କାଲିଂପଙ୍ଗ ର ଅନୁଭୂତି…

ଆମେ ପାହାଡି ମାନେ ଭାରି ସ୍ବାଭିମାନୀ,ବାହାରୁ ଟାଣୁଆ କିନ୍ତୁ ଭାରି ନରମ ହୃଦୟ ର ମଣିଷ ଆଉ ଭାରି ଯତ୍ନଶୀଳ ବି ।ଠିକ୍ ସ୍ବାଭିମାନ ଥିବା ସମ୍ବେଦନଶୀଳ ନମ୍ର ମନଟେ ପରି।ନଡିଆ ଫଳ କେମିତି, ଉପରୁ ପୁରା ଟାଣ ଆଉ ଭିତରେ ପାଣିଠୁ ଖାଦ୍ଯ ଯାଏ ସବୁ ଭରିଥାନ୍ତି ଈଶ୍ବର ।ଠିକ୍ ସେମିତି । କଥା ହୁଅନ୍ତି ,ନିଶ୍ବାସ ନିଅନ୍ତି ,ଖୁସି ଆଉ ଦୁଃଖି ବି ହୁଅନ୍ତି ।

ସବୁ ପାହାଡ ର ଆପଣାପଣ ଥାଏ,ବାସ୍ନା ଥାଏ,ସୌନ୍ଦର୍ଯ୍ୟ ବି ଅନୋଖା ଥାଏ।ମୁଁ କହିବି କେମିତି? ଏଇ ଯେମିତି ମନ କଥା ମାଆ ଜାଣେ ।ପ୍ରିୟ ର ହୃଦୟ ସ୍ପନ୍ଦନ ତା ପ୍ରିୟା ହି ବୁଝେ ।ସେମିତି ଏ ପାହାଡ ଆମର ସବୁ ।ଘର ,ପ୍ରିତି, ଆଉ ମାଆ।

ଆମେ ରହୁ କାଲିଂପଙ୍ଗ ରେ ,ହିମାଳୟ କୋଳର କୁନି କନ୍ୟା କାଲିଂପଙ୍ଗ ।ଆମ ଘର ସବୁ ଥାକ ଥାକ ହେଇ କଣ୍ଢେଇ ଘର ପରି ୟାର ଦେହସାରା ରଖାହେଇଥାଏ ।ରାସ୍ତା ସବୁ ଅଙ୍କା ବଙ୍କା ସର୍ପିଳ ଲମ୍ବା ବେଣୀ ପରି ।ଆମ ଘର ମାନଙ୍କରୁ ସମାନ ସରଳ ପଥର ମାନ ଖଞ୍ଜି ଆମେ ପାହାଚ ତିଆରୁ ତଳକୁ ,ପାହାଚର ନଦୀ ।କିନ୍ତୁ ସତ କହିବି ପାହାଚ ସବୁ ଆମ ଘରକୁ ଆସୁଥିବା ଅତିଥି ଙ୍କ କାମରେ ଲାଗେ, ଆମେ ତ ଚଲା ରାସ୍ତା ରେ ଚାଲୁ ।ଏ ଫୁଲଫୁଟା ବାଟ ସବୁ ଆମ ପାଦକୁ ଚିହ୍ନେ ।ମାଟିରେ ଆମ ପାଦ ଘସି ହେଇ ହେଇ ଆପେ ବାଟ ଟେ କେବେ କେମିତି ଗଢି ହେଇଯାଇଥାଏ ଆମେ ଜାଣୁନା ।ସବୁଜିମା ପ୍ରତି କାନ୍ଥ ରେ।ଫୁଲେ ଫୁଲେ ସଜା ଏ ପୁରା ପାହାଡ ର ବୁକୁ, ନିଜେ ପ୍ରକୃତି ମାଆ ତା ହାତ ରେ ସଜାଇ ନିଜେ ହସୁଥାଏ ତୃପ୍ତିରେ।

