅଧିକ ଦାମରେ ବିକ୍ରିକରିବା ଫଳରେ ଏହି ସମସ୍ୟା ଆହୁରି ଗୁରୁତର ରୂପ ନେଉଛି l
ବର୍ତ୍ତମାନ ପରିସ୍ଥିତିରେ ପରିବାପତ୍ର, କୃଷିଜନିତ ଖାଦ୍ୟ, ତେଲ ଆଦିର ଦର କଥା ନିଆଯାଉ, ଦରବୃଦ୍ଧି ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ମାନଙ୍କୁ ହରଡ଼ ଘଣାରେ ପକେଇସାରିଲାଣି l ଗରିବ, ଖଟିଖିଆ ଲୋକ, ଆଳୁ ପିଆଜ ଯେଉଁମାନଙ୍କର ନିତିଦିନିଆ ଖାଇବାର ଏକ ବିଶେଷ ସାଧନ କହିଲେ ଭୁଲ ହେବ ନାହିଁ, ସେମାନେ ଏ ଦରବୃଦ୍ଧି ନେଇ କେତେ ଚିନ୍ତିତ ଥିବେ ତାହା ବୁଝିବାର ଆବଶ୍ୟକତା ରହିଛି l ଏହା ନୁହେଁ ଯେ ଆମ ଦେଶରେ ଆଳୁ ପିଆଜର ଉତ୍ପାଦନ କମ ହେଉଛି, ମାତ୍ର ଠିକ ସମୟରେ ଠିକ ଜାଗାରେ ପହଞ୍ଚି ନ ପାରିବାରୁ ଏହାର ଦର ଦିନକୁଦିନ ବଢ଼ିବାରେ ଲାଗିଛି l
ଓଡ଼ିଶାର କେତୋଟି ଜିଲ୍ଲାରେ କିଛି ଲୋକ ଭଲ ଖାଇବା ତ ଦୂରର କଥା ପେଟପୁରା ଖାଇବା ମଧ୍ୟ ପାଉନାହାନ୍ତି l ବନ୍ୟା, ବାତ୍ୟା, ମରୁଡି ବର୍ଷଯାକ ଦାଉସାଧିଲା ପରେ ଯାହା ଉତ୍ପାଦନ ହଉଛି, ତାହା ନିଅଣ୍ଟ ହଉଛି l ଏପରିକି କେତୋଟି ଜିଲ୍ଲାରେ ଅଖାଦ୍ୟ ଖାଇ ଲୋକେ ଅନାହାର ଏବଂ ରୋଗର ଶିକାର ହେଉଛନ୍ତି l ବିଷାକ୍ତ ଏବଂ ଅପମିଶ୍ରିତ ଖାଦ୍ୟ ଖାଇ ଅସୁସ୍ଥତା ଏବଂ ମୃତ୍ୟର ଖବର ପ୍ରତିଦିନ ଖବରକାଗଜରେ ଦୃଷ୍ଟି ଆକର୍ଷଣ କରୁଛି l ଖାଦ୍ୟର ଅଭାବ ଆମର ଆଗାମୀ ପିଢ଼ିକୁ ଶାରୀରିକ ଏବଂ ମାନସିକ ସ୍ତରରେ ଅନୁନ୍ନତ କରୁଛି l ସେମାଙ୍କର ବିକାଶରେ ବାଧା ସୃଷ୍ଟି କରୁଛି l ଯେଉଁଠି ବଞ୍ଚିବା ପାଇଁ ମଣିଷ ସଂଘର୍ଷରତ, ସେଠି ପ୍ରଗତି ଏବଂ ଦୂରଦର୍ଶିତାର ବହୁଦୂର ଯାଏ କିଛି ସମ୍ବନ୍ଧ ନାହିଁ l
