ସେ ସୁରକ୍ଷିତ କି?

ଦୁଇ ବର୍ଷ ତଳ ର କଥା।ମୁଁ ଆମ ଘରକୁ ଯାଇଥାଏ । ଝିଅ ଜନ୍ମ ପରଠୁ ଦୁଇ ବର୍ଷ  ହୋଇ ଯାଇଥିଲା ଖବର କାଗଜ ପଢିବା ମୋର  ବିଲକୁଲ ବନ୍ଦ ହୋଇଯାଇଥିଲା କହିଲେ ଚଳେ । ହେଲେ ସେଦିନ ଡାଇନିଂ ଟେବୁଲ ଉପରେ ପଡ଼ିଥିବା ଖବର କାଗଜ ର ପ୍ରଥମ ପୃଷ୍ଠା ରେ ବାହାରିଥିବା ଏକ ସମ୍ବେଦନଶୀଳ ଖବର ମୋର  ଦୃଷ୍ଟି ଆକର୍ଷିତ କଲା ।
ଦୁଇ ନାବାଳିକା (ଜଣେ ଅଷ୍ଟମ ଶ୍ରେଣୀ ଓ ଜଣେ ଷଷ୍ଠ ଶ୍ରେଣୀ )ର ଛାତ୍ରୀଙ୍କୁ ଅପହୃତ କରାଯାଇ  ଗଣଧର୍ଷଣ କରାଯାଇଛି ।ସେମାନଙ୍କ ମା ନିକଟସ୍ଥ ପୋଲିସ ଷ୍ଟେସନ ରେ ଏଫ. ଆଇ. ଆର ଦାଖଲ କରିଥିଲେ । ସପ୍ତାହ ପରେ ସାନ ଭଉଣୀଟି ଘରକୁ  ଫେରି ଆସିଥିଲା । ଶିଶୁମଙ୍ଗଳ ଓ ସହାୟକ ସଂସ୍ଥାର ଉପସ୍ଥିତିରେ ପୋଲିସ ପଚରା ଉଚରା କରିଥିଲା ହେଲେ ତା ପର ଦିନ ଭୋରୁ ଝିଅ ଟି ଗଳାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲା । ଏ ଘଟଣା ଟି କିଛି ଅସାଧାରଣ ନଥିଲା ।ଏପରି ଘଟଣା ପ୍ରତିଦିନ ଖବର କାଗଜର ପ୍ରଥମ ପୃଷ୍ଠା ରେ ପ୍ରକାଶିତ ହୁଏ । ସମାଜରେ ଏପରି ଅପକର୍ମ ର ପୁନରାବୃତ୍ତି ନହେଉ, ଲୋକମାନେ ସତର୍କ ରୁହନ୍ତୁ ସର୍ବୋପରି ଏପରି ସମ୍ବେଦନଶୀଳ ଖବର ଛପାଇ ଅଧିକ କ୍ରେତା ଙ୍କୁ ଆକର୍ଷିତ କରିବାକୁ ଗଣ ମଧ୍ୟମ ଚେଷ୍ଟା କରୁଛି ।କିନ୍ତୁ ଘଟଣା ବାରମ୍ବାର ତା ବାଟରେ ଘଟୁଛି।ବରଂ ଏପରି ଘଟଣା ପଢି ଲୋକମାନେ ଅଧିକ ଖୋରାକ ପାଉଛନ୍ତି ଏପରି ଦୁଷ୍କର୍ମ କରିବାକୁ ।ତେବେ ଯୁଗ ଅନୁସାରେ ଲୋକେ ମାର୍ଜିତ ହେଉଛନ୍ତି ନା ଅପସଂସ୍କୃତ?