ଆମ ଘର ଝରକା ରୁ କାଞ୍ଚନଜଙ୍ଗା ପର୍ବତ ଅଧାଅଧି ଅନ୍ଯ ସାନ ସାନ ପାହାଡ ମାନଙ୍କ ଘେରା ଭିତରେ ଘୋଡେଇ ହେଇ ଦିଶେ ।ଆମ ଘର ସବୁ ରଂଙ୍ଗୀନ୍ ଆଉ ବିଶେଷତଃ କାଠ ଓ ପଥରରେ ତିଆରି ,ନିଜ ହାତରେ ନିଜ ଶୌଳୀ ରେ ସ୍ବପ୍ନ ର କୁନି କୁନି ଆଶିୟାନା ନିଜେ ତିଆରୁ ।ଛୋଟିଆ ଝରକା ଦେଇ କାଞ୍ଚନଜଙ୍ଗା ସ୍ବର୍ଗର ଏକ ଅଂଶ ପରି ବିଦ୍ଯମାନ ପଲକ ସାମ୍ନାରେ ।ତାର ଶବୁଜନେଳିଆ ବିରାଟ ଅବୟବ ଏତେ ବିରାଟ ଓ ବିସ୍ତୃତ ଯେ ଲାଗେ ଆକାଶ ର ନୀଳାଭ ଓଢଣୀ ର ନୀଳ ଧାରକୁ କୁ ଛୁଇଁ ଏଇ ଏଇ ଓଲ୍ହାଇ ଆସିଛି ଯେମିତି ।ଧାରେ ଧାରେ ଶବୁଜିମା ଓ ନୀଳ ରଙ୍ଗ ମିଶି ଏକ ସମୁଦ୍ରି ରଙ୍ଗ ହସୁଥାଏ ଲାଗେ ଯେମିତି କେଉଁ ଏକ ଅଜଣା କିନ୍ତୁ ମଗ୍ନ ଚିତ୍ରକର ର କାନ୍ଭାସ୍ ଓ ରଂଗ ପ୍ଲେଟ୍ ରେ ତୂଳୀ ନେଇ ମିଶେଇ ଚାଲିଛି ରଙ୍ଗର ଯାଦୁଗରୀ ଉଦିତ ଓ ଅସ୍ତମିତ ତାପନଙ୍କର କିରଣ ଭରିଦିଏ ଏକ ଅଭ୍ଭୁତ ଦିବ୍ୟ ଆଭା ,ବିଚ୍ଛୁରି ଦିଏ ତା ଶିଖର ସାରା ମୁଠା ମୁଠା କରି ସ୍ବର୍ଣ୍ଣ ରେଣୁ ।ପ୍ରାତଃ, ସାଂଧ୍ଯ,ଦିନର ସବୁ ମୂହୁର୍ତ୍ତ ରେ ନୂଆ ନୂଆ ….. ନୂଆ ଛୁଆଁ ରେ ପାର୍ବତ୍ଯମାଳା । ପାଲଟି ଯାଏ କେଇ ମୂହୁର୍ତ୍ତ ପାଇଁ ପର୍ବତରୁ ଅମରପୁରୀ ।  ସତେ ଯେମିତି ଢାଳିଯାଇଛି ତରଳ ସୁବର୍ଣ୍ଣ, ଧରିଦେଇଛି ଅନୀଳ ଅନେକ ଦୂର ଯାଏ ।ଶବ୍ଦ ନଥାଏ ସାଧାରଣତଃ ହିମାଳୟ ସୌନ୍ଦର୍ଯ୍ୟର ପୁଷ୍ଠି ପାଇଁ କେବେ ବି  କାହା ଅଭିଧାନ ରେ ।କାଞ୍ଚନଜଙ୍ଗା ତ ନିଜେ ନିଜର ପରିଚୟ ସୃଷ୍ଟି କରିଛି ପୃଥିବୀ ର ତୃତୀୟ ଉଚ୍ଚତ୍ତମ ଶୃଙ୍ଗ ଭାବେ ।ତିସ୍ତା ଓ ତମୁର ନଦୀ ସହ ନେପାଲ ଓ ସିକିମ୍ ମଝିରେ ଠିଆ କାଞ୍ଚନଜଙ୍ଗା ।ପ୍ରତିଥର ତାକୁ ଦେଖିଲେ ଲାଗେ ” ଏଇ,…… ଏଇତ ସ୍ବର୍ଗ ଆଉ ପାଦେ ମାତ୍ର ” ।