ଖାଦ୍ୟ ଅଭାବର ମୁଖ୍ୟ କାରଣ ପଛରେ ରହିଛି ଖାଦ୍ୟ ଉତ୍ପାଦନର ଉତ୍ସ l ଆମେ ଖାଉଥିବା ଖାଦ୍ୟର ମୁଖ୍ୟ ଉତ୍ସ ହେଉଛି କୃଷି l ତେଣୁ ଖାଦ୍ୟ ପାଇଁ ଆମେ ଆମର କୃଷକ ମାନଙ୍କ ଉପରେ ନିର୍ଭରଶୀଳ l କିନ୍ତୁ ଦୁଃଖର ବିଷୟ ଆମ ପିଢ଼ିର କେହି ବି ଭବିଷ୍ୟତରେ କୃଷକ ହେବାକୁ ଚାହୁଁନାହାନ୍ତି l ସମସ୍ତେ ବଡ଼ ବଡ଼ ପଦବୀରେ ଚାକିରୀ କରିବେ l କୃଷିକାମ ପାଇଁ କାହାରି ମନରେ ସମ୍ମାନ ନାହିଁ, ତେଣୁ କୃଷକ ମାନଙ୍କୁ କେହି ଆଦର କରନ୍ତି ନାହିଁ l ମଣିଷ ଏଡ଼େ ଅଵିଵେକୀ, ତାର ପ୍ରତ୍ୟେକ ଖାଇବା ଗୁଣ୍ଡା ଯେ ଜଣେ କୃଷକର ଦିନସାରାର ହାଡ଼ଭଙ୍ଗା ପରିଶ୍ରମର ଫଳ ବୋଲି ଜାଣିପାରେ ନାହିଁ।କୃଷି ପ୍ରତି ଅମନଯୋଗୀ ମନୋଭାବ ଆମକୁ ଅନ୍ୟ ରାଜ୍ୟରୁ ଖାଦ୍ୟ ସମ୍ବନ୍ଧୀୟ ଦ୍ରବ୍ୟ ଆମଦାନୀ ପାଇଁ ନିର୍ଭରଶୀଳ ହେବାକୁ ବାଧ୍ୟ କରୁଛି l
ତେଣୁ ସମସ୍ତେ କୃଷିର ଆବଶ୍ୟକତା ବିଷୟରେ ସଚେତନ ହେବା ଦରକାର l କୃଷି ବିନା ଖାଦ୍ୟର ଅଭାବକୁ ଦୂରୀଭୂତ କରିବା ଅସମ୍ଭବ ଏହା ବୁଝିବାକୁ ହେବ l ଏହା ସହିତ ଖାଦ୍ୟର ଅପଚୟ କୁ ମଧ୍ୟ ରୋକିବାକୁ ହେବ l ଖାଦ୍ୟର ଗୋଟିଏ କଣିକା ବି ଯେମିତି ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ସହିତ ଅଭାବୀ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚେଇବା ପାଇଁ ଚେଷ୍ଟିତ ହେଲେ ଖାଦ୍ୟାଭାବ ଜନିତ ସବୁ ସମସ୍ୟାର ଆଶୁ ସମାଧାନ ହୋଇପାରିବ l ଖାଦ୍ୟ ଉତ୍ପାଦନର କ୍ଷମତା ନ ଥିଲେ ମଧ୍ୟ ଖାଦ୍ୟକୁ ନଷ୍ଟ ହେବାରୁ ରୋକିବା ଏବଂ ତାକୁ ସଂରକ୍ଷଣ କରି ଠିକ ରୂପେ ବ୍ୟବହାର କରିବାର ଗୁରୁଦାୟିତ୍ୱ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ l ଏବେ ପାଠକେ ଜାଣି ପାରୁଥିବେ ଆମ ରାଜ୍ୟ ତଥା ଦେଶରେ ଦେଖାଯାଉଥିବା ଖାଦ୍ୟ ଅଭାବ ସମସ୍ୟା ପାଇଁ ଦାୟୀ କିଏ ?
ଫୋନ – 6370516478