ଏଠାରେ ଦୁଇଟି ପ୍ରଶ୍ନ ସାମ୍ନାକୁ ଆସୁଛି ,ସେ ଝିଅ ମାନଙ୍କର ଦୋଷ କଣ ଥିଲା? କାହିଁକି ସେମାନଙ୍କୁ ଅପହରଣ କରି ଏପରି ଅପମୃତ୍ଯୁ କୁ ବାଛିବାକୁ ବାଧ୍ୟ କରାଗଲା! ଏହାର ଉତ୍ତର ଯଦି ଏପରି ହୋଇପାରେ ଯେ, “ଏ ଯୁଗରେ ଝିଅ ମାନଙ୍କୁ ଦୃଢ଼ତା ର ସହ ଏପରି ପରିସ୍ଥିତି କୁ ସାମ୍ନା କରିବାକୁ ପଡିବ ।” ତାହେଲେ ସେ ସାନ ଝିଅଟି ଖୁଵ ସାହସୀ ଯିଏ ସାହସ ର ସହ ସବୁ ଘଟଣା ପୋଲିସ ଆଗରେ ବର୍ଣନା କରିଥିଲା ।ଦ୍ଵିତୀୟତଃ ପୁଣି ପ୍ରଶ୍ନ ଆସେ  ଯଦି ସେ ଝିଅ ଟି ଖୁଵ ସାହସୀ ଓ ଦୃଢତା ର ସହ ପରିସ୍ଥିତି କୁ ସାମ୍ନା କରି ଥିଲା ତେବେ ସେ ଆତ୍ମହତ୍ୟା କରୁଥିଲା କଣପାଇଁ?ସମ୍ଭବତଃ ସେଠୁ ଅତ୍ୟାଚାରୀତ ହୋଇ ଫେରିବା ପରେ ପାଖ ପଡୋଶୀ, ଏପରିକି ନିଜ ଘରୁ ମଧ୍ୟ ତାକୁ ଶାରୀରିକ ଓ ମାନସିକ ଭାବେ ଯନ୍ତ୍ରଣା ଦିଆଯାଇଥିବ, ଟିପଣୀ ଓ ଲାଞ୍ଚନା ଦିଆଯାଇଥିବ ଯାହାର  ଫଳ ସ୍ୱରୂପ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ।
କିନ୍ତୁ କଣ ତାର ଦୋଷ? କାହିଁକି ସେ ଅନ୍ୟ ଜଣଙ୍କ ଭୁଲ ପାଇଁ ଦଣ୍ଡିତ ହେଲା ଓ ଶେଷରେ ନିଜ ଜୀବନ ନେବାକୁ ସ୍ଥିର କଲା?ଯଦି ଏମିତି ଦେଖା ଯାଏ ତାର ଶରୀର ଯନ୍ତ୍ରଣା ର ଶୀକାର ହୋଇ ଅପବିତ୍ର ହୋଇଗଲା ହେଲେ ଆତ୍ମା ନୁହେଁ ।ଆତ୍ମା ତ ଚିର ପବିତ୍ର, ନିରାକାର । ତେବେ ସେ କାହିଁକି ଆତ୍ମହତ୍ୟା କରିବ?  ସେ ଅସାମାଜିକ ଲୋକେ କଣ ଏତେ ଭଲ କାମ କଲେ ଯେ ତାର ଆତ୍ମା କୁ ମଧ୍ୟ୍ୟ ଜବରଦସ୍ତ  ଛୁଇଁ ଦେଇ ତାକୁ ଅପବିତ୍ର କରି ଦେଲେ? ଆମ ସମାଜରେ ଏତେ ଜ୍ଞାନୀ ଗୁଣି ଅଛନ୍ତି, କେହି କଣ ସମାଜରେ ଏ ବାର୍ତ୍ତା ଏଯାବତ ପ୍ରଚାର କରି ପାରି ନାହାନ୍ତି ଯେ ଆତ୍ମା ଅମଳିନ? କାହିଁକି ତେବେ ପୀଡିତା ମାନଙ୍କୁ ଘରେ ମଧ୍ୟ ନ୍ୟାୟ ମିଳି ପାରୁନି? ଏସବୁ ପ୍ରଶ୍ନର କୌଣସି ଉତ୍ତର ନାହିଁ ।