ବାଦଲ ମାନେ ଆମ ହାତ ପାହାନ୍ତା ରେ ସଦା ସର୍ବଦା ଚଳମାନ ।ସଡକରେ ଆତଯାତ ପଥିକ ପରି, କେବେ କେବେ ଆମକୁ କରନ୍ତି ତାଙ୍କ ପାନ୍ଥଶାଳା ।ଅଦିନିଆ ପର୍ଯ୍ଯଟକ ମାନଙ୍କୁ ମ୍ଯାଜିକ୍ ପରି ଅନୁଭବ ଦିଏ ଏ ବାଦଲ ସବୁ ।କୁରୁଳି ଉଠନ୍ତି ସେମାନେ ଆଶ୍ଚର୍ଯ୍ୟ ଓ କୌତୂହଳ ରେ ।ଅଜଣା ଲୋକେ ଭୟ ବି ପାଇଥାନ୍ତି ହଠାତ୍ କିଛି ନ ଦୃଶ୍ୟ ହେବାର କୁହୁଡିଆ ପ୍ରହେଳିକା ରେ ।କୁଆଡୁ କିଛି ନଥାଏ,ହଠାତ୍ ତୁଳା ରେ ତିଆରି ପୁରା କାକର ଭରା ଖୁବ୍ ଶୀତଳ ଶ୍ବେତ କି ପାଉଁଶିଆ ବାଦଲ ଗୋଲେଇ ଟିଏ ଢେଉ ମାରି ତୁମକୁ କୋଳକୁ ଟାଣିନିଏ,ଓ କିଛି ବି ବୁଝିବା ଆଗରୁ ଭିଜେଇ ଛାଡିଦିଏ ଅନେକ ସ୍ବପ୍ନ ରେ ।ତୁମଠି ଭରିଦେଇ ଉଜ୍ଜୀବିତ ଆକାକ୍ଷାଂ, ଆକାଶ ରେ ହଜିଯିବାର …. ନୀଳିମା ନଈର ଅନୁଭୂତି କୁ ଆପଣେଇବାକୁ ।

ଆମ ଘର ମାନଙ୍କରେ ସାମ୍ନା ସାମ୍ନି ଝରକା ଏ ହାଲକା ବାଦଲ ମାନଙ୍କୁ ନିର୍ଦ୍ବନ୍ଦ ରେ ଚଳପ୍ରଚଳ ସୁବିଧା ପାଇଁ କରାହୁଏ, ନହେଲେ କେଉଁ ପ୍ରେୟସୀର ଅକୁହା ବ୍ଯଥା ଭରା ତା ପ୍ରିୟ ର ସନ୍ଦେଶ  କୁ ଫାଳିକିଆ ବନ୍ଦ ଝରକା ରେ ମୁଣ୍ଡ ପିଟି ତୁମ ଘର ଭିତରେ ଝରେଇଦିଏ ଏ ବାଦଲ।ବାସ୍ ଘରର କୋଣ ଅନୁକୋଣ ଓଦା ।ଅସମୟେ ଘର ମେଜରେ ଫଟା ବାଦଲର ବାହିତ ଶେଜ ।

ହଜାରେ ଫୁଲ ହଜାରେ ସ୍ବପ୍ନ ପରି ହସୁଥାନ୍ତି । ସବୁ ଆଡେ ,ଏତେ ରଙ୍ଗ ଓ ଢଙ୍ଗର ଫୁଲ ଯେ ଅମରମଣ୍ଡଳ ପରି ବୋଧ ହୁଏ ।ସିରାସିରା ଝରଣା ସରୁ ସରୁ ସିଆର କାଟି ଧାରରେ ପାହାଡ ର ପଥର ଫାଟ ବାଟେ ପେଲି ପେଲି ଝରଝର ଝରିଯାଉଥିବା ଦୃଶ୍ୟ ମନ ଭିତରୁ ଭୁଲିହୁଏନି ।ଏତେ ଶୁଦ୍ଧ,ଥଣ୍ଡା,ଆଉ ସଫା, ପାଣି ଯେ ଅମୃତ ଧାର ପରି ମୃତ୍ଯୁଞ୍ଜୟ କରିଦିଏ ।ଆଞୁଳାଏ ପାଣି ପଥର ସନ୍ଧି ରୁ ଆଣି ପାପୁଲି ରେ ପି ଦେଲେ ଆତ୍ମତୃପ୍ତ ।

ଖରା ଆମ ଗାଁ ରେ ହାଲ୍କା ଫୁଲ୍କା ।ଦିନେ ଅଧେ ଖରା ଟାଣ ହୁଏ ଆଉ ସେଦିନ ଆମ ଗାଁ ରେ ମିରାକିଲ୍ ହେଲା ପରି ଲାଗେ ,ପିଲା ମାନେ ଏତେ ଖୁସିରେ ଡିଆଁ ମାରି ମାଆ ମାନଙ୍କୁ ଡାକନ୍ତି ଯେମିତି କଣ ଗୋଟେ ବିଚିତ୍ର, ଅଦ୍ବିତୀୟ ଘଟଣା ନଜରରେ ଧରା ପଡିଛି ଯାହା ପୃଥିବୀ ର ନୁହେଁ, ” ଧୁପ୍ ଆୟା, ଧୁପ୍ ଆୟା……ବୋଲି ଚହଳ ପଡି ଆମର ଏଇ ଛୋଟ ଗାଁ ଟି ସଚଳ ଚଞ୍ଚଳ ହୋଇଉଠେ ।ସଭିଏଁ ଖରାରେ ନିଜ ନିଜ ଲୁଗା ପଟା, ଆଉ ଅନେକ ସାମାନ/ ଜିନିଷ ଶୁଖେଇବାକୁ ଆଣି ବାହାର ପିଣ୍ଢା କୁ ଚାଲିଆସନ୍ତି ପାଦଟିପ ଅଗରେ ନାଚି ନାଚିକା ।ଗହଳିଚହଳି ଲାଗିଯାଏ ।  ଧୂଳି ପୁରା ନାହିଁ କହିଲେ ଚଳେ ଏଠି । ଧୂଳି ମଳି ସ୍ବର୍ଗରେ ଥାଏ କଣ ! କାକର ବର୍ଷା ଅନବରତ ଚିର ସହଚର ।ନିତିଦିନିଆ ଆମେ ଗରମ ପୋଷାକ ପିନ୍ଧି ଥାଉ ।ହିମାଳୟ ର ହୀମ କଣା ରୁ ସ୍ବ ପ୍ରାଣ ରକ୍ଷାର୍ଥେ ଗରମ ଦାର୍ଜିଲିଂ ଚା ବି ଆମର ପ୍ରିୟ ପାନୀୟ ।ଆମ ଘର ଟି ତ ଦାର୍ଜିଲିଂ ଓ ସିକିମ୍ ମଝିରେ ହି ।ଆମର ଏଠି ଆମେ ନେପାଳୀ, ବଙ୍ଗାଳୀ, ହିନ୍ଦୀ, ଲିମ୍ବୁ, ଲେପ୍ଛା, ରାଇ, ତମଙ୍ଗ୍, ଆଦି ଭାଷାଭାଷୀ ଓ ଜନଜାତି ର ଲୋକେ ଏକାଠି ରହୁ ହିନ୍ଦୁ, ବୌଦ୍ଧ ଓ ଅଳ୍ପ ସଂଖ୍ୟକ ମୁସଲିମ୍ ସଂପ୍ରଦାୟର ମଧ୍ୟ ।ଆମର ଏ ପ୍ରକୃତି ଘେରା ପାହାଡ ପାଚେରୀ ମଝି ଗାଁ ଟିରେ ପିଲେ ଭାରୀ ଫୁଟବଲ ପ୍ରିୟ ।ସେଥିପାଇଁ ଆମର ଛୋଟିଆ  ବଜାର  ଟି ମଝିରେ ଏକ ବଡ ଷ୍ଟାଡିୟମ ରହିଛି, ଯେଉଁ ଟି ଏମିତି ବାଦଲ ରେ ଢାଙ୍କି ହୋଇ ରହିଥାଏ ଯେମିତି ସେଇଟା ବାଦଲର ହି ଘର ।ଆଉ ଗୋଟିଏ ଗଲ୍ଫ କୋର୍ସ ବି ରହିଛି ଆମ କାଲିଂପଙ୍ଗ ରେ ।ଜଣେ ଯଦି ନ ଜାଣିଥିବ ଯେ ଏଇଟା ଷ୍ଟାଡିୟମ ବୋଲି ହଠାତ୍ ଏତେ ବଡ ଖାଲଖମା କଣ ବୋଲି ଆଶ୍ଚର୍ଯ୍ୟ ହେବ ।
ସବୁ ରାସ୍ତା ଆମର ଜିଗ୍ ଜାଗ୍, ଢେଉ ପରି ଉପରକୁ ତଳକୁ ମୋଡଣି ଉଠାଣି ଗଡାଣି ଚକ୍ରି ପରି ସ୍ପାଇରାଲ୍ ସ୍ପାଇରାଲ୍ । ବାହାନ ସବୁ ଯାଏ ଘୁରି ଘୁରି ଚକରି ଚକରି ।ଗୋଟେ ପଟେ ପାହାଡ ଆଉ ଆମ ଘର ଆର ପଟ ଟା ଘାଇ, ଆମର ଏ ଘାଇ କୂଳରେ ଘର ତ ଡର ନଥାଏ, କିନ୍ତୁ ପର୍ଯ୍ୟଟକ ମାନେ ହାଁ କରି ତଳକୁ ଚାହିଁ ରହନ୍ତି ଅନେକ ସମୟ ଯାଏ ।ଆମେ ଅଭ୍ଯସ୍ତ ଏ ଉଚ୍ଚତା ସହ ।ମାଂସପେଶୀ ଖୁବ୍ ଟାଣ ଆମର ପାହାଡ ଚଢି ଓହ୍ଲାଇ ସହସ୍ର ଦଫା ।ଆମ ପିଠିରେ ଆମେ ବୋହିନେଉ ଆମ କୁନି ଶିଶୁ ମାନଙ୍କୁ ,ଆମ ଦରକାରୀ ଜିନିଷ ସବୁକୁ ନିର୍ଦ୍ବନ୍ଦେ ଏକ ବଡ ଝୁଡିଡାଲାରେ ।