ଏଠି ଆଉଏକ ପ୍ରଶ୍ନ ମଧ୍ୟ ମନକୁ ଆସେ ଯଦି ତାର ଆତ୍ମହତ୍ୟା କରିବାର ଥିଲା ତେବେ ସେ ଘରକୁ ନ ଫେରି ଅନ୍ୟ କେଉଁଠି କରି ପାରିଥାନ୍ତା । କାହିଁକି ତେବେ ସେ ଘରକୁ ଆସି ଆତ୍ମାହତ୍ୟା କଲା? ତା ମାନେ ସେ ମରିବାକୁ ଆସି ନଥିଲା ।ସେ ନିଜ ଘରୁ ମଧ୍ୟ କୌଣସି ଭରସା, ସାହାଯ୍ୟ, ସହଯୋଗ ପାଇନି ତେଣୁ ଶେଷରେ ସେ ଏ ପରି ନିଷ୍ପତ୍ତି ନେଇଛି । ବୋଧେ ଜଣେ ମାନସିକ, ଶାରୀରିକ ଭାବେ ଆହତ ହୋଇ ଘରକୁ ଫେରିଲେ ତାକୁ କେହି ସହଜରେ ନେଇପାରନ୍ତିନି! ତାକୁ ସାଉଁଟିବା ପରିବର୍ତ୍ତେ ତାକୁ କଟାକ୍ଷ କରିବାରେ ଲାଗି ପଡନ୍ତି ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରେ ।କେବେ ଝିଅକୁ ଘରୁ ଟାଣି ନେଇ ବାପା ସାମ୍ନାରେ, କେବେ ସ୍କୁଲ, କଲେଜ, ଟ୍ୟୁସନ ରୁ ଫେରିବା ବେଳେ, ତ କେବେ ସାବତ ବାପା, ତ କେବେ ଶିକ୍ଷକ, କେବେ ନିଜ କକା, ମାମୁଁ, ଭାଇ ଙ୍କ ଦୁଷ୍କର୍ମ ର ଶୀକାର ହୋଇ କିଶୋରୀ, ତରୁଣୀ, ମହିଳା ମାନେ ମା ହେବାକୁ ଯାଆନ୍ତି ।
ଏସବୁ ଆଦିୟମାନ କାଳରୁ ହୋଇଆସୁଛି ମାତ୍ର ଲୋକ ଲଜ୍ୟା ଯୋଗୁଁ  କେହି ବାହାରେ ପ୍ରକାଶ କରିବାକୁ ଡରୁଥିଲେ, ହେଲେ ଏଵେ ସେଇ ଘଟଣା  ବହୁଳ ଭାବରେ ଘଟୁଛି ।  ଜନ ସଚେତନତା ଜାଗୃତି ପାଇଁ ଗଣ ମାଧ୍ୟମ  ତାକୁ ପରଦା ବାହାରକୁ ଆଣୁଛି,ହେଲେ ଏହା ସମାଜରେ ଏପରି ଅପକର୍ମ କମାଇବା ପରିବର୍ତ୍ତେ ବଢାଇବାରେ ଲାଗିଛି । ମନେହୁଏ ଯେମିତି ଏସବୁ ପଢି ଲୋକେ ଅଧିକ ପ୍ରୋତ୍ସାହିତ ହେଉଛନ୍ତି ଏସବୁ କରିବାକୁ ।ସେପରି କର୍ମକ୍ଷେତ୍ରରେ  ନିଜ ଅଫିସର ବା ସହକର୍ମୀଙ୍କ ଠାରୁ ମାନସିକ ଯାତନା ବା ଦୁଷ୍କର୍ମ ର ଶୀକାର ହୋଇ ମଧ୍ୟ ନିଜ ଚାକିରୀ ଓ ପ୍ରମୋସନ ବା ବିଦେଶ ଯାତ୍ରା ସୁଯୋଗ ହରାଇବା ଲୋଭରେ ମହିଳାମାନେ ନିରବ ରହୁଛନ୍ତି l