ଆମେ ଦେଖିଛୁ ଅନେକ ସ୍ଲାଇଡିଂ ।ବର୍ଷା ଦିନେ ଏଇ ଘାଇ ସବୁ ଭୀଷଣ ରୂପ ନିଏ ।ଆମର କେତେ ପୋଷା ଚେଳି, ମେଣ୍ଢା ଚରିବାକୁ ଯାଇ ଧସୁଥିବା ପାହାଡ ରୁ ଫେରନ୍ତା ବାଟ ଭୁଲିଯାନ୍ତି ।କେତେ ଗଛ ଜଙ୍ଗଲ ବି ।ବେଳେ ବେଳେ ଯାନବାହାନ ଆଉ ଆମ ଲୋକେ ବି ଖସି ପଡିବାର ନଜିର୍ ଅଛି ।କିନ୍ତୁ ତଥାପି ଏଇ ଜଙ୍ଗଲ ଆମ ମାଆ,ଏଇ ପାହାଡ ଆମର ବାବା ।
ଆମେ ମାନେ ମୋମୋ, ଛୁର୍ପି ( ଏକ ମୋଟା ଛେନା ଯାହା ୟାକ୍ ଦୁଗ୍ଧ ରୁ ପ୍ରସ୍ତୁତ),ୱାଇ ୱାଇ ,ଥୁପ୍କା ଆଦି ଆମର ପ୍ରିୟ ଖାଦ୍ଯ, ତା ଛଡା ଆମେ ବିଭିନ୍ନ ଫର,ମୂଳ, ଚେର,ଫୁଲ,ପତ୍ର ଆଦି ଖାଇଥାଉ ।ଏଇ ଜଙ୍ଗଲ ହି ଆମର ପୋଷଣ କରେ ,ଯତ୍ନ ନିଏ ଆରୋଗ୍ଯ ଓ ଆୟୁଷ ଦିଏ ।ବଡ ବଡ ଓକ୍ ଗଛ ଆମ ମାଟିକୁ ତା ଜଡରେ ଜଡେଇଧରେ ।ଖସିବାକୁ ଦିଏନି ।ଆମ ଜଙ୍ଗଲ ରେ ରେଡ୍ ପାଣ୍ଡା, କ୍ଲାଉଡେଡ୍ ଲେପାର୍ଡ,ବାର୍କିଂ ଡିଅର, ବେଏର, ହିମାଲୟାନ୍ ଥର,କୁକୋ, ବୁଲ୍ ବୁଲ୍,ହଳଦୀବସନ୍ତ, କାଠହଣା, ସନ୍ ବାର୍ଡ ଆଦି ଆଦି ଅନେକ ଅନେକ ପ୍ରକାର ପଶୁ ଓ ବିହଙ୍ଗ ନିର୍ଭୟ ରେ ବସବାସ କରନ୍ତି ।ଏମିତି ଲାଗେ ଯେମିତି ଆମକୁ ସେମାନେ କୃପା କରି ତାଙ୍କ ଘରେ ବାସ ଦେଇ ଛନ୍ତି ।ଆମେ ତାଙ୍କର ସମ୍ମାନ କରୁ,ସୁରକ୍ଷା କରୁ ଓ ସେମାନେ ଆମକୁ ନିଜର ଭାବନ୍ତି ।ଏବେ ଏବେ ଜଙ୍ଗଲରୁ ଓକ୍ ଗଛ କମିଯାଉଥିବାରୁ ଆମ ଘର ଆକାଶ ଛୁଆଁ ହେଲେ ବି ଏଠି ଅଦିନିଆ ବନ୍ଯା ହେଲାଣି ପାହାଡି ନଦୀ ମାନଙ୍କରେ ।ଏଠି ଏବେ ଏତେ ଯନ୍ତ୍ର ଚାଲୁଛି ଯେ ,ଆମ ସରଳ ନିଷ୍ପାପ ଜୀବନ ଭିତରକୁ ଯନ୍ତ୍ରଣା ସବୁ ଛିଟକି ପଶୁଛି ।ପ୍ରକୃତି ଦୀର୍ଘଶ୍ବାସ ଛାଡୁଛି ।

ଫୁଲେଇ ଫୁଲ ମାନଙ୍କର ଲଡକପନ ଦର୍ଶକ କୁ ତାର ନିଜ ମନର ଦର୍ପଣ ରେ ଦର୍ଶନ କରେଇଦିଏ ତା ଭିତରର ହଜିଯାଉଥିବା ତା ସୌନ୍ଦର୍ଯ୍ୟ କୁ ।

ସତରେ ଏ ହିମାଳୟ ପୁତ୍ର ଏ ପବିତ୍ର ସହର ଛୋଟ ହେଲେ ବି  ସୋ ଆମେଜିଙ୍ଗ, ଅଦ୍ବିତୀୟ,ଅଦ୍ଭୁତ,ଅତୁଳନୀୟ ।
ମନେ ପଡିଯାଇଥିଲା ପିଲାବେଳେ ସାହିତ୍ୟ ବହିରେ ପଢିଥିବା ସୁନ୍ଦର ବିଷୟ ଟି ” ହିମାଳୟ ର ହୀମ ଛାୟା ତଳେ ମସୁରୀ” ।ପଢିଲା ବେଳେ କଳ୍ପନା ଚକ୍ଷୁ ରେ ଆଙ୍କିଥିବା ହିମାଳୟଛାତି ର ଗୋଟେ ଅଂଶରେ ଠିଆ ହୋଇ ଲାଗୁଥିଲା ଯେମିତି ବହି ଭିତରକୁ ପଶି ଆସିଛି ।

ମୋ ମାଉସାବାବୁ କାଲିଂପଙ୍ଗ ର ଆର୍ମି ରେଜିମେଣ୍ଟ ର ବରିଷ୍ଠ ଯନ୍ତ୍ରୀ  ଓ ତାଙ୍କ ପାଖକୁ ଯିବାବେଳେ ଭେଟିଥିଲି ଏଇ ସୁକୁମାରୀ ପାହାଡି କନ୍ୟା ନ୍ଯାନ୍ସି ସହ ।ସେ କହିଥିଲା ମତେ ଏତେ କଥା ତା ମେଘ ରେ ଘେରା ଏଇ ପାହାଡି ଗାଁ ଟି ବିଷୟ ରେ ।କେତେ ସରଳ ଓ ନିର୍ମାୟା ଏଇ ପର୍ବତ କୋଳରେ ବଢିଥିବା ମଣିଷ ମାନେ ,ଆମ ପରି ଯନ୍ତ୍ର _ ମସ୍ତିଷ୍କ ତ କେବେ ବି ନୁହେଁ ।ଆମେ କଂକ୍ରିଟ୍ ଜଙ୍ଗଲର ଇମାରତ ଆଉ ସେମାନେ କଳ କଳ ପାହାଡି ଝରଣା।

ଆପେ ଭଲ ପାଇ ବସିଥିଲି ଜାଗାଟିକୁ , ଦୁଇଦିନ ମାତ୍ର ରହଣୀ ରେ ମନ ପୂରି ନଥିଲା ।ରେଜିମେଣ୍ଟ ଭିତର ଟି ତ ସଜେଇଦେଲା ପରି ନିଜସ୍ୱ ସୌନ୍ଦର୍ଯ୍ୟ ଓ ଅନୁଶାସନ ର ମନ୍ଦିର ।

ଫେରିବାକୁ ମନ ନଥିଲେ ବି ଫେରିବାକୁ ତ ହୁଏ ହି ।ଅନେକ ଜାଗାରୁ।

ସତକୁ ସତ ଫେରିବା ବାଟ ରେ ସେଦିନ ଆମ ଜିପ୍ ସାମ୍ନାକୁ ରାସ୍ତା ଟି ସ୍ଲାଡିଂ ରେ ଧସି ପଡି ପାତାଳଭୁମୁଖି ।ସେପଟେ ଗାଡି ମାନେ ଟ୍ରେନ୍ ଧରିବା ପାଇଁ ତରବର ।ତା ଆଗ ଦିନ ଉପର ଓଳି ବାପା କହିଛନ୍ତି ବୋଉ କୁ ଯେ ଯଦି ଆମେ ଏବେ ନ ବାହାରିଛେ କାଲି ସକାଳୁ ବୋଧେ କିଛି ହଇରାଣ ଯୋଗ ଥିବାପରି ବାସୁଛି ।ମୁଁ ଜାଣେ ବାପା ଙ୍କ ସିକ୍ସ ସେନ୍ସ ଆଉ ଇନ୍ଟୁଏସନ୍ ଭାରି ଷ୍ଟ୍ରଙ୍ଗ ।ଏବେ ଫସିଲୁ, ମଲୁ।
ବୋଉ କହୁଥାଏ, ଏ ଲୋକ …..ଯାହା କହିବେ ତାହା ହବ ।ୟାଙ୍କ ପାଟିକୁ ମୋର ଡର ।ଭଲ ଏ କଥା କହିଲେ ଯେ ,ହନ୍ତସନ୍ତ ।ବାପା ଦୋଷୀ ପରି ସଫେଇ ଦଉଥାନ୍ତି  ମୁଁ ତ କହୁଛି କାଲିଠୁ…..ମୋ କଥା ସିନା କିଏ ଶୁଣିଲେ ହନ୍ତା ।
କଣ କରିବା ।ରେଜିମେଣ୍ଟ ର ଗାଡି ଆଗକୁ ଯିବାର ଚାପ୍ସ ଜୀରୋ ।ଇଏ କଣ ଆମ ପୁରୀ କଟକ ହେଇଛି ଯେ ଏ ଗଳି ସେ ଗଳି ଦେଇ ଗନ୍ତବ୍ୟ ରେ ପହଞ୍ଚି ଯାଇହବ, ନା ତ ।ହରିବୋଲ ।
ଆଗରେ ଆଉ ଏକ ଜିପ୍ ଯାହାକି ଶୂନ୍ୟ ରୁ ତଳକୁ ଗୋଟିଏ ଗଛର ଡାଳରେ ଝୁଲାୟମାନ ଅବସ୍ଥା ରେ ଦୋଳାୟମାନ, ଦେଖିଲେ ଯେଡେ ଟାଣ କଲିଜା ହେଲେ ବି ଭୟ ପାଇବା ଥୟ।