 ସମାଜରେ ଏକ ସୁରକ୍ଷିତ ସ୍ଥିତି ପାଇବା ପାଇଁ ବିବାହ କରୁଥିବା ମହିଳାମାନେ,  ବିବାହ ପରେ ମଧ୍ୟ ଅଧିକ ଅସୁରକ୍ଷିତ ହେବାରେ ଲାଗିଛନ୍ତି ।ପାରିବାରିକ ହିଂସା, ମାନସିକ ଯାତନା, ଯୌତୁକ ନିର୍ଯାତନା ଆଦି ଅସାମାଜିକ ଘଟଣା ଯୋଗୁଁ ସେ  ନାମକୁ ମାତ୍ର କାଚ ସିନ୍ଦୁର ପିନ୍ଧି ପ୍ରତି ମୁହୁର୍ତ୍ତ ରେ ନୀରବରେ ଆଖିର ଲୁହ ପିଇ ବଞ୍ଚିଛି  ଏପରିକି କେତେ ଜୀବନ ମଧ୍ୟ ଅଚିରେ ଶେଷ ବି ହୋଇଯାଉଛି ।

ଏମିତିକି ମା ପେଟରେ ମଧ୍ୟ କନ୍ୟା ଭୃଣ ଟି ଏବେ ଅସୁରକ୍ଷିତ ।ଝିଅ ଟି ଯଦି ଜନ୍ମ ନେଉଛି ତେବେ ଗୋଟିଏ କଥା ସମସ୍ତେ କୁହନ୍ତି, “ପ୍ରଥମରୁ ତାକୁ ଦୃଢ଼ କରିବାକୁ ହେବ! ପରିସ୍ଥିତି କୁ ସାମ୍ନା କରିବାକୁ ଶିଖିବାକୁ ହେବ! “ହେଲେ ଜଣେ ସ୍ତ୍ରୀ ଲୋକ କେମିତି ସେ ଦୁର୍ବଳ ମୁହୁର୍ତ୍ତ ରେ ଚାରି ପାଞ୍ଚ ଜଣ ଲୋକଙ୍କ ସହ ଶାରୀରିକ ଭାବେ ଲଢ଼ି ପାରିବ ।

ଯେତେ ସଂଯତ ହେଲେବି ଗୋଟିଏ ଝିଅ ର ପ୍ରତି ଟି କଥା, କାମ, ଚାଲି ଏପରିକି ଚିନ୍ତା ମଧ୍ୟ ସଦା ସର୍ବଦା ଅନ୍ୟ ର ପରୀକ୍ଷଣ ଚକ୍ଷୁ ର ଅନ୍ତର୍ଗତ।ଆଜିର ଏ ସମୟରେ ଏମିତି କୌଣସି କାମ ନାହିଁ ଯାହା ଏକ ନାରୀ ନ କରିପାରୁଛି! ତଥାପି କାହିଁକି ସେ ଅବହେଳିତ? ପୁରୁଷ ତ ଦୂର ର କଥା ଏକ ନାରୀ ବି ନାରୀକୁ ସହଯୋଗ କରୁନି । ତାର ଫଳ ସ୍ୱରୂପ କେତେ ନିର୍ଝରା, ପ୍ରିୟଙ୍କା, କୁନି ପରୀ  ଅକାଳ ରେ ନିଜ ଜୀବନ ଏପରି ଅସାମାଜିକ ଲୋକଙ୍କ ନୀଚ ଇଛା ଚରିତାର୍ଥ ପାଇଁ ଉତ୍ସର୍ଗ କରୁଛନ୍ତି ।
କଣ ତେବେ ଏହାର ସମାଧାନ? କେମିତି ନାରୀଟି ସୁରକ୍ଷିତ ହୋଇ ମୁଣ୍ଡ ଟେକି ଏକବିଂଶ ଶତାବ୍ଦୀରେ ବଞ୍ଚିବ? କେବେ ଏ ସମାଜ ନାରୀ ପୁରୁଷ ପ୍ରଭେଦ ର ସଂକୀର୍ଣ୍ଣତା ରୁ ବାହାରି ଏକ ସୁନ୍ଦର ସାମଞ୍ଜସ୍ୟ ପୂର୍ଣ୍ଣ ସମାଜ ଗଢିବାରେ ଦୁହେଁ ନାରୀ ପୁରୁଷ ହାତ ମିଳାଇ ଚାଲିବେ? ଏହାର ଉତ୍ତର ମୁଁ ପାଠକ ମାନଙ୍କ ଠାରୁ ଆଶା କରୁଛି । ସମାଜ ଏ ପ୍ରଶ୍ନ ର ଉତ୍ତର ନଦେଲେ ଖୁଵ ଶୀଘ୍ର ଏ ସମାଜରୁ ନାରୀ ସତ୍ତାର  ବିଲୋପ ହେବ ।