ଆମ ଆର୍ମି ର ଯବାନ ମାନଙ୍କ ସାହାସ କୁ କୋଟି ନମନ ।ସେମାନେ ଧୌଯ୍ଯ ର ସହ କୌଶଳ ଓ ବୁଦ୍ଧି ର ପ୍ରୟୋଗ ରେ ସେ ଝୁଲନ୍ତ ଗାଡି ର ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ସେ ଘାଇ ରେ ପଡି ନିଶ୍ଚିହ୍ନ ହେବାରୁ ।ବର୍ତ୍ତମାନ ଗାଡିଟିର ପାଳି ।ସେମାନେ ମନପ୍ରାଣ ଦେଇ ଲାଗିଥାନ୍ତି ।ଏଇଟା ବୋଧେ ତାଙ୍କ ରକ୍ତ ର ସୁଗୁଣ, ଏକ୍ଷ୍ଟ୍ରିମଲି ଅନେଷ୍ଟ ଆଉ ଡେଡିକେଟେଡ୍ ସବୁ କାମ ପାଇଁ ,ଯାହା ଆପେ ତାଙ୍କ ପ୍ରତି ସମ୍ମାନ ଜନ୍ମାଏ ।

ଜଣେ ପାହାଡି ଲୋକ ଓ ନାନ୍ସି ପୁଣି ଯୋଗକୁ ଭେଟ ହେଲେ ଓ ମତେ ଦେଖି ନାନ୍ସି ଖୁସି ତ ହେଇଗଲା କିନ୍ତୁ ଅବସ୍ଥା ବି ବୁଝିଗଲା ।କହିଲା,ବ୍ଯସ୍ତ ନାହିଁ……..ଗାଡିରୁ ଓହ୍ଲାଇ ଆସନ୍ତୁ ଆମ ସାଙ୍ଗେ ।ପାହାଡି ଚଲା ରାସ୍ତା ରେ ଆର ପଟକୁ ଯାଇ ହବ ।ଆପଣ ମାନେ ସହରୀ ଲୋକ ଟିକେ କାଟିବ ଆବଶ୍ଯ ।ବାପା ଆମର ତୁରନ୍ତ ଅବିଳମ୍ବେ ଆଟାଚ ଧରି ତା ପଛେ ପଛେ ଆଗେଇଲେ ଆଉ ଆମକୁ ଆସ ବୋଲି କହିଲେ ।ଆସ୍ତେ ଓ ବିଶେଷ ସାବଧାନ ରେ ଆମେ ସବୁ ବି ଜଣ ଜଣ କି ଗାଡିରୁ ଓହ୍ଲାଇ ମାଉସୀ ମଉସା ଙ୍କ ଠୁ ସେଇଠି ବିଦାୟ ମାଗି ଆଗେଇଲୁ ଓ ଆମ ପଛେ ପଛେ ଆହୁରି ଆନେକ ଲାଇନ୍ ରେ ,ଯାହାର ସବୁ ରାସ୍ତା ସେ ପାରି କୁ ଯିବାର ଥିଲା ।ନାନ୍ସି ଗୋଟେ ଦୈବୀ ପ୍ରେରିତ ଶକ୍ତି ପରି ଆମ ସମସ୍ତଙ୍କୁ ବାଟ କଢେଇ ନେଲା ।ବାଟରେ ଚିହ୍ନେଇ ଦେଲା ତା ସାଙ୍ଗରେ ଥିବା ଭଦ୍ରବ୍ଯକ୍ତି ତାର ପିତା ବୋଲି ।

ପାହାଡ ତିଖ କୁ ଆମେ ଅଜଣା ବାଟୋଇ ପାଦ ଗଣିଗଣି ଓ ଥାପି ଥପି ପକଉଥାଉ, ସେମାନେ କିନ୍ତୁ ଖୁବ୍ ସହଜରେ ଗୋଟିଏ ଲେଖାଏଁ ବାଡି କୁ ମାଟିରେ ଭରା ଦେଇ ଉଠିଯାଉଥାନ୍ତି ।ପାଦ ଖସୁ ବି ଥାଏ ।ଥର ଥର ଅବସ୍ଥା ।ସମସ୍ତେ ସମସ୍ତ ଙ୍କ ସାହାରା ରେ ଚାଲୁଥାନ୍ତି ।ଭୟଶଙ୍କୁଳତା ଭିତରେ ବି ପ୍ରକୃତି ତାର ସୌନ୍ଦର୍ଯ୍ୟ ର ତାଳ ମିଳେଇ ଥାଏ ।ଏ ଗୋଟେ ନୂଆ ପ୍ରକାରର ଏକ୍ପେରିଏନ୍ସ ।ମଜା ବି ଲାଗୁଥାଏ ।ମଝିରେ କିଏ କିଏ ଭୟରେ ଚିଲଉ ବି ଥାନ୍ତି ।ମୋ ମାମୁଁ, ବାପା, ବୋଉ, ଦାଦା ମତେ ଜଣ ଜଣ କି ଆକଟୁ ଥାନ୍ତି ଏଣେ ତେଣେ ନ ଦେଖି ଆଗକୁ ଚାହିଁ ଚାଲିବାକୁ ।ହେଲେ ମନ କୋଉ ମାନିବା ପିଲା, ସେ ତ ଆଜନ୍ମ ଅମାନିଆ ।ତା ଉପରେ ପୁଣି ପ୍ରାକୃତିକ ସୌନ୍ଦର୍ଯ୍ୟ ମାନେ ,ଆଉ କି ଆକଟ ଶୁଣେ ।

ଏବେ ତଳକୁ ଖସିବାର ସମୟ ଆସିଲା । ନାନ୍ସି ବାପା ଙ୍କ ର ଦିଗଦର୍ଶନ ଅନୁଯାୟୀ ଆମେ ପ୍ରଥମେ ଆମ ଆଟାଜି, ଓ ବ୍ଯାଗ ସବୁ ତଳକୁ ଖସେଇଦେଲୁ ।ତଳେ ନାନ୍ସି ଓ ଲୋକାଲ କେତେ ଜଣ ଉପକାରୀ ବ୍ଯକ୍ତି ସମ୍ମିଳିତ ଭାବରେ ସେ ସବୁ କୁ ଧରି ରଖିଲେ ।ପରେ ଆମେ ଜଣ ଜଣ କରି ପିଲାଙ୍କର ଖସଡା ଖେଳ ପରି ବସି ଆଖି ମୁଦି ଖସି ଆସିଲୁ ।ବାଲି, ମାଟି,ଗୋଡି,ପଥର,ସାଙ୍ଗରେ ହସ ବି ଝରିପଡିଲା ପାହାଡ ବୁକୁରୁ ।ସମସ୍ତେ ସାଙ୍ଗ ହୋଇ ବହେ ହସିଲୁ ଆଗେ ।ଚିହ୍ନା ଅଚିହ୍ନା କେହି ନଥିଲେ, ସମସ୍ତେ ଗୋଟିଏ ନାଆ ର ଯାତ୍ରୀ ।ଶାଢୀ ପିନ୍ଧି ଥିବା ହେତୁ ବୋଉ ଓ ତା ପରି କେତେ ଜଣଙ୍କୁ ପାହାଡ ଖସା ଟା ଟିକେ ଅଡୁଆ ହେଲା ।ଯୋଗକୁ ଠିକ୍ ଖସିବା ଠି ଗୋଟେ ଝରଣା ଝରି ପାଣି ର କୁଣ୍ଡ ଟିଏ ହୋଇଥାଏ ।ଆମେ ସମସ୍ତେ ସେଠି ପାଣି ପି ,ଧୋଇ ଧାଇ ହେଇ ଫ୍ରେସ୍ ହେଲୁ ।ଏଇଠୁ ପୁଣି ଅନ୍ୟ ଗାଡି ରେ ଷ୍ଟେସନ ଅଭିମୁଖେ ବାହାରି ପଡିଲୁ ।

ଟ୍ରେନ୍ ଧରିବାର ଥିଲା ଯେ ।